ଡାରୱିନଙ୍କ କଥାକୁ ଭିନେ ପ୍ରକାରେ ଚିନ୍ତାକଲେ ଅନନ୍ତ(ଛଦ୍ମନାମ)। ଗଛରେ ରହୁଥିବା ମଣିଷ ଗଛରୁ ଓହ୍ଲେଇଲା। ସେ ମାଙ୍କଡ଼ରୁ ମଣିଷ ହୋଇଗଲା ବୋଲି ତଳକୁ ଆସିଲା ତାହା ନୁହେଁ। ସେ ପ୍ରେମ କଲାବୋଲି ହିଁ ତଳକୁ ଆସିଲା। ପ୍ରେମିକା ମାଟିରେ ରହେ ଓ ପ୍ରେମିକ ଗଛରେ।
ମାଟି ଓ ଗଛଡ଼ାଳର ସମ୍ପର୍କ ପ୍ରତିବନ୍ଧିତ ଥିଲା ବୋଲି ନୁହେଁ; ମାଟିର ଝିଅକୁ ପ୍ରେମକଲା ବୋଲି ତାକୁ ଗଛର ପୃଥିବୀରୁ ନିର୍ବାସିତ କରାଗଲା।
ସେ ହେଉଛନ୍ତି ପୃଥିବୀର ପ୍ରଥମ ପ୍ରେମିକା ଯିଏ ଗୋଟିଏ ଭିନେ ପୃଥିବୀରୁ ପ୍ରେମିକକୁ ଓଟାରି ଆଣିଛନ୍ତି। ତ୍ୟାଗ, ଅପହରଣ କି ପ୍ରେମ ଯାହା ବି କୁହାଯାଉ; ସେ ହେଉଛନ୍ତି ପୃଥିବୀର ପ୍ରଥମ ପ୍ରେମିକା।
ସେହି ପ୍ରଥମ ପ୍ରେମିକାର ଚିତ୍ର ଆଙ୍କିବେ ଅନନ୍ତ। ସେ ଚିତ୍ର କିପରି ହେବ? ପ୍ରେମିକାର ଚିତ୍ର ପରିକଳ୍ପନା ତାଙ୍କୁ ତାଙ୍କ ଅସ୍ତିତ୍ଵ ସମେତ ଗୋଟିଏ ଗହ୍ଵରକୁ ନେଇଗଲା। ନିଜର ଚିନ୍ତାକୁ ସେ ପ୍ରଥମେ ନିଜର ପ୍ରେମିକାଙ୍କୁ କହିଲେ। ସହଜରେ ସେ ପ୍ରେମିକା ତେଣୁ ପ୍ରସ୍ତାବ ଆସିଲା ନିଶ୍ଚିତ ମୋ ଆଖିରେ ତୁମେ ସେ ଆକର୍ଷଣ କ୍ଷଣିକ ପାଇଁ ବି ଦେଖିଥିବ; ସେ ମୁହୂର୍ତ୍ତକୁ ମନେ ପକାଅ। ଚିତ୍ର ହୋଇଯିବ।
ସୁନ୍ଦର ପ୍ରସ୍ତାବ !
ଚିତ୍ର କରିବାରେ ସେ ଅସମର୍ଥ ରହିଲେ। ପ୍ରେମିକାର ପ୍ରୋତ୍ସାହନ କ୍ରମେ କ୍ରମେ ସନ୍ଦେହ ହୋଇଗଲା ସିନା ଅନନ୍ତ ସେ ଆଖି ହଳକ ପାଇଲେ ନାହିଁ। ଏ ମଣିଷ ସତରେ ମତେ ପ୍ରେମ କରେଟି? ନା ଶରୀରର କେଉଁ ଲାସ୍ୟ ଦେଖି ତୃଷ୍ଣା ମେଣ୍ଟାଉଛି? କି ନିଜ ସାମର୍ଥ୍ୟ ବାହାରେ କଳ୍ପନାଟିଏ କରି ପକାଇଛି?
କ୍ରମେ ସେ ଆହୁରି ଭାବୁକ ହୋଇଗଲେ। ସେ ପ୍ରେମିକାର ଅନ୍ୱେଷଣରେ ବାହାରିଲେ। ଯାହାଙ୍କୁ ସେ ଚିତ୍ରରେ ଓହ୍ଲେଇବେ। କେବେକେବେ ଦିକଵଳୟକୁ ଅନେକ ସମୟ ଦେଖନ୍ତି। ଆକାଶକୁ କାନଭାସ କରି ଅନେକ ଆଖି ଖଞ୍ଜନ୍ତି।
ଦିନେ ଜଣେ ପ୍ରକ୍ଷାତ ନର୍ତ୍ତକୀଙ୍କ ନିକଟକୁ ଗଲେ। ପ୍ରସ୍ତାବ ଦେଲେ ସେ ଏକା ତାଙ୍କ ନୃତ୍ୟ ଦେଖିବେ। ଚିତ୍ର’ କଥା ଶୁଣି ନର୍ତ୍ତକୀ ସମ୍ମତ ହେଲେ। ଦିନଧାର୍ଯ୍ୟ ହେଲା। ଦିନଟି ନିର୍ତ୍ତକୀଙ୍କ ପାଇଁ ବି ପରୀକ୍ଷାର ଦିନ ଥିଲା। ନୃତ୍ୟରେ ସେ ପ୍ରଥମ ପ୍ରେମିକାର ଲାସ୍ୟ ଆଣି ପାରୁଛନ୍ତି ନା ନାହିଁ? ଅନନ୍ତ କିମ୍ଵା ନର୍ତ୍ତକୀଙ୍କ ପ୍ରତିଭା ପ୍ରତି କାହାରି ସନ୍ଦେହ ନ ଥିଲା। ଚିତ୍ରଟି ହୋଇ ପାରିଲା ନାହିଁ।
ଦୁହିଙ୍କ ମନରେ ଅନେକ ପ୍ରଶ୍ନ ଅନେକ ଉତ୍ତର ବି। ନିଶ୍ଚିତ ସେ ଶେଷ ନିର୍ତ୍ତକୀ ନୁହନ୍ତି। ଏହା ବି ହୋଇପାରେ ଅନନ୍ତ ଧୃଷ୍ଟତା କରୁଥାଇ ପାରନ୍ତି କିଛି ରଙ୍ଗର ଛିଟା ଭିତରେ ସେ ଏତେବଡ଼ ଦିବ୍ୟତାକୁ କଏଦ କରିଦେବେ?
ଦିନେ ମେହେଫିଲର ସମାପନ ପ୍ରଶ୍ନ ଥିଲା – ଚିତ୍ର ବିଷୟରେ ପଚାରିଲେ ନି ଜେ’
ସେ ପ୍ରଥମ ପ୍ରେମିକ ତାର ପୃଥିବୀ ଛାଡ଼ିଦେଇ ଥିଲେ।
ଆପଣ ନିଜ ପୃଥିବୀରେ ଅଛନ୍ତି ଅର୍ଥାତ୍ ଚିତ୍ର ଏବେ ବି ପୁରା ହୋଇନାହିଁ।
