ଛେ…ଛେରଛେରା ସରକାର

ଛେ ଛେରଛେରା ସରକାର
ଆଜି ସଂଧ୍ୟା ୭.୨୯ ବେଳକୁ ଫୋନ ଆସିଲା। ଭାଇ ଜଣକ କର୍ଣ୍ଣାଟକର ଏକ ଇଟା ଭାଟିରେ କାମକରେ। ପାଖାପାଖି ୨୦୦ କି.ମି ଦୂର ଆନ୍ଧ୍ରପ୍ରଦେଶରେ ପିଡ଼ିତ ତାର ପରିଜନଙ୍କ ଦୁଃଖ କହିଲା। ଦୁଇଘଣ୍ଟାର ପରିଶ୍ରମ ପରେ ନିମ୍ନ ଘଟଣା ସାମ୍ନାକୁ ଆସିଲା।
କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ନିକଟସ୍ଥ ଶିରପାଲି ଗାଁର ଭାଗିରଥି ଦାସ(୪୫), ରାଜୁ ଦାସ(୪୦), ଗୀତା ଦାସ(୧୮), ନଦୀ ଦାସ(୩୦), କୈଲାଶ ଦାସ(୪୫) ଏବଂ ବସନ୍ତ ଦାସ(୨୦) ତଥା ବରଗଡ଼ ଜିଲ୍ଲା ପାଇକମାଲ ସହରର ମାହାରପଡ଼ାର ସୁବାସିନୀ ବରିହା(୨୫) ଏବଂ ତାଙ୍କ ୫୫ ବର୍ଷିଆ ମାଁ କୁମୁଦିନୀ ବରିହା, ଏପରି ଆଠଜଣ ଦାଦନ ଖଟିବା ପାଇଁ ବୁଦେଲ କଳାହାଣ୍ଡିର ଦଲାଲ କୁଲ ସର୍ଦ୍ଦାର ନିକଟରୁ ଅଗ୍ରିମ ନେଇ ଗତ ଡିସେମ୍ବର ମାସରେ ଆନ୍ଧ୍ରପ୍ରଦେଶ ଯାଇଥିଲେ।
ଚିତ୍ତୋର ଜିଲ୍ଲା ଅନ୍ତର୍ଗତ ପୁତୁର ନିକଟସ୍ଥ ଅପଲାଇଗୁଣ୍ଟାର ମୁରଲୀ ସେଠର ଇଟାଭାଟିରେ କାମ କଲେ। ଉପରୋକ୍ତ ଆଠ ଜଣଙ୍କୁ ୩୫ ହଜାର ଟଙ୍କା ଆଗ୍ରିମ ଓ କାରଖାନାରେ କାମ କରିବାକୁ କୁହାଯାଇ ଥିଲା। ମୁରଲୀ ସେଠ କାମ ତ ନୁହେଁ ପଶୁଠୁ ବି ହୀନ ଖଟେଇଲା। ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ। କାମକରି ଖାଇ ନଥିବେ ରାତି ଦଶରୁ ବାର’ଟା ପର୍ଯ୍ୟନ୍ତ ଖଟେଇବ। ସେମାନେ ଖଟିବା ପାଇଁ ଯାଇଛନ୍ତି, ଖଟିବେ କିନ୍ତୁ ଖାଦ୍ୟାଭାବ ଓ ନିର୍ଯ୍ୟାତନା ତାଙ୍କୁ ଆତଙ୍କିତ କରିଦେଲା।
ସେଠ ରାତିରେ ଏ ପୁରୁଷ ପାଞ୍ଚଜଣଙ୍କ ମଧ୍ୟରୁ ଜଣକୁ କବାଟ ଦେଇ ରଖେ। ଯେମିତି କେହି ଭାଟିରୁ ଲୁଚି ପଳେଇବେ ନାହିଁ। ଗତକାଲି ୧୫ ଜାନୁଆରୀ ଭାଗିରଥି ଦାସଙ୍କୁ ସେଠ କବାଟ କିଳି ରଖିଲା। ସମସ୍ତେ ଜାଣି ଜାଣିବି ଭାଟିରୁ ଲୁଚି ପଲେଇ ଆସିଲେ। ଭାଗିରଥି କହିଥିଲା ମୁଁ ଦୁଇଚାରି ଦିନ ମାଡ଼ ସହିବି କିନ୍ତୁ ତୁମେ ଘରକୁ ପହଞ୍ଚି ମତେ ମୁକୁଳେଇବ।
ସାତଜଣ ଲୁଚିକରି କେଉଁ ଏକ ଅପରିଚିତ ଥାନକୁ ଆସି ଲୋକଙ୍କୁ ଶରଣ ମାଗିଲେ। କପର୍ଦ୍ଦକଶୂନ୍ୟ ହୋଇ ସଞ୍ଚିଥିବା ଖାଦ୍ୟ ରାନ୍ଧି ଦୁଇଦିନ କାଟିଦେଲେଣି। ତାଙ୍କସହ ମୋର ଯୋଗାଯୋଗ ହେଲାପରେ ପୋଲିସ ନିକଟକୁ ଯିବାକୁ କହିଲି। ସେମାନେ ମନାକଲେ ଏଇଥିପାଇଁ ଜେ ସେଠ ପୋଲିସ ଆଣି ପିଟେଇବା ଧମକ ଦିଏ। ଓଡ଼ିଶା ପ୍ରଶାସନର ବିନା ସହାୟତାରେ ଉପରୋକ୍ତ ଦାଦନ ଶ୍ରମିକମାନଙ୍କୁ ଆଣିବା ସେତେଟା ସୁରକ୍ଷିତ ଜଣାପଡୁ ନାହିଁ।
