ବିନମ୍ର ଅନୁରୋଧ ୧୩

ଆମେ ଯେତେବେଳେ ଆମ ସମ୍ପର୍କକୁ ଡିଜିଟାଲାଇଜଡ କରି ସାରିଲୁଣି ସେ ସମୟରେ କରୋନା ଆସିଛି। ଆମେ ନିଜକୁ ନିଜେ ସାବିତ କରୁଛୁ ମାତ୍ର। ଏଥିରେ ମାନବୀୟ ଭାବାବେଗ ନାହିଁ, ଏ କଥା ଭୁଲ ଅଟେ। ସୀମା ସରହଦ ବାହାରେ ମଧ୍ୟ ଆମେ ବିଚାର ଆଦାନ ପ୍ରଦାନ କରି ପାରୁଛୁ।
ଏ ଆପଦା ସମୟରେ ଆଜିର ଦୁଇଟି ଘଟଣା ଚିନ୍ତା କରିବା ବିଷୟ।
ପ୍ରଥମ ଘଟଣାଟି ହେଲା ତାମିଲନାଡୁର ଗୋଟିଏ ଇଟା ଭାଟିରେ ଘଟିଥିବା ଘଟଣା। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଧିନରେ ଥିବା ମୁରିବାହାଲ ବ୍ଳକର ଦାଦନ ଖଟିବାକୁ ଜଣେ ପରିବାର ସହ ଯାଇଥିଲା। ଦାଦନ ମାନଙ୍କୁ କରୋନା ମାରିଦେବ ସିନା ଭୟଭିତ କରିପାରିବ ନାହିଁ।
୪୦ ପୁରୁଷ, ୪୨ ମହିଳା ଏବଂ ୨୬ ଜଣ ଶିଶୁଙ୍କ ଏକ ଗୋଷ୍ଠି ପୁଡ଼ୁଭୋଏଲ ଗାଁ ନିକଟରେ ଯାହା ତିରୁଭଲ୍ଲୁର ଜିଲ୍ଲା, ଗୁମୁଣ୍ଡିପୁଣ୍ଡି ଥାନା ଅଧୂନରେ ଆସେ; ସେଠାକାର ଗୋଟିଏ ଇଟା ଭାଟିରେ ଦାଦନ ଖଟନ୍ତି।
ଚଳନ୍ତି ଆପଦା ବେଳେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ତାଗିଦ, ଦାଦନ ସମ୍ପର୍କୀତ କୌଣସି ଘଟଣା ସାମ୍ନାକୁ ନ ଆସୁ ! ଏହି ଅଲିଖିତ ଫର୍ମାନକୁ କେବଳ ଇଟାଭାଟି ମାଲିକ ମାନଙ୍କୁ ପହଞ୍ଚାଇ ଦିଆଗଲା।
ଫର୍ମାନ ପହଞ୍ଚିବା ପୂର୍ବରୁ ଯେତେ ଦାଦନ ସର୍ଦାର ବିନା ଲାଇସେନ୍ସରେ କିନ୍ତୁ ଶ୍ରମ ବିଭାଗର ଜାଣତରେ ଦାଦନ ନେଇଛନ୍ତି ସେମାନେ ଭୟଭିତ ହୋଇଗଲେ। ଶ୍ରମିକ ପରିବାର ମାନଙ୍କୁ ରେଳଷ୍ଟେସନକୁ ପହଞ୍ଚାଇଲେ। ଆଜି ଦିନବେଳା ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେସନ ପରିସ୍ଥିତି ଯେପରି ହେଲା। ପୋଲିସ ଦୃଢ କାର୍ଯ୍ୟନୁଷ୍ଠାନ ହେଲା। ଭୟରେ ହଜାର ସଂଖ୍ୟାରେ ଲୋକ ଚାଲିଚାଲି ପଳେଇ ଆସିଲେ ଓଡ଼ିଶା ନିଜ ଘରକୁ।
