ଲୁହୁରା କଥା

ଜଣେ ଲୁହୁରା ନିଜେ ଲୁହା ବାହାର କରି ନିଜେ ମଣିଷକୁ ଦେଉଥିଲା।
ମଣିଷ ଲୁହୁରା ପେରିଥିବା ଲୁହାରେ ଚାଷ କରିବ-ଘର କରିବ-ସଂସାର କରିବ।
ଦିନେ ଜଣେ ଆସିଲା ରଜା ହୋଇ – ସରକାର ହୋଇ। ଲୁହୁରା ସମ୍ମାନରେ ବଞ୍ଚୁଥିଲା। ତାର ଦେବାଦେବୀ ଖୁସିଥିଲେ। ମାଁ ଲୁହୁରାମୁଡ଼େନ ତାର ସମଗ୍ରତାକୁ ରକ୍ଷା କରୁଥିଲା। ସେ ଓ ତାର ସମୂହ ଲୌହ ଶିଳ୍ପରେ ବିଶ୍ଵର ପ୍ରମୂଖ ଥିଲେ।
ତାର ହଜାର ହଜାର ବର୍ଷର ଜୀବନରେ ଏକଦା ରାଜାମାନେ ଆସିଲେ। ଏହି ରାଜାମାନଙ୍କୁ ରାଜା ହିଁ ରଖିବାପାଇଁ ସମଗ୍ର ସମୂହ ଉପରେ ଗୋଟିଏ ସୁଖଦ ଚାପ ତିଆରି କରାଗଲା। ପୃଥିବୀରେ ଜୀବଜନ୍ତୁ ସୃଷ୍ଟି ହୋଇଗଲେ ପ୍ରକାରାନ୍ତେ ଜଣେ ଇଚ୍ଛାଧାରୀଙ୍କ ଖିଆଲ ଗୋଟିଏ ରଚନା କରିଦେଲା। କିଏଜଣେ ଏମାନଙ୍କୁ ପାଳନ କଲା। ଜୀବ ଜଗତର ପରିଚାଳନା ପାଇଁ ରାଜାଙ୍କୁ ପ୍ରେରଣ କଲେ।
ଲୁହୁରା ଜଣକ ଦେଖିଲା ତାର ଲୁହାଖାଲ ଜଗିଥିବା ଦେବୀଙ୍କୁ କୌଣସି ଅସମ୍ମାନ ହେଉ ନାହିଁ। ସେ ନିଜ ପରିଶ୍ରମରେ ତିଆରିଥିବା ସୁହାରୁ ମୁଠାଏ ରଜାକୁ ଦେଇଦେଲା। ରଜା ଖଣ୍ଡାଟିଏ ତିଆରିଲା। ସେ ଖଣ୍ଡାରେ ଲୁହୁରକୁ ଡରାଇଲା।
ଚାଷୀ କସନା କିଣିନେଲା ଓ ରଜା ଲୁହା ଲୁଟି ନେଲା। ରଜା ପାଖରେ ବହୁତ ଖଣ୍ଡା ହୋଇଗଲା। ଲୁହୁରା ତା ତିଆରି ଥିବା ଲୁହାକୁ ଡରିଲା।
ଦିନେ ଜଣେ ଆସିଲା ରଜାକୁ ଡରେଇଲା। ରଜା ଡରିଲା /ଡରେଇଲା।
ଦିନେ ଜଣେ ହଠାତ୍ ଆସିଲା। ଲୁହୁରାର ସବୁ ଲୁହା ନେଇଗଲା। ସେ ଚାଷୀକୁ ବିକିଲା ରଜାକୁ ବିକିଲା। ଚାଷୀକୁ-ଲୁହୁରାକୁ-ରଜାକୁ ଗୋଟିଏ ନିକିତିରେ ମାପିଲା।
ଦିନେ ଦେଶ ସ୍ବାଧିନ ହୋଇଗଲା। ଲୁହୁରାକୁ କୁହାଗଲା ତୁ ଭୋଟ ଦେ। ତୋର ଭୋଟରେ ଛୋଟବଡ଼ ରଜା ତିଆରି ଖେଳିବା। ଲୁହୁରା ରଜା ତିଆରି କଲା। ରଜା ତିଆରୁ ତିଆରୁ ଲୁହାଖାଲ ଲୁହାଶାଲ କେତେବେଳେ ହଜେଜଇଦେଲା ସେ ଜାଣିପାରିଲା ନାହିଁ। ତାକୁ ଭୋକ ହେଲା ସେ ଗଷୀପାଖକୁ ଗଲା। ଚାଷୀ ସେ ବେପାରୀ ପାଖରୁ ଲୁହା ଆଣୁଛି। ଚାଷୀ ତାର ପେଟ ପୁରେଇ ପାରିବ ନାହିଁ। ଲୁହୁରାକୁ ଖୁବ ଭୋକ ହେଲା। ସେ ତିଆରିଥିବା ରଜା ପାଖକୁ ଗଲା।
ରଜା ତାକୁ ପାହାଡ଼ ପାହାଡ଼ ଅନ୍ନ ଡେଇଁ ସେ ଲୋକ ପାଖକୁ ନେଲା ଯିଏ ତାଠାରୁ ଲୁହା କିଣେ-ଚାଷୀକୁ ଲୁହା ବିକେ। ସେ ଖୁସି ହେଲା। ଲୁହୁରାକୁ କହିଲା ମୁଁ ଖୁବ ଦୟାବାନ ଲୋକ। ମତେ ସେ ମୂଳ ତିଆରି ଥିବା ଲୋକର ଆଦେଶ ଅଛି।
ଲୁହୁରାକୁ ବହୁତ ଭୋକ।
ଲୋକଟି କହିଲା ତୁ ଲୁହା ତିଆରି କଥା ଭୁଲି ଯା। ଦୂର ଦେଶରେ ଗୋଟିଏ ରାଇଜ ଅଛି ସେଠାରେ ଇଟା ତିଆରି କରିବୁ ଯା।
ଲୁହୁରା ଇଟା ତିଆରି କରି ଗଲା। ସେଠାରେ ଚାଷୀକୁ ବି ଦେଖିଲା ପାଖଆଖ ଗାଁ ଲୋକଙ୍କୁ ବି ।
ବହୁତ ବଡ଼ ବଡ଼ କାରଖାନା ତିଆରି କଲା ଲୁହୁରାର ଇଟାରେ। କାରଖାନାରେ ଲୁହା ତିଆରି କଲା। ଚାଷୀକୁ ବିକିଲା ରଜାକୁ ବିକିଲା।
ଦିନେ ନିକିତିକୁ ଦେଖିଲା ରଜା-ଚାଷୀ-ଲୁହୁରା ଗୋଟିଏ ପଳାରେ ଅଛନ୍ତି। ସେ ସବୁ ବୁଝିଗଲା।
ରାଜାକୁ କହିଲା ତୁ ଚାଷୀ ଆଉ ଲୁହୁରାର ଭୋଟ ଆଣିଦେ।
ରଜାମାନେ ଭୋଟ ମାରିବାକୁ ଚାଷିକୁ ଆଉ ଲୁହୁରାକୁ ଗୋଟିଏ ଟଙ୍କାରେ ଚାଉଳ ଦେଲେi ପାଞ୍ଚ ଟଙ୍କାରେ ଖାଇବା ଦେଲେ। ହାତୀ ଦେବି ଘୋଡ଼ା ଦେବି ଆଉ ପେଁ କାଲି ବଜେଇ ଦେବି କହିଲେ। ଲୁହୁରା ପେଁକାଲି ବଜେଇବା ଭୁଲିଗଲା। ରଜା ବଜେଇ ଦେବି କହୁଥିଲା ! ରଜାପାଖକୁ ଲୁହୁରା ଯାଇପାରିଲା ନାହିଁ। ରାଜା ନା ହାତୀ ଦେଇଥିଲା ନା ଘୋଡ଼ା ଦେଇଥିଲା।
ଲୁହା କିଣୁଥିବା ଲୋକ ଲୁହୁରା ପାଖକୁ ଆସିଲା। ଲୁହୁରାକୁ କହିଲା ତୁ ତାକୁ ଭୋଟ ଦେଇଦେ, ଲୁହୁରା ହଁ କଲା। ଖୁସିରେ ଲୁହୁରାକୁ ମଦଟିକେ ଦେଲା। ଲୁହୁରା ମଦ ପିଇ ନାଚିଲା।
ପୁଣି ନିକିତି ପଳାକୁ ଦେଖିଲା।
ଲୁହୁରା ପଙକ୍ତିରେ ଠିଆ ହୋଇ ଟଙ୍କାଟିଏରେ ଚାଉଳ ନେଲା ପାଞ୍ଚ ଟଙ୍କାରେ ଖାଦ୍ୟ ଖାଇଲା। ସବୁ ଚାଉଳ ସେ ଅନ୍ନ ପାହାଡ଼ରୁ ଆସିଲା ଯାହାକୁ ନିକିତିରେ ମପାଯାଏ।
ପୁଣି ନିକିତି ପଳାକୁ ଦେଖିଲା।
ବର୍ତ୍ତମାନ ସବଶେଷ ଚରିତ୍ର ହେଲା ନିକିତି ଧରିଥିବା ଲୋକ।
Economic federalism ଅର୍ଥନୈତିକ ସଂଘିକରଣ। ସଂଘିୟ ଶାସନ ବ୍ୟବସ୍ଥା ସଦୃଶ ଅର୍ଥନୀତିର ବ୍ୟବସ୍ଥା? ଅର୍ଥାତ୍ ଏହା ମଧ୍ୟ ଯେ କୌଣସି ନା କୌଣସି ଅଥବା ଗୋଟିଏ କେନ୍ଦ୍ରରୁ ଅର୍ଥନୀତିକୁ ପରିଚାଳନା କରିବା।
ଗୋଟିଏ ଗଣତାନ୍ତ୍ରୀକ ରାଷ୍ଟ୍ରରେ ଏତାଦୃଶ ଶବ୍ଦର ପ୍ରୟୋଗ କେତେଦୂର ଯଥାର୍ଥତା ରଖେ ଏହା ଚିନ୍ତା କରିବା ବିଷୟ।
ଠିକ ଅଛି ଲୁହୁରା ଲୁହା ତିଆରିବା ଛାଡ଼ି ଇଟା ତିଆରିଲା।
ଯଦି ଲୁହୁରା ନ ରହିଲା?