ସାତଜଣ ଦାଦନ ପଳେଇଥିବା ଘଟଣା ଜାଣିବାପରେ ମାଲିକ ଭାଗିରଥିଙ୍କୁ ଅଟକ ରଖି ନିର୍ଯାତନା ଦେଉଥିବା ଖବର ଏବେ ଏବେ ପହଞ୍ଚିଛି। ଦୁଇ ଦିନର ନିର୍ଯ୍ୟାତନା କାରଣରୁ ଭାଗିରଥିଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ରହିଅଛି।
ପ୍ରଶାସନ ଉପାକ୍ଷାନ
କଳାହାଣ୍ଡି କିମ୍ଵା ବରଗଡ଼ ଜିଲ୍ଲା ପ୍ରଶାସନର ପ୍ରବାସୀ ଶ୍ରମିକ ଖାତାରେ ନାତ ଶ୍ରମିକଙ୍କ ନାମ ଅଛି ନା କୁଲ ସର୍ଦ୍ଦାରକୁ ଲାଇସନ୍ସ ଦିଆ ଯାଇଥିବା କଥା ଉଲ୍ଲେଖ ଅଛି। ପୋଲିସ ପ୍ରଶାସନର ମିଳିତ ନାଟକ ଦାଦନ-ଉଦ୍ଧାରରୁ ଉପର ଲିଖିତ ଆଠଜଣ ଅପହଞ୍ଚ ରହିଲେ। କେବଳ ଏମାନେ ନୁହନ୍ତି ଲକ୍ଷାଧିକ ଲୋକ ଅପହଞ୍ଚ ରହିଲେ। ସର୍ବାଧିକ ତିରିଶ ହଜାର ଦାଦନ ଯାଇଥିବା କଥା ଦାଦନ ପ୍ରବଣ ଜିଲ୍ଲାମାନେ ହିସାବ ଦିଅନ୍ତି। ଅଧିକ/ପ୍ରକୃତ ହିସାବ ଦେଲେ ସରକାରଙ୍କୁ ପ୍ରଶ୍ନ କରାଯାଇ ପାରେ। ତା’ହେଲେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ କରୁଛି କିଏ?
ଏହା ଏକ ସୁନିୟୋଜିତ ଖେଳ। ୧୯୯୧ ମସିହାରେ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଲୋକଙ୍କୁ ବର୍ଷକୁ ନିଶ୍ଚିତ କର୍ମନିଯୁକ୍ତିର ପ୍ରସ୍ତାବ ଦେଇଥିଲେ। ୨୩ ଅଗଷ୍ଟ, ୨୦୦୫ ଦିନ ଦେଶର ୬୨୫ ଜିଲ୍ଲା ଏବଂ ପରେ ୧ ଏପ୍ରିଲ, ୨୦୦୮ ଦିନ ସମଗ୍ର ଦେଶରେ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଆଇନ ୨୦୦୫ ନାମରେ କାର୍ଯ୍ୟକାରୀ ହେଲା ଓ ପରେ ଏଥିରେ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡ଼ାଗଲା। ଏହି ଆଇନ ବଳରେ ବାର୍ଷିକ ଜଣେ ୧୦୦ ଦିନର କାମ ପାଇ ପାରିବ। ଯଦି ସରକାର କାମ ଯୋଗାଇବାରେ ଅସମର୍ଥ ରହିବେ ତା ହେଲେ ଆବେଦନକାରୀ ଦୈନିକ ମଜୁରୀର ୫୦ ପ୍ରତିଶତ ସରକାରଙ୍କ ନିକଟରୁ ପାଇବ। ଅର୍ଥାତ୍ ଗୋଟିଏ ବର୍ଷ କାମ ନ କଲେ ମଧ୍ୟ ଦଲାଲ ହେଉଥିବା ଅଗ୍ରିମଠୁ ଅଧିକ ଟଙ୍କା ପାଇବ।
ତା’ହେଲେ ଦାଦନ ଯାଆନ୍ତି କାହିଁକି?
