ପ୍ରଥମ ଅଧ୍ଯାୟ
ମଦ ଏକ ଅନ୍ତହୀନ ବିବାଦୀୟ ପ୍ରସଙ୍ଗ ଆମ ରାଜନୀତିରେ। ରାଜନୀତି ଏଥି ପାଇଁ କି, ଜେ ମଦର ଉପକାରିତା ଉଣା ଅଧିକେ ସମସ୍ତେ ଜାଣନ୍ତି ! ଯେଉଁମାନେ ଏହାକୁ ବିରୋଧ କରନ୍ତି।
ଘଟଣାଟି ବହୁତ ପୁରୁଣା। ସେତେବେଳର ଯେଉଁ ସମୟରେ ଏନ.ଟି(ନାୟବ ତହସିଲଦାର, ବର୍ତ୍ତମାନର ଆର.ଆଇ ବା ରେଭନ୍ୟୁ ଇନ୍ସପେକ୍ଟର), ଥାନାବାବୁ, ଫରେଷ୍ଟର ଆଦି ବଡ଼ ବଡ଼ ସାହେବମାନେ ମଦଭାଟି ଭିତରେ କେବେ କେବେ ଅପ୍ୟାୟିତ ହେଉଥିଲେ।
ଥରେ ଗାଁର ଯୁବକ କେତେଜଣ ମଦପିଇ ଉତ୍ପାତ ହେଉଥିଲେ। ଲୋକେ ଅତିଷ୍ଟ ହେଲେ। ଝିଅବୋହୂଙ୍କ ଲାଗି ଅସହଜ ହେଲା ମଦୁଆଙ୍କ ଉତ୍ପାତ।
କେତେଜଣ ମାନନୀୟ ବ୍ୟକ୍ତି ଥାନାବାବୁଙ୍କ ହଜୁରରେ ଫେରାଦ ହେଲେ। ଥାନାବାବୁଙ୍କ ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେଲା; ଯିଏ ମଦ ପିଇବ ଭାଟିରେ ପିଇବ। ବାହାରକୁ ନେଇ ପାରିବ ନାହିଁ।
ଗାଁ ଶାନ୍ତ ହେଲା। ଥାନାବାବୁଙ୍କ ସମ୍ମାନ ବଢିଲା। କିନ୍ତୁ ଅସୁବିଧା ହେଲା ଗାଁ ଭାଗବତ ସଭାର ମୁଖ୍ୟଙ୍କୁ। ଦନାର କକା! ପନ୍ଦର ହେକ୍ଟର ଜମି, ଆମ୍ବ ତୋଟା ଓ ନିଜର ଚାରି ଏକର ବନ୍ଧ ଦେଖୁ ଦେଖୁ ଦ୍ୱିପ୍ରହର ହୋଇଯାଏ। କାକି ଗୁହାଲ ଓ ଘରକାମ ସାରି ଖାଇବା ଆଣନ୍ତି।
ସଂଧ୍ୟାରେ କକା ଗୋଟିଏ ଅଦି ମଦ ମଗେଇବେ ଅନୁଚର ଭାଜି ହାତରେ।
ଥାନାବାବୁ ମଦ ଉପରେ କଟକଣା ଲଗେଇଛନ୍ତି; ଭାଜି ନିଜର ସାଁକାର(ମାଲିକ) ପାଇଁ ଯେମିତି ହେଲେ ମଦ ନେବ। ପୋଖରୀପାଣି ଯିବା ବାହାନାରେ ଗଡୁରେ ମଦ ଆଣିବ।
ଆଠଦିନ ଯାଇଛି କି ନାହିଁ କକା କହିଲେ, ହଏଗା ଭାଜି ! ଇ ହଗରି ଗଡୁଥି ମଦ ପିଆ? ଏଁ . . . ! ଛିରେ ଶଲାର ଜୀବନ। ଆର ମଦ ନାଇ ପିଉଁ ନା ଗା!
ବୈରାଗୀ ମାମୁଁଙ୍କୁ ଡାକି କର୍ଣ୍ଣମନ୍ତ୍ର ନେଲେ। ତୁଳସୀ କଣ୍ଠି ପିନ୍ଧିଲେ।
ଦ୍ୱିତୀୟ ଅଧ୍ୟାୟ ଦନାରକକାଙ୍କ ନାତି ଫକୀର। ଟୁରାପିଲା(ବାପଛେଉଣ୍ଡ) ବୋଲି କକାଙ୍କ ଆଖିର ତରା। ପାଠ ପଢିଲା। ଯୁକ୍ତଦୁଇ ପରେ ଭବାନୀପାଟଣା ପଢ଼ି ଯିବାକୁ ସଜ ହେଲା। କକାଙ୍କ ଚିନ୍ତା ବଢିଲା। ଏକମାତ୍ର ଝିଅ ପାଇଁ ଘୁଞ୍ଜା(ଘର ଜୋଇଁ) କରିଥିଲେ। ଅବେଳରେ ଝିଅ ରାଁଡ଼ି (ବିଧବା) ହେଲା। ନାତିକୁ ଆଖିରୁ ଦୂର କରିବାକୁ ଚାହୁଁ ନଥିଲେ।
ଠିକ ଏତେବେଳକୁ ପଞ୍ଚାୟତ ଗଠନ ହେଲା। ତାଙ୍କ ଗାଁ ଗୋଟିଏ ପଞ୍ଚାୟତ ମୂଖ୍ୟାଳୟ ହେଲା। ଫକୀରକୁ ସେକ୍ରେଟେରୀ କରିଦେଲେ।
ଫକୀର ବାହା ହେଲା। ପୁଅର ବାପା ବି ହେଲା। ଦନାରକକା ଶାନ୍ତିରେ ମଲେ। ତାଙ୍କ ଅନ୍ତେ ଫକୀର ଉତ୍ତରାଧିକାର ସୂତ୍ରରେ ସମ୍ପତ୍ତି ପାଇଲା ସମ୍ମାନ ବି ପାଇଲା। ପାଖଆଖ ଗାଁ ଲୋକ ବି ତାକୁ ଖୁବ ସମ୍ମାନ କରନ୍ତି। ଭଲ ମନ୍ଦ ନ୍ୟାୟ ନିସାପରେ ବି ଫକୀରକୁ ଡାକନ୍ତି। ଫକୀର କମ ବୟସର ହେଲେବି ଲୋକେ ବେଶ ସମ୍ମାନ କରନ୍ତି।
କେବେ କେମିତି ଫକୀର ସାଥି ପିଲା କି କେତେ ଲୋକଙ୍କ ସାଙ୍ଗରେ ମଦ ପିଏ। ଲୋକଙ୍କ ଉଲମନ୍ଦ ଗାଁ ଭଲମନ୍ଦ ଚର୍ଚ୍ଚା କରେ। ଦରକାର ହେଲେ କାହାକୁ ଡାକି ତାଗିଦ ବି କରେ। ଲୋକ ବି ଫକୀର କଥା ରଖନ୍ତି। ଫକୀର ବି ଲୋକଙ୍କ କଥା ରଖେ।
ଏତେବେଳକୁ ଏନଜିଓର ପୃଥିବୀ ପରିବର୍ତ୍ତନ ଅଭିଯାନ ଚାଲୁଥାଏ। ଜଙ୍ଗଲ ସୁରକ୍ଷା, ଜମି ସୁରକ୍ଷା, ଜଳ ସୁରକ୍ଷା ଆଦି ସୁରକ୍ଷା କରୁଥାଏ। ନାନା ଅନୁଶାସନ କଥା କହୁଥାଏ। ପରିବାରକୁ କିଛି ସମୟ ଅନ୍ତରାଳରେ ଧନୀ କରି ଦେବାକୁ ସ୍ଵୟଂ ସହାୟକ ଗୋଷ୍ଠିମାନ ତିଆରି କରୁଥାଏ ମହିଳାମାନଙ୍କୁ ନେଇ। କିଛିବର୍ଷ ପରେ ଗାଁ ଧନୀ ହୋଇଯିବ।
ଗ୍ରାମ୍ୟ ସମ୍ପନ୍ନତା ପାଇଁ ଯେଉଁ ସବୁ ବାଧକ ଅଛି ତାକୁ ଦୂର କରିବା ପାଇଁ ଏନଜିଓ ଚିନ୍ତାକଲା। ଏନଜିଓରେ କାମ କରି ପାଖ ଗାଁର ଦମୟନ୍ତି ନାନୀ ଖୁବ୍ ନାଁ କମେଇଛନ୍ତି। ସଭାସମିତି କରନ୍ତି ଗୋଷ୍ଠି ଗଠନ କରନ୍ତି। ପାଖ ଆଖ ଗାଁକୁ ଯାଆନ୍ତି। ଦିଲ୍ଲୀ ବି ଯାଆନ୍ତି। କେବେ କେବେ ତାଙ୍କ ନାଁ ଖବରକାଗଜରେ ବାହାରେ, ଫଟୋ ବି ବାହାରିଛି। ତାଙ୍କର ସମ୍ମାନ ବହୁତ। ଗତ ନିର୍ବାଚନରେ ନାନୀ ନ ହେଲେ ତାଙ୍କ ଗାଁ ଠିକାଦାର ସ୍ୱାମୀ ସରପଞ୍ଚରେ ଠିଆହେବେ ବୋଲି ଲୋକେ କଥା ହୁଅନ୍ତି।
ମଦ ବିରୋଧି ଆନ୍ଦୋଳନ ଚାଲିଲା। ମଦର ଅପକାର ଏବଂ ଏହାକୁ ନେଇ ଯେତେସବୁ ଆପଦ ହୁଏ ତାହାର ଭାଷଣ ଦିଅନ୍ତି। ଅତୀତରେ ହୋଇଥିବା ଅନେକ ଘଟଣାମାନଙ୍କ ଉଦାହରଣ ବି ଦିଅନ୍ତି।
ସବୁ ଠିକ୍ କିନ୍ତୁ ଫକୀରର ଆସର ଚାଲୁଥିବା ପର୍ଯ୍ୟନ୍ତ ମଦ ଆନ୍ଦୋଳନ ସଫଳ ହେବ ନାହିଁ। ଫକୀର_ବୋହୂଙ୍କୁ ବି ନାନୀ ଗୋଟିଏ ଗୋଷ୍ଠିର ସଭାନେତ୍ରୀ କରିଛନ୍ତି। କୌଣସି ଗୋଟିଏ ଗୁପ୍ତ ସଭାରେ କିଛି ମନ୍ତ୍ରଣା ହେଲା। ଆନ୍ଦୋଳନ ତୀବ୍ର ହେଲା। କେଉଁଠି କିଏ ମଦ ପିଉଥିଲେ ମହିଳାମାନେ ଯାଇ ମଦ ଢ଼ାଲି ଦେଲେ। ଏମିତି ଫକୀରର ଗୋଟିଏ ଆସରକୁ ବୋହୂକୁ ପଠେଇ ଦେଲେ। ବୋହୂ ଫକୀରର ମଦଗ୍ଲାସ ଢାଲି ଦେଲେ।
ଗାଁଲୋକ କହିଲେ ଅନ୍ୟାୟ ହେଲା। ଫକୀର ବାବୁକେ ଏନ୍ତା କରବାର ନାଇଥାଇ। ପାଖଆଖ ଲୋକ ସେ ବୃଦ୍ଧିକୁ ଖୋଜୁଥାନ୍ତି ଯିଏ ବୋହୂଙ୍କୁ ଆସର ପର୍ଯ୍ୟନ୍ତ ନେଲା। ଏପଟେ ଏନଜିଓ ଏବଂ ତାର କାର୍ଯ୍ୟକର୍ତ୍ତା ବେଶ୍ ଉତ୍ଫୁଲ୍ଲ ଥାନ୍ତି; ଗଡ଼ ବିଜୟର ଅହମିକା।
ଫକୀର ଅପମାନ ପାଇଗଲା। ଘରୁ ବାହାରିଲା ନାହିଁ।
ଲୋକେ ଘଟଣାକୁ ନେଇ ଅସାମାନ୍ୟ ସ୍ଥିତିରେ ଥାନ୍ତି। ଏପରିବି ଚର୍ଚ୍ଚା ହେଲା ସରପଞ୍ଚ ହେବାର ଲାଗି ନାନୀ ଇ ବୁଦ୍ଧି ବାହାର କରିଛେ।
ନାନୀ ସଫେଇ ଦିଏ ଘଟଣା ଦିନ ସେ ଗାଁରେ ଅନୁପସ୍ଥିତ ଥିଲା। ସ୍ଵଳ୍ପ ସଞ୍ଚୟ ବିରାଟ ଆନ୍ଦୋଳନ ନାମକ ଏକ ସଭାକୁ ଅତିଥି ହୋଇ ଜିଲ୍ଲା ସଦର ଯାଇଥିଲେ।
କିଛିଦିନ ଗଲା। ବେଦବ୍ୟାସ ପୁଟେଲ ଝିଅର କୁଣାବରା କଲା। ସମ୍ପର୍କୀୟ ହୋଇଥିବା ହେତୁ ନାନୀଙ୍କ ପରିବାର ଆସିବା କଥା। ନାନୀ ନିଜେ ନ ଆସି ସ୍ୱାମୀଙ୍କୁ ଏକା ପଠେଇଲେ।
ଗୋଟିଏ ଦୃଶ୍ୟ ଏହିପରି ଥିଲା। ନାନୀଙ୍କ ସ୍ଵାମୀ ମାତାଲ ହେଇ ଗୀତ ଗାଇ ଗାଇ ଗଣାବଜାରେ ନାଚୁଥାନ୍ତି। ଲୋକଙ୍କ ବାରଣକୁ ବି ଉପେକ୍ଷା କରୁଥାନ୍ତି। ଅତିଥି ଅଭ୍ୟାଗତ ବିରକ୍ତ ହୋଇ ବସିଲେଣି। ଗାଁର ଜଣେ ପୌଢ଼ ପରାମର୍ଶ ଦେଲେ – କେତେ ନାଚଗୀତ ଜାନିଛେ ଜେ ଗାଁ ଖୁଲି ନଚାହା। ପଟୁଆର ଗାଁ ବାହାରିଲା। ନାନୀଙ୍କ ସ୍ୱାମୀର ନାଚଗୀତକୁ ଆଖ ପାଖ ଗାଁର ବି କିଛି ଲୋକ ଆସି ଦେଖିଲେ।
ନାନୀଙ୍କ ସ୍ଵାମୀ ଅଣାୟତ୍ତ ହେବାରୁ ଶେଷକୁ ନାନୀଙ୍କୁ ଡକା ହେଲା। ନାନୀ ବି ପାରିଲେ ନାହିଁ। ଏନଜିଓର ମାର୍ଶଲ ଗାଡ଼ି ଆସି ତାଙ୍କୁ ଲଦି ନେଲା ସଂଧ୍ୟାରେ।
ଗାଡ଼ି ଗଲାପରେ ଧୂଳି ବସି ନ ଥାଏ। ଗାଁ ବୁଲିବାକୁ ପରାମର୍ଶ ଦେଇଥିବା ପୌଢ଼ ଜଣକ ଛାତି ଡେରି ତାତ୍ସଲ୍ୟ କଲେ- ଶଲେ ସରପଞ୍ଚ ହେବେ କେଁହେଲେ।
ତାପରେ ବି ବାଜା ବାଜିଲା ଲୋକେ ନାଚିଲେ, ଖୁସିରେ।
ନାନୀ ଏବେ ଲଘୁ ବନଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇଁ ସଭା କରନ୍ତି। ଅଧିକାଂଶ ଲୋକ ମହୁଳ ବେଟନ୍ତି। ସ୍ୱାମୀ ଗାଁରେ ଦୋକାନ ଟିଏ କରିଛନ୍ତି। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲାପରେ କେହି କେହି କହନ୍ତି- ଏନଜିଓର ବିଷଦାନ୍ତ ଭାଙ୍ଗିଗଲା। (ଗୋଟିଏ ସତ୍ୟ ଘଟଣା। ବ୍ୟବହୃତ ସମସ୍ତ ନାମ କେବଳ କାଳ୍ପନିକ। ଧନ୍ୟବାଦ ଅଜିତ ପାଣିଗ୍ରାହୀ, ଆକାଶ ବିଶ୍ଵାଳ)
ମଧ୍ଯରାତ୍ରର କାହାଣୀ
ମଧ୍ଯରାତ୍ରର କାହାଣୀ:
ଆମ ବନ୍ଧୁମାନଙ୍କ ଗୋଟିଏ ଅଭ୍ୟାସ ଅଛି। ଯେ କୌଣସି ସ୍ଥାନରେ ଅନ୍ତହିନ ଆଲୋଚନା କରିବା। ବହୁତ ପୁରୁଣା କଥା। ବଡ଼ମକାର ପରେ ପରେ ଜମି ମାଫିଆମାନେ ନାନା ମୌଖିକ ନିୟମ, ଭ୍ରଷ୍ଟ ଅଧିକାରୀଙ୍କ ସହାୟତା ଆଦିକୁ ଆଧାର କରି । ସାଧାରଣ ଲୋକଙ୍କ ଜମି ହାତେଇଲେ।
ଗ୍ରାମାଞ୍ଚଳରେ ଜମି ହିଁ ବଞ୍ଚିବାର ଶେଷ ଆଧାର ଥିଲା। ଜମି ହାତଛଡ଼ା ହେଲେ ନ୍ୟାୟାଳୟ ହିଁ ଶେଷ ଆଶ୍ରୟ। ତାରିଖକୁ ଗଲେ ସହରକୁ ଯିବାକୁ ହୁଏ। ଦିନକ ପୂର୍ବରୁ ସହର ଯିବାକୁ ପଡୁଥିଲା।
ଏପରି ଜଣେ ଗାଁ ଲୋକ ରାତିରେ ସିନେମା ଦେଖିଗଲେ। ଗାଁଲୋକ ସ୍ବଭାବିକ ନିଜ ଲାଠି ଧରି ସିନେମା ଘରେ ପଶିଲେ।
ସିନେମା ଚାଲିଲା। କାହାଣୀର କ୍ରମ ଜଙ୍ଗଲ ପହଞ୍ଚିଲା। ବାଘ ବାହାରିଲା
ସ୍ୱଭାବିକ ଗାଁଲୋକଟି ନିଜର ଲାଗି ଧରି ବାଘକୁ ପ୍ରତିରୋଧ କରିବା ଭଙ୍ଗିରେ ଚୌକି ଉପରେ ପ୍ରତିରକ୍ଷା ମୁଦ୍ରାରେ ବସିଲା।
ପାଖ ଚୌକିରେ ତଦୃପ ଜଣେ ବସିଥାନ୍ତି। ସହର ଓ ସିନେମା ଉପରେ ତାଙ୍କ ପ୍ରବେଶିକା ଜ୍ଞାନ ହୋଇ ସାରିଥାଏ।
କହିଲେ- ତୁମ ପର(ବ୍ୟସ୍ତ ହୁଅନାହିଁ) ! ବାଘ ସିନେମା ଥି ବାହାରୁଛେ: କିଛି ନାଇକରେ।
ଗାଁଲୋକଟି କହିଲା – ଏ ଭାଇ! ତୁଇ ଜାନୁଛୁ ବାଘ ସିନେମା ଥି ବାହାରୁଛେ, ମୁଇଁବି ଜାନୁଛେଁ ବାଘ ସିନେମା ଥି ବାହାରୁଛେ। ହେଲେ ଇ କଥା ବାଘ ଆରୁ ଜାନୁଛେ କାଏଁ ଜେ ମୁଇଁ ସିନେମା ଥି ବାହାରୁଛେଁ?
ଏକଥା ପାଖରେ ବସିଥିବା ଜଣେ ହୁସିଆର ଲୋକ ଶୁଣୁଥିଲା। ମୁରୁକି ହସିଲା। ହୁସିଆର ଲୋକର ବୟସ ଖୁବ ପୁରୁଣା। ଏତେ ପୁରୁଣା ଜେ ଗାଁଲୋକର ଚଉଦ ପୁରୁଷ ଆଗରୁ ବି ସେ ବସିଥିଲା।
ସେ ବସିଥିଲା ଓ ହସୁଥିଲା l ସିନେମା ବାଘଟି ତାଙ୍କ ଭିଆଣ। ଗାଁ ଲୋକ ଏ ଗହନ କଥା ଜାଣେ ନାହିଁ। ନ ଜାଣିବା ପାଇଁ ବି ଅନେକ ବ୍ୟୁହ ରଚନା କରିଛନ୍ତି ବସିଥିବା ହୁସିଆର ଲୋକର ବଂଶଜ।
ଆମକୁ ସିନେମାର ବାଘ ଦେଖେଇ ହିଁ ଡରେଇ ଆସୁଛନ୍ତି।
ସିନେମା ବାଘ ଠାରୁ ରକ୍ଷା ପାଇବା ପାଇଁ ହିଁ ଆମେ ରକ୍ଷାକର୍ତ୍ତା ଶାସକ ତିଆରି କରିଆସୁଅଛୁ
ବିସ୍ଥାପନ
ବହୁତ ଦିନ ହେଲାଣି, ଖବର ପାଇଲି ମାଧ(ଛଦ୍ମ ନାମ) ମରିଗଲା। ଗୋଟିଏ ଅସମାଧିତ କଷ୍ଟ ଲାଗୁଥାଏ ମନକୁ। ଅତି ସନ୍ଦର୍ପଣରେ ଆସିଲା ଆଉ ମରିଗଲା। କେହି ଜାଣିଲେ ନାହିଁ।
ବହୁତ ପୁରୁଣା କଥା। ସେତେବେଳେ ଛତିଶଗଡ଼ ରାଜ୍ୟ ତିଆରି ହେଇ ନ ଥାଏ। ପଶ୍ଚିମ ଓଡିଶାର ଅର୍ଥନୈତିକ ରାଜଧାନୀ ରାୟପୁର ଓଡ଼ିଆଙ୍କ କାନ୍ଧରେ ଠିଆ ହୋଇ ଥାଏ; କିନ୍ତୁ ଓଡ଼ିଆ ଏକ ନିକୃଷ୍ଟ ଗାଳି ଭାବରେ ବ୍ୟବହାର ହେଉ ଥାଏ। ଉଡ଼ିଆ ଆଦମି ଏକ ଗାଳି। ଓଡ଼ିଆ ଓ ଓଡ଼ିଶା ବିିିନା ଆଜି ବି ଛତିଶଗଡ଼ ରାଜ୍ୟ ଛତିଶଗଡ଼ ନୁହେଁ। ୧୯୬୫ର ଭୟଙ୍କର ମରୁଡ଼ି ବଡମକାର ପରେ କର୍ମସଂସ୍ଥାନ ପାଇଁ ରାୟପୁର, ଭିଲାଇ ଦୁର୍ଗ ଆଦି ଅଞ୍ଚଳକୁ ଲୋକେ ପଳାୟନ କଲେ। ହୀରାକୁଦ ବିସ୍ଥାପିତଙ୍କ ଆଶ୍ରୟସ୍ଥଳୀ ବି ଛତିଶଗଡ଼ ଅଞ୍ଚଳ ହିଁ ଥାଏ।
ଏମିତି ଏକ ରାତିରେ ବନ୍ଧ ଭିତରକୁ ପାଣି ମାଡ଼ି ଆସିଲା। ମାଧ ଛୋଟ ଥାଏ। ଯୋଜନ ଦୂରରେ ବନ୍ଧ ବନ୍ଧା ହେଉଥାଏ। ନିଜକୁ ବଡ଼ ଭାବୁଥିବା ଲୋକ କି ଓଡ଼ିଆ କହୁ ନଥିବା ଶ୍ରମିକ ଦେଖିଲେ ମାଧ ଭାବୁଥିଲା ଏମାନେ ଗୋଟିଏ ଅଦେଖା ପୃଥିବୀର ଲୋକ। ଜେଜେ କହୁଥିବା କାହାଣୀ ମାନଙ୍କରୁ ମାଧ ଠଉରାଇ ନିଏ ଏମାନେ ଜହ୍ନର ଆଖେପାଖେ ରହୁଥିବା କେଉଁ ରାଇଜର ଲୋକ। ସେମାନଙ୍କ ସୌଜନ୍ୟରୁ ଖବର ଆସେ ଏଠାରେ ପାଣି ଭରିଯିବ। ଆଶ୍ଚର୍ଯ୍ୟ ହୁଏ ମାଧ ! ରାତିରେ ମା’ଙ୍କ ପେଟତଳେ ଜାକି ହେଇ ଭାବେ ଗୋଟିଏ ସୁନ୍ଦର ସଜା ହେଇଥିବା ଡଙ୍ଗା ତା ଉପରେ ଜେଜେ, ବାପା ମାଁ ଓ ସେ। ଅନେକ ଡଙ୍ଗା ଭିତରୁ ତାଙ୍କର ଡଙ୍ଗାଟି ଖୁବ ସୁନ୍ଦର। ଜେଜେଙ୍କୁ ଜୁହାର କରୁଛନ୍ତି ଆଖପାଖ ଡଙ୍ଗାରୁ। ରାତିରେ ଜହ୍ନ ଆଉ ତାରା ମାନଙ୍କ ଉଜ୍ଜଳ ଆଲୋକରେ ମାଧ ବହିପଢୁଛି ଓ ଶୋଇପଡୁଛି ମାଁଙ୍କ କୋଳରେ।
କେହି ବିଶ୍ୱାସ କରି ପାରୁନଥିଲେ ଯୋଜନ ଯୋଜନ ଦୂରଯାକେ ପାଣି ଭରିଯିବ ଆଉ ତାଙ୍କ ଗାଁ ପାଣିରେ ବୁଡିଯିବ। ମହାନଦୀ ଏତେ ପାଣି ଆଣିବ କୁଆଡୁ?
କିନ୍ତୁ ପାଣି ଭରି ଯାଇଥିଲା।ନିଦେ ରାତିରେ ଜେଜେ ମାଁଙ୍କ ହାତ ଆଉ ମାଁ କାନ୍ଦିକାନ୍ଦି ତାର ହାତ ଧରିଥାନ୍ତି। ବାପା କେଉଁ ପାଖ ଗାଁର କେଉଁ ଅଜଣା କ୍ୟାମ୍ପ କୁ ରାନ୍ଧିବାକୁ ଯାନ୍ତି। ଆଠ ଦଶ ଦିନରେ ଥରେ ଆସନ୍ତି। ସେ ଆସିନ ଥିଲେ। ମାଁ ତାଙ୍କ ପାଇଁ ହିଁ କାନ୍ଦୁଥାଏ। ନିଦରୁ ଉଠିଥିବା ମାଧ କିଛି ବୁଝୁ ନ ଥାଏ।
କିଛିଦିନ ଏମିତି ବୁଲିଲେ। ମାଧ ବୁଝି ସାରିଥାଏ ସେ ଡଙ୍ଗାମାନ ତିଆରି ହେବା ଆଗରୁ ପାଣି ଭରିଗଲା। ତାର ଦୁଃଖ ଯେ ବାପା ଡଙ୍ଗା ନେଇ ପହଞ୍ଚି ପାରିଲେ ନାହିଁ। କିନ୍ତୁ ଅନେକ ଦିନ ଦେଖିଲା ମାଁଙ୍କ ଆଖିରୁ ପାଣି ମରୁନି। ରାତିରେ କିଛି ଶବ୍ଦ ହେଲେ ଚମକି ପଡୁଛି ବାପା ଆସିଲେ ଯେମିତି ହୁଏ। ମାଁଙ୍କ ଆଖି ଲୁହ କ୍ରମେ କ୍ରମେ ବହୁତ କିଛିକୁ ଧୋଇଦେଲା, ସେ ଆଙ୍କିଥିବା ସୁନ୍ଦର ଡଙ୍ଗାର ଚିତ୍ର ବି ଧୋଇଗଲା।
କେତେ ଦିନ କି ମାସ ହେବ କେଜାଣି ଜେଜେ ଭିକ ମାଗି ଆଣନ୍ତି ଆଉ ମାଁ ରାନ୍ଧିଲେ ସେମାନେ ଖାଆନ୍ତି। ଗୌନ୍ତିଆର ନାତି ରୋଗରେ ପଡିଥାଏ। ଖଇ ଫୁଟିଲା ପରି ତାତି। ଆଠ ଦିନ ହେବ ପେଟରେ ପାଣି ବି ରହୁନି। ଜେଜେ ତାକୁ ଭଲ କରିଦେଲେ। ଗୌନ୍ତିଆ ଖୁସିରେ ଜେଜେଙ୍କୁ ମାଣେ ଜମି ଖଞ୍ଜା କରିଦେଲେ। ସେଦିନୁ ସେମାନେ ସ୍ଥାୟି ହୋଇଗଲେ। ଖରାଦିନେ ଜମି ସୁଖୀ ଠା ହେଇଯାଏ କିନ୍ତୁ ମାଁର ଆଖି ଢଳଢ଼ଳ ସବୁବେଳେ।
ମାଧ ଜୁଆନ ହେଲାବେଳକୁ ଲୁହ ଝରିଝରି ମାଁ କାଠ ହୋଇ ଯାଇଥିଲା। ପୋଖରୀକୁ ଗାଧୋଇ ଗଲେ କି ସନ୍ଧ୍ୟାରେ ପୋଖରିପାଣି ଗଲେ ମାଁ ଠିଆ ହେଇ ଆକାଶ ଭିତରୁ ବାହାରି ଗାଁକୁ ଆସିଥିବା ରାସ୍ତାକୁ ଦେଖେ। କିଏ ଦଗା ନ ଦେଲା ଯାକେ ଦେଖେ। ସେ ଲାଗି ମାଁକୁ ଗାଁ ଲୋକେ ନିହାରୀ ବୋଲି ଡାକନ୍ତି। ଅସଂଖ୍ୟ ଅଜଣା ଦରଦ କୁ ବୁଝି ପାରୁଥିବା ଆତ୍ମୀୟ ସଂଵୋଧନଟିଏ ନିହାରୀ ଯେପରି।
ଦିନେ ମାଁ ମରିଗଲା। ମାଧ ସବୁ ବୁଝି ସାରିଥିଲା। ମାଁଙ୍କ କୋକେଇ ସଜା ହେଇ ନ ଥାଏ କୁଆଡୁ ଜଣେ ପାଗଳ ଆସି ଘର ଦାଣ୍ଡରେ ନାଚିଲା। ତାକୁ ଲୋକେ ତଡୁଥାନ୍ତି। ସେ ଯାଉ ନଥାଏ। ନାନା ଅବୋଧ୍ୟ ଶବ୍ଦ ମାନ ଉଚ୍ଚାରଣ କରି କରି ନାଚୁଥାଏ। ଜେଜେ ଉଠି ତା ପାଖକୁ ଗଲେ। ପାଗଳ କୁ ନିରେଖି ଦେଖିଲେ।
ହେ ନାରାୟଣ! ହେ ଲୀଳାଧର! ହେ ପ୍ରଭୁ ଗୋଲକ ବିହାରୀ ତୋର ଇଟା କାଏଁ ଲୀଳା ପ୍ରଭୁ। ଏତେଦିନ କାହିଁ ଥିଲୁରେ ପୁତା! ବାଁଚି ଥିବାର ତକ ଜେନ ଆଁଏଖ ତତେ ନୁରୁଥିଲା ସେ ଆଁଏଖ ଆରୁ ତତେ କେନ୍ତା ଦେଖବାରେ ବୁଆ ମୋର। ଖୁଟ କଲେ କି ଖାଟ କଲେ ଜେନ ଟୁକେଲ ତୁଇ ଆଏଲୁ ବଲି ଚମକୁ ଥିଲା ତା’କେ ଆରୁ ତୁଇ ପାଏବୁ କାଏଁ ବୁଆ ମୋର ! ମାଁ ଏବେ ଚମକି ଉଠିବ, ମାଧର ଦେହସୁହା ହେଇ ଯାଇଥିବା ଘଟଣା ଘଟିତ ହେଲାନି। ମାଁ ଥକି ଯାଇଥିଲା, ବାପାଙ୍କୁ ଅପେକ୍ଷା କରି କରି।
ସମବେତ ହୋଇ ଗାଁ କାନ୍ଦିଲା। ଗଛପତ୍ର ବି। ମାଁ ଦେବୀ ହେଇଗଲା। ବାପାଙ୍କ ପ୍ରତି ତାର ନିଷ୍ଠା ତାକୁ ଦେବୀ କରିଦେଲା।
ମାସେ ଅଧେ ପରେ ବାପା ମାଁଙ୍କ ଶାଢ଼ୀ ଦୁଇଖଣ୍ଡ ଧରି କୁଆଡେ ଚାଲିଗଲେ। ପାଗଳ ହୋଇ ଯାଇଥିଲେ। ମାଧର ବିବାହ ପ୍ରସ୍ଥାବ ସରିଥାଏ। ବାପା ଗଲାପରେ ଜେଜେ ଆଖି ବୁଜିଲେ।
ଜେଜେ ମରିବା ଦୁଇମାସ ପରେ ମାଧ ବାହା ହେଲା। ଗାଁ ଲୋକ ତାକୁ ଝିଅ ପରି ବିଦାକଲେ। ଯାନୀ ଜଉତୁକ କିଛିରେ ଉଣା କଲେନି।
ବିବାହ ବର୍ଷେ ନ ପୁରୁଣୁ ମାଧର କାଚ ଗଲା। କାଚ ଯିବାର ମାସେ ପରେ ପୁଅ ହେଲା। ପୁଅକୁ ତିନି କି ଚାରିମାସ ହେଉଥିବ, ଶ୍ଵଶୁର ରାତିରେ ପିଶାଚ ହୋଇଯାନ୍ତି। ଦିନବେଳା ବ୍ରାହ୍ମଣ ଦେବତା।
ମାଧକୁ ମାଁ ଖୁବ ମନେ ପଡ଼ନ୍ତି। ଗାଁରେ ପାଣି ଭରିଗଲା ବେଳେ ଯେଉଁ ହାତ ତାକୁ ଧରି ଆସିଥିଲା ମାଧ ସେ ହାତକୁ ଖୋଜେ। ସେ ହାତ ତାକୁ ବାଟ କଢାଇ ନେବ। ତାର ଅଲକ୍ଷରେ ହାତ ଲମ୍ବାଇ ଦିଏ ଅନ୍ଧାର କୁ। ଅସହ୍ୟ ମାଧ ଦିନେ ପ୍ରତିବାଦ କଲା। ବିଟପି ହେଇଗଲା ଶଶୁର ଗାଁରେ। କେଉଁ ମୁହଁ ନେଇ ତା ଗାଁ କୁ ଯିବ? ଛଅ ମାସର ପୁଅକୁ ଧରି ବାପାଙ୍କ ମଇତ୍ର ଘରକୁ ଗଲା। ଶୀତରେ ପୁଅକୁ ଧରି ମିତବାପାଙ୍କ ପିଣ୍ଡାରେ ବସିଲା। ଥଣ୍ଡାରେ ଛୁଆ କାନ୍ଦିବା ଶୁଣି ମିତମା’ବାପା ବାହାରିଲେ। ପୁଅକୁ ତାଙ୍କ କୋଳକୁ ଦେଇ ମାଧ ଅନ୍ଧାରେ ବାହାରିଗଲା। ତାର କଳଙ୍କ କାହାକୁ ନ ଲାଗୁ ଏ ଥିଲା ମାଧର ଶେଷ ଉତ୍ତର।
ମାଧ ରାୟପୁରରେ ବାସନ ମାଜିଲା। ଦିନେ ଜଣେ ପୌଢା ତାକୁ ଡାକିନେଲେ। ଚାରିପାଞ୍ଚ ଜଣ ଝିଅ ତା ପାଖେ ରହନ୍ତି।
ମାଧର ବୟସ ଗଡ଼ିଲା। ରୋଗରେ ପଡିଲା। ଡାକ୍ତରୀ ପରୀକ୍ଷା ରେ ଜଣାପଡିଲା ସେ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ। ତାକୁ ଗିରଫ କରାଗଲା। ଜେଲରୁ ଜଣେ ପାଷ୍ଟର ତାକୁ ନେଇଗଲେ। ତା ପରି ରୋଗୀ କିଛିଜଣ ବି ରହନ୍ତି ତା ସହ।
ମାଧ ମରିଗଲା। ପାଷ୍ଟରଙ୍କୁ ଅନୁରୋଧ କଲାରୁ ମାଧର ଦାହ ସଂସ୍କାର ଜଣେ ପଣ୍ଡିତ ଦ୍ୱାରା କରାଗଲା। ମାଧର ଟ୍ରଙ୍କରେ ଭାଗବତ ଓ ତୁଳସୀ ମାଲ ଥିଲା। ପାଷ୍ଟର କହନ୍ତି ମାଧ ମାଁ ମାଁ ବୋଲି ମାରିବା ଆଗରୁ କାନ୍ଦେ।
ପାଷ୍ଟର ସହ ମାଧର ମିତବାପା ପାଖକୁ ଗଲୁ। ମାଧର ଅସ୍ଥି କଳସ ଦେଲାପରେ ମିତବାପା ଭୋଭୋ କାନ୍ଦିଲେ। ବନ୍ଧର ପାଏନ ଠାନୁ ବି ଅଧିକ ଦୁଃଖ ମାଧର କପାଲେ ଭରି ହେଲା! ନିଷ୍କଲଙ୍କ ଟୁକେଲର କପାଲେ ସତେ ଏତିକି ଦୁଃଖ ଖଞ୍ଜିଥିଲୁ କାଏଁରେ ବିହି!
ପାଷ୍ଟର ମାଧର ମିତବାପାଙ୍କୁ ଅନୁରୋଧ କଲେ। ସାହୁଜୀ ମାଧ ଯେମିତି ତା ଅଧିକାରରୁ ବଞ୍ଚିତ ନ ହୁଏ।
ପ୍ରୟାଗରେ ମାଧର ଅସ୍ଥି ବିସର୍ଜନ ତାର ପୁଅ କଲା। ସେ ଜାଣିନି ତାର ମା’ ର ଅସ୍ଥି ବିସର୍ଜନ କରିଛି। କେଉଁ ହଜି ଯାଇଥିବା ସମ୍ପର୍କୀୟ ବୋଲି ଜାଣେ।
ପୁଅ ଦୂର ସହରରେ ସଫ୍ଟୱେୟାର ଇଞ୍ଜିନିୟର ଅଛି। ନିଜକୁ ତେଲି ଜାତିର ବୋଲି ଜାଣେ। ବାହା ବି ହେଲାଣି। ତାର ବି ଛୋଟ ପରିବାର ଟିଏ ଅଛି।
(ଆକାଶବାଣୀ ବଲାଙ୍ଗିର, ସାହିତ୍ୟ ସମ୍ଭାର କାର୍ଯ୍ୟକ୍ରମ ତା’୧୯.୧୧.୨୦୧୯ ଦିନ ପ୍ରସାରିତ)
ଆକାଶବାଣୀ ବଲାଙ୍ଗିର ନିକଟରେ ମୁଁ କୃତଜ୍ଞ
ଦଶରା ତିହାର
ଆଜି ରବିବାର, ସୁନାଦେଈ ଯାତ୍ରା ସହ ଦଶହରା ପର୍ବ ସରିଲା। ଭୂଗୋଳର ମୂଳଦର୍ଶନକୁ ଅନୁଭବ କରିବାର ଏକ ମହାପର୍ବ।ପୂଜା ପଦ୍ଧତି ପ୍ରତି ନୁହେଁ ଅନୁଶାସନ ପ୍ରତି ଦୃଷ୍ଟି ଦିଆଗଲେ ସାମାଜିକ ଜୀବନ ପ୍ରତି ଉତ୍ତରଦାୟୀତ୍ଵ ଥିବାର ଦେଖାଯାଏ। ସୁନାଦେଈ ବଡ଼ ଭଉଣୀ। ତାଙ୍କ ପାଖକୁ ୪୮ ପାଟକର ଦେବୀ ପ୍ରତିନିଧି ସମସ୍ତେ ଆସିବେ। ନିଜ ଅଞ୍ଚଳର ଭଲମନ୍ଦ ଚାଷବାସ ରୋଗବିରାଗ ଆଦିର ସୂଚନା ଦେବେ।ଅର୍ଥାତ ଦେଶକୁ ରାଜନୀତି ନୁହେଁ ଏ ମୂଳ ଅନୁଶାସନ ହିଁ ବାନ୍ଧି ରଖିଛି।
ପ୍ରତିଟି ଗାଁରେ ଗୋଟିଏ ପରମ୍ପରା। ଗୋଟିଏ ବିଧିବିଧାନ। ଚାଷ କାମ ସାରି ଫସଲକୁ ଅପେକ୍ଷା କରୁଥିବା ସମୟରେ ଦଶହରା ଆସେ।
ଦଶହରାରେ କୌଣସି ଚାକଚକ୍ୟ ନାହିଁ କି ଆଡ଼ମ୍ବର ନାହିଁ। ଗଣା ବାଜା ବଜେଇବ। କେଉଁ ଉପଚାର ବେଳେ କେଉଁ ବାଦ୍ୟ ବାଜିବ। ସମସ୍ତ ଦାୟିତ୍ଵ ତାଙ୍କର। ମାଳି ଫୁଲ ଦେବ, କେଉଁଟ ଖଇ, କୁମ୍ଭାର ରୁଖାବତୀ ଆଦିଦେବ। ସମସ୍ତ ଜାତି ନିଜ ନିଜ ବୌଳିକ ବୃତ୍ତିର ସେବା ଦେବେ। ପୂଜା ସେବାର ପାରିଶ୍ରମିକ ମଧ୍ୟ ଖଞ୍ଜା ହୋଇଛି।ଦେବୀ ବୁଏଲ ବୁଲିବେ। ଲୋକ ଯାଇ ନିଜର ସେ ଦୁଃଖ କହିବେ ଯାହା ଶାସକ ପୁରା କରିବାରେ ଆଜିପର୍ଯ୍ୟନ୍ତ ଅସମର୍ଥ ରହି ଆସିଅଛି। ସର୍ବ ଶକ୍ତିମାନ ଏକ ପ୍ରତ୍ୟକ୍ଷ ଶକ୍ତିକୁ ନିଜର ଗୁହାର କରିବେ। ବ୍ୟକ୍ତିଠୁ ସତ୍ତା ପରିଯନ୍ତେ ତାଙ୍କ ନିକଟରେ ନତ ହେବ। ଏହି ସତ୍ତା ନିକଟରେ ନତ ହୋଇ ରାଜତନ୍ତ୍ର ଅନୁପ୍ରବେଶ କରେ।ଚାଣକ୍ଯ ଅର୍ଥଶାସ୍ତ୍ରରେ ନିଜର ରାଜାଙ୍କୁ ପରାମର୍ଶ ଦେଇଛନ୍ତି ଯେ ରାଜ୍ୟ ପରିଚାଳନା ପାଇଁ ସମ୍ପଦାର ଅଭାବ ହେଲେ ଇନ୍ଦ୍ରବଣରୁ ସମ୍ପଦା ସଂଗ୍ରହ କରିବ ଯୁଦ୍ଧକରି ନୁହେଁ; ମିତ୍ରତା କରି।ଏହି ମିତ୍ରତା ବାହ୍ୟ ଅନୁପ୍ରବେଶକୁ ସୁଯୋଗ ଦେଲା।ଶହସ୍ରାଧିକ ବର୍ଷର କ୍ରମାଗତ ଆକ୍ରମଣ ପରେ ମଧ୍ୟ ଆଜି ବାଜୁଥିବା ଦଶରା ଢୋଲ ଆଦିଧର୍ମର ବିଜୟଗାନ କରୁଥାଏ। ପ୍ରକୃତରେ ଏ ମାଟି ଅଜେୟ। କୌଣସି ଗୋଟିଏ ପିଠରେ କି ଗାଁରେ ବ୍ରାହ୍ମଣ ସେବା ନାହିଁ। ରାଜତନ୍ତ୍ର ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକ ଥିଲା। ଇତିହାସରେ ଗୋଟିଏ ଚମତ୍କାର ଦେଖାଯାଏ। ତାହା ହେଲା ବୁଦ୍ଧଧମ୍ମ ଏ ସ୍ତରକୁ ଛୁଇଁଥିଲା| କେବଳ ଛୁଇଁ ନ ଥିଲା ତନ୍ତ୍ର ମାଧ୍ୟମରେ ନିଜକୁ ବିକଶିତ କରିଥିଲା। ତୀବ୍ବତ ସଂସ୍କୃତିର ମୂଳଗର୍ଭ ଓଡ଼ିଶାର ପଶ୍ଚିମ ମାଟି ଅଟେ।ଅନ୍ୟ ଗୋଟିଏ ଘଟଣା ମଧ୍ୟ ସାମ୍ନାକୁ ଆସେ। ଇସଲାମତନ୍ତ୍ର ସ୍ଥାନୀୟ ତାନ୍ତ୍ରୀକଙ୍କ ଦ୍ଵାରା ସମ୍ମାନ ପାଇଥାଏ। ଗୁଣି ଜଗତରେ କଥା ଅଛି
କନ୍ଧ ମନ୍ତର ଏନେ ତେନେ
ପଠାନ ମନ୍ତର ପଂସକା
ଇ ଦୁଇଝନ ମିଶିଗଲେ
ଭିତରେ ଭିତର ମସ୍କା
ଏଥି ସହିତ ଅନ୍ୟ ଏକ ବିବର୍ତ୍ତନ ମହିମା ଧର୍ମରେ ଦେଖା ଯାଉଅଛି। ମହିମା ଧର୍ମର ଅନେକ ସାଧୁ ସ୍ଥାନୀୟ ତନ୍ତ୍ର ପ୍ରତି ଆକୃଷ୍ଟ ଅଛନ୍ତି। ବୁଦ୍ଧଧମ୍ମ ପରି ଏହା ଏକ ପରମ୍ପରା ସୃଷ୍ଟି ନ କରିବ, କିଏ କହିବ?
କିନ୍ତୁୁ ମହିମା ଧର୍ମରେ ତନ୍ତ୍ରର ଉଚ୍ଚତମ ଶିକ୍ଷା ଅଥବା ପ୍ରୟୋଗ ପାଇଁ ଆନୁଷ୍ଠାନିକ ସୁଯୋଗ ସୃଷ୍ଟିିି କରାଯାଇ ପାରିିନାହିଁ।
କିନ୍ତୁୁ ଗ୍ରାମ୍ୟ ଦେବାଦେବୀଙ୍କ ଅନୁଷ୍ଠାନ ସେହି ରୀତିରେ ଚାଲିଛି। ତମାମ ପ୍ରତିକୁଳ ପରିସ୍ଥିତିରେ ନିଜକୁ ସ୍ଥିର ରଖିବା କଦାପି ସହଜ ନୁହେଁଁ। ଗ୍ରାମ୍ୟ ଦେବାଦେବୀଙ୍କ ଦଶରା ପରବର ଜତରା ମାନଙ୍କୁ ଚାକଚକ୍ୟ ଭରା ମେଢ଼ ମାନଙ୍କ ସହ ତୁଳନାର ଗୋଟିଏ କ୍ଷେତ୍ର ତିଆରି କରା ଯାଇଛିି।
ସମସ୍ତ ଜାତି ଦେବୀଙ୍କୁ ନିଜ ନିଜର ସେବା ଦେବେ। ଦେବୀଙ୍କ ପୂଜା ସାରି ଘରକୁ ପ୍ରସ୍ତୁତ କରିବେ ସମ୍ପଦାର ସ୍ଵାଗତ ପାଇଁଁ। ଆଗକୁ ଫସଲ ଅମଳର ସମୟ। ଶାସନ ଓ ଅନୁଶାସନର ଏ ଯୁଗଳବନ୍ଦୀ ସମାଜକୁ ବ୍ୟବସ୍ଥିତ ଓ ବ୍ୟକ୍ତିକୁୁ ଧ୍ଯାନସ୍ଥ କରିଥାଏ।
ଏହିପରିି ଗୋଟିଏ ଅନୁଶାସିତ ଭୂଖଣ୍ଡରେ ରାଜୁତିି କରିବା ମୂଳ ସୂତ୍ର ହେଲା ଲୋକଙ୍କୁ ମାଟିରୁ ବିଚ୍ୟୁତ କରିବା। ପ୍ରତିଟିି ଶାସନ ଏହା ହିଁଁ କରିଅଛି। କରୁଅଛି ମଧ୍ୟ।
ଏଠିକାର ଲୋକଟି ନିଜର ମୌଳିକତାକୁ ଯେକୌଣସି ପରିସ୍ଥିତି ସତ୍ତ୍ଵେ ସୁରକ୍ଷିିତ ରଖିଛି। ଏହା ହିଁ ଅଜେୟ ହେବାର ଲକ୍ଷଣ …
ସହାବସ୍ଥାନ
ଏଠାରେ ମୁଁ ତାଙ୍କର ନାମ ଲେଖିବା ଉଚିତ ଭାବୁନି। ସେ ସେତେ ବଡ଼ଲୋକ ନ ଥିଲେ। ତାଙ୍କ ଜୀବଦ୍ଦଶାରେ ସେ ଯାହା ବି କରିଛନ୍ତି ବେଶ କରିଛନ୍ତି। ଗୋଟିଏ ସାଧାରଣ ଜୀବନରେ ଜୀବନର ତମାମ ସୁଖ ଦୁଃଖକୁ ମନଭରି ଉପଭୋଗ କରିଛନ୍ତି।
-ତକେ କେତେ ବଛର ହେବାନା କକା ? କିଏ ଯଦି ପଚାରି ଦେଲା… ନିଜର ଠେଙ୍ଗାକୁ ଖୁତେଇ ଦିକବଳୟ ପଟେ କି ଭୁଆସେନଡଙ୍ଗର ପଟକୁ ଏକଳୟରେ ଦେଖନ୍ତି। ଯେମିତି ତାଙ୍କ ସହ ମିଶି ବୟସ ହିସାବ କରୁଛନ୍ତି।
– ବାବୁ ରେ ! ବଡ଼ମକାର ସରଲା ଉତାରୁ ଯେତେବେଳେ ମାଁ-ମାଏଟ ଶୀତଲ ହେଇ ବସଲେ; ତହିଁର ଆରକର ବଛରେ ଆମର ଭିବେ(ତାଙ୍କର ବଡ଼ ପୁଅ ବିଭିଷଣ। ଯିଏ ସାତ ବର୍ଷ ବୟସରେ ମେଲେରିଆ ଜ୍ଵରରେ ମରିଗଲା।)ର ଜନମ। ବଏଲେ ହିପାସ(ହିସାବ) କର।
୨୯୬୬-୬୭(୧୯୬୬ ମସିହାରେ ଭଲ ବର୍ଷା ହୋଇଥିଲା) ର ଆର ବର୍ଷ ଅର୍ଥାତ ୧୯୬୮ ମସିହାରେ ତାଙ୍କର ବଡ଼ପୁଅ ଜନ୍ମ ହୋଇଥିଲେ। ଏତେବେଳକୁ ଯଦି ତାଙ୍କୁ ଯଦି କୋଡ଼ିଏ ବର୍ଷ ହେଇଥିବ ତା’ହେଲେ ୨୦୦୭ ମସିହାରେ ୬୦ ବର୍ଷ ହେବାକଥା। ଏଇଟାତ ୨୦୧୦ ମସିହା !
– ଭତ୍ତା ପାଏସୁ ଗୋ ତୁଇ ?
– ହାଏଁ ! ଭାତା … ବୁଆ ଗୋ! ଭାତାର କାଥା କାଏଁଟା କୁଇବି, ମକେ ବଏସ ସେ ନାଇ ହେବାର କି ଆମର ନେତା ମନକର ବଏସ ନାଇ ହେବାର ଯେ କାଏଁଟା ଜାନବୁ!
ବେହେରାର ପିଲା ମିଶା ଦୁଇଟା ଲେମର ଦୁଇଟା ସରପଁଚ ଶତେଇଶ ଶହ ବତିଶ ଟଙ୍ଗା ସାରଲି ନା। ତଥାପିବି ମୁଇଁ ବୁଢ଼ା ନାଇ ହେଇ ପାରୁଛେଁ ।
ତାଙ୍କର ବ୍ୟଙ୍ଗ ଓ ବେଦନାକୁ ବେଶ୍ ବୁଝି ହେଉଥିଲା।
ତାଙ୍କୁ କହିଲି ବାବା ଯା ତୋର ଭୋଟ କାର୍ଡ଼, ମାଲଗୁଜାରୀ ରସିଦ ଧରିକରି ଆ ଆରୁ ମୋର ଫଟଫଟି ଥି ବସ୍।
ଫଟୁ ବି ଧରବି କାଏଁ ?
– ଅଛେ ବଏଲେ ଧର।
ହାଁ; ବେହେରାର ପିଲା ତାର ମୁବିଲ ଥି ଝିକଲା ଆରୁ ୪ଟା ଫଟୁ ଦି’ଛେ। କାଏଁ ନିନ୍ଦା ବୁପନ୍ତା କେ।
ଆମେ ଆର ଆଇ ପାଖକୁ ଗଲୁ। ଡ଼ାକ୍ତରଙ୍କ ପାଖକୁ। ବ୍ଳକ ବିଡ଼ିଓଙ୍କ ପାଖକୁ।
ବବା ବ୍ଳକ ଅଫିସରୁ ଘରକୁ ଫେରିଲା ବେଳେ କହିଲେ, ‘ବୁଆଗୋ! ଭାତା ମିଲୁ ନାଇ ମିଲୁ ବିଡ଼ିଓ ସାହେବର ସାମନେ କୁରସି ଥି ବସେଇ କରି ଚାହା ଫୁଟେ ଜେନ ପିଆଲୁ; ଏଟେ .. ଟେ.. ଟେ.. ରେଃ : ହି ଗଲାନା ବୁଆ ଗା!
ଅତି ସରଳ ଲୋକ ଏମାନେ। ନିଜର ଗୋଟିଏ ଛୋଟ ପୃଥିବୀ ତିଆରନ୍ତି। ଖୁବ ନିଷ୍ଠାର ସହ। ସେହି ସୀମାରେ ରାଜୁତି କରନ୍ତି। ସେ ପୃଥିବୀକୁ ସୁରକ୍ଷା ଦିଅନ୍ତି ମଧ୍ୟ।
ସେ ଯେତେବେଳେ ଲେଙ୍ଗୁଟ ମାରୁଥିଲେ ତାଙ୍କୁ ଜର ହେଲା। ବାମଗୋଡ଼ ଘିଚି ଦେଲା। ଲଚକେଇ ଚାଲନ୍ତି। ଜର ଛାଡ଼ିଲା ପରେ କରିଆ ପିନ୍ଧିଲେ। ଗାଁର ମାହାପୁରୁ(ବ୍ରାହ୍ମଣ) ତାଙ୍କର ଦାଦିଙ୍କୁ ମାଷ୍ଟର ଆଣିଲେ ଗାଁ ଲୋକ। ତାଙ୍କ ନିକଟରେ ଗୁହାଲ ପଢିଛି। ବର୍ଣ୍ଣବୋଧ ସରଲା କେ ପାହାଡ଼ା ! ପଣକିଆ। ତାର ପଛେ ତୋ ମାଡ଼ ଦେଇ ଆନଲା ଜେ ନଏଦ ଖଣି ଲୁକି ଭାଗେଁ।
ଗାଈ ଚରେଇଲେ। ତାଙ୍କର ବାପା ଜାଣିଥିଲେ ସେ ଓଜନ କାମ କରି ପାରିବେ ନାହିଁ। ଏହା ହିଁ ଚିନ୍ତାଥିଲା ବାପାଙ୍କର। ୟେ ଚାଷ କେମିତି କରିବ। କିନ୍ତୁ ବବାଙ୍କ ଚିନ୍ତା ନ ଥିଲା କିଛି।
ଅବଧାନଙ୍କ ମାଡ଼ ଅପଙ୍ଗ ଗୋଡ଼ରେ ବାଜିଲେ ଖୁବ ବାଧେ। କିଛି କରିପାରିବେ ନାହିଁ। ଅବଧାନଙ୍କ ଦୁର୍ବଳତା ଖୋଜିଲେ। ପୋଖରୀରୁ ଘର ପର୍ଯ୍ୟନ୍ତ ଟିକିନିଖି ସବୁ। ଏଇ ପ୍ରାଥମିକ କାମ ତାଙ୍କ ପରିଚୟ ହୋଇ ଆସିଲା।
ଅବଧାନଙ୍କ ଦୂର୍ବଳ ବିନ୍ଦୁ ଖୋଜୁ ଖୋଜୁ ସେ ଗାଁର ଆହୁରି ଅନେକ ଲୋକଙ୍କ ରହସ୍ୟ ଜାଣି ସାରିଥିଲେ। ରହସ୍ୟଭେଦୀ ଭାବରେ ଯେତେବେଳେ ସେ ବନ୍ଧୁ ମହଲରେ ପରିଚିତ ହେଲେ ତାଙ୍କର ସ୍ଵତନ୍ତ୍ର ସମ୍ମାନ ତିଆରି ହୋଇଗଲା।
କିଏ ଯଦି ପଚାରିବ, ହଏ ଆଡ଼େ ! ଇ ମାର୍କଣ୍ଡ ବେଲ ବୁଡ଼ତି କେ ଲେର କେନ୍ତା ଭାଗସି ଗା?
ତୁରନ୍ତ ଭତ୍ତର- ଛକର ମହୁଲ ଗଛେ ପଟେ ଅଛେରେ ବାବୁ ! ମାର୍କଣ୍ଡ ଦେଖେ। ତୁଇ ତୋ ଜାନୁଛୁ, ସେ ବୀର କାହାର କଥା କେ ସତ କରେ ନାଇ କି ହସେ ନାଇ। ଚାଏର ଆଠ ଥର ଦେଖଲା। ଭାବେ ଦେଖତୋ ଶଲେ ଡରାବାର ଲାଗି .. ଫେର ପଛକେ କେନ ମାଁବହେନ ଆଏ ଭାବଲା। ଜାନିଛ ତୋ; ହେ’ ଟିକେ ଉପର ଆଁଖିଆଟା। ପାସକେ ଗଲାକେ ବଲୁଛୁ ଝାଡ଼ିଦେଲା କାନ ବୁଜବୁଜି ଗୁଟେ ରାପଟ ଯେ ଭଏଁରା ହେଇଗଲା।
ମାର୍କଣ୍ଡ ବଧିର ହେବାକଥା ସମସ୍ତେ ଜାଣନ୍ତି।
ସେ ହିଁ ପ୍ରଥମେ ଖବର ଦେଇଥିଲେ ଗାଁ ପୂଜାରୀ ରୋଗରେ ପଡ଼ିଲା କାହିଁକି ?
ଦେବୀ ଦଶହରା ନବମୀ ରାତିରେ ବୁଏଲ ଯିବେ। ମଧ୍ୟରାତ୍ର ଅତିକ୍ରାନ୍ତ ହେଲେ ମନ୍ଦିରକୁ ଫେରିବେ। ଦିହାରୀଙ୍କୁ ଦେବୀ ଛାଡ଼ିବା ପୂର୍ବରୁ ଦହି, ମହୁ, ଗୁଡ଼, ଘିଅ ଓ ଦହନା ପତ୍ରର ପଞ୍ଚାମୃତ ପାନ କରିବେ। ଦେବୀ ଶାନ୍ତି ହେଲାପରେ ଗନେର ପିଠା(ଗନେର ଗଛର ଖିର ରୁ ପ୍ରସ୍ତୁତ)ର ଭୋଗ ଦିହାରୀ ପାଇବେ। ପଞ୍ଚାମୃତ ଓ ପିଠା ପୂଜାରୀଙ୍କ ସ୍ତ୍ରୀ ପ୍ରସ୍ତୁତ କରିବେ।
ପୂଜାରେନ ବି ନିଷ୍ଠାରେ ରହନ୍ତି ଦଶଦିନ। ଧୋଇ ଶୁଖେଇ ଖଣ୍ଡିଏ ପିନ୍ଧିବେ। ହବିସ କରିବେ। ଏ ବର୍ଷ ଝୀଅ ଜ୍ଵାଇଁ ନୂଆ ଆସିଥାନ୍ତି ଘରକୁ। ପୂଜାରେନ ଗୋଟିଏ କପଡ଼ାରେ ରହି ପାରିଲେ ନାହିଁ। ଶିଙ୍ଗାର ହୋଇ ଦେଲେ …
ଗାଁର ସବୁ ବ୍ୟତିକ୍ରମର କାରଣ ତାଙ୍କୁ ଜଣା। କୁଆରୀ ପାଟନାର ଗୁନିଆ ବିଶି ଘରକୁ କାହିଁ ଆସିଲା ? ମହୁଲଡୁଙ୍ଗା ଜମିରେ ଏ ବର୍ଷ ଧାନ କାହିଁକି ହେଲାନାହିଁ ସବୁ ଖବର। ଗାଁ ଦେବାଦେବୀଙ୍କ ଖବର ମଧ୍ଯ ସେ ରଖନ୍ତି।
ତାଙ୍କ ଯୋଗୁଁ ଦେବାଦେବୀଙ୍କ ଖବର ବି ଗାଁ ଲୋକ ଜାଣନ୍ତି।
ତାଙ୍କ ଖବରମାନଙ୍କ ମଧ୍ୟରେ ଗାଁ ଝୀଅଙ୍କ ଖବର ଯେତେବେଳେ ପ୍ରମୂଖତା ରଖିଲା ବାପା ତାଙ୍କ ପାଇଁ ଝୀଅ ଖୋଜିଲେ। ଘରଦେଖା ମଦପିଆ ସରିଲା। ଚାଷ ପରେ ବାହା କରିବେ। ଚାଷ ହେଲା ନାହିଁ। ରୁପାଗଡ଼ା ପର୍ଯ୍ୟନ୍ତ ଠିକ ରହିଲା। ତାପରେ ପାଣି ବନ୍ଦ। ଖରାର ରଡ଼ିକୁ ଖେତର ଧାନଗଛ ସବୁ ପୁଆଲ ହୋଇଗଲା। ଗୋରୁ ବି ଚରିଲେ ନାହିଁ। ଦିନୁଦିନ ଲୋକଙ୍କ ଚିନ୍ତା ବଢିଲା। ଭୋକ ଦାଣ୍ଡରେ ନାଚିଲା।
ଖାଇବା ପାଇଁ ଲୋକେ ଯାହା ବି କଲେ। ବାସନ କୁସନ, ସୁନାରୁପା, ଖେତଖଲା ବି ଗଲା। ଘରେ ଘରେ ମଡ଼କ। ତାଙ୍କ ବାପା ବି ମରିଗଲେ।
ମାଁ ରାଁଡ଼ି ଘରର ବୋଝକୁ ଏକା ପାରିବନି। ଦେଖିଥିବା ଝୀଅକୁ ସେ ବାହା ହେଇଗଲେ। ମରୁଡ଼ି ନାମ ପାଇଗଲା… ବଡ଼ମକାର …
ସେ ଗାଁର ଗାଈ ଚରେଇଲେ। ମାଁ ତାଙ୍କ ବାହାବେଳେ ମାରାଡ଼ି ମହାଜନଠୁ ତିନିଶହ ଟଙ୍କା କରଜ କରିଥିଲେ। ବାହା ପରବର୍ଷ ଜମିକୁ ହଳ ନେଇ ଗଲା ବେଳେ ମାରାଡ଼ି ବାରଣ କଲା। ତିନିଭରି ସୁନା ଓ ଛେଟନେ ବାସନ ମକାର ବେଳେ ମହାଜନ ଚାଉଳ ଦେଇ ଦେଇ ଖାଇ ସାରିଥିଲା। ଜମି ବନ୍ଧାର ଟିପଚିହ୍ନ ଥିବା କାଗଜ ଦେଖେଇ ହିସାବ କଲା। ଟିପଚିହ୍ନ ତାଙ୍କ ବାପାଙ୍କ ବୋଲି ସାଖ୍ୟ-ସନ୍ତକ କରିଥିଲେ ଗଡ଼ଜାତ ଆନ୍ଦୋଳନର ନେତା। ପାଖଆଖ ଗାଁରେ ତାଙ୍କ ସମ୍ମାନ। ଲାଲଟୋପି ସିପାହୀ ତାଙ୍କୁ ଜୁହାର କରେ। ଗଉନ୍ତିଆ ବି ସମ୍ମାନ କରନ୍ତି। ଜମିକୁ ନେଇ ପ୍ରତିବାଦର ପ୍ରଶ୍ନ ହିଁ ରହିଲା ନାହିଁ।
ତାଙ୍କ ଗାଈ ଚରାକୁ ମାଁଙ୍କ କାମ। ମାଁ କାହାଘର ମାଟି ଲିପିବେ, ଧାନ ସିଝେଇ ଦେବେ, ନାନା କାମ କରିଦେବେ। ଛୁଆଙ୍କ ଛୋଟଛୋଟ ରୋଗର ବି ଚିକିତ୍ସା କରିବେ। କଁଥ ମାରିବା, ଚୁରନା, ଅଲତି ଆଦି ଚିକିତ୍ସା କରନ୍ତି ବିନା ମୂଲ୍ୟରେ। ଗର୍ଭଣୀ ମାଁର ବି ଅନେକ ଉପଚାର ତାଙ୍କୁ ଜଣା। ତାଙ୍କ ଅଜାଣତରେ ସେ ଧାଈ ହେଇ ଯାଇଥିଲେ।
ଗାଏ ପଛେ ପୋ ଲଚକି ଚାଲେ
ମାଁ ହେଇଛେ ଧାଈ
ସଁସାରର ଖବର ତାକର ଘରେ
ବହ ସୁନ୍ଦରୀ ରାଇ।
ସଂସାର ଚାଲିଲା … ମରୁଡିରୁ ମୁକୁଳି ଖେତଖଲା ହସି ଶିଖୁଥାନ୍ତି ଆଉ ତାଙ୍କ ଘରେ ପୁଅ ହେଲା। ସାତବର୍ଷର ପୁଅ ମରିଗଲା ଜରରେ। ତାଙ୍କ ମାଁଙ୍କ ତମାମ ବିଦ୍ୟା କାମ ଦେଲା ନାହିଁ। ଏହାପରେ ମାଁ କାହାଘରୁ ଧାଈ କାମ ସାରି ଆସିଲେ ଘରେ ବସି ଅଛରେ କାନ୍ଦନ୍ତି ନାତିକୁ ମନେ ପକେଇ।
ଗଭନ୍ତିଆ ମରିଗଲେ। ତାଙ୍କର ସାନଭାଇ ଗୋଟିଏ ଆଖଡ଼ା କରିଥିଲେ। ପାଖଆଖ ଗାଁରେ ତାଙ୍କ ଆଖଡ଼ା ର ବେଶ କାଟତି। ସେ ପାଲିଆ ଧରିବେ।
ରାମ, ବିଷ୍ଣ, ସୀତା, ଲଲିତା, ଦୁଆରୀ , କିଚକ, ବାଣାସୁର ନିଜ ନିଜ ପାଠ କହିବେ କିନ୍ତୁ ସେ ପୁରା ନାଟକ ବହି ମନେ ରଖିବେ। କଳାକାର ପଦ ଭୁଲିଗଲେ ସୁନ୍ଦର ଭାବେ ସଲଖି ଦେବେ ସେ। ସମସ୍ତଙ୍କ ଗାଈଗୋରୁ ଗୁହାଳକୁ ପଶିଲେ ସେ ଯିବେ ପୋଖରୀକୁ। ସେଠାରୁ ଫେରି ଘରେ କିଛି ଖାଇ ବସିବେ ତା ପରେ ଆଖଡ଼ା। ବାଦୀ ଯିବା ଆଗଦିନ ନିଦେ ରାତି ଯାକେ ଆଖଡ଼ା ଚାଲିବ।
ମାଁ ମରିଗଲା। ବୋହୂ ଶାଶୁଙ୍କ କଳା ଶିଖି ପାରିଲେ ନାହିଁ ନା କଦଳୀ-ବାଞ୍ଝ ବୋଲି ଲୋକେ ଧାଈ କାମକୁ ଅଯୋଗ୍ୟ ବୋଲିବେ କେଜାଣି …
ବନ୍ଧଘାଟରେ ଟାହି ଟାପରା ସ୍ତ୍ରୀଙ୍କୁ ଅସହ୍ୟ ହେଲା। ସାତମାସର ଗର୍ଭ ସହ ସେ ଅାରପାରିକୁ ଚାଲିଗଲେ।
ତାଙ୍କୁ ଧିରେ ଧିରେ ସମସ୍ତେ ଏକା କରି ଚାଲି ଯାଉଥାନ୍ତି। ଗଉନ୍ତିଆଙ୍କ ଭାଇ ମଲାବେଳେ ବହୁତ ଦୁଃଖରେ ମଲେ। ଏଡ଼େ ନାମକରା ଆଖଡ଼ା ଭାଙ୍ଗିଗଲା। କେତେ ଦାଦନ ଗଲେ କେତେ ମରିଗଲେ। ତାଙ୍କ ନିଜ ଲୋକଙ୍କ ସଂଖ୍ୟା ପତଲା ହେଇ ଆସିଲା। ଗାଈଗୋରୁ ସଂଖ୍ୟା ବି କମିକମି ଆସିଲେ।
ଗଁତିଆ ମଲେ ଗାଁର ପିଲା ଟୁକେଲ ଶିକ୍ଷିତ ହେଲେ। ଗଁତିଆର ପଦ ବଦଲି ନେତା ହେଲା। କେତେକ ଠିକାଦାର ବି କହିଲେ। ତାଙ୍କ ପରିଚୟ ବର୍ଷ ତିରିଶଟାରେ ହଜିଗଲା କେଉଁଠି। ସେ କେବେକେବେ ଭଙ୍ଗା ଆଖଡ଼ା ପାଖେ କି ମନ୍ଦିରରେ ନହେଲେ ଗାଁ ଲୋକ ଜବରଦଖଲ କରି ସାରିଥିବା ଗୋଚର ଅବା ପୋଖରୀ ହୁଡ଼ାରେ ଘଣ୍ଟା ଘଣ୍ଟାଘଣ୍ଟା ବସନ୍ତି। ଅତୀତକୁ ଖୋଜନ୍ତି କି ନିଜର ପରିଚୟକୁ କେହି କେହି ବୁଝନ୍ତି କିନ୍ତୁ ଅନେକ ବୁଝନ୍ତି ନାହିଁ।
ଗାଈ ରହିଲେ ନାହିଁ। ଗାଁକୁ ଟ୍ରାକ୍ଟର ଆସିଲା। ସେ ମାରାଡ଼ି ମହାଜନର ନାତି ପାଖକୁ ଗଲେ। ମାସକୁ ତିନିଶହ ପଚାଶ ଟଙ୍କା ବେତନରେ କାମ କଲେ। ପଞ୍ଚଶହ ଦରମା ହେଲା ବେଳକୁ ଭତ୍ତା ଲାଗି ଖର୍ଚ୍ଚ କଲେ।
ମୁଁ ତାଙ୍କୁ ଘରେ ଛାଡ଼ି ଗାଁକୁ ଆସିଲି। ପନ୍ଦରଦିନ ପରେ ମତେ ଡକେଇଲେ ଫୋନ କରି। ଆଜି ହିଁ ଆସ ଜରୁରୀ କାମ ଅଛି। ମୋର କାମ କିଛି ନ ଥିଲା। ତାଙ୍କ ଗାଁକୁ ଗଲି ୮୦ କିଲୋମିଟର ପାଖାପାଖି।
ଘରକୁ ଡାକିନେଲେ। ଭିତରେ ବସିଲୁ। ଗୋଟିଏ ପୁରୁଣା ଟ୍ରଙ୍କ ଖୋଲିଲେ। କଲା ଆସ୍ତରଣ ହେଇ ଯାଇଥିବା ହିପୋଲିନ ଡିଟରଜେଣ୍ଟ ଜରି କାଢିଲେ; ଆମର ଖେତର କାଗଜପତର।
ରୁପା କରାଟ କାଢିଲେ
ମୋର ମାଁ ର କରାଟ।
ଭାଙ୍ଗଡ଼ୁବି
ଆମ ବୁଆର ଟା
ପାଞ୍ଚ ମିନିଟ ଯାକେ ଗୋଟିଏ ଗୋଟିଏ ଜିନିଷ କାଢ଼ୁଥାନ୍ତି .. ଭାବବିହ୍ବଲ୍ଲ କରିଦେଲା ପରି ଗୋଟିଏ ଗୋଟିଏ ଶବ୍ଦ କହୁଥାନ୍ତି।
ଗୋଟିଏ କାଠ କଣ୍ଢେଇ କାଢିଲେ, କରିଆରେ ପୋଛିଲେ …
ଆମର ଭିବେ(ପୁଅର)ର ପୁତଲି … ତାଙ୍କର ଟ୍ରଙ୍କରେ ସାଇତା ହୋଇଛନ୍ତି ତାଙ୍କର ଇତିହାସ। ସବୁ ହରେଇ ସାରିଥିବା ଇତିହାସ ସହ ବଞ୍ଚିବା ତାଙ୍କର ଶେଷତମ ଆଧାର ଯେପରି।
ଗୋଟିଏ ରୁପା-ଖଗଲା କାଢିଲେ। କରିଆରେ ପୋଛି ହାତରେ ଆଉଁସିଲେ। ଯେମିତି ପ୍ରିୟତମାର କବରୀକୁ। ସ୍ୱର ଭାରି ଓ ଧିର ହୋଇଗଲା…
– ତାର ମାଁର ଟା
ଖଗଲା ଚକଚକ କରୁଥାଏ। ନିୟମିତ ବ୍ୟବହାର ହେଉଛି ଯେପରି।
ଶେଷକୁ ଗୋଟିଏ ମୋଟା ଖାତା କାଢିଲେ। ତାକୁ ଖୋଳୁଖୋଳୁ କହିଲେ ଆମର ଗଁତିଆ କକା (ଗଉନ୍ତିଆଙ୍କ ଭାଇ) ଲେଖଲା ନାଟ; ହାରାବତୀହରଣ … ଖାତା ଭିତରେ ରଖିଥାନ୍ତି କିଛି ଟଙ୍କା। ସବୁ ଟଙ୍କା ମୋ ହାତରେ ଧରେଇ ଦେଲେ।
– ଇଟା କାଣା କରୁଛୁ ଗୋ।
– ବୁଆରେ ମୋର ଗାଁର ବଡ଼ବଡ଼ ନେତା ହାରଲାକେ ତୁଇ ପାଟନା(ବଲାଙ୍ଗିର ଜିଲ୍ଲା)ନୁ ଆସିକରି ଗିଜକୁହୁଲା(ବାଇକ)ଥି ରାମପୁର ନେଲୁ। ସାହେବର ସାମନେ କୁର୍ସି ବସେଇ, ଚାହା ପିଏଇ, ଭାତା କଲୁ। ଶହେ ନାଇ କି ଦୁଇଶହ ନାଇ ବତିଶ ଶ’ ଟଙ୍ଗା ବୁଆ ! ଜୀବନେ ପହେଲା ଦେଖଲି। ନେ ଇଟା ତୋରଟା…
– ବାୟା ହେଲୁ ନା କାଏଁ !
ବହୁତ ବୁଝେଇଲା ପରେ ବୁଝିଲେ। ରାତିରେ ରହିବାକୁ କହିଲେ। ତାଙ୍କର ବାଲ୍ୟବନ୍ଧୁ ନାଟକରେ ଦୁଆରୀ ବାହାରୁ ଥିଲେ ସେ ମଧ୍ୟ ଅତିଥି ହେଇଥିଲେ।
– ଏ ବୁଆ ତୋର ଲାଗି ଇଂଲିଶ ଆନିଛେଁ।
– ଦେଖୁଁ !(ଲୋକାଲ ପେକିଂ; ଗାଁ ମାନଙ୍କରେ ଏହାର ପ୍ରାବଲ୍ୟ ବେଶି)। ଯା’ ବବା ଇ’ ଦୁଇଟାକେ ଫିରା ଆରୁ ତୋର ବାଗିରଟା ଆନ।
– ଦେଖତେନେ ! ଆନୁଛେଁ . . .
– ହଏ .. ଯା’ ଆନ
ରାତି ଗଭିର ହୋଇଗଲା ତିନିଜଣ ଗପୁଗପୁ।
ତାଙ୍କ ଦୁଆରୀ ବନ୍ଧୁ କହିଲେ ହେତକି ଭିତରକେ କାହିଁ ଜଉଛୁ ବୁଆଗୋ ପୂର୍ବେ ଆମେ ସଭେ ଦେବୀଦେବତା ସଙ୍ଗେ ମିଶିକରି ରହୁଥିଲୁଁ। ଇ ମୁବିଲ ଯୁଗେ ମୁନୁଷ କେ ମୁନୁଷ ନାଇ ମିଶି ପାରବାର …
ସକାଳେ ଫେରିଲା ବେଳେ ମୋ ସାର୍ଟ ପକେଟରେ ଦୁଇଶହ ଟଙ୍କା ଭରି ଦେଇଥିଲେ ତେଲ ଭରବୁ ତୋର ଗିଜକୁହୁଲା ଥି…
ମଝିରେ କେବେ କେମିତି ଦେଖାହୁଏ ତାଙ୍କ ସଙ୍ଗେ। ପ୍ରତିବର୍ଷ ବର୍ଷାର ଚିନ୍ତା କରନ୍ତି। ଚାଷ କେମିତି ହେବ। ଲୋକେ କେମିତି ବଞ୍ଚିବେ। ଚଳିତ ବର୍ଷ ବର୍ଷା ଠିକ ହେଉଛି। ସେ ଏ ବର୍ଷ ନୂଆଖାଇ ପାରିଲେ ନାହିଁ ମାସେ ଆଗରୁ ମରିଗଲେ।
ତାଙ୍କର କେହି ନ ଥିଲେ ଦୁଆରୀବନ୍ଧୁ ସାତଦିନିଆ କଲେ।
ନୂଆଖାଇ
ଶ୍ରମ ସଂସ୍କୃତିରେ ନୂଆଖାଇର ତତ୍ତ୍ଵ ବେଶ ଗୁରୁତ୍ଵ ବହନ କରିଥାଏ। ବର୍ତ୍ତମାନ ଏହାର ଆଲୋଚନା ହେବା ନିତାନ୍ତ ଆବଶ୍ୟକ। ନୂଆଖାଇ ପରମ୍ପରା କେତେ ପୁରୁଣା ଏହାର କୌଣସି ଅର୍ଥ ରହେ ନାହିଁ। ମାନବ ସଭ୍ୟତାରେ ବସ୍ତ୍ରର ପ୍ରଚଳନ ଯେତେ ସ୍ଵଭାବିକ ଥିଲା ଶ୍ରମ ସଂସ୍କୃତିରେ ନୂଆଖାଇ ମଧ୍ୟ ତଦୃପ। ଏଥିରେ କୌଣସି ପ୍ରଶ୍ନ ମହତ୍ଵ ରଖେନାହିଁ।
ସମାଜର ଗଠନ ଉପରେ ସମ୍ୟକ ଆଲୋଚନା କରାଯାଉ। ପ୍ରାଗୈତିହାସିକ ଯୁଗର ପ୍ରମାଣ ଏହା ସୂଚିତ କରିଥାଏ ଯେ ନୂଆଖାଇ ପାଳନ ହେଉଥିବା ଅଞ୍ଚଳରେ ସଭ୍ୟତା ଆରମ୍ଭରୁ ମାନବ ପ୍ରଜାତି ନିଜର ବିକାଶ କରି ଆସୁଅଛି। ପ୍ରାଚୀନ ଚିତ୍ର ମାନଙ୍କରେ ପଶୁ ମଣିଷ ଏବଂ ସହାବସ୍ଥାନ ପାଇଁ ଆବଶ୍ୟକ ଉପକରଣ ମାନଙ୍କ ଚିତ୍ର ଆମେ ଦେଖାଥାଉ। ଏହାର ଅର୍ଥ ସହାବସ୍ଥାନ ହିଁ ସଂସ୍କୃତିର ପ୍ରାରମ୍ଭ ବିନ୍ଦୁ।
ସହାବସ୍ଥାନ ଗୋଟିଏ ଜଟିଳ ପ୍ରକ୍ରିୟା। ସହାବସ୍ଥାନର ଆତ୍ମା ହେଉଛି ସମ୍ବାଦ। ଏହି ସମ୍ବାଦକୁ ବୁଝିବା ପାଇଁ ସାଧାରଣ ଉଦାହରଣ ଟିଏ ନିଆଯାଉ। ଚାଷ ପାଇଁ ଗୋରୁ ଅବା ଖାଦ୍ୟ ପାଇଁ କୁକୁଡ଼ା ପାଳନ କରିବା। ଭଭୟ ଗୋରୁ ଏବଂ କୁକୁଡ଼ାର ରହିବା, ଖାଦ୍ୟ ଯୋଗାଡ଼ ଏବଂ ତାଙ୍କ ସ୍ଵଭାବିକ ଚରିତ୍ରକୁ ବୁଝିବାରେ ମୋଟାମୋଟି ତାଙ୍କୁ ନିଜ ପରିସରଭୁକ୍ତ କରିବାରେ ଯେଉଁ ଭାବ ଏବଂ କ୍ରିୟାର ଆଦାନ ପ୍ରଦାନ ହୁଏ ତାହା ସମ୍ବାଦ। ଗାଈ ନିଜ ପରିବାରରେ ହିଁ ନିଜକୁ ସଭ୍ୟ ଭାବରେ ଗଣିବ ଯେପରି କୁକୁଡ଼ା ପାରା କୁକୁର ଏବଂ ଅନ୍ୟ ଜୀବଜନ୍ତୁ। ଏମାନଙ୍କୁ ନେଇ ଗୋଟିଏ ପରିବାର ତିଆରି ହେବ। ପରିବାରର ଆବଶ୍ୟକତା ମାନ ବିଭିନ୍ନ ସୂତ୍ରରୁ ସଂଗ୍ରହ ହେବ ଏବଂ ସଂଗୃହିତ ସବୁ ସଞ୍ଚିତ ହେବେ। ସଞ୍ଚୟ ହେଉଛି ପରବର୍ତ୍ତି ମୂଖ୍ୟ ଆବଶ୍ୟକତା।
ସଞ୍ଚୟର ସୂତ୍ର ହେଉଛି ସମାଜର ବିସ୍ତାର। କୋରାପୁଟରେ ପୃଥିବୀର ପ୍ରଥମ ଧାନଚାଷ ଆରମ୍ଭ ହୁଏ । ସହଭାଗିତାର ପ୍ରତିଫଳନ ହେଉଛି ଚାଷ। ଚାଷ କାମରେ କେଉଁମାନେ ନିୟୋଜିତ ହୁଅନ୍ତି ? ଏହାର ଉତ୍ତର ଲୁହୁରା, ବିହନ ସଂଚୟ ଠାରୁ ପ୍ରୟୋଗ ପର୍ଯ୍ୟନ୍ତ ଆବଶ୍ୟକୀୟ ସାମଗ୍ରୀ ତିଆରି କରୁଥିବା ଡଲା ଟୁପା ଝାମ୍ପି ଟୁପଲି ଆଦି ତିଆରି କରୁଥିବା କାନ୍ତାର ଅଥବା ପହରିଆ। ଏପରି ଅନେକ ଲୋକଙ୍କ ସହଯୋଗରେ ଚାଷ ହୁଏ।
ଚାଷ ଜୀବନ ଧାରଣର କେନ୍ଦ୍ର ହୋଇଯାଏ ଏବଂ ଅନ୍ୟ କେନ୍ଦ୍ର ଜଙ୍ଗଲ। ଜମି ଓ ଜଙ୍ଗଲକୁ ଆଧାର କରି କର୍ମ ବିଭାଜନ ହୋଇଯାଏ। ପୁରୁଷାନୁକ୍ରମରେ କର୍ମ ମଣିଷଙ୍କୁ ବିଭାଗଭୁକ୍ତ କରିଦିଏ। ଏହା ସ୍ଵଭାବିକ ହୋଇଥାଏ। କୌଣସି ନିୟମ ତିଆରି କରି ଏହାକୁ ରଚାଯାଏ ନାହିଁ। ନିୟମ ସ୍ଵତଃ ତିଆରି ହୋଇଯାଏ। ଗ୍ରାମ ତିଆରି ହୁଏ ଏବଂ ସମସ୍ତଙ୍କ ଅଲକ୍ଷରେ ଗୋଟିଏ ସମ୍ବିଧାନ ନିର୍ମାଣ ସରିଯାଏ । ନିୟମ ପାଳନ ସମସ୍ତଙ୍କ ଧର୍ମ ହୋଇଯାଏ। ଏହା ଶ୍ରମ ସଂସ୍କୃତିର ସ୍ଵତଃପ୍ରବୃତ୍ତତା।
ପରିବାର ଗୋଷ୍ଠି ଗ୍ରାମ ଦେଶ ତିଆରିର ଆତ୍ମାହିଁ ଉପରୋକ୍ତ ସୂତ୍ର। ଏଥିରେ କୌଣସି ପରାଶକ୍ତିର ନିର୍ଦ୍ଦେଶ ନ ଥାଏ। କୌଣସି ଭଗବାନର ଅବଧାରଣା ନ ଥାଏ।
କୃତଜ୍ଞତା ଆନନ୍ଦ ଦୁଃଖ ପରି ସହଜାତ ପ୍ରକ୍ରିୟା। ମଣିଷ କୃତଜ୍ଞ ହୁଏ ନିଜ ଜମିପ୍ରତି ଜଙ୍ଗଲ ପ୍ରତି ଜଳଉତ୍ସ ପ୍ରତି ଅଗ୍ନି ପ୍ରତି ବର୍ଷା ମେଘ ଚନ୍ଦ୍ର ସୂର୍ଯ୍ୟ ଆଦିଙ୍କ ପ୍ରତି। ନିଜର ପୂର୍ବପୁରୁଷଙ୍କ ପ୍ରତି। ଏମାନେ ସମସ୍ତେ ତାର ଦେବତା। ଏମାନଙ୍କ ସହ ଯୋଡ଼ିହୋଇ ଯାନ୍ତି ମିତ୍ର ପରିଜନ। ଏହି ସମଗ୍ରତାକୁ ଏକ କୁହାଯାଏ। ଏହା ଏକକ; ଏହି ଏକକ ଏକର ନୁହେଁ ଅନେକର ସମାହାର। ଏହା ହିଁ ଦର୍ଶନ। ଖାସ ଏଇଥି ଲାଗି ମଣିଷ ନିଜ ଗାଁ ଦେବୀଙ୍କ ଗୁଡ଼ିରେ ନିଜ ଜନ୍ମଦାତ୍ରୀଙ୍କୁ ହିଁ ଦେଖିଥାଏ।
ପ୍ରକୃତିକୁ ଅବମାନନା କେବେ କରିନାହିଁ ମଣିଷ। ଋତୁଚକ୍ର ଅନୁରୂପ ନିଜ ସ୍ଥିତି ରଖିଥାଏ। ଗୋଟିଏ ବିରାଟ ପରିବର୍ତ୍ତନ ହୁଏ ଅର୍ଥାତ ପରିବର୍ତ୍ତନର ସନ୍ଧିକ୍ଷଣ ଭାଦ୍ରବ ମାସ। ଧାନ ଅମଳ ହେବାକୁ ଆରମ୍ଭ କରେ। ଆଗାମୀ ଗୋଟିଏ ବର୍ଷର ସୁରକ୍ଷା। ସେ ନିଜର କୃତଜ୍ଞତା ଜଣାଏ। ସହାବସ୍ଥାନ ଓ ସାମୁହିକ ଶ୍ରମର ପ୍ରତିଫଳ ହୋଇ ଧାନକେଣ୍ଡା ମୁରୁକି ହସେ ଜମିରେ। ଏହାକୁ ପ୍ରଥମେ ଅର୍ପଣ କରେ ସେ ମହାଶକ୍ତିମାନଙ୍କୁ ଯାହାଙ୍କୁ ସେ ପ୍ରତି ମୁହୂର୍ତ୍ତରେ ଅନୁଭବ କରେ। ଯାହାଙ୍କ ବିନା ତାର ସ୍ଥିତିର ମଧ୍ୟ ଆଧାର ନାହିଁ।
ପ୍ରଥମ ଧାନ କେଣ୍ଡାର ଦେହରେ ତାର ନିଜ ଆଧାରର ମନ୍ତ୍ର ଲେଖା ହୋଇଥାଏ। କୃତଜ୍ଞତା ଓ ସମର୍ପଣର ଏହି ଘଡ଼ି ହିଁ ନୂଆଖାଇ। ନିଜର କର୍ମକୁଶଳର ପ୍ରତିକ ପ୍ରତିବେଦନ ନିରବରେ ତ ସମ୍ଭବ ନୁହେଁ; ଏହା ଉତ୍ସବ ହିଁ ହୁଏ। ଉତ୍ସବ ହେବା ସ୍ଵଭାବିକ।
ଏହି ସ୍ଵଭାବ ହିଁ ନୂଆଖାଇ।
ଏହି କର୍ମ ସଂସ୍କୃତିର ପରିସୀମାକୁ ଯିଏ ବି ଆସୁ ସେ ଏହାକୁ ସ୍ୱୀକାର କରିବ। ଉତ୍ସବ ତାକୁ ସ୍ୱୀକାର କରିବ। ଏଥିରେ ନା ଧର୍ମର ଦାୟ ରହେ ନା ବର୍ଣ୍ଣରl ମାନବ ହିଁ ସବାଶେଷ ବିନ୍ଦୁ ଏବଂ ମାନବତା ଏହାର ପରିଣାମ।
ନୂଆଖାଇର ଏହା ହିଁ ତତ୍ତ୍ଵ। ଏହି ତତ୍ତ୍ଵର ବୟସ କେତେ? ଏହି ପ୍ରଶ୍ନ ହିଁ ଏହାର ଉତ୍ତର।
ହଜାର ହଜାର ବର୍ଷ ଅତିକ୍ରାନ୍ତ ହେଲାପରେ ସେହି ମୂଳମଣିଷମାନଙ୍କରୁ ଅଧିକ ଲୋକ ଏବେ ଜମି ଓ ଜଙ୍ଗଲର ମାଲିକାନାରୁ ବଞ୍ଚିତ ଅଛନ୍ତି। ଆଜି ସେମାନେ ନିଜ ମାଟିରୁ ବିଚ୍ୟୁତ। ନିଜର ଶ୍ରମକୁ ବିଦେଶରେ ନିୟୋଜିତ କରନ୍ତି। ସେଥିରେ ନା ଥାଏ ସମର୍ପଣ ନା ସମୂହ ପାଇଁ ନିଜକୁ ନିୟୋଜିତ କରୁଥିବାର ଆତ୍ମତୃପ୍ତି। କେବଳ ପେଟ ପାଇଁ ପ୍ରବାସ ଓ ପ୍ରବାସରେ ଶ୍ରମ।
ଏ ପତନ ଗୋଟିଏ ସାଧାରଣ ପ୍ରକ୍ରିୟା ନୁହେଁ। ହଜାର ହଜାର ବର୍ଷର କ୍ରମ ଆକ୍ରମଣର ପ୍ରତିଫଳନ ହିଁ ସାମୁହିକ ଦାରିଦ୍ର୍ୟ ପରି ମହାମାରିର କାରଣ। ଏହାର ଆଲୋଚନା ଏଠାରେ ସହଜ ନୁହେଁ। କିନ୍ତୁ ଗୋଟିଏ ଉଦାବରଣ ନିଆଯାଉ ;
କ୍ରମାଗତ ମରୁଡ଼ି ଦାଦନ ପରି ସମସ୍ୟା ତିଆରିଲା। ଏହା କିନ୍ତୁ ସେ ମାଟିର ମଣିଷମାନଙ୍କ ପାଇଁ ସମାଧାନ ଥିଲା। କିଛି ବେପାରୀ ଗୋଷ୍ଠୀ ନିକକୁ ଉଦ୍ଧାରକ ବୋଲି ଆସିଲେ। ଏନଜିଓ ନାମରେ। ନିଜର ତମାମ ପ୍ରଜ୍ଞାର ପ୍ରୟୋଗରେ କହିଲେ ନୂଆଖାଇରେ ମାତ୍ରାଧିକ ଖର୍ଚ୍ଚ କରଜ କରିବାକୁ ବାଧ୍ଯ କରେ ଏବଂ ଏହାର ପରିଶୋଧ ପାଇଁ ଦାଦନ ଯିବାକୁ ହୁଏ। ନିଜର ଏହି ଅଧ୍ୟୟନର ପ୍ରଚାର ବି କଲେ। ଦୁଇ ଦଶନ୍ଧୀର ପ୍ରୟାସ ଫଳଶୂନ୍ୟ ରହିଲା। ଏହା ରହିବ ହିଁ ରହିବ। ସବୁଠାରୁ ବଡ଼ କଥା ଏହା ହେଲା ଯେ ଘଟଣା ଚକ୍ରରେ ଏ ଗୋଷ୍ଠୀ ବିଳୟ ହୋଇଗଲେ। ସୁତରାଂ ଗୋଟିଏ ପ୍ରାକୃତିକ ଉତ୍ସବ ତାର ବିରୋଧିର ବିଳୟକୁ ବି ଦେଖିଲା। ହଜାର ହଜାର ବର୍ଷର ଇତିହାସ ଏହା ହିଁ ପ୍ରମାଣ କରିଛି।
ନୂଆଖାଇ କେବଳ ଗୋଟିଏ ମାନବ ସୃଷ୍ଟ ପରମ୍ପରା ନୁହେଁ। ପ୍ରକୃତିର ଗୋଟିଏ ମହାର୍ଘ ଅବଦାନ। ଗଣତନ୍ତ୍ର ସ୍ଵ-ତନ୍ତ୍ରର ସନ୍ତକ। ସାମନ୍ତ ତନ୍ତ୍ର ମଧ୍ୟ ଏହା ନିକଟରେ ପରାଜିତ ହୋଇଛି।
ନୂଆଖାଇ ସମୟରେ ବର୍ତ୍ତମାନ ଆତ୍ମଚିନ୍ତନର ଆବଶ୍ୟକତା ରହିଛି। ନୂଆଖାଇ ପାଳନ କରୁଛୁ ଅର୍ଥାତ ଆମର ଅସ୍ତିତ୍ଵ ବଜାୟ ରହିଛି। ଆମର ଅସ୍ତିତ୍ଵ ଚିରନ୍ତନ ରହୁ… ଜୁହାର-
ଆମ ଗାଁ ଭାଗବତ ଟୁଙ୍ଗି: ଏକ ସଂକ୍ଷିପ୍ତ ପରିଚୟ
ପ୍ରଥମତଃ ୧୮୭୩ ମସିହାରେ ମୋର ଗାଁ ବଙ୍ଗୋମୁଣ୍ଡାରେ ପ୍ରାଥମିକ ବିଦ୍ୟାଳୟ ଓ ଭର୍ଣ୍ଣାକୁଲାର ବିଦ୍ୟାଳୟ ଓ ୧୯୦୮ ମସିହାରେ ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଛି। ତତ୍କାଳୀନ ରାଜନୈତିକ ପରିସ୍ଥିତି ଏପରିଥିଲା ଯେ କନ୍ଧ ରାଜା(ଇଂରେଜ ଶାସନ ଦସ୍ତାବେଜରେ ୧୯୦୩ ମସିହାରେ ବଙ୍ଗୋମୁଣ୍ଡା ଜମିଦାର ବୋଲି ଉଲ୍ଲେଖ ହେଲା ଓ ୧୯୨ ବର୍ଗ ମାଇଲର ଗୋଟିଏ ସୀମା ନିର୍ଦ୍ଧାରଣ କରାଗଲା) ଙ୍କ ରାଜଧାନୀକୁ ପ୍ରଶାସନିକ ଅନୁପ୍ରବେଶ ପାଇଁ ବିଦ୍ୟାଳୟ ମାଧ୍ୟମ ଥାଇପାରେ କିନ୍ତୁ ଅଞ୍ଚଳର ସାଂସ୍କୃତିକ ଓ ଐତିହାସିକ ପରମ୍ପରାକୁ ଏ ବିଦ୍ୟାଳୟ ମାନ ବେଶ ସହାୟକ ହୋଇ ଆସିଅଛନ୍ତି। ବିଦ୍ୟାଳୟର ପୂଜ୍ୟ ଅବଧାନମାନଙ୍କ ମହାନତା ଓ ଦିବ୍ୟତା ପୁରୁଖା ଲୋକ ଗଦଗଦ ହୋଇ କହନ୍ତି। ନୟାଗଡ଼ ଦରବାରରୁ କବିରତ୍ନ ଉପାଧି ସହ ପାଗା ଏବଂ ସୁନାଖଡ଼ୁ ପାଇଥିଲେ ବଙ୍ଗୋମୁଣ୍ଡା ବିଦ୍ୟାଳୟର ଛାତ୍ର ଚିନ୍ତାମଣି ପାତ୍ର। କବିରତ୍ନଙ୍କ ବାଚାଳ ଛାତ୍ରାବସ୍ଥା ଓ ଅବଧାନଙ୍କ ଅନେକ କଥା ଉପାକ୍ଷାନ ପରି ସିଆନ ଲୋକେ ଚର୍ଚ୍ଚା କରିଥାନ୍ତି।
ଜମିଦାରଙ୍କ ଏକ ବିରାଟ ଗ୍ରନ୍ଥାଳୟ ଥିଲା। ଯେଉଁଥିରେ ଅନେକ ମୂଲ୍ୟବାନ ଗ୍ରନ୍ଥ ଓ ହଜାର ହଜାର ତାଳପତ୍ର ପୋଥିର ସଂଗ୍ରହ ଥିଲା। ଅଞ୍ଚଳର ଅଧିବାସୀଙ୍କ ବ୍ୟତୀତ ଅନ୍ୟ କେହି ଗ୍ରନ୍ଥାଳୟ ବିଷୟରେ ଜାଣନ୍ତି ମଧ୍ୟ ନାହିଁ। ଏ ବିଷୟରେ ଛତିଶଗଡ଼ ସଂଗ୍ରହାଳୟ ଓ କେତେକ ଗ୍ରନ୍ଥରେ ସୂଚନା ମିଳିଥାଏ।
ଶେଷ ଜମିଦାର ପୂର୍ଣ୍ଣଚନ୍ଦ୍ର ସିଂ ଭୋଇଙ୍କ ୧୯୪୧ ମସିହାରେ ମୃତ୍ୟୁ ହୁଏ। ଗ୍ରନ୍ଥାଳୟକୁ ନଷ୍ଟ କରାଯାଏ। ଏହାହୁଏ ଅଞ୍ଚଳର ସବୁଠାରୁ ବଡ଼ କ୍ଷତି।
ଏହାପରେ ଦେଶ ସ୍ଵାଧିନ ହୁଏ ଏବଂ ୧୯୪୮ ଜାନୁୟାରୀ ୧ ତାରିଖ ଦିନ ଗଡ଼ଜାତ ମିଶ୍ରଣ ହୁଏ। ଓଡ଼ିଶା ରାଜ୍ୟ ସହ ଗଡ଼ଜାତ ମିଶ୍ରଣ ଫଳରେ ପାଟଣା ରାଜ୍ୟ ସମେତ ବଙ୍ଗୋମୁଣ୍ଡା ଜମିଦାରୀ ପ୍ରତ୍ୟକ୍ଷ ଓଡ଼ିଶା ଶାସନରେ ରହିଲା। ଫିରିଙ୍ଗି ସାହେବ ଓ ରାଜ କର୍ମଚାରୀଙ୍କ ବଦଳରେ ଓଡ଼ିଆ ସାହେବ ଆସିଲେ।
ଓଡ଼ିଶାରେ ମିଶ୍ରଣକୁ କେହି ବିରୋଧ କଲେନାହିଁ। ଏଥି ପୂର୍ବରୁ ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓ ଇଷ୍ଟର୍ଣ୍ଣ ଷ୍ଟେଟସ ୟୁନିଅନ ପାଇଁ ପ୍ରୟାସ କରୁଥିଲେ। ଏପରିକି ମହାତ୍ମା ଗାନ୍ଧୀଙ୍କ ହତ୍ୟାପରେ କଳାହାଣ୍ଡିର ଗଡ଼ଜାତ ମିଶ୍ରଣ ବିରୋଧି ମାନେ ଗଡ଼ଜାତ ମିଶ୍ରଣ ହେବ ନାହିଁ ବୋଲି ଉତ୍ସବ କରିଥିଲେ। ରଥଯାତ୍ରା ବେଳେ ଗଡ଼ଜାତ ମିଶ୍ରଣ ବିରୋଧରେ ପ୍ରଚାର ପତ୍ର ବାଣ୍ଟୁଥିବା ଜଣେ ନବମ ଶ୍ରେଣୀର ଛାତ୍ରକୁ ଗିରଫ କରାଯାଇଥିଲା।
ଓଡ଼ିଶା ସହ ମିଶ୍ରଣକୁ ରାଜତନ୍ତ୍ର ବ୍ୟତୀତ କେହି ବିରୋଧ କରି ନ ଥିଲେ। ଭାରତୀୟ ସାମାଜିକ ବ୍ୟବସ୍ଥା ପ୍ରାୟତଃ ଶାସକ ସହ ଘନିଷ୍ଠ ରହୁନ ଥିଲା। ପ୍ରଜା ମାତ୍ରେ ହିଁ ଉତ୍ପାଦକ ଗୋଷ୍ଠୀ ଥିଲେ। ପରସ୍ପର ସହଭାଗିତା ଥିଲା ଗ୍ରାମ୍ୟ ସଂସ୍କୃତିର ମୂଳ ଆଧାର। ଗୋଟିଏ ଗାଁ ଥିଲା ଗୋଟିଏ ବଡ଼ ପରିବାର। କୃଷକ ଓ ଶିଳ୍ପକାର ଗୋଷ୍ଠିଥିଲେ ଅର୍ଥନୀତିର ମୂଳ ମେରୁଦଣ୍ଡ। ଶାସନକୁ କର ଆକାରରେ ଆର୍ଥିକ ସହଯୋଗ ହେଉଥିଲେ। ଶାସନ ନିକଟରୁ ପ୍ରତ୍ୟାଶା ନ ଥିଲା। ନିଜର ଜୀବନ ଜୀବିକା ଓ ସଂସ୍କୃତିକ କ୍ଷତିର ପ୍ରତିରୋଧ କରୁଥିଲେ। ମେଳିର କାରଣ ଅଧ୍ୟୟନ ବେଳେ ଏହା ସ୍ପଷ୍ଟ ହୋଇଯାଏ।
ଯେପରି ଓଡ଼ିଆ ବିରୋଧି ସ୍ଵର କନ୍ଧମେଳି ମାନଙ୍କରେ ପ୍ରମାଣିତ ହୋଇସାରିଛି । କଳାହାଣ୍ଡିର ଆଦିବାସୀ ମୁଖିଆ ଭାନୁ ମଲ୍ଲୀକ ଓ ଜଗନ୍ନାଥ ମଲ୍ଲୀକଙ୍କ ବିପ୍ଲବ ବେଶ ପ୍ରଭାବୀ ଥିଲା। ଭାନୁ ମଲ୍ଲୀକ ନିଜ ଦରବାର ସମ୍ମୁଖରେ ଲେଖିଥିଲେ
ଓଡ଼ିଆମାନେ ନିଜର ସୁବିଧା ଲାଗି ଇଂରେଜ ସାହେବ ମାନକେ ଆନିଛନ। ମୋର ଦରବାରକେ ଓଡ଼ିଆ ଛଡ଼ା ଯିଏ ବି ଆସି ପାରବା। ଓଡ଼ିଆ ଆସଲେ ନିଶ୍ଚେ ମରବା
(ସୌଜନ୍ୟ – ତ. ଫଣିନ୍ଦମ ସିଂଦେଓ)
ଘଟଣାର ଅନେକ ଦଶନ୍ଧୀ ପରେ ଗଡ଼ଜାତ ମିଶ୍ରଣ ହେଲା।ମିଶ୍ରଣ ସମୟର ପରିସ୍ଥିତି ଉପରେ କୌଣସି ନିର୍ଣ୍ଣୟ ଜମିଦାରୀ ଏବଂ ଏହାସହ ସମ୍ପର୍କୀତ ଅଞ୍ଚଳ ନେଲେ ନାହିଁ। କାରଣ ବିପ୍ଲବୀ ମୋହନ ମାଝୀ ଏବଂ ତାଙ୍କର ଚାରିପୁଅଙ୍କୁ ରାୟପୁରରେ ଫାଶୀ ହୋଇ ସାରିଥିଲା।
ସରଗି ପତର ଉଲଟା /ମୋହନ ମାଝୀ ଶୁଇଲ ପାଏଲା ଦେବଗୁନିଆର ପଲଟା
ସ୍ଵାଧିନତା ଆନ୍ଦୋଳନର ସମୟର ମହାନ ବିଭୂତିଙ୍କ କଥା ଦର୍ଶନ ଏବଂ ଉଦ୍ଦେଶ୍ୟକୁ ଲୋକେ ସ୍ପଷ୍ଟ ଅନୁଭବ କରୁଥିଲେ। ଓଡ଼ିଶାର କୌଣସି ସ୍ଵାଧିନତା ସଂଗ୍ରାମୀ ଗାନ୍ଧୀଙ୍କ ପ୍ରତିରୂପ ହୋଇ ଏହି ଅଞ୍ଚଳର ଲୋକମାନଙ୍କ ସମ୍ମୁଖରେ ଠିଆ ହୋଇନ ଥିଲେ। ସ୍ବରାଜ ହିଁ ସବୁ ପ୍ରଶ୍ନର ଉର୍ଦ୍ଧ୍ଵରେ ଥିଲା। ଓଡ଼ିଶା ସହ ମିଶ୍ରଣ ଏକ ରାଜତାନ୍ତ୍ରୀକ ବିଷୟ ଥିଲା। ସାଧାରଣ ଅନେକ ଅପେକ୍ଷା ସହ ଏକ ବିରାଟ ପରିବର୍ତ୍ତନର ସୁଖଦ ଅନୁଭବର ଅପେକ୍ଷାରେ ଥିଲେ କେବଳ।
ଆହୁରି ଅନ୍ୟ କାରଣର ଆଧାର ଏହା ଜେ ଓଡ଼ିଶା ଶାସନ ସହ ମିଶ୍ରଣକୁ ସହଜରେ ସ୍ୱୀକାର କରିନେଲେ। କାରଣ ଉଡ଼ଶା(ଶ୍ରୀକ୍ଷେତ୍ର ପୁରୀ) ସର୍ବମାନ୍ୟ ସର୍ବପୂଜ୍ୟ ପବିତ୍ରକ୍ଷେତ୍ର ଥିଲା। ଜଗନ୍ନାଥଙ୍କ ଶାସନରେ ରହିବା ସୌଭାଗ୍ୟ ମଣିଲେ। ପ୍ରତିରୋଧ ନ ଥିଲା ଲୋକଙ୍କ।
ବିଦ୍ୟାଳୟରେ ଓଡ଼ିଆ ଅକ୍ଷର ଶିକ୍ଷା ସହ ପାଠ ପଢ଼ି ଆସୁଥିଲେ। ଓଡ଼ିଆ ଥିଲା ଦରବାରୀ ଭାଷା। ଧର୍ମଗ୍ରନ୍ଥ ଆଦି ଯାହା ଅତ୍ୟାବଶ୍ୟକ ଥିଲା ତାହା ମଧ୍ୟ ଥିଲା ଓଡ଼ିଆରେ। ଓଡ଼ିଆ ଅସହଜ ନ ଥିଲା।
ଆଜି ମଧ୍ୟ ଛତିଶଗଡ଼ରେ ମିଶିଥିବା ଅଞ୍ଚଳର ଲୋକଙ୍କ ପରିଚୟ ଓଡ଼ିଆ, ଯେଉଁମାନଙ୍କ ପୂର୍ବାଞ୍ଚଳ ସହ କୌଣସି ସମ୍ପର୍କ ନାହିଁ। ସୁତରାଂ ଓଡ଼ିଆ ପରିଚୟ ରହିଥିଲା।
ଏପରିକି ଓଡ଼ିଶା ଶାସନର ସଂସ୍କୃତି ବିଭାଗ ନିକଟରେ ମଧ୍ୟ ଛତିଶଗଡ଼ ଓଡ଼ିଆଙ୍କ ପ୍ରତି କୌଣସି ଦାୟିତ୍ଵବୋଧ ରଖିନାହିଁ।
ଉତ୍ତର ପର୍ବ
ବଡ଼ମକାର (୧୯୬୫ ମରୁଡ଼ି) ପରେ ଛପନସାଲ ବା ସପନସାଲ ପରି ମରୁଡ଼ି ଲୋକେ ଦେଖି ସାରିଆନ୍ତି। ଏହାର ଶହେ ବର୍ଷ ପୂର୍ବରୁ ଓଡ଼ିଶା ନଅଙ୍କଦୁର୍ଭିକ୍ଷ ଦେଖି ସାରିଥିଲା। ଏ ସମୟରେ କେବଳ କ୍ଷୁଧା ନୁହେଁ ସଂସ୍କୃତିକ ଓ ସାମାଜିକ କ୍ଷେତ୍ରରେ ମଧ୍ୟ ବିପଦ ଦେଖାଗଲା। ଦାରିଦ୍ର୍ୟ କାରଣରୁ ବହିରାଗତ ବେପାରୀ ମାନେ ଖାଦ୍ୟ ବଦଳରେ ସାଧାରଣଙ୍କ ସମ୍ପଦା ଲୁଟ କରୁଥିଲେ। ଜଙ୍ଗଲ ରିଲିଫ ଘୋଷଣା ହେବା ପରେ ତାର ଉପଭୋକ୍ତା ରହିଲେ କେବଳ ଏହି ବହିରାଗତ ମାନେ। ପେଟ ପାଇଁ ସାମୁହିକ ପଳାୟନ ଆରମ୍ଭ ହେଲା ।
ଲୋକଙ୍କ ସାଂସ୍କୃତିକ ଦାୟିତ୍ଵବୋଧ ଆମ ଗାଁର କେତେଜଣ ମହାନ ବିଭୂତିଙ୍କୁ ଚିନ୍ତାରେ ପକାଇଲା। ଗୋଟିଏ ବିପ୍ଲବ ଆରମ୍ଭ କଲେ। ପୁରୋଧା ଥିଲେ ଜମିଦାରୀ ଫଉଜଦାର ପରିବାରର ଦାୟାଦ ସୟଦ ଅଲ୍ଲୀ ଓ ଜମିଦାର ପରିବାରର ଆତ୍ମାରାମ ଭୋଇ। ସୟଦ ଅଲ୍ଲୀ ନିଜର ଜମି ଦେଲେ ଭାଗବତ ଟୁଙ୍ଗି ନିର୍ମାଣ ପାଇଁ।
ଭାଗବତ ଟୁଙ୍ଗି ପକ୍କା ଘର ହେଲା। ଏଠାରେ ଭାଗବତ, ରାମାୟଣ, ମହାଭାରତ, ଚିତ୍ତବୋଧ, ହରିବଂଶ, ଶିବପୁରାଣ, ଉପନିଷଦ ପ୍ରତ୍ୟହ ପାଠ ଓ ଆଲୋଚନା ହେଲା। ଅଞ୍ଚଳର କବିଗଣଙ୍କ କାବ୍ୟକବିତା ସଂଗ୍ରହ ହେଲା। ତାକୁ ନାଟକର ରୂପ ଦିଆଗଲା। ଅଳ୍ପ ସମୟ ମଧ୍ୟରେ ବଙ୍ଗୋମୁଣ୍ଡା ଭାଗବତ ଟୁଙ୍ଗି ଅଞ୍ଚଳର ସାଂସ୍କୃତିକ ଦରବାର ହୋଇଗଲା।
ଏଠାରେ କଳାକାର ମଧ୍ୟ ଭିନ୍ନ ଢଙ୍ଗରେ ଆସୁଥିଲେ। କିଏ ରାମ ହେବ କି ବିଦୂଷକ ଟୁଙ୍ଗିରେ ବିଚାର ହେଉଥିଲା। ତାକୁ ଆଦେଶ ପଠା ଯାଉଥିଲା। ଟୁଙ୍ଗିରେ ସଭା ମଧ୍ୟରେ ଆଦେଶ ଦେଇ ତାଙ୍କୁ ନାଟକର କଳାକାର କରା ଯାଉଥିଲା।
କଳାକାରର କାମ ହେଲା ସେ ନିଜ ପାଠ ନିଜେ ଗ୍ରନ୍ଥରୁ ଉତାରିବ। ସହଜରେ ତ ନିରକ୍ଷର ସେମାନେ ଲେଖିବେ କିପରି ?
ଏହାର ମଧ୍ୟ ସମାଧାନ ଥିଲା। ଟୁଙ୍ଗିରେ ୫୦ ଖଣ୍ଡ ସିଲଟ ଥିଲା। କାମ ସାରି ଲଣ୍ଠନ ଆଳୁଅରେ ପାଠ ପଢିବେ। ତାପରେ ବର୍ଣ୍ଣବୋଧ ପଢିବେ। ଚଟି ବହି ଆକାରର କିଛି ବର୍ଣ୍ଣବୋଧ ଆଜିମଧ୍ୟ ଟୁଙ୍ଗିରେ ଅଛି। ବର୍ଣ୍ଣବୋଧ ପାଠ ସରିଲେ କଳାକାର ପୁରାଣ ପଢିବ। ନିଜ ଚରିତ୍ରକୁ ହୃଦୟଙ୍ଗମ କରିବ। ଗ୍ରନ୍ଥରୁ ନିଜ ପାଠ ଉତାରିବ; ଆଖଡ଼ା କରିବ। ପ୍ରଥମ ଅଭିନୟ ନିଜ ଗାଁରେ ହେବ। ଯେକୌଣସି ଚରିତ୍ର କବିରତ୍ନ ଚିନ୍ତାମଣି ପାତ୍ରଙ୍କ କବିତା ପଦ କହିବାକୁ ବାଧ୍ୟ। କଳାକାର ନିଜେ ନିର୍ଣ୍ଣୟ କରିବ କେଉଁ ଥାନରେ କବିରତ୍ନଙ୍କୁ କହିବ। ଗାଁର ଲୋକଚର୍ଚ୍ଚାକୁ ପୁରାଣ ପାଠ ପରେ ସଭାମଧ୍ୟରେ ଆଲୋଚନା ହେବ। ଦଣ୍ଡବିଧାନ ବି ହେବ। ଏପରି କି ଅକ୍ଷର ଶିକ୍ଷା କି ବର୍ଣ୍ଣବୋଧ ପାଠ ବେଳେ ଆତ୍ମାରାମ ଭୋଇଙ୍କ ଛାଟ ସେ ସମୟର କୌଣସି ନୈଷ୍ଠିକ ଅଧ୍ୟାପକଙ୍କ ଠାରୁ କମ ନ ଥିଲା।
ବାଦନ, ଗାୟନ ଓ ଅଭିନୟ ଲୋକମାନ୍ୟ ଶାସ୍ତ୍ରୀୟ ଆଧାରରେ ହେଉଥିଲା। ମୁଁ ସେ ମହାନ କଳାକାରଙ୍କ ନାମ, ଚରିତ୍ର ଓ ନିଷ୍ଠା କଥା ଏଠାରେ ଉଲ୍ଲେଖ କରୁ ନାହିଁ। ଯେଉଁମାନେ ରାଜ୍ୟ ଓ ଛତିଶଗଡ଼ ଅଞ୍ଚଳରେ (ତତ୍କାଳିନ ମଧ୍ୟପ୍ରଦେଶ) ପ୍ରକୃତ କଳାର ପରିଚୟ ଦେଇ ମାଟିକୁ ଧନ୍ୟ କରିଥିଲେ। ଏପରି କି ଦାରିଦ୍ର୍ୟ ମଧ୍ୟ ତାଙ୍କ ନିଷ୍ଠାକୁ ବିଚଳିତ କରିପାରି ନ ଥିଲା।
ସେ କଳାକାରମାନେ ନାହାନ୍ତି। ଭାଗବତ ଟୁଙ୍ଗି ଅଛି। ପୁରାଣ ପାଠ ହେଉଛି। ଟଙ୍କାଟିଏ ମଧ୍ୟ ସରକାରୀ ଅନୁଦାନ ନ ପାଇ ପୂର୍ବ ଗୌରବର ଚର୍ଚ୍ଚା ତା ଛାତ ତଳେ କରୁଛି। ଆଜି ବି କିଏ ଜଣେ ସେ ପୁରୁଣା ବର୍ଣ୍ଣବୋଧକୁ ଛୁଇଁବ; ସେପରି ଛୁଇଁବ କି ପଢିବ ଯେପରି ଭାଗବତ ପଢ଼େ…
ଇତିହାସ ଥିବା ଗଛ
ବେହେରା ଗଛ। ଆମ ଗାଁର ଗୋଟିଏ ଭୂଗୋଳର ଅଂଶ। ରାୟପୁର-ଗୋପାଳପୁର ଜାତୀୟ ରାଜପଥ ପାଖରେ ଆଜି ବି ଠିଆ ହୋଇଛି ତାର ଉତ୍ତର ବୟସରେ। ଗାଁ ଆଖପାଖରେ ତମାମ ବେହେରା(ବାହାଡ଼ା) ଗଛ ଅନ୍ୟ ସାଧାରଣ ଗଛ ପରି; କିନ୍ତୁ ବେହେରା ଗଛ ଆଜିବି ଅତୀତର ଅନେକ କାହାଣୀକୁ ଜୀବନ୍ତ ରଖିଛି। ଏହା କେବଳ ମାତ୍ର ଗଛଟିଏ ନୁହେଁ ଇତିହାସର ଅନେକ କାହାଣୀମାନଙ୍କ ସମାହାର ଟିଏ। ଯିଏ ବଙ୍ଗୋମୁଣ୍ଡା ଇତିହାସର ଶେଷ ସାକ୍ଷି ଟିଏ ହୋଇ ଠିଆ ହୋଇଛି।
ଗାଁର ପଶ୍ଚିମକୁ ଶେଷ ସୀମାର ପ୍ରହରୀ ଜଣେ। ଇତିହାସର ଅନେକ ମେଳି ତା ପାଖରେ ହେଇଛି। ଜମିଦାରଙ୍କ ଯୁଦ୍ଧଯାତ୍ରାର ବିଜୟ ନିସାନ ତା ମୂଳରେ ବାଜିଛି। ବିଜୟ ତୂରୀ ତା ପାଖରେ ବାଜିଛି ରାଜତନ୍ତ୍ରର ଅହଂକୁ ଦଳନ କରିଥିବାର ସୂଚନା ହୋଇ।
ଗଛଟି ଗଛ ନୁହେଁ ଆମ ଗାଁ ଏବଂ ଛପନ ମୌଜାର ସମ୍ମାନନୀୟ ଅସ୍ତିତ୍ଵ ଟିଏ।
କବିରତ୍ନ ଚିନ୍ତାମଣି ପାତ୍ର; ବଙ୍ଗୋମୁଣ୍ଡା ଜମିଦାରଙ୍କ ଅନ୍ୟାନ୍ୟ ବିଜ୍ଞଙ୍କ ମଧ୍ୟରୁ ଜଣେ। ସେ ବେହେରା ଗଛ ପାଖରେ ଛେଳି ଚରଉଥାନ୍ତି। ଦେଖିଲେ କେତେଜଣ ପଣ୍ଡିତ ବସିଥାନ୍ତି ଗଛମୂଳେ। ଖାଇବା ପାଇଁ ରନ୍ଧାରେ ବ୍ୟସ୍ତ ପଣ୍ଡିତ ସମେତ ସମସ୍ତେ ଶାସ୍ତ୍ର ଚର୍ଚ୍ଚାରେ ମଗ୍ନ ଥାନ୍ତି। ମଝିରେ ମଝିରେ ରହସ୍ୟ କରୁଥାନ୍ତି କନ୍ଧ ଜମିଦାର ତାଙ୍କର ପାଣ୍ଡିତ୍ୟରେ ହତମ୍ଭବ ହେଇଯିବେ। କେଉଁ ଶ୍ଲୋକରେ କିପରି ପ୍ରତିକ୍ରିୟା ଦେବେ। କିଛି ଶ୍ଲୋକ ଜମିଦାରଙ୍କୁ ଅପମାନ କରି ଯୋଡ଼ିଥାନ୍ତି। ତାର କାଳ୍ପନିକ ପ୍ରତିକ୍ରିୟା କିପରି ହେବ ତାହା କହି ଅଟ୍ଟହାସ ସୁଦ୍ଧା କରୁଥାନ୍ତି।
କବିରତ୍ନଙ୍କୁ ଅସହ୍ୟ ହେଲା। ଅସ୍ଥାୟୀ ପଣ୍ଡିତ ସଭାର ଅନତି ଦୂରରେ ରହି ଭୂମିଷ୍ଠ ପ୍ରଣାମ କଲେ। ନିଜକୁ ବିଜ୍ଞଦର୍ଶନରେ ଏବଂ ମାଟିକୁ ତାଙ୍କ ସ୍ପର୍ଶରେ କୁତାର୍ଥ ହେଇଥିବା କହିଲେ। କବିରତ୍ନଙ୍କ ବ୍ୟବହାରରେ ମୁଗ୍ଧ ପଣ୍ଡିତମାନେ କଥା ହେବାର ସ୍ୱୀକୃତି ଦେଲେ।
କବିରତ୍ନ ଚିନ୍ତାମଣି ପାତ୍ର ପଣ୍ଡିତ ସମୂହଙ୍କୁ ପରିଚୟ ଓ ପ୍ରବାସର କାରଣ ପଚାରିଲେ। ପଣ୍ଡିତଗଣ କାଶିରୁ ଆସିଥାନ୍ତି ଏବଂ ନିକଟ ରାଜ ଦରବାରରେ ଜମିଦାରଙ୍କ ପାଣ୍ଡିତ୍ୟର ପରିଚୟ ପାଇ ଜ୍ଞାନଚର୍ଚ୍ଚା କରିବାକୁ ଆସିଥିବା କହନ୍ତି। ଆହୁରି କହନ୍ତି କନ୍ଧ ହେଲେ ମଧ୍ୟ ଜ୍ଞାନରେ ଜମିଦାରଙ୍କ ତୁଳନା ନାହିଁ। ଏହି କାରଣରୁ ଶାସ୍ତ୍ର ଆଲୋଚନାର ସୌଭାଗ୍ୟ ପ୍ରାପ୍ତି ପାଇଁ ତାଙ୍କ ଆଗମନ ବୋଲି କହନ୍ତି।
ଏହାପରେ କବିରତ୍ନ ସଂସ୍କୃତରେ ବାର୍ତ୍ତାଳାପ କରନ୍ତି। ପଣ୍ଡିତଗଣ ଆଶ୍ଚର୍ଯ୍ୟ ହୋଇଯାନ୍ତି। ଅଧା ନଙ୍ଗଳା ଲୋକଟିର ସଂସ୍କୃତ ଶୁଣି।
କବିରତ୍ନ ଗୋଟିଏ ଶ୍ଲୋକ କହନ୍ତି। ତାର ଅର୍ଥ ଜିଜ୍ଞାସା କରନ୍ତି। ବିନମ୍ରତାରେ ତାଙ୍କର ପ୍ରଶ୍ନ ଓ ପ୍ରାଞ୍ଜଳ ସଂସ୍କୃତ ତାଙ୍କୁ ଆଶ୍ଚର୍ଯ୍ୟ କରି ସାରିଥାଏ। ପଚାରନ୍ତି
: ତୁମେ କିଏ?
: ହେ ମହାନୁଭବଗଣ ମୁଁ ଜମିଦାରଙ୍କ ଛାଗ ପାଳକ। ହଜୁରଙ୍କ ହଜାର ହଜାର ଛାଗ ମଧ୍ୟରୁ ଅମାନିଆ କେତେ ଛାଗଙ୍କୁ ସଂଖୋଳିବାକୁ ଆସି ଆପଣମାନଙ୍କ ଦୂର୍ଲ୍ଲଭ ଦର୍ଶନ ପାଇଲି।
: ଏ ଶ୍ଲୋକ କେମିତି ଜାଣିଲ?
: ଜମିଦାରଙ୍କ ପାରିଷଦ ସମେତ ସେବକ ମାନେ ବି ସଂସ୍କୃତରେ କଥା ହେବାକୁ ତାଗିଦ ଅଛି। ଛେଳି ଗୁହାଳକୁ ଛେଳି ନେଲା ବେଳେ ଜମିଦାର ନିଜ ପଣ୍ଡିତଙ୍କ ଗହଣରେ ଚର୍ଚ୍ଚା କଲାବେଳେ ଏହା ଶୁଣିଛି।
: ସେ ପଣ୍ଡିତଙ୍କୁ ଏହାର ଅର୍ଥ କାହିଁ ପଚାରିଲ ନାହିଁ ?
: ମୁଁ ସାମାନ୍ୟ ଛାଗ ପାଳକ ମହାଭାଗ। ଯଦି ମୁଁ ଶ୍ଲୋକର ଅର୍ଥ ପଚାରିବି ବଦରାଗି ଜମିଦାର ମୋ ମୁଣ୍ଡକାଟ କରିବେ।
ମୁଁ ଦେଖିଛି ହଜୁର ଶାସ୍ତ୍ରାର୍ଥରେ ହାରିଥିବା ପଣ୍ଡିତଙ୍କୁ ଜମିଦାର ଭୟଙ୍କର ଦଣ୍ଡ ଦିଅନ୍ତି।
ପଣ୍ଡିତମାନେ ଉତ୍ତର ତ ଦେଇପାରିଲେ ନାହିଁ ଅନ୍ୟତ୍ର ରନ୍ଧା ଖାଦ୍ୟ ଓ ବାସନ ଛାଡ଼ି ପଳାୟନ କଲେ।
(ଜମିଦାରର ଛେଳି ଜଗୁଆଳି ଯଦି ଏତେ ବିଜ୍ଞ ତାର ପଣ୍ଡିତ କିପରି ନ ଥିବେ !)
ଏ ଘଟଣା ଘଟିଥିଲା ଏ ବେହେରା ଗଛତଳେ
ବିକାଶର ଇତିବୃତ୍ତ
ରିତେଶ କୁମାର ଦାସଙ୍କ ସହ ଟ୍ରେକିଂ ଗୋଟିଏ ସୁନ୍ଦର ସୁଯୋଗ ଦିଏ; ସେଠାରେ ସମୟର ଭିଡ଼ ନ ଥାଏ। ଦୁଇଦିନ ପୂର୍ବର କଥା ବିକାଶର ନାଗରା ଅନେକ ଶବ୍ଦକୁ ପାଖାପାଖି ମୂଲ୍ୟହୀନ କରୁଥିବା ବେଳେ ଆମେ ଦୁଇବର୍ଷ ତଳେ ତିଆରି ହୋଇଥିବା ଦଦରା ପ୍ରଧାନମନ୍ତ୍ରୀ ସଡ଼କରେ ସାମାନ୍ୟ କିଛି ମାଇଲ ଓ ଅଶିଦଶକରୁ ନିଜର ସ୍ଵଭାବ ବଦଳେଇ ନଥିବା ମାଟି ସଡ଼କରେ କିଛି ମାଇଲ ଗଲୁ। ପାହାଡ଼ି ରାସ୍ତା ଆରମ୍ଭ ହେବାର ଦୁଇ କି.ମି ପୂର୍ବରୁ ପ୍ରଥମ ସବୁଜ ବିପ୍ଳବର ନିର୍ବାକ ସାକ୍ଷୀ ହେଇ ସିମେଣ୍ଟ କେନାଲ ଟିଏ ଲମ୍ବି ଯାଇଛି। ଭୂମୀର ଗଠନ ଦେଖିଲେ କେନାଲ ଟି ଜଣେ ବହିରାଗତ ପରି ଲାଗୁଥିଲା। ବିଶ୍ଵାସ ହେଉନ ଥିଲା ଏ କେନାଲ କେବେ ବି ତାର ଧାର୍ଯ୍ୟ ଲକ୍ଷ ପୁରା କରିଥିବ।
କ୍ଷୁଦ୍ର ଜଳସେଚନ ପ୍ରକଳ୍ପଟି ଦୁଇଟି ଡୁଙ୍ଗରୀକୁ ଯୋଡ଼ିଥିବା ପାଖାପାଖି ୩୦ ଫୁଟ ଉଚ୍ଚର ଆଡ଼ି i ସେପଟେ ଆଡ଼ି ସହ ଯୋଡୁ ଥିବା ପାହାଡ଼ି ରାସ୍ତାଟିଏ ମେଞ୍ଚାଏ ପାହାଡ଼ର ସନ୍ଧି ଭିତରେ ଅଦୃଶ୍ୟ ହୋଇ ଯାଇଥିଲା। ମାର୍ଚ୍ଚ ମାସର ପତ୍ରଝଡ଼ା ବେଳରେ ବି ଜଙ୍ଗଲର ଘନତା ଅବଶେଷ ବଣ୍ୟଜନ୍ତୁଙ୍କ ପାଇଁ ସୁରକ୍ଷିତ ଥାନଟିଏ ପରି ଲାଗିଲା।
ଜଙ୍ଗଲ ବିଭାଗ ଦ୍ବାରା ହେଇଥିବା କିଛି କାମରେ କୁଣ୍ଠିତ ସିମେଣ୍ଟର ଲେପ ବିଭାଗର ଗାମ୍ଭିର୍ଯ୍ୟକୁ ହସୁଥିଲା।
ପାହାଡ଼ ଉପରୁ ଝରୁଥିବା ପାଣିର କ୍ଷିପ୍ରତାକୁ ରୋକି ପ୍ରକଳ୍ପକୁ ସୁରକ୍ଷା ଦେବାପାଇଁ ପାଖାପାଖି ଦୁଇଶହ ଫୁଟର ଗୋଟିଏ ଆଡ଼ି ଏବଂ ଆଡ଼ି ଉପରେ ଗୋଟିଏ କୁଡ଼ିଆ। କୁଡ଼ିଆକୁ ଗଲୁ। ଏବେ ବି ବ୍ୟବହାର ହେଉଛି କୁଡ଼ିଆ। ହୁଏତ ସୁରକ୍ଷା ଆଡ଼ି ଦ୍ବାରା ତିଆରି ମୁଡାର ମାଛ ଜଗୁଥିବ ନଚେତ୍ ପ୍ରକଳ୍ପ ପଟକୁ ମୁକ୍ତ ଦୁଇ ହେକ୍ଟର ପାଖାପାଖି ଜମିରେ ଚାଷ ହେଇଥିବା ଧାନ ଓ ଜଡ଼ାକୁ।
କୁଡ଼ିଆ ରୁ ପ୍ଲାଷ୍ଟିକ ପଟି(ଯେଉଁଠି ଖଜୁରୀ ପଟି ରହିବା କଥା) ନେଇ ହିଡ଼ ଛୁଇଁଥିବା ସେ ପାହାଡ଼ ପାଖକୁ ଗଲୁ। ନିମ୍ବ ଗଛ ତଳେ ବସିଲୁ।
ପାଖାପାଖି ଘଣ୍ଟାଏ ହେବ ଷାଠିଏ ଡେଇଁ ଥିବା ସିଆନ ଜଣେ ଆସିଲେ। ତାଙ୍କର ପରିପାଟି ଲାଗିଲା ସେ ହିଁ ପୃଥିବୀର ଶେଷତମ ମୌଳିକ ମଣିଷ !
ଆଗେ ତିନିଶହ ଟଙ୍କା ଭତ୍ତା ପାଉଥିଲେ ଏବେ ପାଞ୍ଚଶହ ଟଙ୍କା ପାଉଛନ୍ତି। ସରକାର ପଇସା ଆକାରରେ କେବେ କେବେ କମ୍ବଲ ଓ ଛତା ପାଇଁ ଦେଇ ଦିଅନ୍ତି। ଖାଦ୍ୟ ସୁରକ୍ଷା ଆଇନର ଚାଉଳ ଆଣିବା ବାଦ ସରକାରଙ୍କ ସହ ତାଙ୍କ ସେତେଟା ଅଧିକ ପ୍ରିତି ନାହିଁ।
ଝୀଅକୁ ବାହା ଦେଇଛନ୍ତି କେଉଁ କାଳୁ। ଦୁଇଟି ପୁଅଙ୍କ ଦୁଇଟି ସଂସାର। ବଡ଼ ପୁଅ ସଂସାର ଅଧାକରି ମରିଗଲା।
– ଏଃ… ! ଜାନୁଛ ଗୋ ବୁଆ ଏଜ କାଲିର ପିଲା ମନକେ। ମଦ ସୁରର କଥା ! କାରକଥା କିଏ ଶୁନୁଛେ ! ହେ ମଦ ଫୁଟେକ ସବୁ ସାରିଦେଲା।
ଗ୍ରାମ୍ୟ-ରାଜନୀତିର ଜୀବନ୍ତ ପରିଣାମଟିଏ ହୋଇ ଯାଇଛନ୍ତି ବବା ! ତାଙ୍କର ଦୁଃଖକୁ ଶୁଣି ଆମର କରୁଣାର ବଦମାସିକୁ ଉପଭୋଗ କରିବା ପରି ଧୃଷ୍ଟତା ଆମର ନ ଥିଲା।
ବବା ଆଦିବାସୀ ତାଙ୍କର ଚାରି ପୁରୁଷ ଗଁତିଆ ଘରେ ଖଟିଲେ। ବଫୁ ସରିଗଲେ ପୁଅ ଖଟିବ; ବାପଙ୍କୁ ଗଁତିଆ ଜମିଖଣ୍ଡେ ଶେଷ ପାରିତୋଷିକ ଦେବ। ତାଙ୍କ ବେଳକୁ ଗଁତିଆ କିଛି ଦେଲେନି। ପରମ୍ପରାକୁ ଭାଙ୍ଗିଥିବା ଗଁତିଆ ପ୍ରତି ବବା ଆଜି ବି ଅସନ୍ତୋଷ। କିନ୍ତ ଆଜି ତାଙ୍କ ପାଖରେ ତାଙ୍କ ଚାରି ପୁରୁଷର ମୋଟ ଉପାର୍ଜନ ଦୁଇ ଏକର ରଏତି ଜମି ଅଛି।
ଛୋଟ ପୁଅ ପିଏମଜିଏସୱାଇ ତିଆରୁ ଥିବା କେଉଁ ଠିକାଦାର ନିକଟରେ କାମକରେ। ଆଉ ନିଜେ ବବା ଗଁତିଆ ନିଜର ଏକାଧିପତ୍ୟ ଜାହିର କରିଥିବା ମୁଡ଼ା ଓ ଦୁଇ ହେକ୍ଟର ଜମିର ଚାଷ ଜଗେ। କୌଣସି ପାରିଶ୍ରମିକ ନାହିଁ। ଆବୋରି ଥିବା ଜମିରୁ କିଛି ବୁଢ଼ାକୁ ଛାଡ଼ିଦେଇ ଗଁତିଆ ନିଜ ପୂର୍ବପୁରୁଷର ମାନ ରକ୍ଷା କରିଛନ୍ତି।
– କାହା କେ ଭୋଟ ଦେବ ବବା?
ଭୋଟ ! ଏକ ଅତିରିକ୍ତ ବୋଝ ଯେପରି ବବାଙ୍କ ପାଇଁ। ଏହାର ଉତ୍ତର ସେ କେବେବି ପାଇ ନାହାନ୍ତି। ଗଁତିଆର ଶେଷ ପାରିତୋଷିକ ପାଇ ନାହାନ୍ତି; ଯାହା ପାଇଛନ୍ତି ସେ ଅନିଶ୍ଚିତ ସମ୍ପତ୍ତି ବଦଳରେ ଶ୍ରମ କରୁଛନ୍ତି। ଅକାଳରେ ନିଜର ବଡ଼ପୁଅକୁ ହରେଇ ଏ ଭୋଟର କରାଳତାକୁ ଦେଖିଛନ୍ତି। ବାସ ଭୋଟ ପରି ସ୍ଵାଧିନତା ଓ ବିକାଶ ଖୁବ ମୂଲ୍ୟହୀନ ତାଙ୍କପାଇଁ।
ବବା ଆମ ଦୁଇ ଆଗନ୍ତୁକଙ୍କ ପରିଚୟ ବୁଝି ଆସିଥିଲେ ବୋଧହୁଏ। ବାସ ଗଁତିଆ ଆବୋରିଥିବା ଜମି ପଟକୁ ଫେରିଲେ। ଯେଉଁ ଜମିସହ ତାଙ୍କ ଅଲିଖିତ କିଛି ଜମି ଯୋଡ଼ି ହୋଇଛି ଠିକ ତାଙ୍କର ନିୟତି ପରି।
କିଛି ସମୟ ପରେ ଆଉ ଜଣେ ଆଦିବାସୀ ଯୁବକ ଆସିଲେ। ପନ୍ଦରଟି ଛେଳୀର ମାଲିକ ! ଗାଁର ପାଞ୍ଚ ଭାଇଙ୍କ ସହ ଛେଳୀ ଚରାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ନୁହନ୍ତି। ବିକାଶର ତମାମ ସାମଗ୍ରି ତାଙ୍କପାଇଁ ଅପହଞ୍ଚ। ସେ ହସି ହସି କଥା ହେଉଥିଲେ। ନିଜର ବାହୁବଳ ଯଥେଷ୍ଠ ଯେପରି ତାଙ୍କ ସଂସାର ଲାଗି । ଛେଳୀ, ଜଙ୍ଗଲ, ସାଥି, ଗାଁ ଓ ଖୁଟୁରାମ ସୁନାନୀ ତାଙ୍କର ସବାଶେଷ ବଫୁ। ଗାଁର ଦୁଷ୍ଟ ପିଲାମାନେ ତୋଟାରୁ ଆମ୍ବ ଚୋରି କରନ୍ତି। ସେ ରୋଚକତା ରଖନ୍ତି ଭୋଟ ମାରୁଥିବା ଲୋକଙ୍କ ପାଇଁ। ସେ ଜାଣନ୍ତି ନାହିଁ ତାଙ୍କର ବିଧାୟକ ପ୍ରତ୍ୟାଶୀମାନଙ୍କ ନାମ। ସେ ଭୋଟ ଦେଇ ଯିବେ ଏହା ନିଶ୍ଚିତ କିନ୍ତୁ କାହାକୁ ଭେଟ ଦେବେ ଏହା ଅନିଶ୍ଚିତ !
– ଆଚ୍ଛା ଭାଇ ଖୁଟୁ ସୁନାନୀ ଭଠଲେ ଭୋଟ ଦେବ କାଏଁ ?
ଉସତ ହେଇଗଲେ ଯୁବକ ଜଣକ …
= କଥା କହୁଛ କେଁ ହୋ ଆଜ୍ଞା !
ଫେରିଲା ବେଳେ ବାଟରେ ଗଁତିଆ ଘର। କିଛି ସମୟ କଥା ହେଲାପରେ ପୂର୍ବରୁ ତାଙ୍କ ପ୍ରତି ଉଠିଥିବା ବିଦ୍ରୋହ ନିରର୍ଥକ ଲାଗିଲା। ସେ ବି ଜଣେ ସାମାନ୍ୟ ନାଗରିକର ସଂଘର୍ଷ କରୁଛନ୍ତି। ନିଜ ଆବୋରି ଥିବା ଜମିରୁ ବବାଙ୍କୁ ଖଣ୍ଡେ ଦେବା ତାଙ୍କର ନୈଷ୍ଠିକତା ହିଁ ଥିଲା।
ଫେରିବା ବାଟରେ ରିତେଶ ସାରଙ୍କ ଜଣେ ଘନିଷ୍ଠ ଆମକୁ ଅଟକାଇଲେ। ଦେଶୀ ପ୍ରଜାତିର କୁସେର ଚାଷୀ। ଏକଦା ବଙ୍ଗଳା କୁସେର ବିହନ ସେ ଆଣିଥିଲେ। କ୍ରମ ଚାଷରେ କୁସେର ତାର ସ୍ଵରୁପ ବଦଳେଇ ଥାଏ।
– ଇଟାକେ ବଙ୍ଗଲା କୁସେର କହି ହେବା କେ ଆଜ୍ଞା?
= ନାଇ
-ଇତାର ନାଁ ?
= ନାଁ ନେଇନା ଆଜ୍ଞା ! ବେଶ୍ ଦେଶୀ କୁସେର ଆଏ ନା।
ଗୋଟିଏ ଦେଶୀ ପ୍ରଜାତିକୁ କ୍ରମ ସୁରକ୍ଷା ଦେଇ ତାର ନାମକୁ ହଜେଇ ଦେଲୁଣି କେଉଁ କାଳୁ
ଠିକ ବାବାଙ୍କ ପରି ଅନେକ ଅକୁହା ଉପାକ୍ଷାନ ସେ ମେଞ୍ଚେ ପାହାଡ଼ର ସନ୍ଧିରେ ହଜି ଯାଇଛି ଯେପରି ସେ ପାହାଡ଼ି ରାସ୍ତାର ଭାଗ୍ୟ ନେଇ …
ବାବା
ଗୋଟିଏ ଛୋଟ ଗାଁ : ଗାଁରୁ ୨୦୦ ମିଟର ଜଙ୍ଗଲ ଭିତରେ ଗଲେ ବାବାଙ୍କ ଘର / ଆଶ୍ରମ / ବଗିଚା / ଯାହା ବି କୁହାଯାଉ। ମୁଁ ସେଠାକୁ ସବୁବେଳେ ଅପ୍ରତ୍ୟାଶିତ ଆଗନ୍ତୁକ। ପହଞ୍ଚିବି ବାବାଙ୍କୁ ଜୁହାର କରି ଶୋଇ ପଡ଼ିବି। ଉଠିବି, ଶୌଚ ହୋଇ ବାବାଙ୍କ ପାଖେ ବସିବି। ସକାଳ ହେବା ପୂର୍ବରୁ ଫେରିବି।
ବାବା, ସତୁରୀ ପାଖାପାଖି ବୟସ, ବହୁ ବର୍ଷ ତଳେ ଏକ ଦୁରାରୋଗ୍ୟ ବ୍ୟାଧି ରେ ତାଙ୍କୁ ଛାଡ଼ି ସମସ୍ତେ ମରିଗଲେ। ମାଁ ବାପା ଭାଇ ସ୍ତ୍ରୀ ସମସ୍ତେ। ସେ ଦିନୁ ଜମି ଗାଈ କୁକୁଡ଼ା ବିରାଡ଼ି ପାରାଭାଡ଼ି ଓ ଜଙ୍ଗଲ ତାଙ୍କର ପୃଥିବୀ। ଆଜି ବି ସେ ଶ୍ରମକୁ ବଳିଆନ ‘ ଦୁଇଜଣ ଜୁଆନଙ୍କ କାମ କରନ୍ତି। ଆଖପାଖ ଲୋକଙ୍କ ଛୋଟ ଛୋଟ ଦୁଃଖ ଦୂର କରନ୍ତି। ପ୍ରତିଦିନ ଚେରି ମୂଳି କେବେ କେବେ କୋଦୋ ଚାଉଳ ଘିଅ ଆଦି ବି। କିଏ ଖୁସିରେ ନିଜେ ରାନ୍ଧିଥିବା ମଦ ଆଣିଦିଏ କେବେ କେମିତି।
କୌଣସି ଧର୍ମରେ ଦାୟ ରଖନ୍ତି ନାହିଁ ତଥାପି ବି ସେ ବାବା। ସମସ୍ତଙ୍କ ବାବା। ମୁଁ ଭାବେ ଏକୁଟିଆ ଅଛନ୍ତି ବୋଲି / କେବେ କାହାର ଅନିଷ୍ଟ କରି ନାହାନ୍ତି ବୋଲି / ଦୁଃଖ ଦୂର କରନ୍ତି ବୋଲି ପାଖାପାଖି ସବୁ କାରଣରୁ ସେ ବାବା ହିଁ ଅଟନ୍ତି।
ବାବା କେବେ ବି ମତେ ପଚାରନ୍ତି ନାହିଁ ଯେ କୁଆଡ଼େ ଯାଇଥିଲୁ? ସେ ଜାଣନ୍ତି ମୁଁ ତାଙ୍କ ନିକଟକୁ ହିଁ ଆସେ।
ବାଇକ ଛାଡ଼ି ପାଖାପାଖି ଆଠ କି.ମି ପାଦରେ, ସେ ଲାଗି ହାତ ଗୋଡ଼ ଧୋଇ ଗୋଟେ ଗ୍ଲାସ ଖିର ପିଇ ଶୋଇବା। ଉଠି କି ବାବାଙ୍କ ସଙ୍ଗେ ବସିବା ଆଉ ରାତି ସାରା ଗପିବା …
ମହୁଲିର ଝୁପ ଝୁପ ନିଶାରେ ଗୀତ ଗାଇବେ କଥା ହେଉ ହେଉ,
ସହି ସଙ୍ଗାତ ହୋ ଲୁଦୁରେ ଦୁଃଖ
ବଫୁ ବୁଇଲ ନାଇ ପାରୁଛେ ଘିଚି
ସହି ହେବାର ଏତେ ଦେତୁ ବଏଲେ ରେ…
ପେଟ ବସିଆ କେ ପାରନ୍ତି ପୁସି
ଘଞ୍ଚ ଜଙ୍ଗଲ ଓ ରାତି ବାବାଙ୍କ ଗୀତ ସମବେତ ଶୁଣନ୍ତି। ପଥରର ବି ଆଖି ଭିଜି ଯାଏ।
ଫେରିଲା ବେଳେ ବାବା ଗୋଟିଏ କିଲୋମିଟର ରୁ ଅଧିକା ମୋ ପଛେ ପଛେ ଆସିବେ, ମୁଁ ଖେଦୁଥିବି ସେ ମାନୁନ ଥିବେ। ବାହାନା କରୁଥିବେ ର ନୁ ଗା ପିଲା ଟିକେ ଉକିଆ ହଉ : ଯିବା ଆଗରୁ ମୋ ପକେଟରେ ଦଶ କୋଡ଼ିଏ ଟଙ୍କା ଭରିବେ।
ଆଜି ଫୋନ ଟିଏ ଆସିଲା
– କେନ୍ତି ଅଛୁ ପିଲା।
ମୁଁ ବିଶ୍ବାସ କରି ପାରିଲି ନାହିଁ ବାବା ଆଉ ଫୋନ !
– ହେଁ! ବାବା ତୁଇ କେଁ ଗୋ? ସବୁ ଭଲ ତୋ ଗୋ…। ତୁଇ କାହିଁ ପାଏଲୁ ଫୋନ? କେନ କେ ଆସିଛୁ କେଁ?
– ଶୁନ ରେ ମାତୃ କିଛି ନାଇ ବୁଝି କରି ଘବରଉଛୁ ଯେ ସବୁ ବନେ। ମୁଇଁ ତାଜା ଅଛେଁ … ଇଟା …. ଗାଁ କେ ଆସିଛେଁ। ଧନମାଲି ଘରେ ଅଛେଁ। ତାର ଫୁନ ଥୁନୁ କଥା ହୁଆ ଛେ’
ପାଞ୍ଚ କିଲୋମିଟର କେଉଁ କାମରେ ଆସିଥିବେ; ମୁଁ ଭଲ ମନ୍ଦ କଥା ସବୁ ହେଲି,
ମୋ କଥାକୁ ଅଟକାଇ ବାବା କହିଲେ,
– ଶୁନ ମୋର କଥା ଗୁଟେ ଜାନବାର ଅଛେ
– ହଁ କ’ କେଁ କଥା?
– ଏ ବାବୁ’ ଆମେ ହିନ୍ଦୁ ଆଏ ପରେ ଗା?
– ବାୟା ହେଲୁନା କେଁ? (କଣ ହେଇଥିବ ଜାଣି ହେଲା) କେନ ଶଲା କହେଲା?
– ଯେ’ନ୍ ବି କହୁ, କହ ତୋ ମୁଇଁ ହିନ୍ଦୁ ଆ ଏ କେଁ?
– ହଏ ଗୋ ଧର ତୁଇ ହିନ୍ଦୁ ଆଏ – ଅସୁବିଧା ନେଇସେ’ ଇ ବଏସେ ତୁଇ ହିନ୍ଦୁ ହେବୁ ଯେ ତୋର ଗାଁ ଘରର ଦେବାଦେବୀ, ଝାର ଜଙ୍ଗଲ ଗାଁ ଡୁଙ୍ଗରୀ କାହିଁ ଯିବେ? ଲୋକର ସୁଖ ଦୁଖ ଅଲି ଅର୍ଦ୍ଦଲି କେ କେନ ଠାନେ ରଖବୁ? ମୁଇଁ ଜାନୁଛେଁ xxx କାମବୁତା ଛାଡ଼ିକରି ଦୁଇ କୋଶ ହିନ୍ଦୁ ହେଇ ଆସିଛୁ …
– ସୁଦଭାବେ କଥା କହି ଜାନସୁ କି ନେଇ …
ଯାହା ତୁଣ୍ଡ ରେ ଆସିଲା ଆଦିବାସୀ ଭାଷାରେ ଚାଲିଲା …
କେମିତି ପାଗଳ ମାନେ ଅଛନ୍ତି ଜଣେ ଭଗବାନଙ୍କୁ ବୁଝଉଛନ୍ତି ଯେ ତାର ଧର୍ମ କଣ …
You must be logged in to post a comment.