ସୁତରାଂ ପୁଞ୍ଜି ଓ ସତ୍ତାର ବର୍ଚ୍ଚସ୍ୱରେ ଲୁହୁରା / ଭୋଟର / ନାଗରିକର ଅସ୍ତିତ୍ଵ କଣ?
ଅର୍ଥନୈତିକ ବ୍ୟବସ୍ଥାର ପ୍ରକାରାନ୍ତ କେନ୍ଦ୍ରିକରଣ/Economic federalism ଗଣତନ୍ତ୍ର ପାଇଁ ଶୁଭଙ୍କର ବ୍ୟବସ୍ଥା କି?
GST ଲାଗୁ କରିବା ପଛରେ ଉଦ୍ଦେଶ୍ୟ ହେଲା Economic federalism ର ସ୍ଥାପନ ପ୍ରୟାସ। ଏକଥା ଆମକୁ ଶାସନ କହି ସାରିଛି।
ଏତେ ବେଳକୁ ଲୁହୁରା ଆଖିରୁ ଲୁହା ତିଆରି ଖାଲ ଓ ଇଟା ତିଆରି ଖାଲର ପ୍ରଭେଦ ମିଟି ସାରିଲାଣି।
୨୦୧୯ ନିର୍ବାଚନ କୌଣସି ପ୍ରସଙ୍ଗ ନାହିଁ। ଏକଦା ଅନୁବାନରେ ଆସୁଥିବା ବଲଗର ଗହମ ଓ ଏବକାର ଟଙ୍କିକିଆ ଚାଉଳ ଭିତରେ ଲୁହୁରା ଜଣକ ପ୍ରଭେଦ ଦେଖି ବି ନ ପାରେ।
ପ୍ରସଙ୍ଗହୀନ ରାଜନୀତି କି ନିର୍ବାଚନର ମୂଲ୍ୟ କଣ !
ଏଠାରେ ଦେଶପ୍ରେମ ଓ ଦେଶଦ୍ରୋହ ବି ପ୍ରସଙ୍ଗ ହୋଇପାରେ। କାରଣ ଯିଏ ବି ରଜା ହେଲେ ଲୁହୁରା ଖୁସିରେ ଇଟା ଗଢିବ-ଟଙ୍କିକିଆ ଚାଉଳ ନେବ-ପାଞ୍ଚଟଙ୍କିଆ ଖାଦ୍ୟ ଖାଇବ-ଭୋଟ ଦେବ-ମଦ ପିଇବ ଓ ସେ ଦେଖି ନଥିବା ଘୋଡ଼ା ହାତୀ ମାନଙ୍କରେ ବୁଲିବ।
ଅର୍ଥନୀତି ଗୋଟିଏ ବିରାଟ ପ୍ରସଙ୍ଗ। ୨୦୧୯ ନିର୍ବାଚନ ପୁଞ୍ଜି ନିଜର ଉବ୍ଦେଶ୍ୟ ସ୍ପଷ୍ଟ କରି ଦେଇଛି। ଆମକୁ ବିଚାର କରିବାକୁ ହେବ କାରଣ ଇଟା ତିଆରି କରୁଥିବା ଲୁହୁରା-ଚାଷ ଛାଡ଼ିଥିବା ଚାଷୀମାନଙ୍କ ପାଇଁ କୌଣସି ଚିନ୍ତା କରାଯାଇ ନାହିଁ।
କେବଳ କୁହା ଯାଉଛି ୧୫ ଲକ୍ଷ କି ୭୬ ହଜାର ଟଙ୍କା କଥା।
ଏହା ଗୋଟିଏ ଗଣତନ୍ତ୍ରର ଅର୍ଥନୈତିକ ନିର୍ଯ୍ୟାସ କି?

ଚୋର

ଗାଁରେ ଯାତ୍ରା ସମୟ ଆସିଲା। ଯାତ୍ରାକୁ ଷାଠିଏ ଟପିଥିବା ଗ୍ରାମବାସୀ ଠୁ ଶହେ ପୁରିବାକୁ ସାତବର୍ଷ ବାକିଥିବା ସର୍ବମାନ୍ୟ ସର୍ବନମସ୍ୟ ଦାଦି ବି ଆସନ୍ତି।
ଯାତ୍ରା ହୁଏ। କୀର୍ତ୍ତନ ପ୍ରହର’ ଦାସକାଠିଆ, ସମପରଦା, ଘୁଡ଼କା, ଡଁଡ଼ ଆଦି ଅନେକ i
ପାଖ ଆଖ ଗାଁ ମାନଙ୍କରେ ବି ଉତ୍ସବ ପରିବେଶ ତିଆରି ହୋଇଯାଏ। ପନ୍ଦର ଦିନ ଗାଁର ସବୁ ମଦ କୁଠି ବି ବନ୍ଦ ରହିବ।
ଚଳନ୍ତି ବର୍ଷ ପୁରାତନ କମିଟି ବିଚାର କଲା, ସେମାନେ ଜୁଆନ ମାନଙ୍କ ସାମର୍ଥ୍ୟ ଆଉ ସଙ୍ଗଠନ ଉପରେ ବିଶ୍ୱାସ ରଖି କ୍ଷମତା ହସ୍ତାନ୍ତର କରିଦେବେ। କ୍ଷମତା ହସ୍ତାନ୍ତରର ପନ୍ଦର ଦିନ ଚର୍ଚ୍ଚା ହେଲା। ସପକ୍ଷ ବିପକ୍ଷ ମତ ଯୁବକ ମାନଙ୍କୁ ଯାତ୍ରାକୁ ଚମକଦାର କରିବା ଚେଷ୍ଟାରେ ଥା’ନ୍ତି।
ଯାତ୍ରା ହେଲା। ଆଲବମ ହିରୋ ହିରୋଇନ ଆସିବେ। କୀର୍ତ୍ତନ ଦାସକାଠିଆ ବି। ସବୁ ବୟସ ପାଇଁ ମନୋରଞ୍ଜନ ର ଆୟୋଜନ ‘ମୀନାବଜାର ମଧ୍ୟ।
ଦ୍ୱିତୀୟ ଦିନ ଟ୍ରାନ୍ସଫରମର ପୋଡ଼ିଗଲା ରାତି ତିନିଟାରେ !
ନାନା ଚିନ୍ତା ! ନାନା ବାଦ ଅପବାଦ! ପିଲା ବଇସିଆ ଆୟୋଜକମାନେ ନୀତି ମାନିଲେନି- ଅମୁକ ଦେବୀ ରୁଷ୍ଟ ହେଲେ ଜୁଆନ ପିଲା ଟୁକେଲଙ୍କ ଆଚରଣରେ।
ପାଦ ପୁରାନାମ ପାଦପଦ୍ମ (ଛଦ୍ମନାମ) ଦିନ ଦଶଟାରେ ବସିଥିବା ଆପାତକାଳିନ ସଭାରେ ବସିଥିଲା। ସମସ୍ତେ ଜାଣନ୍ତି ଆଖପାଖ ଜିଲ୍ଲା ଗାଁ ମାନଙ୍କରେ ଚୋରୀ ଯାଉଥିବା ଟ୍ରାନ୍ସଫରମରମାନଙ୍କ ପଛରେ ପାଦର ବି ହାତ ଥାଏ।
ସେ ଠିଆ ହେଲା।
ଜୁହାର !
ତମର ନେତା ଅଫିସର ସବୁ ହାରଲେ କାଏଁ ?
ସଭା ଚୁପ ରହିଲା…
ପାଦ କହିଲା ସଭେ କିରିଆ କରବାକେ ପଡ଼ବା।
ସଭା କହିଲା – କାଣା?
ପାଦ କହିଲା ମୁଇଁ ଟ୍ରାନ୍ସଫରମା ଜୁଗାଡ଼ କରମି କିନ୍ତୁ ମୁଇଁ ନାଇ ଫସବାର ଅଛେ ….
ସଭା ହରିବୋଲ ଡାକ ଦେଲା। ଗାଁରେ ପାଦ ସମ୍ମାନନୀୟ ମଧ୍ୟରେ ଜଣେ ହୋଇ ସମ୍ମାନ ପାଇଲା।
ଯାତ୍ରା ସରିବା ଦଶ ଦିନ ପରେ ଲାଇନମେନ ଗାଁର ଲାଗିଥିବା ଟ୍ରାନ୍ସଫରମର ଦେଖି ଚମକି ପଡ଼ିଲା।
ୟେ ତ ଛଅ ମାସ ତଳେ ଏମଏଲଏ ଗାଁରୁ ଚୋରୀ ହୋଇଥିବା ଟ୍ରାନ୍ସଫରମର !
ଯିଏ ଶୁଣିଲା ଚମକି ପଡ଼ିଲା। ପୋଲିସ, ଶକ୍ତି ବିଭାଗ, ବିରୋଧି ଶାସକ ସମସ୍ତେ ମାସାଧିକ କାଳ ବଦନାମ ଓ ଚର୍ଚ୍ଚିତ ହୋଇଛନ୍ତି ଏ ଟ୍ରାନ୍ସଫରମର ଲାଗି।
ସମସ୍ତଙ୍କ ମନରେ ଭୟ ଓ ଆଶଙ୍କା। ସଭା ଭିତରେ ପାଦ ବି ବସିଥାଏ ଅଚିନ୍ତା।
ଲାଇନମେନ କୁ ଦାଦି ଥରିଲା କଣ୍ଠରେ କହିଲେ
– ଏ ବାବୁ! ଶୁନ୍ !
ସଭା ନିରବ ହୋଇଗଲା।
= ହଁ ! କାଣା ଗୋ
– ଇ ଆମର ମିସିନ ଆସବାର ଲାଗି କେତେଦିନ ଲାଗବା ? ଠିକ ଠିକ କହ
= ପନ୍ଦର ଦିନ ଗୋ!
– ହଏ ଗା ବୁଆ ତୁଇ ପନ୍ଦରଦିନ କଥାକେ ଲୁକେଇ ନାଇ ପାରୁ ?
= ଆପଣକର ଆଶୀର୍ବାଦ ହେଲେ ପାରମି ଗୋ ବୁଆ !
– ଯାଃ… ଆଶୀର୍ବାଦ କଲି।
ପନ୍ଦର ଦିନରୁ ଟିକିଏ ଅଧିକ ହେବ ଖବର କାଗଜର ଗୋଟିଏ ପ୍ରକାଶିତ ଖବରକୁ ଗାଁ ପାଖ ଆଖ ଲୋକେ ରୋଚକତାର ସହ ପଢି ମଜା ନେଉଥାନ୍ତି।
ଛଅମାସ ତଳେ ବିଧାୟକଙ୍କ ଗାଁର ହଜିଥିବା ଟ୍ରାନ୍ସଫରମର ନିଜ ସ୍ଥାନରେ ହିଁ ଥିଲା।
ପାଦ କହୁଥିଲା ରାତି ଦୁଇଟାରେ ଟ୍ରାନ୍ସଫରମର ଲଗାଇ ଗାଁର ଲାଇନ ଦେଇଦେଲା। ହଠାତ୍ ଲାଇନ ଜଳିବା ଦେଖି ଏମେଲେ ସୁଦ୍ଧା ଭକୁଆ ହେଇଗଲେ।
କେନ ଶଲାର ଜିଭେ ହାଡ଼ ଅଛେ ଆଖେ ପାଖେ ପାଁଚ ପାଲିଥି ପାଦକେ ଚୋର କହିଦେବା।
(ପାଦର ଛଦ୍ମନାମ ବ୍ୟତୀତ ସବୁ ଘଟଣା ସତ। ମନା ନାହିଁ ନିଜ ଚେଷ୍ଟାରେ ବିଧାୟକଙ୍କ ନା ମଧ୍ୟ ଖୋଜି ପାରନ୍ତି।)

ଚଇତ ଜତରା

ଗତକାଲି ଫୋନ ଆସିଲା…

= ବାବୁ ! ବନେକରି ହାଦ୍ରା(ହାଇଦ୍ରାବାଦ) ଖେଟଲି(ପହଞ୍ଚିଲି)। ଛୁଆ ପୁତା ଅଏନ ହି’ଛନ।
(କିଛି ଔପଚାରିକ କଥାବାର୍ତ୍ତା)
– ହଁ ଗୋ! ସୁବିଧା ଅସୁବିଧା କେ ଖବର କରବୁ!
= ତୋର ହେତେ ଅସୁବିସ୍ତା ଆର ହେସି ତା’କେଁ
…. …
ଗୋଟିଏ ରାଜସ୍ଵ ଗାଁ। ବେଶ୍ ପୁରୁଣା। ବୁଢାମାନେ ତାଙ୍କ ସମୟରେ ବୁଢ଼ାମାନଙ୍କ ଠାରୁ ସେମାନଙ୍କ ସମୟର ବୁଢ଼ାମାନଙ୍କ କଥା ଶୁଣିଛନ୍ତି। ସୁତରାଂ ଗାଁର ବୟସ ମାପିବା ମୁସ୍କିଲ। ଧାରେ ପାହାଡ଼ର ମଝିରେ ରାସ୍ତାଟିଏ। ହଳଗାଡ଼ି ଅନାୟାସ ଯାଏ। ଆଉ ଗୋଟିଏ ଗାଡିକୁ ରାସ୍ତା ବି ଦେଇପାରେ। ପାହାଡ଼ର ଏପାରି ସେପାରି ଚାଷଜମି। ପାହାଡ଼ି ରାସ୍ତାର ମଝିରେ ଗ୍ରାମଦେବୀ।
ଏ ପାହାଡ଼ି ରାସ୍ତାର ଇତିହାସ ବେଶ୍ ରୋଚକ। ସୁଦୂର ରଜାର ଲୋକ ଏକଦା ଲଗାନ ଅସୁଲିରେ ପ୍ରଥମ ଥର ଆସିଲେ। ଦୁଇ କୁଏର (୪୦) ହଳଗାଡ଼ି ଧରି।
ଲୋକେ ଭାବିଲେ ରଜା କିଏ? ଲଗାନ କାହିଁ ଦେବୁ?
ଲଗାନ ନେବାକୁ ଆସିଥିବା ଚାରି କୁଏର ଲୋକ ସାତ ଗାଁକୁ(ସେ ସମୟରେ ସାତଟି ଗାଁ ଥିଲା। ଏବେ ବେଛପରି ଗାଁ ମିଶେଇ କୋଡ଼ିଏ ଗୋଟି ହେବ। ଏଇ କିଛି ବର୍ଷ ତଳେ ଆଉ ଦୁଇଟି ଗାଁ ବସିଛି) ଆସିଥିବା ରଜାର ଲୋକ ଆଉ ଫେରିଲେ ନାହିଁ।
ମାଘ ଗଲା ଦୁଇ କୁଏର ଗାଡ଼ି ଫେରିଲା ନାହିଁ। ରଜାର ଲୋକ ଡଗର(ଖୋଜି) ଆସିଲେ। ସେମାନେ ବି ଫେରିଲେ ନାହିଁ।
ଗୋଟିଏ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଆସିଲେ। ସେମାନେ ଦେଖିଲେ ଦୁଇ କୁଏର ଗାଡି ଚାଏର କୁଏର ହଲ ସଙ୍ଗେ ସମସ୍ତ ରାଜ ସେବକମାନଙ୍କ ଅବଶେଷ ପଡ଼ିଛି ରାସ୍ତାର ଦୁଇ ପାଖ ପାହାଡ଼ର ତଲୁଉପର
ସାତଖଣ୍ଡ ଗାଁର ସମସ୍ତେ ସେସମୟର ରାଜଦ୍ରୋହ/ଦେଶଦ୍ରୋହ ଅପରାଧରେ ଅଭିଯୁକ୍ତ ହେଲେ। ପରିବାର ମୁଖିଆଙ୍କୁ ମୃତ୍ୟୁଦଣ୍ଡ ଓ ଗ୍ରାମ ଦହନର ଦଣ୍ଡ ବିଧାନ ହେଲା। ରଜାର ପାରିଷଦ ରାଜଆଜ୍ଞା ପାଳନ ପାଇଁ ଆସନ୍ତି ଆଉ ଫେରନ୍ତି ନାହିଁ। ଏମିତି ବାରବର୍ଷ ଗଲା।
ରଜା ଖବର କଲା ମତେ ଲଗାନ ଦିଅ ମୁଁ ସବୁ ଅପ୍ରାଧ କ୍ଷମା କରିବି।
ବାର ବର୍ଷ ରଜାର ଯୁଦ୍ଧ ଶୈଳୀ ବି ବାର ପ୍ରକାର ଥିବ। ଏ ସାତଟି ଗାଁ ପାହାଡ଼ ସେ ପାଖେ ତାପରେ ଜଙ୍ଗଲ ଆଉ ଜଙ୍ଗଲ। ତା ପର ରାଜ୍ୟ କନ୍ଧ ଓ ଗଣ ରଜାର। ଏକଲା ରାଜପୁତ ରଜା କରିବ କଣ?
ସାତଖଣ୍ଡ ଗାଁର ନାୟକ ଲୋକ ମୁଖରେ ଆଜି ସେ ନାହାକବୁଡ଼ା। ଦରବାରକୁ ଗଲା ସାତଦିନ ସାତରାତି ଚାଲି ଚାଲି।
ରାଜାକୁ କହିଲା – ହଏ ହଜୁର ! ତୋର ଲୋକ କେ ଆମେ ମାରୁଛୁଁ ବଲୁଛୁ କାଏଁ? ଘାଟିମାଏଲୀ ତକେ ଅଙ୍ଗ ନାଇ ଦେବାର ! ଆମର କାଏଁ ଦୋଷ ଜେ ତୁଇ ଆମକେ ଦୁଷୁଛୁ !
ରଜା ସବୁ ବୁଝିଲେ। ସେଦିନୁ ଭାରତ ସରକାର ଆସିଲା ପରେ ଛପନ ସାଲ ନେ ପ୍ରଥମ କରି ଘାଟି ସେପାରି ସାତ ଗାଁ ଲଗାନ ଦେଲେ। ଆଜିବି ଲଗାନ ଦେଇଗଲେ ଘାଟିମାଏଲୀ ଦେବୀଙ୍କ ନିକଟରେ ପୂଜାରୀ ନଡ଼ିଆଟିଏ ବି ଚଢ଼ାଏ।
ନାହାକବୁଡ଼ା ଫେରି ଘାଟିମାଏଲୀ ଦେବୀଙ୍କ ଖଞ୍ଜା କରିଦେଲା। ପୂଜାରୀ, ଦିହାରୀ ଆଦି ଶୋହଳ ଚାରିଘରିଆ। ସମସ୍ତଙ୍କ ପାଇଁ ଜମି। ଦେବୀଙ୍କ ପୂଜା ଦଶରା ଚଇତ ସଙ୍ଗେ ଆମ ଜତରା, ଶେମିଜତରା, ବିହନ ଛିନା ସବୁ ବିଧି ହିସାବରେ ପୂଜା ଚାଲିଲା।
ମଝିପାହାଡ଼ରେ ଦେବୀ ଘାଟିମାଏଲୀ ଓ ପାହାଡ଼ ତଳେ ନାହାକବୁଡ଼ା ପୂଜା ପାଆନ୍ତି। ଲୋକେ ନାହାକବୁଡାକୁ ଦୁଃଖ ଗୁହାରନ୍ତି; ବୁଡ଼ା ଦେବୀଙ୍କୁ କହି ଆଜିବି ଦୁଃଖ ଲାଘବ କରେ।
ଶହ ଶହ ବର୍ଷ ବଂଶ ଅନୁକ୍ରମରେ ଏବେ ଚଏତୁ ମାଝୀ ଗାଁ ଦିହାରୀ ଅଛି। ଯିଏ ଚଏତ ଜତରା ପାଇଁ ଗାଁକୁ ଆସି ପାରୁ ନ ଥିଲା। ତାକୁ ଯେଉଁ ସର୍ଦ୍ଦାର ଇଟା ଗଢିବା ପାଇଁ ତେଲେଙ୍ଗାନାର କେଉଁ ଇଟାଭାଟିକୁ ପଠେଇଛି ପରିବାର ସହ। ଗାଁ ଯାତ୍ରା କିପରି ହେବ ଦିହାରୀ ନ ଥିଲେ?
ବେଚାରା ସର୍ଦ୍ଦାର ସବୁ ଶୁଣି ସେଠଙ୍କୁ କହି ଚଏତୁ ଦିହାରୀକୁ ଆଣିଥିଲା। ନଅ ଦିନର ଜତରା ସାରି ଚଏତୁ ତେଲେଙ୍ଗାନା (ଯାହା ଆଜିବି ଲୋକ ମୁଖରେ ହାଦ୍ରା) ଗଲା।
ଚଏତୁ କାହିଁକି ଦାଦନ ଗଲା ?
ଚଏତୁ ୪୦ ବର୍ଷ ହେବ। ବାପା ପରି ସେ ବି ନିଷ୍ଠାବାନ ଦିହାରୀ ! କାହା ଖଟରେ ବସିବନି, କାହା ରନ୍ଧା ଖାଇବନି ! ସ୍ତ୍ରୀଙ୍କ ଧର୍ମ ଦିନରେ ନିଜେ ରାନ୍ଧି ଖାଇବ। ବାହାର ଗାଁରେ ଅନ୍ନ ଛୁଇଁବନି। କାହାଘର ପାଣି ଛୁଇଁବନି। ଜତରା ବେଳେ ଶିଝା ଖାଇବ ଗୋଟିଏ ଓଳି।
ବାପା ପାଖରେ କୋଡ଼ିଏ ଏକର ଦୈବୀ ସେବା ଜମି। ଲାଗ ଲାଗ ମରୁଡ଼ି। ଝାଅ ବାହା ପୁଅ ବାହା ୧୯୯୫ ପର୍ଯ୍ୟନ୍ତ ଦଶ ଏକର ଜମି ମାରବାଡ଼ି ମହାଜନ ପାଇ ସାରିଥିଲା। ଏହି ବର୍ଷ ଋଣ ଶୁଝିବାକୁ ଘର କାମ ଲାଗି ପନ୍ଦର ହଜାର ଟଙ୍କାରେ ତିନି ଏକର ଆଁଟ ଛାଡ଼ି ସାତ ଏକର ମହାଜନ ପାଖରେ ଉଡେନ ଦେଲା। ୨୦୦୬ ମସିହାରେ ଜମି ଫେରି ପାଇବା କଥା। ମଝିରେ ମଝିରେ ମହାଜନ ହଜାରେ ପାଁ’ଶ କରି ୪୭ ହଜାର ଟଙ୍କା ଖାତାରେ ଲେଖି ଥିଲା। ମୂଳ କଲନ୍ତର ମିଶେଇ ତିନକୁଡ଼ି-ଶୋହଲ ହଜାର ଟଙ୍କା।
ଚଏତୁ ଅନ୍ୟାୟର ଗନ୍ଧ ବାରିଲା। ପାଞ୍ଚଭାଇ ସାମ୍ନାର ଲେଖା ଧରି ଥାନାକୁ ଗଲା। ମହାବିନ ବି ଆଠ ଦଶଟି ସରକାରୀ କାଗଜ ଧରି ଥାନାକୁ ଗଲା।
ଥାନାବାବୁ ଚଏତୁ ଦିହାରୀକୁ ଧମକ ଦେଲେ।
ସନ୍ଧ୍ୟାରେ ଚଏତୁ ମଦ ପିଇଲା। ମହାଜନ ଘରକୁ ଗଲା। ବାଟରେ ଠିଆ ହୋଇ ମହାଜନର ମାଁ …ଝୀ … କଲା।
ମହାଜନ ଥାନାକୁ ଫୋନ କଲା। ଚଏତୁ ଥାନାରେ ରାତିସାରା ମାଡ଼ ଖାଇଲା।
ଜମିତ ଫେରେଇବ ଯେମିତି ହେଲେ। ରାୟପୁର ଗଲା, ଗାଁ ପିଲାଙ୍କ ସଙ୍ଗେ ମୁମ୍ବାଇ ଗଲା। ପରିବାର ଖର୍ଚ୍ଚ ବାଦ ଦଶବର୍ଷର ପରିଶ୍ରମରେ ୪୦ ହଜାର ଟଙ୍କା ମହାଜନକୁ ଦେଲା।
ଆଁଟ ତିନି ଏକର ଆଉ ସ୍ତ୍ରୀ ଫୁଗଲି(ଅତିରିକ୍ତ ସଞ୍ଚୟ) କରିଥିବା ଗୋଟିଏ ଛେଲ ମାଇ ଦଶଟି କରିଥିଲା। ଏଥିରେ ପରିବାର ଚଳେ।
ଜଙ୍ଗଲ ବି ଯାଇ ହେଉନି। ଏଞ୍ଜୋ(ଏନଜିଓ)ଆଠ ଦଶବର୍ଷ ହେବ ଜଙ୍ଗଲ ଭିତରେ ବେଛପରିଗାଁ ବସେଇଛି। ଶଲେ ଉଡ଼ି ଆଏଲା ପତରମାନେ ଜଙ୍ଗଲ ଭିତରୁ ଦାନ୍ତକାଠି ବି ଛୁଏଁଇ ଦଉ ନାହାନ୍ତି।
ଦିନେ ସର୍ଦ୍ଦାର ଆସିଲା। ଚଏତୁ ରାଜି ହେଲା ହାଦ୍ରା ଯିବାକୁ। ସର୍ଦ୍ଦାରକୁ ଡାକିନେଲା ମହାଜନ ଘରକୁ। ଅଗ୍ରିମ ୩୦ ହଜାର ଟଙ୍କା ମହାଜନକୁ ଦେଇ ଦେଲା। ଦଶଟି ଛୋଟବଡ଼ ଛେଲିକୁ କୋଡ଼ିଏ ହଜାର ବିକିଲା। ଏଭିତରୁ ପନ୍ଦର ହଜାର ଟଙ୍କା ଦେଇ ମହାଜନରୁ ଜମି ମୁକୁଳେଇଲା।
ପାଞ୍ଚଭାଇ ଧରି ପଟ୍ଟା ଆଣିଗଲା। ଦେବୀଙ୍କ ଟାଙ୍ଗିବି ଧରିଥାଏ। ମହାଜନ ପଟ୍ଟା ଫେରେଇଲା।
ସମସ୍ତଙ୍କ ସାମନାରେ ଟାଙ୍ଗିକୁ ଉଠେଇ ମହାଜନକୁ ମାଁ ଗାଲି କଲା ଓ ତା’ ଦ୍ଵାରବନ୍ଧରେ ମୁତିଲା।
ଯେନତେନ ପ୍ରକାରେଣ ଝମେଲା ବଢି ପାରିଲା ନାହିଁ। ପଞ୍ଚଭାଇ ସଙ୍ଗେ ମନଭର୍ତ୍ତି ମଦ ପିଇଲା। ଗୋଟିଏ ହାତରେ ଟାଙ୍ଗି ଆର ହାତରେ ପଟ୍ଟା ତାର ସନ୍ତକ କାଗଜ ଧରି ନାଚିନାଚି ଗାଁକୁ ଫେରିଲା।
ଘାଟି ରାସ୍ତାରେ ନାହାକବୁଡ଼ା ପାଖେ ଟଙ୍ଗି ଓ ପଟ୍ଟା ରଖିଦେଲା। – ଦେଖ ବୁଆ ଗୋ ନାହାକବୁଡ଼ା ତୋର ପନ ଫିରାଲି। ହାଦ୍ରାନୁ ଫିରସି ମାଁ ର ସେବା କରମି।
ଚଇତ ଜତରା ରେ ଚଏତୁ ଦିହାରୀ ହାଦ୍ରାରୁ ଆସି ମାଁଙ୍କ ସେବା କଲା। କାମସାରି ହାଦ୍ରାକୁ ଗଲା।
ମୌସୁମି ସଙ୍ଗେ ପରିବାର ଧରି ଗାଁକୁ ଫେରିବ, ନିଜ ଜମିରେ ଚାଷ କରିବ। ମାଁଙ୍କ ସେବା କରିବ।
ଆସନ୍ତା ବର୍ଷ ଠୁ ସେ ଆଉ ଦାଦନ ଯିବନାହିଁ।