ନିଶ୍ଚିତ ଏହା ଏକ ଯକ୍ଷ ପ୍ରଶ୍ନ। Mgnrega ଆରମ୍ଭ ହେବା ପରେ ପରେ ଜେସିବି ନାମକ ଯନ୍ତ୍ର ଯାନଟିର ପ୍ରାବଲ୍ୟ ବଢିଗଲା। ଯିଏ କୃଷି ଓ ନିର୍ମାଣ ଉଭୟ କ୍ଷେତ୍ରରେ ବେଶ୍ ଉପଯୋଗୀ। ଏହା ମାଟି ବି ଖୋଲିଥାଏ। ପ୍ରବାସରେ ଥିବା ଉପରୋକ୍ତ ଆଠଜଣ Mgnrega କାମ କରିଥିବେ ନିଶ୍ଚୟ। ସେମାନେ କାମକରି ବ୍ୟାଙ୍କ ଖତାରେ ଟଙ୍କା ବି ଉଠେଇ ଥିବେ। ଏହା ସମ୍ଭବ କାରଣ ୧୯୯୮ ମସିହାରେ ସେ ସମୟର କେବିକେ କମିଶନର ହୃଷିକେଶ ପଣ୍ଡା କେବିକେ ଜିଲ୍ଲାର ସମସ୍ତ ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି କିପରି ଅସାଧୁ ବ୍ୟାଙ୍କ କର୍ମଚାରୀଙ୍କ ସହାୟତାରେ ମହାଜନମାନେ ଋଣ କାରବାର କରନ୍ତି। ବର୍ତ୍ତମାନର ଚିତ୍ର ଏହା ଯେ ଅଧିକାଂଶ ମହାଜନ ପଞ୍ଚାୟତ ରାଜନୀତିରେ ପ୍ରତ୍ୟକ୍ଷ ଜଡ଼ିତ। ଯଦି ଏମାନେ ପ୍ରତୀକ ହୁଅନ୍ତି ତା’ହେଲେ ଏମାନଙ୍କ କାମ ସବୁ ଜେସିବି କରିଥାଏ। ସରପଞ୍ଚ, ଚେୟାରମ୍ୟାନ, ଗାଁସାଥି, ଗ୍ରାମ ସହାୟକ ଅଧିକାଂଶ ଜେସିବିର ମାଲିକ। ଜେଇ ଆଦି କର୍ମଚାରୀ ମଧ୍ୟ ପ୍ରକାରାନ୍ତେ ମାଲିକ ହୋଇଥାନ୍ତି। ସୁତରାଂ ବ୍ଲକ କାର୍ଯ୍ୟାଳୟ ସହ ଯେଉଁମାନେ ପ୍ରତ୍ୟକ୍ଷ ସମ୍ପର୍କ ରଖିଥାନ୍ତି।
Mgnrega ବେପାର ରହସ୍ୟ ଏହା।
ପରବର୍ତ୍ତି ଉପାକ୍ଷାନ ଏହିପରି; ଜଣେ ପଥରିଆ(୩ଜଣ, ଶିଶୁଙ୍କୁ ଛାଡ଼ି। ଶିଶୁମାନେ ମଧ୍ୟ କାମ କରନ୍ତି) କୁ ଭାଟି ପର୍ଯ୍ୟନ୍ତ ପହଞ୍ଚାଇବାକୁ ଏକ ଲକ୍ଷ ଟଙ୍କା ଦିଅନ୍ତି। ଆଗ୍ରିମ ଆଦି ଲେଣଦେଣ କାରବାର ପରେ ବାକି ଲାଭ। ସର୍ବନିମ୍ନ ପାଞ୍ଚଲକ୍ଷ ଶ୍ରମିକଙ୍କ ପାଇଁ କେତେ ଟଙ୍କା କାରବାର ହେଉଥିବ ହିସାବ କରାଯାଉ।
ପ୍ରଶାସନ ପାଇଁ ଦୁଇଟି ମାର୍ଗ ଉନ୍ମୁକ୍ତ ହୁଏ। କର୍ତ୍ତବ୍ଯ ଓ ଟଙ୍କା। କାହାର ଓଜନ ବେଶି ଏଥିରେ ସମୟ ଖର୍ଚ୍ଚ କରିବା ଉଚିତ ନୁହେଁ।
ତେଣୁ ଉପରୋକ୍ତ ଆଠଜଣ ଦାଦନ-ଉଦ୍ଧାରରୁ ଅପହଞ୍ଚ ରହି ଯାଆନ୍ତି।