କିଛି ନ ହେଲେ ବି ଓଡ଼ିଶା ସରକାରଙ୍କ ଘୋଷିତ ବାହାର ରାଜ୍ୟରେ ଓଡ଼ିଆଙ୍କ ଖର୍ଚ୍ଚ ଦେବାକଥା ଆଧାରରେ କ୍ଵାରେଣ୍ଟାଇନ କେନ୍ଦ୍ର ଖୋଳାଗଲା। ଓଡ଼ିଆ ଦାଦନ ମାନଙ୍କୁ ସେଠାରେ ରଖାଗଲା। ମାଁ ଗୋଟିଏ କେନ୍ଦ୍ରରେ ତ ପୁଅ ଅନ୍ୟଠାରେ। ଏ ସଂଖ୍ୟା ଏତେ ହୋଇଗଲା ଯେ ଓଡ଼ିଶା ଶ୍ରମ ବିଭାଗର ମିଛ ଓ ଦାଦନ ବେପାରର ସତ ଖୋଳି ଦେବାକୁ ଯଥେଷ୍ଟ ଥିଲା।
ଏହାର ବି ସମାଧାନ ବାହାର କରାଗଲା। ସେଠାରେ ଖରା ଯୋଗୁଁ ଶ୍ରମିକମାନେ ରାତିରେ କାମ କରନ୍ତି। ଇଟା ତିଆରିରେ ସାମାଜିକ ଦୂରତ୍ଵର ମାନରକ୍ଷା ହୋଇଥାଏ। ଇଟାଭାଟି ମାଲିକମାନେ ବହୁତ ପ୍ରଭାବୀ ! କାମ ଚାଲିଲା। ଅସ୍ଥାୟୀ କ୍ଵାରେଣ୍ଟାଇନ କେନ୍ଦ୍ରରୁ ନିଜନିଜ ଶ୍ରମିକଙ୍କୁ ନେଇଗଲେ। କେନ୍ଦ୍ରମାନଙ୍କରେ କ୍ୱଚିତ ରହିଲେ। ସେଠାରେ ଦାଦନ ଶ୍ରମିକମାନେ କୁକୁଡ଼ା ଖାଦ୍ୟ ଖାଆନ୍ତି। ଯାହାକୁ ଆମ ଅଞ୍ଚଳରେ କନକୀ କହନ୍ତି। ଚାଉଳ ପାଇଁ କେବଳ ଅସୁବିଧାରେ ଅଛୁ କହି ଓଡ଼ିଶା ସରକାରଙ୍କୁ କହିଲେ। ଏହି ଘୋଷିତ ଖାଦ୍ୟ ତାଙ୍କର ହକ ଅଟେ। ଏ ବିଶ୍ୱାସ କିମ୍ଵା ସୂଚନା ଅନ୍ୟ ଅନେକଙ୍କ ପରି ତାଙ୍କ ପାଖରେ ନାହିଁ।
ଏ ପରିସ୍ଥିତିରେ ଉପର ଲିଖିତ ଦାଦନ ଗୋଷ୍ଠିରୁ ଭାଟିରେ ମୁନସି ଥିବା ଜଣେ ସ୍ଥାନୀୟ ଯୁବକ ଓ ତାର ସହଯୋଗୀ ଯେଉଁମାନେ ମାଲିକ ପୁଅ ଓ ତା’ ସହ ସମ୍ପର୍କୀତ ଉପର ଲିଖିତ ଲୋକର ଗୋଟିଏ ୧୫ ବର୍ଷର ଝିଅକୁ ଆଜିକୁ ୪ଦିନ ହେଲା ନେଇ ଯାଇଛନ୍ତି। ପୋଲିସ ପାଖରେ ଅଭିଯୋଗ ମଧ୍ୟ କାର୍ଯ୍ୟର ନୁହେଁ। ଘଟଣାକୁ ସମାଧାନ ସ୍ତରକୁ ଆଣିବା କଥା କରାଯାଉଛି ବୋଲି ଜଣା ପଡୁଛି।
ଦ୍ୱିତୀୟ ଘଟଣାଟି ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେସନର। ଦିନ ୪ଟା ପର୍ଯ୍ୟନ୍ତ କୋଡ଼ିଏ ହଜାରରୁ ଅଧିକ ଶ୍ରମିକ ଜମା ହୋଇଗଲେ। ସେମାନେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର।
ରେଳଗାଡି ଚାଲିବ ଓ ସେମାନେ ନିଜ ନିଜ ଘରକୁ ଯିବେ ! ପୋଲିସ ଲାଠି ଚାର୍ଜ କଲା। ସେମାନେ ନିଜ ନିଜ ରହୁଥିବା ଥାନକୁ ଫେରିଲେ। ହଜାର ହଜାର ଲୋକ ଗୋଟିଏ ଜାଗାରେ ଜମା ହେବା ଗୋଟିଏ ଭୟ ନିଶ୍ଚିତ। ଯେଉଁମାନେ ଫେରିଲେ ସେମାନଙ୍କୁ ତାଙ୍କ ସହବାସୀ ମାନେ ଛୁଇଁଲେ ନାହିଁ। ସଂକ୍ରମଣ ର ଅଧିକ ସମ୍ଭାବନା ଥିବା ଭୟରେ। ଏବେ ସେମାନେ କରିବେ କଣ? ଖବର ମିଳିଛି ଜଣେ ଜଣେ ୩/୪ ଘଣ୍ଟା ଚାଲିଚାଲି ବାନ୍ଦ୍ରା ପହଞ୍ଚିଥିଲେ।
ଘଟଣା ପୋଲିସ ଅନୁସନ୍ଧାନ କରୁଛି। ଅର୍ଥାତ କିଛି ଗୋଟିଏ ହୋଇଛି। କିଏ ତ ଖବର କରିଛି। ନିଶ୍ଚୟ ମୋବାଇଲ ଫୋନ, ଏକଥା ଯାହା ହେଉ ଯିଏ ଖବର କରିଛି ତାର ପ୍ରତ୍ୟକ୍ଷ ଅପ୍ରତ୍ୟକ୍ଷ କୋଡ଼ିଏ ହଜାର ଶ୍ରମିକ ଉପରେ ନିୟନ୍ତ୍ରଣ ରଖୁଛି! ନିଶ୍ଚିତ ପ୍ରଭାବୀ ଲୋକ। ଏ ଲୋକମାନେ ପ୍ରଶାସନ ଓ ରାଜନୀତିର ଅତି ନିକଟତମ ଲୋକ।
ଆଜିର ଦିନ ପ୍ରଧାନମନ୍ତ୍ରୀ ଘୋଷଣା କରିବା ୨୧ ଦିନ ପୂର୍ତ୍ତିର ଦିବସ ଓ ଆଜି ହିଁ ମଇ ୩ ତାରିଖ ପର୍ଯ୍ୟନ୍ତ ପରିବର୍ଦ୍ଧିତ ସମୟର ଘୋଷଣା ନିଜେ ପ୍ରଧାନମନ୍ତ୍ରୀ କଲେ। ମାକ୍ସ ନ ଲଗାଇ। ମୁହଁରେ ପ୍ରତିକ ଭାବେ କରିଆ ଘୋଡିଥିଲେ। ପରେ ଖୋଳି ଦେଲେ। ଯାହାର ପ୍ରତୀକାତ୍ମକ ଖବର ହେଲା ମାକ୍ସ ତିଆରିବା ଭଲକଥା କିନ୍ତୁ ନିଜର ପରିଧାନ ଅବା ଉପଢୌକନ ବି ଯଥେଷ୍ଟ।
ଅର୍ଥାତ ଦେଶକୁ ସୂଚିତ କରିବା ପାଇଁ କୁହାଗଲା ଯେ ବାନ୍ଦ୍ରାରେ ଜମା ହୋଇଥିବା ଶ୍ରମିକ, ଶାସନର ଅପାରଗତା ଅଟେ !
ସେମାନେ ଜମା ହୁଅନ୍ତୁ ଅବା ତାଙ୍କର ଝିଅ ଅପହରଣ ହେଉ, ଏମାନେ ଖଟିଖିଆ ମଣିଷ। ସେମାନେ କୌଣସି ଆଦର୍ଶ ମତବାଦରେ ଦାୟ ରଖନ୍ତି ନାହିଁ। ଆଗେ ରଜା ଜିତୁଥିଲା ଏବେ ନେତା କରୁଛନ୍ତି। ସେମାନେ ଆକ୍ରମଣ କରନ୍ତି ନାହିଁ। ପରିଶ୍ରମ କରନ୍ତି ବଞ୍ଚନ୍ତି। ରାସ୍ତାରେ ଚାଲି ଚାଲି ମରିଯାନ୍ତୁ; ବାନ୍ଦ୍ରାରେ/ଗାଁର ରାସ୍ତା ଉପରେ ପୋଲିସର ଲାଠି ଖାଆନ୍ତୁ ଅବା ତାଙ୍କର ପନ୍ଦର ବର୍ଷର ଝିଅ ଅପହୃତ ହେଉ!
ପ୍ରଧାନମନ୍ତ୍ରୀ କହୁଥିବା ୧୩୦ କୋଟି ମଧ୍ୟରୁ ଏମାନେ କ୍ଵଚିତ ଏବଂ ଏମାନଙ୍କ ପୃଥିବୀର ଅନେକ। ଗୋଟିଏ ବଡ଼ ସଂଖ୍ୟା। ସାହିତ୍ୟ ଓ ଶାସ୍ତ୍ରରେ ଗଦଗଦ କଲାପରି ଚରିତ୍ରମାନଙ୍କ ସମୂହ। କିନ୍ତୁ ବାସ୍ତବରେ କଥା କହି ଜାଣନ୍ତି ବୋଲି, ଏମାନେ ମଣିଷ। ନହେଲେ ଏମାନେ ମଧ୍ଯବର୍ଗୀ-ବିଳାସ ଓ ଉଚ୍ଚବର୍ଗର ସାମନ୍ତବାଦରେ ଗୋଟିଏ ଗୋଟିଏ ଉପକରଣ ଭଲି ବ୍ୟବହାର ହୁଅନ୍ତି। ଏମାନଙ୍କୁ ସମ୍ପତ୍ତି ଦିଆଯାଏ ନାହିଁ। ଏମାନଙ୍କ ଶାରିରୀକ ଓ ମଧ୍ଯବର୍ଗର ମାନସିକ ପରିଶ୍ରମ ରାଜାଙ୍କ ସାମ୍ରାଜ୍ୟ ତିଆରେ।
ଏମାନଙ୍କ ସଂଖ୍ୟା ହିଁ ଅନେକଙ୍କୁ ଆକୃଷ୍ଟ କରେ। ରିହାତି ଚାଉଳ ଅବା ପ୍ରତିବାଦ, ଲଡାଇର ଉତ୍କୋଚ ଏମାନଙ୍କ ନିକଟରେ ଏକା କଥା।
ଏ ମଣିଷ ମାନେ ମରି ଜାଣିଛନ୍ତି ବଞ୍ଚି ଜାଣିଛନ୍ତି। ଏହା ବି ଜାଣନ୍ତି ଜେ ତାଙ୍କର ସଂଖ୍ୟା ହିଁ ତାଙ୍କର ସୁରକ୍ଷା। ପ୍ରଧାନମନ୍ତ୍ରୀଙ୍କ ୧୩୦ କୋଟି ଭିତରେ ସେମାନେ ନିଜକୁ ଦେଖନ୍ତି। ଅର୍ଥାତ ସେମାନେ ସୁରକ୍ଷିତ। ବାସ ଖଣ୍ଡମଣ୍ଡଳକୁ ଜିତିଛି ମାନେ ସେ ରାଜୁତି କରିବ ଆଉ ଏମାନେ ପ୍ରଜା ହେବେ। ପରବାୟ ନାହିଁ; କାମ କରିବେ ବଞ୍ଚିବେ ଓ ମରିଯିବେ! ସର୍ତ୍ତ କୋକେଇର ଚାରି କାନ୍ଧ ନିଜର ଥିବ। ଏହା ହିଁ ତାଙ୍କର ଦର୍ଶନ। କେତେ ରାଜା ଆସିବେ ଯିବେ କିନ୍ତୁ ସେମାନେ ଅପରିବର୍ତ୍ତିତ।
ଆମ ଅଞ୍ଚଳର ଜଣେ ଲୋକ କବୟିତ୍ରୀ ସେତେବେଳେ ତାଙ୍କର କବିତା ଆବୃତ୍ତି କରି ଭିକ ମାଗୁଥିଲେ,
ଏତେ ଏତେ ବନ୍ଧ କୁଡାଇଲେ
ସେମାନେ କାହିଁ ଗଲେ
ଏତେ ଏତେ ଦେଉଲ ତୁଲାଇଲେ
ସେମାନେ କାହିଁଗଲେ. . .
ଗାଦୁ ଯା ଗୋ ଗାଦୁ ଯା
ବେଲ ହଲାନେ. . .
ଏମାନେ ଜାଣନ୍ତି ସେମାନଙ୍କ ଭିନେ ପୁରଥି।
ଏମାନେ ଦୟା ଚାହାନ୍ତି ନାହିଁ। ବଞ୍ଚିବାକୁ ଚାହାନ୍ତି। ତେଣୁ ସଂଖ୍ୟାରେ ହେଉ ପଛେ ତାଙ୍କର ପୃଥିବୀକୁ କେହି ପଶିବାକୁ ଚାହାନ୍ତି ନାହିଁ। କେହି ପଶି ପାରନ୍ତି ନାହିଁ। ସେମାନେ ତାଙ୍କ ପୃଥିବୀକୁ ସୁରକ୍ଷିତ ରଖିଛନ୍ତି।
ଏମାନଙ୍କ ସଂଖ୍ୟା ଶାସନକୁ ଡରାଏ ଶାସନ ଆଶ୍ୱସ୍ଥ ହୁଏ ଏମାନେ ସଂଗଠିତ ନୁହନ୍ତି। ଅନେକ ଏମାନଙ୍କ ସଙ୍ଗଠନ ଚାହାନ୍ତି। ଉପଜ କ୍ଷମତା ଏମାନଙ୍କ ଅଛି ତେଣୁ ସମସ୍ତେ ଏମାନଙ୍କଠାରୁ ହିଁ ସମ୍ପଦା ଓ ସାମ୍ରାଜ୍ୟ ନିଅନ୍ତି।
ବର୍ତ୍ତମାନ ଏମାନେ କାହାକୁ ଶୁଣିବେ ନାହିଁ। ନିନ୍ଦା କି ପ୍ରଶଂସା ବି ନୁହେଁ। ଏମାନଙ୍କୁ ବ୍ୟବହାର କରି ଏମାନଙ୍କ ଝିଅକୁ ଅପହରଣ କରା ନଯାଉ। ରେଳଷ୍ଟେସନକୁ ଦୌଡ଼ା ନ ଯାଉ। ଏମାନେ ତୁମର କୌଣସି ଦର୍ଶନରେ ଦାୟ ରଖନ୍ତି ନାହିଁ।
ଏମାନଙ୍କ ଭିତରକୁ ଦୁଇଜଣ ମାତ୍ର ଐତିହାସିକ ପୁରୁଷ ପହଞ୍ଚି ଥିଲେ; ଗାନ୍ଧୀ ଓ ବୁଦ୍ଧ। ମାନବତାର ମସିହା ବାବା ସାହେବ ଏମାନଙ୍କୁ ନେତୃତ୍ଵ ଦେଇଥିଲେ; ତୁମର ସାମ୍ରାଜ୍ୟ ଏମାନଙ୍କ ମତକୁ ସମାନ ଆଙ୍କୁ!
ବର୍ତ୍ତମାନ ଆପଦାର ସମୟ। ସାମ୍ରାଜ୍ୟ ଲିପସା କୁଟନୀତିର ନୁହେଁ।
ଏ କାମରେ କେଉଁ ଅହ°ର ଶାନ୍ତି ହେଉଛି? ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟୁହ ଉପରେ ଲୋକ ଭରସା କରୁଛନ୍ତି। କୌଣସି ନେତାର ନେତୃତ୍ଵ ନାହିଁ। କେହି ଶୁଣିବେନି କାହାକୁ। ସୁବ୍ରତ ବାଗଚିଙ୍କ ସୂଚନାର ମୂଲ୍ୟାଙ୍କନ କରିବା ବି ତଦୃପ।
ପଶ୍ଚିମ ଓଡ଼ିଶା-ଓଡ଼ିଶା କି ଭାରତ ନୁହେଁ ସମଗ୍ର ବିଶ୍ଵର ମାନବ ପ୍ରଜାତି ଉପରେ ଆପଦ ସମୟ ଏହା। ସଂଯମର ସମୟ।
ଗତକାଲି ସମାଜସେବୀ ବଂଶିଧର ବେହେରାଙ୍କ ସୌଜନ୍ୟରୁ ଦୁଇଟି ଫଟୋ ପାଇଲି। କୋରାପୁଟର ଗୋଟିଏ ବୃଦ୍ଧ ଦମ୍ପତ୍ତି ଲକଡାଉନ ଯୋଗୁଁ ରାଜଧାନୀରେ ଫସିଗଲେ। ନିଜେ ରାନ୍ଧି ଖାଇଲେ। ପରେ ସରକାରୀ ରନ୍ଧା ଖାଦ୍ୟ ପାଇଲେ। ସେମାନେ ସଂଧ୍ୟାରେ କିଛି ଭାତ ଅନ୍ନଛତ୍ରରୁ ଆଣନ୍ତି। ମାଁ ଜଣକ ଭାତ ମୁଠାକୁ ପୁଣି ଫୁଟାଇ ତୋରାଣି କରନ୍ତି। କାରଣ ଲକ ଡାଉନର ସ୍ଵଳ୍ପ ଦିନ ଭିତରେ ଗୋଟିଏ ବୁଲା ଷଣ୍ଢ ସହ ତାଙ୍କର ସମ୍ପର୍କ ଗଢି ଉଠିଛି। ମାଁ ଜଣକ ପ୍ରତିଦିନ ସଂଧ୍ୟାରେ ଷଣ୍ଢକୁ ତୋରାଣି ଦେଉଥିଲେ।
ଏବେ ଅନ୍ନଛତ୍ରର ମୁଠାଏ ଭାତକୁ ଚୁଲିରେ ସିଝାଇ ପ୍ରତିଦିନ ଷଣ୍ଢ ପାଇଁ ତୋରାଣି କରନ୍ତି।

Leave a Reply

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

This site uses Akismet to reduce spam. Learn how your comment data is processed.

%d bloggers like this: