ଅନ୍ଧାରୁ ଦଦା ମରିଯିବାଟା ପାଞ୍ଚବର୍ଷ ପୁରିବ। ଚାରିଫୁଟ ତିନିଇଞ୍ଚର ମଣିଷଟିର ସେତିକି ହିଁ ଇତିହାସ, ଯେତିକି ତାଙ୍କର ଉଚ୍ଚତା। ତାଙ୍କର ବୟସ ଅନୁମାନ କଲେ ଗୋଟିଏ ଉପାକ୍ଷାନ ହେବ।
ଅନ୍ଧାରୁ ଦଦାଙ୍କ ବୟସ
ପଡ଼ୋଶୀ ଗଣାର ଦଦା କହେ ତିନ ତିନଟା ସରପଞ୍ଚ ଗଲେ ନା’ରେ ବାବୁ ଅନ୍ଧାରୁ ଦଦାକେ ଷାଠେ(୬୦ ବର୍ଷ) ନେଇ ପୁରି ପାରୁଛେ! ସରକାରଙ୍କ ସିନିଅର ସିଟିଜନ ପ୍ରଥା ନଥିଲେ ଗଣାର ଦଦା ଏ ବୟସ ମାପକ ଯନ୍ତ୍ର ବ୍ୟବହାର କରି ପାରିନଥାନ୍ତା ଏକଥା ଭିନ୍ନ ତା’ର ବୟସକୁ ପୁଷ୍ଟି କରିବା ପାଇଁ ନିଜେ ଅନ୍ଧାରୁ ଦଦା କହେ; ସେ ମଲିର ମୁନୁଷ ଧୁରବକେ ଲେମର(ୱ।ର୍ଡ଼ମେମ୍ବର) କଲୁଁ(ବିନା ପ୍ରତିଦ୍ଵନ୍ଦିତାରେ)। ତାର ଦୁଇ ବଛର ଉତାରୁ ମହାଜନର କରପା ଜୁଗଲାବେଲେ ହିପାସ କଲୁଁ ରେ ବାବୁ ! କାନ୍ତ ଚୋର କେ ଜେନ ବଛରେ ଜହଲ ହେଲା ସେ ମାସେ ମକେ ଷାଠେ ପୁରବା କେ ସାଢ଼େ ତିନ ମାସ ବାକି ଥିଲା।
ତିନୋଟି ସରପଞ୍ଚଙ୍କ ରାଜୁତି ପରେ ବି ଅନ୍ଧାରୁ ଦଦା ବାର୍ଦ୍ଧକ୍ୟ ଭତ୍ତା ପାଇନାହାନ୍ତି। ତାଙ୍କୁ ଧରି ବ୍ଲକ ହେଡ଼କ୍ଵାଟର ଗଲି, ବିଡ଼ିଓ ଦୁଃଖ ଶୁଣିଲେ ଓ ଅନ୍ଧାରୁ ଦଦାଙ୍କ ଭତ୍ତା କରିଦେଲେ। ଭତ୍ତାର ବର୍ଷ ତାରିଖ ମାପ କରି ଅନ୍ଧାରୁ ଦଦାଙ୍କ ଜିରୋବେଲେନ୍ସ ଖାତାରେ ଛତିଶ-ଶହ ଟଙ୍କା ପକେଇ ବି ଦେଲେ।
ଅନ୍ଧାରୁ ଦଦା ଖୁସି ହୋଇଗଲା। ଆମକୁ ମଦ-ପିଆ ଦୁଇଶହ ଟଙ୍କା ଦେଲା। ଗୋଟେ ବଧିଆ ଗଞ୍ଜା ଧରି ନିଜେ ବି ଆସିଥିଲା ଆମ ସହ ମଦ ପିଇବାକୁ।
ଆନନ୍ଦ ହୋଇ କୌତୁକ କଲେ ବୟୋଜ୍ୟେଷ୍ଠ କେତେଜଣ। ଆଏଜ ଯାକ ଅନ୍ଧାରୁ କେ ଷାଠେ ପୁରଲା ହୋ! ସୂଚନାଯୋଗ୍ୟ ବିଷୟ ଏହା ଜେ ଅନ୍ଧାରୁ ଦଦା ଗଉଡ଼ ଜାତିର ଲୋକ ହୋଇଥିବାରୁ ବୟୋଜ୍ୟେଷ୍ଠଙ୍କ ଆନନ୍ଦମୟ କୌତୁକରେ ରସ ଥିଲା।
ଇତିହାସ
ତିନି ଭାଇ ବିଚାର କଲେ କାହାକୁ ରଜା କରିବା? ବଡ଼ଭାଇ କହିଲା, ଦେଖ ବାବୁ ! ହଲ ହଲିଆ, ଦେ’ଦେବତା, ଗାଁ ଭୂଇଁ ନାନା କଥା ମୁଇଁ ରଜା ହେଲେ ଇସବୁ ସଁକଲିବା କିଏ? ଦେଖରେ ମଝିଆଁ! ତୁଇ ସେ ଦେଖ ନା !
ଦେଖ ଦଦା ତୋ’ର, ଗାଁଭୂଇଁର ହିସାବ କିତାବ କିଏ ରଖବା? ଇ ସାନ! ଛୁଟା ଭାଇ ଗୁଟେ। ଇତା କେ ରଜା କରୁ ଜେ ହସି ଖେଲିକରି ଭାଇ ଗୁଟେ ରହେବା !
ସେହି ସାନ ଭାଇର ରାଜ୍ୟରେ ଅନ୍ଧାରୁ ଦଦାଙ୍କ ଜନ୍ମ। ତାଙ୍କ ବାପା ଗାଁ ନରିହା। ନରିହା ଅର୍ଥ ଦେବୀପୂଜା ସହ ଗାଁ ପ୍ରଜାଙ୍କ ସାମାଜିକ ଉତ୍ସବରେ ପାଣି ଦେବେ। ଏଥିପାଇଁ ନିଷ୍କର ଜମି ଖଞ୍ଜା ହୋଇଛି।
ବଡ଼ ମକାର ବେଳକୁ ମହାଜନ ପାଖୁ ଚାଉଳ ଓ ଟଙ୍କା ଆଣିଲେ। ସେତେବେଳକୁ ବଡ଼ ଭାଇ ମାଇଧରା(ଜୁଆନ) ହୋଇ ସାରିଥାଏ। ଦିନେ ମହାଜନ ହିସାବ କଲା। ଛଅ ଏକର ଜମି ତାଙ୍କ ଭାଗେ ବଞ୍ଚିଲା।
ବଡ଼ଭାଇ ବାହାହେଲା ଓ ଚାଷ ସମ୍ଭାଳିଲା। ସେ କଣ କରିବ ?
ହଳ ନେବ, ଘାସ ବାଛିବ। ଜମି ର ହଲିଆଭୁତି ଜଗିବ।
ପଠାନ ବୁଢା ଭାଗବତ ଟୁଙ୍ଗିର ସଭାପତି ହେଲା ବଛରେ ସାନ ହଜୁରସଙ୍ଗେ ମିଶି ନାଟ ଶିଖାଇଲେ। ଲକ୍ଷ୍ମୀସୁଆଙ୍ଗ କଲେ। ଚରିତ୍ର ବଛା ହେବେ।
ବଳରାମ ପାଇଁ ବୈଷ୍ଣବ କକା, ଭିଣୋଇ ଘରେ ରହି ଚାଷ ସମ୍ଭାଲୁଥିବା କୈଶିକ ମାମୁଁ ଓ ଗିରଧାରି ଗଣାର ବଡ଼ପୁଅ ଭରତ।
ବୈଷ୍ଣବ କକାର ଗୋଟିଏ ଡାକରେ ଗାଁର ଜୁଆନମାନେ ବି ଚୁପ ହୁଅନ୍ତି ତେଣୁ ତାକୁ ବଳରାମ ପାଠ ପାଇଁ ଯୋଗ୍ୟ କରାହୁଏ। ଶେଷରେ ସାନହଜୁର ଅନ୍ଧାରୁ ଦଦାଙ୍କୁ ବାଛନ୍ତି ତୁ ପାଲିଆ ଧରିବୁ।
ଯେଉଁ କଳାକାର ବର୍ଣ୍ଣବୋଧ ପଢ଼ି ଜାଣିବ ନାହିଁ ତାକୁ ପାଠପଢ଼ା ହେବ ଟୁଙ୍ଗିରେ। ସିଲଟ ବ୍ୟବସ୍ଥା ବି ଅଛି, ଅକ୍ଷର ଲେଖିବେ। ମାତ୍ରା ବୁଲେଇବେ। ବର୍ଣ୍ଣବୋଧ ପଢ଼ି ପାରିଲେ ତାଙ୍କ ଯୋଗ୍ୟତା ପ୍ରମାଣିତ ହେବ।
କୃଷ୍ଣ ହୁଅନ୍ତୁ କି ବଳରାମ ନିଜ ନିଜ ପାଠ ଅଭ୍ୟାସ କରିବେ କିନ୍ତୁ ଅନ୍ଧାରୁ ଦଦା ଦୁଆରିଠୁ ବଳରାମ ପର୍ଯ୍ୟନ୍ତ ସବୁ ପାଠ ମନେ ରଖିବେ। ଏଣୁ ତାଙ୍କ କାଟତି ଗାଁରେ ବେଶ୍ ବଢିଯାଏ। ମାଁ ଭଉଣୀ ବି ତାଙ୍କ ସହ ଭଲମନ୍ଦ କଥା ହୁଅନ୍ତି।
ତିନିକୋଶ ଦୂର ପଙ୍ଗନିଆପାଲିରେ ନାଟକ ହେବ। ହଜୁର କହିଛନ୍ତି ଯିବାକୁ। ଗାଈଙ୍କୁ ଗୁହାଳରେ ବାନ୍ଧି ଅନ୍ଧାରୁ ଦଦା ଯାଉଛନ୍ତି ପାଖ ଗାଁ ଟିକୁନଗଛର ଦେବତା ବାଟ ଓଗାଳିଲା। ଦେଖ ମାଁ ! ହଜୁରର ଆଦେଶ ଅଛେ ! ପହେଲା ତାଙ୍କର ଆଦେଶ ପୁରା କରିସାରଲେ ଦୁଇ ମତେ ଖାଇ ପାରବୁ! ନେହେଲେ ନାଇ । ଟିକୁନଗଛର ଦେବୀ ବାଟ ଛାଡ଼ି ଦିଅନ୍ତି। ଅନ୍ଧାରୁ ଦଦାଙ୍କୁ।
ଅନ୍ଧାରୁ ଦଦା କେବେକେବେ ଗମ୍ଭିର ଓ କେତେବେଳେ କୌତୁକ ଚରିତ୍ର ଜଣେ। ତାଙ୍କର ବିଶେଷ ଇତିହାସ ନାହିଁ। ଗାଁକୁ ଟ୍ରାକ୍ଟର ଆସିଲା ପରେ କେମିତି କେଜାଣି ଗାଈଗୋରୁ ଧିରେ ଧିରେ ବୋଝ ଲାଗିଲେ। ପୁତୁରା ଦୁଇଜଣ ଯେଉଁ ବର୍ଷ ବମ୍ବେ ଗଲେ ଅନ୍ଧାରୁ ଦଦା ଦୁଇଟି ବଳଦ ଚରଉଥାନ୍ତି। ଗୋଟିଏ ବଳଦ ମରିଗଲା ପରେ ଆରଟିକୁ ବଡ଼ଭାଇ ବିକିଦେଲେ। ଅନ୍ଧାରୁ ଦଦାଙ୍କ କାମ ନାହିଁ ଚାଷ ପରେ। ଟୁଙ୍ଗିରେ ପୁରାଣ ପଢ଼ା ଛଡ଼ା ନାଟକ କଥା ସମ୍ଭବ ହୁଏ ନାହିଁ।
ପୁତୁରା ମାନେ ବମ୍ବେ ଗଲାବେଳେ ଅନ୍ଧାରୁ ଦଦାଙ୍କୁ ମୁଣ୍ଡିଆ ମାରି ଆସନ୍ତି। ଫେରିଲା ବେଳେ କୁର୍ତ୍ତା, ସ୍ୱେଟର ଟୁପି ଆଣି ଦେଉଥିବା ପୁଅଙ୍କ ହାତରେ ଟଙ୍କା କୋଡ଼ିଏ ଦେଇପାରୁ ନଥିବା ଅସହାୟତା ତାଙ୍କୁ ଭିନ୍ନକ୍ଷମ ହେଇଥିବାର ହେତୁ କରାଏ। କେବେ କେବେ ମଦ ପିଇଲେ ଅସହାୟ ପଣ ତାଙ୍କୁ ଆବୋରି ପକାଏ। ସେ ଗୀତ ଗାଆନ୍ତି। କେବେ ଲକ୍ଷ୍ମୀସୁଆଙ୍ଗ ତ କେବେ ହାରାବତୀ ହରଣ; କେବେ କିଚକବଧ ତ କେବେ ସୁଭଦ୍ରା ପରିଣୟ।
ଖାଇ ସାରି ହାଣ୍ଡି ମାଜିଲା ବେଳେ ମାଁ ବୋହୁ ମାନେ ଦଦାଙ୍କ ଗୀତକୁ କାନାନ୍ତି। କେବେ କେବେ ଦଦାଙ୍କୁ ଡାକି ଗୀତ ଗାଇକରାନ୍ତି, ମଦପିଆ ବି ଦିଅନ୍ତି।
ଦଦା ଶୁଣନ୍ତି ଭିନ୍ନକ୍ଷମ ହୁଅ ଅବା ଷାଠିଏ ବର୍ଷର ହୁଅ ତୁମକୁ ସରକାର ଭତ୍ତା ଦେବ। ସେ ଯେହେତୁ ବାଙ୍ଗରା ତେଣୁ ଭିନ୍ନକ୍ଷମ ତାଲିକାରେ ତାଙ୍କ ନାମ ଅଯୋଗ୍ୟ ହୁଏ। ଅନ୍ଧାରୁ ଦଦା ବ୍ୟଙ୍ଗ କରନ୍ତି, ସରକାର ହଲନଙ୍ଗଲ କେ ଫାଇନ ପକାତା କି ନାଇ! ମୁଇଁ ବିକଲାଙ୍ଗ ନାଇସେ ବଏଲେ ହଲ କେନ୍ତା ଧରି ନାଇ ପାରବାର ?
ଏହା ପରେ ଷାଠିଏ ବର୍ଷକୁ ଅପେକ୍ଷା ଥିଲା। ତିନୋଟି ସରପଞ୍ଚ ଗଲାପରେ ସେ ଭତ୍ତା ପାଇଲେ। ମରି ଯାଉଥିବା ମନକୁ ବୁଝେଇଲେ। ପୁତୁରା ଦୁହିଙ୍କୁ ନହେଲେ ବି ନାତି ନାତୁଣୀ ହାତକୁ ଦୁଇ ପଇସା ଦେଇ ତାଙ୍କ ମୁହଁର ଖୁସି ଦେଖି ପାରିବେ।
ଛେ ଛେରଛେରା
ନିହାତି ସମ୍ଭ୍ରମତାର ସହ ଦଦା ନିମନ୍ତ୍ରଣ କଲେ ପୁଷପୁନି ଦିନ ତାଙ୍କ ବାଲ୍ୟ ବନ୍ଧୁ କପିଲ ଦାଦିଙ୍କ ଲେରକୁ। ଜୁଆନ ଦିନରୁ ସମସ୍ତ ବନ୍ଧୁ ପୁଷପୁନି ଦିନ ଭେଟନ୍ତି। ଏହିଦିନ ପାଇଁ ପାଖ ଗାଁର ମାଝୀବୁଢ଼ା ନିଜେ ମଦ ରାନ୍ଧି ଆଣିବ, କପିଲ ଦାଦିଙ୍କ ପାଖେ ଛେଲି ରଖା ଦେଇଛନ୍ତି ସମସ୍ତ ବନ୍ଧୁ; ଏ ଦିନ ଗୋଟିଏ ଛେଲି ତାଙ୍କର।
ପୁଷପୁନୀ ଦିନ ଉପହାର ଦିଆନିଆ ହୁଏ ଶସ୍ଯ, ଟଙ୍କା, କପଡ଼ା ଯାହାକୁ ଯେମିତି ଖୁସି ଲାଗିଲା। ଛୁଆମାନେ ଦଳହୋଇ ଘରଘର ଛେରଛେରା ମାଗିଥାନ୍ତି। ଧାନ ମୁଠେ ସହ କିଛି ପଇସା ବି ଦେଇଥାନ୍ତି।
ଏହିଦିନ ତମାମ ବର୍ଷର ହିସାବ କିତାବ ହୁଏ। ଏହାପରେ ନୂଆବର୍ଷର ହିସାବ ଓ ସଂଘର୍ଷ ଆରମ୍ଭ ହୁଏ। ଦଦାଙ୍କ ସହ ତାଙ୍କ ବନ୍ଧୁ ଆଠଦଶ ମିଶନ୍ତି। ସୁଖଦୁଃଖ ନାନା କଥା।
ସେଙ୍ଗା(ଶିଝା ଚଣା), ଶିଝାମଡ଼ା, କିଛି ପିଠା, ଯିଏ ଯାହା ପାଇଲା ଧରି ଆସନ୍ତି। ମୋ ଛଡ଼ା ସମସ୍ତେ ସିଆନ ତାଙ୍କ ଅନୁଷ୍ଠାନରେ। ଏତେବଡ଼ ଆୟୋଜନରେ କାହାକୁ କଷ୍ଟ ହୁଏନାହିଁ। ଆରାମରେ ଅନୁଷ୍ଠାନ ସମ୍ପନ୍ନ ହୁଏ। ଲେର କୁଡ଼ିଆ ସନ୍ନିକଟ ଖଲାରେ ପୁଆଲ ବିଛା ହୁଏ। ଯିଏ ଯାହାର କାମ କରୁଥାନ୍ତି ସଭା ବି ଚାଲୁଥାଏ। ସମସ୍ତ ଉପସ୍ଥିତଙ୍କ ଘରକୁ ମାଂସ ଓ ରକ୍ତିଭଜା ପହଞ୍ଚା ହୁଏ। ସୁଖଦୁଃଖ ହେଉ ହେଉ କାମ କେମିତି ଉସରି ଆସୁଥାଏ ଜଣାପଡୁ ନଥାଏ।
ସମସ୍ତେ ନିଜ ପରିବାରର କଥା ହୁଅନ୍ତି, ସୁଖଦୁଃଖ କହନ୍ତି। ସମସ୍ୟା ବି କହନ୍ତି ସମାଧାନ ବି ଖୋଜନ୍ତି। ରନ୍ଧା ସରି ଆସିଲା ବେଳକୁ ସଭାର ପ୍ରାଥମିକ ପର୍ବ ସରିଯାଏ।
କେତେବେଳେ ସେଙ୍ଗା, କେତେବେଳେ ମଡ଼ା ତ କେତେବେଳେ ମୁଢି କି ଚିନାବାଦାମ ଖାଇ ବସିଥାଏ। କଥା ହେଉ ହେଉ ମୁଁ ବି ତାଙ୍କର ଅଂଶଟିଏ ହୋଇ ଆସୁଥାଏ।
ରଣାବବା ଆଣିଥିବା ମାଟି ଗ୍ଳାସରେ ମାଝୀବୁଢାର ରନ୍ଧାମଦ ଢାଳିବା ପୂର୍ବରୁ କପିଲ ଦାଦି ତର୍ପି ଦେଲେ। ସମସ୍ତେ ନିଜ ନିଜ ପରିବାର ପୁଅନାତିଙ୍କ କଥା ହେଉଥାନ୍ତି। ଜୋଇଁ ସମୁଦି ଘରର କଥା। ଗୁହାଲ ପଢ଼ାଠୁ ନାତିନାତୁଣୀଙ୍କ ପାଠପଢ଼ା କଥା। ରଜାଠୁ ସରକାରଙ୍କ କଥା।
ଅନ୍ଧାରୁ ଦଦା ଏଠାରେ ଚୁପ ରହେ। ନିଜେ ତିଆରିଥିବା ପୃଥିବୀଟିଏ ତାର ନାହିଁ। ମାଁ ବାପାଙ୍କ ଅନ୍ତେ ତେଲଲୁଣର ସମୁଦ୍ରରେ ତାର ଡଙ୍ଗାଟି ଖାଁ ଖାଁ।
-ଅନ୍ଧାରୁ ଦଦା!
– ଓ ଭାଇ!
-ସମକର କଥା ଶୁନୁଛୁଁ ତମେ ଖାଲି ପାଲିଆ ଧରୁଛ ଜେ !
-କାଣା କହେମି ଭାଇ! ସଭେ କହୁଛନ୍ ଶୁନୁଛେଁ। ସମସ୍ତଙ୍କ ପାଇଁ ବିଧି କାହାଣୀ ଖଞ୍ଜିଛି, ତାଙ୍କ ବେଳକୁ ହାତ ଶୂନ୍ୟ କରି ପଠେଇଛି ସଂସାରକୁ। ଏମିତି ଶୂନ୍ୟଯେ ସେ ହିଁ ଶେଷ ଲୋକ ତାଙ୍କ ପୃଥିବୀର।
– ତମେ ବି କହ ଆମ ବାଇ(ବଡ଼ଭଉଣୀ)ର କଥା।
ମୋର ଅନୁରୋଧକୁ ବିରୋଧ କରିବାର ପ୍ରଥମ ଲୋକ ଥିଲେ ଅନ୍ଧାରୁ ଦଦା। ଅନ୍ୟମାନେ ବି ବିରୋଧ କଲେ ଯେମିତି ମୁଁ ଦଦାଙ୍କୁ ଅପମାନ କରିଛି। ମାଝୀ ବୁଢ଼ା କଥାକୁ ସଲଖେଇ ଆଣି ମୋର ପ୍ରଶ୍ନର ସମର୍ଥନରେ ଗୋଟିଏ ଜନମତ ତିଆରିଲେ।
ଝୁପଝୁପ ପ୍ରାଥମିକ ନିଶାରେ ଦଦା ଲାଜିଲେ ଟିକେ। ରଣାବବା କହିଲେ, ସଗରିଆ ପିଲା ଠିକ କହୁଛେ! ଦେଖୁଛ କି ନାଇ ବୁଢା ମୁଲକି ମାରୁଛେ କେନ୍ତା!
ହସିଲୁ ସମସ୍ତେ।
ବଡ଼ ମକାର ର ଦିନ ! ମାଏଟମାତା ଅସହାୟ ପଡ଼ିଛି। ଦାଦିବୁଢ଼ା ଭୀମା ଜଳ ବୁନ୍ଦାଏ ହେଲା ନାହିଁ। ମାଟିକୁ ବଇରି କଲା ନା ମଣିଷକୁ କେହି ବୁଝିବା ଆଗରୁ ଭୋକ-ରାଁଡ଼ୀ ଘର ଘର ଯାଇ ନାଚିଲା। ଗାଁ ଦାଣ୍ଡରେ ନାଚିଲା। ଅସମ୍ଭାଳ ହେଲା ଭୋକ। ବାପା ନରିହା ଜାଗିରିର ପଟ୍ଟାପାର୍ଚ୍ଚା ନେଇ ମହାଜନ ଘରକୁ ଗଲା। ପଚାଶ ଟଙ୍କା ମାଗିଲା। ମହାଜନ କୋଡ଼ିଏ ଟଙ୍କାରୁ ଆରମ୍ଭ କରି ତରିଶ ଟଙ୍କାରେ କଥା ଛିଣ୍ଡେଇଲା। ଯେଉଁ ଜମି ଫେରି ପାଇବାକୁ ତାଙ୍କୁ ଦଶବର୍ଷ ଲାଗିଗଲା। ତଥାପିବି ଅଧାରୁ ସାମାନ୍ୟ ଅଧିକ ମହାଜନ ପାଖେ ରହିଗଲା।
ତିରିଶ ଟଙ୍କାରୁ ପାଞ୍ଚଟି ଧାନଖେଡ଼ ଟଙ୍କା ଅଣ୍ଟା ଡୋର ମୁଣିରେ ଭରି ଅନ୍ଧାରୁ ଦଦାଙ୍କ ଅଣ୍ଡାରେ ବାନ୍ଧି କରିଆ ପିନ୍ଧେଇ ଦେଲେ ବାପା। ଟଙ୍କାକୁ ନନା(ବାପାଙ୍କ ଭଉଣୀ) ଘରକୁ ପଠେଇଲେ।
ବକ୍ତାବର ଜଙ୍ଗଲ ଡେଇଁ ଡାକେ ବାଟ ଚାଲିଲେ ନନା ଘର ଗାଁ। ରାଜୁଡ଼ା ସମୟରେ ବକ୍ତାବର ସେଠ ଜଙ୍ଗଲ ଠିକା ନେଇଥିଲେ କେଉଁ ଦୂର ରାଇଜରୁ ଆସି। ଲୋକଙ୍କ ସଙ୍ଗେ ଏମିତି ମିଶିଗଲେ ଯେ ପୋଡ଼ଖାଇ ଜଙ୍ଗଲକୁ ବକ୍ତାବର ଜଙ୍ଗଲ କହିଲେ ଲୋକ। ଜଙ୍ଗଲ ଭିତରେ ଅନ୍ଧାରୁ ଦଦା କିଛି ଖାଇବା ଖୋଜିଲେ। ଗଛର ଦୂର ଡାଳରେ ଅଣାଲ(ମହୁଫେଣା) ଦେଖିଲେ। ତାକୁ ଝାରି ଶାଳପତ୍ରରେ ରଖିଲା ବେଳକୁ ଖରା ମୁଣ୍ଡ ଉପରକୁ ଆସିଥାଏ। ନନା ଘରକୁ ପହଞ୍ଚିଲେ। ଦଦାଙ୍କ ହାତରେ ଥିବା ଶାଳପତ୍ରର ପୁଡ଼ିଆକୁ ଝାମ୍ପି ନେଲା ଦେମତୀ ନନାଙ୍କ ଝିଅ। ଭୋକ ବିକଳରେ ଫେଣାକୁ ଖାଇ ଯାଉଥାଏ ଦେମତୀ; ମୁଗ୍ଧ ହେଇ ଦେଖୁଥାନ୍ତି ଦଦା। ଝିଅଟି ଉତୁରି ଆସୁଥାଏ ଦଦାଙ୍କ ମନରେ। ରଚି ଯାଉଥାଏ ଦୋଳର ଫଗୁ ପରି ଶରୀର ଭିତରେ ଭିତରେ।
ସେଦିନୁ ଫି ରାତିରେ ଦେମତୀଙ୍କୁ ଭାବନ୍ତି ଦଦା। ସ୍ଵପ୍ନରେ ସ୍ଵପ୍ନରେ କେତେ ବଣ ପାହାଡ଼ ବୁଲନ୍ତି। ଘର ତିଆରି କରନ୍ତି ସଂସାର କରନ୍ତି। ବଡ଼ଦଦାକୁ ବାହା କରାନ୍ତି। ବାହାଘରକୁ ଦେମତୀ ବାଇ ବି ଆସନ୍ତି। ଖୁସିରେ ଅନ୍ଧାରୁ ଦଦା ସବୁ କାମ କରୁଥାନ୍ତି। ଦିନେ ଏକାନ୍ତରେ ଦେମତୀ ବାଇଙ୍କ ଗାଲକୁ ଛୁଇଁବାର ସୁଯୋଗ ବି ପାଆନ୍ତି।
ଅନ୍ଧାରୁ ଦଦା ଝୁପ୍ ନିଶାରେ ନିଜର ଅନ୍ତରର କଥା କହୁଥାନ୍ତି, ଜଣେ ତଲ୍ଲୀନ ଯୋଗୀ ଭଳି। ଆମେ ସମସ୍ତେ ଶୁଣଥାଉ ମୁଗ୍ଧ ହୋଇ। ତାଙ୍କର ସମସ୍ତ ସଖା ସୁଖଦ ଆଶ୍ଚର୍ଯ୍ୟ। କିଏ ଏକା ଢୋକରେ ଗ୍ଳାସ ସାରିଦେଲେ ତ କିଏ ଦଦାଙ୍କ କଥାରେ ରସି ଯାଇଥାଏ। କଥା ଶୁଣୁଶୁଣୁ ସମସ୍ତ ସଖା ଛଳଛଳ କାରୁଣ୍ୟରେ ନାବକେଲୀ ଦେଖୁଛନ୍ତି ଯେମିତି।
ସେଦିନ ବାଇଙ୍କ ଆଖି ବି ଛଳଛଳ ହୋଇ ଯାଇଥିଲା।
କିଛିବର୍ଷ ଗଲା
ଖବର ଆସିଲା ଦେମତୀ ବାଇକୁ ଦେଖି ଆସିଛନ୍ତି। ଆହୁରି ବି ଖବର ଆସିଲା ବାଇର ମନ ନାହିଁ।
ଘରଦେଖା ଯିବାର କିଛିମାସ ପର୍ଯ୍ୟନ୍ତ ବାହା ପାଇଁ ଲାଗିଲେ ସେ ପୁଅ ଘର ଲୋକ। ଦେମତୀ ବାଇ ଅମଙ୍ଗ ହେଲେ। କିଛିଦିନ ପରେ ରୋଗରେ ପଡିଲେ ବାଇ। ମୁହଁ ଡୁମରିଆ ଦିଶିଲା। ଅଜଣା ରୋଗ, କେହି ଚିହ୍ନି ପାରିଲେ ନାହିଁ। କେତେ ବଇଦ-ଗୁନିଆଁ କଲେ।
କାଚ ଶିଶିରେ ମହୁ, ମାଁ ତିଆରି ଦେଇଥିବା ପିଠା ଧରି ଦଦା ଦେଖି ଗଲେ। ବାଇଶୁଖି କଲାକାଠ ହୋଇ ଯାଇଥାନ୍ତି। ମହୁତକ ପିଇଦେଲେ। ତମେ ଯେନ୍ତା ବି ହୁଅ ଧନ ତମର ସଙ୍ଗେ ଘର କରମି ଭାବୁଥିଲି। ବାଁଚମି ତ ଠିକ କଥା ଗୋ ନେଇ ହେଲେ ମକେ ଠକି ଦେଲା ବଲି ନାଇ ଦୁଷବ। ଇ କଥା ଆମର ମନେ ରହେଲା ଗୋ !
ଏକଥା କେହି ଜାଣି ନାହାନ୍ତି; ଦଦା ଦେଖି ଯାଇଥିବା ଦୁଇମାସ ପରେ ମରି ଯାଇଥିବା ବାଇ ଓ ଅନ୍ଧାରୁ ଦଦା ଛଡ଼ା।
ପରିବେଶ ଗମ୍ଭିର ହୋଇଗଲା। ହାଲକା କରିବାକୁ ରଣାବବା ଛେ…ଛେରଛେରା କହି ସମସ୍ତଙ୍କୁ ଅଭିବାଦନ କରିବା ସହ ଛେରଛେରା ଗୀତ ଗାଇଲେ।
You must be logged in to post a comment.