ମାଡ୍ରାସ ଉଚ୍ଚ ନ୍ୟାୟାଳୟ ସ୍ଵୀକାର କରିଛନ୍ତି, ରିହାତି ଚାଉଳ ଦେବା ଫଳରେ ଶ୍ରମିକ ଅଭାବ ଦେଖା ଦେଉଛି। ଶ୍ରମିକଙ୍କ ଏହି ଅଭାବ ପୁରା କରିବାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି।
କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡ଼ା ଆଦି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ନଦୀବାଲି ଯାଏ। ଏହାର ଲାଭ ସରକାରୀ ଖାତାକୁ କେତେଯାଏ ତାହା ସରକାର ଜାଣିବେ। କିନ୍ତୁ ଦକ୍ଷିଣରାଜ୍ୟ ମାନଙ୍କରେ ନିର୍ମାଣର ମାତ୍ରାକୁ ଅନୁମାନ କରାଯାଉ!
ଅର୍ଥାତ ପରିସ୍ଥିତିକୁ ଦେଖିଲେ ଆଇନ ତଥା ବେଆଇନ ଦାଦନ ଅବଧାରିତ। ଏଥିରୁ ଲାଭ ନ ନେବା ନିଶ୍ଚିତ ମୁର୍ଖାମୀର କଥା।
ବ୍ୟବସାୟ ଏମିତି ଚାଲେ। ଏହି ଆଠଜଣ କେବଳ ବଞ୍ଚିବା ଅଛି ବୋଲି ଦାଦନ ଯାଆନ୍ତି; ବଞ୍ଚିବା ଅଛି ବୋଲି ଇଟା ଭାଟିରୁ ଲୁଚି ପଳେଇ ଆସନ୍ତି। ସମ୍ଭାବିତ ଓ ଅନାଗତ ଆତଙ୍କ ଭୟରେ ସେମାନେ ଏବେ ଶୋଇଛନ୍ତି ଠିକଣା ଓ ଭାଷା ଜାଣି ନଥିବା ଅପରିଚିତ ଲୋକଙ୍କ ଗହଣରେ।
ଉପସଂହାର
ସରକାର, ଆପଣଙ୍କ ତେଲ, ଚାଉଳ, ଘର, ଟଙ୍କା, ଯୋଜନା ଆଦିର ମହାବୃଷ୍ଟିକୁ ପଛକରି ଆଠଜଣ ଦାଦନ ବହୁତ କଷ୍ଟ ପାଇଲେଣି। ଆନ୍ଧ୍ର ମାନକଲେ ଆପଣ ହାତୀ ଘଉଡେଇ ଆଣନ୍ତି। କୋଟିଆ ଗାଁରେ ଛୁଆ ଜନ୍ମ ହେଲେ ଆନ୍ଧ୍ର ସରକାର ମାମୁଁଭାର ନେଇ ଆସନ୍ତି। ଆନ୍ଧ୍ର ପ୍ରଶାସନିକ ଲୋକ କୋରାପୁଟକୁ ବଣଭୋଜି କରି ଆସିଲେ ଆପଣଙ୍କ ରାଜ୍ୟର ଖବରକାଗଜ ଆନନ୍ଦରେ ଗୀତ ଗାଆନ୍ତି। ଆପଣଙ୍କ ଓ ତାଙ୍କ ନିବିଡ଼ ସମ୍ପର୍କ ବୋଲି ଆମେ ଜାଣୁ। ତେଣୁ ହେ ସରକାର ବାହାଦୁର ଆପଣ ଏମାନଙ୍କୁ ଉଦ୍ଧାର କରନ୍ତୁ। ଆପଣଙ୍କୁ ଲାଗିଥିବା ଦାଦନ ପାତକ ଲାଘବ ହେବ।
ବରଗଡ଼ ଓ କଳାହାଣ୍ଡି ଜିଲ୍ଲାପାଳ ଦ୍ଵୟଙ୍କୁ ମିନତୀ
ଆପଣମାନଙ୍କ ଅନୁଚର ଦାଦନ ଉଦ୍ଧାର କଲେ। ଆମେ ଖବରକାଗଜରୁ ଜାଣିଛୁ। ଏକଥା ଦଶନ୍ଧୀ ଦଶନ୍ଧୀର ଇତିହାସ। କିନ୍ତୁ ପାଞ୍ଚବର୍ଷ ହେଲା ସମସ୍ତ ଗଣମାଧ୍ୟମରୁ ଉଦ୍ଧାର-ବୀରଗାଥା ବେଶ୍ ଶୁଣୁଛୁ। କିନ୍ତୁ କେବେବି ଶୁଣି ନାହୁଁ ଯେ ଉଦ୍ଧାର ଦାଦନ ଶ୍ରମିକମାନେ Mgnrega କାମକରି ଖୁସିରେ ଅଛନ୍ତି। ସେମାନେ ପଣ କରିଛନ୍ତି ଯେ ଦାଦନ ଯିବେ ନାହିଁ।
ଆମର ଗ୍ୟାରେଣ୍ଟି ଅଛି ଦାଦନ, ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିଙ୍କ ଠୁ ଅଧିକ ସଚ୍ଚୋଟ। ଏମାନେ ପିସି ଖାଇବୁ ନାହିଁ ଭଳି ରାଣ ଖାଇ ପାରନ୍ତି ନାହିଁ। ଯଦି ଆପଣଙ୍କ ଯୋଜନା ମାନଙ୍କ ଦ୍ଵାରା ଲାଭ ପାଇ ଥରେ ରାଣ ଖାଇଲେ ତା’ହେଲେ କେବେବି ଦାଦନ ଯିବେ ନାହିଁ।
ଶୁଭକାମ ଏହି ଆଠଜଣ ଦାଦନଙ୍କ ନିକଟରୁ ଆରମ୍ଭ କରନ୍ତୁ।
ଆମର ଅନୁରୋଧ ସରକାର କି ପ୍ରଶାସନ ଶୁଣି ନ ପାରନ୍ତି। ଆପଣ ପାଠକ/ବିଚାରକ ଅଟନ୍ତି ! ଆପଣଙ୍କୁ ଅନୁରୋଧ କରୁ କି ନିଜର ସ୍ଵଳ୍ପ ସମୟ ଦେଇ ଏଇ ଆଠଜଣଙ୍କ ବିଷୟରେ ଚିନ୍ତା କରିବେ। ଏମାନେ ଓଡ଼ିଶା ଫେରି ଆସନ୍ତୁ।
ଦୁଇଦିନ ପରବର୍ତ୍ତି ଘଟଣା ଏହିପରି-ଇଟାଭାଟି ମାଲିକ କାର୍ଯ୍ୟ କ୍ଷେତ୍ରରୁ ପଲେଇ ଯାଇଥିବା ଶ୍ରମିକମାନଙ୍କୁ ଖୋଜୁଥାଏ। ଓଡ଼ିଶା ପ୍ରଶାସନ ଖବର ପାଇବାପରେ ସାତଜଣ ଶ୍ରମିକଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କଲେ। ଶ୍ରମିକମାନେ ନିଜର ପ୍ରବାସ ଠିକଣା କହିପାରିଲେ ନାହିଁ।
ପ୍ରଶାସନ କିଛି କରିବା ପୂର୍ବରୁ ମାଲିକ ଆସି ସମସ୍ତଙ୍କୁ ଫେରେଇ ନେଲା। ଅଗ୍ରିମ ବାବଦକୁ ଯାହା କଥା ଦେଇଥିଲେ ସମସ୍ତ ଟଙ୍କା ଦେଲା। ସମସ୍ତ ଶ୍ରମିକ କାମ କରିବାକୁ ରାଜି ହେଲେ।
ଭାଗିରଥି ଯାହାଙ୍କୁ ଦୁଇଦିନ ନିର୍ଯ୍ୟାତନା ଦିଆଯାଇ ଥିଲା ତାଙ୍କୁ ସୁସ୍ଥ ହେବାପାଇଁ ଦୁଇଦିନ ବିଶ୍ରାମ କରିବାକୁ ଛୁଟି ଦେଲେ।
କାହାଣୀ ଏତିକି
ସରକାର ସମେତ ସମସ୍ତଙ୍କୁ ଛେ…ଛେରଛେରା

ମାଲିକ ନିକଟରେ ବନ୍ଦି ଭାଗିରଥିଙ୍କ ପୁଅ ବସନ୍ତ

Leave a Reply

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

This site uses Akismet to reduce spam. Learn how your comment data is processed.

%d bloggers like this: