ବର୍ତ୍ତମାନ ମାନବ ସଭ୍ୟତା ମୃତ୍ୟୁସହ ସାମ୍ନା କରୁଛି। ଆମେ ସମସ୍ତେ ନିଜ ନିଜର ଦାୟିତ୍ୱ ତୁଲାଇବା। ସଲାମ ସମସ୍ତ ସରକାରୀ କର୍ମଚାରୀଙ୍କୁ। ଆପଣମାନଙ୍କ ନିଷ୍ଠା ଓ କର୍ତବ୍ୟପରାୟଣତା ଆମ ସାଧାରଣ ନାଗରିକଙ୍କୁ ସୁରକ୍ଷା ବୋଧ ଦେଉଛି। ପୋଲିସ ବିଭାଗର ସଜଗତା ଉପରେ କୌଣସି ପ୍ରଶ୍ନ କରାଯାଇ ପାରିବ ନାହିଁ।
ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଦ-୧୯ର ସଂକ୍ରମଣ ମାତ୍ରା ଓ ସଂକ୍ରମଣର ଚରିତ୍ରକୁ ଦେଖିଲେ ଏହା ମାନବ ପ୍ରଜାତି ଉପରେ ଏକ ବଡ଼ ଧରଣର ଆକ୍ରମଣ।
ଆମ ଦେଶ ଭାରତ ସେତେ ସମ୍ପନ୍ନ ନୁହେଁ ଯାହା ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁବିଧା ଦେଇ ପାରିବ। ଆମେ ଯଦି ନିଜକୁ ସଂକ୍ରମିତ ନ କରିବା ତା ହେଲେ ଆମେ ସୁରକ୍ଷିତ ରହିବା। ଏହାର ବିପରିତ ଯଦି ସଂକ୍ରମିତ ହୋଇଯିବା ତାହେଲେ ଆମେ ନିଜ ପ୍ରଜାତି ପାଇଁ ବଡ଼ ବିପଦ ହୋଇଯିବା।
ସବୁଠୁ ସାଧାରଣ ଲୋକ ଟିଏ ଏତିକି ବୁଝୁଛି କାହାକୁ ଛୁଇଁବା ନାହିଁ। ଆମ ଗାଁ ମାନଙ୍କରେ ଏହି ଅଭ୍ୟାସ ଅଛି ନ ଛୁଇଁ ବି ସାଧାରଣ ବ୍ୟବହାର ରଖିପାରୁ। ପ୍ରତିଟି ଓଡ଼ିଆ ଗାଁର ଲୋକ ଏହାସହ ବେଶ ପରିଚିତ। ଏ ନ ଛୁଇଁବା ବ୍ୟବହାର ଆମ ଭିତରର ସମ୍ପର୍କକୁ ନିବିଡ଼ କରିଛି ସିନା ଆମର ସମ୍ପର୍କକୁ କେବେବି ଅଛୁତ କରି ପାରିନାହିଁ। ୧୯ ଟି ଦେଶରେ ଆମ ଅଜଣା ଭାଇ ପରିଜନଙ୍କ ମୃତ୍ୟୁରେ ଆମେ ‘ଛିଆଁ’ ହେଇଛୁ। ବାସ ଏତିକି ହିଁ କରିବା ଅଛି।
ସମଗ୍ର ଓଡ଼ିଶାକୁ ଏବେ ଶ୍ରମିକମାନେ ଫେରିବେ। ଦୀର୍ଘ ରେଳଯାତ୍ରା। ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରୁ। ମହାରାଷ୍ଟ୍ର, ଗୁଜୁରାଟ, ଉତ୍ତରପ୍ରଦେଶ ଆଦି ରାଜ୍ୟରୁ। ଏମାନଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ସୂଚିତ କରି ଓଡ଼ିଆ ଦାଦନ ଶ୍ରମିକଙ୍କ ପାଇଁ ଅନ୍ତତଃ ଖାଦ୍ୟ ଓ ସ୍ବଚ୍ଛତା ସାମଗ୍ରି ଯୋଗାଇବା ଉଚିତ। ଯଦି ସେମାନେ ଗାଁକୁ ଫେରି ଆସନ୍ତି ନିଜ ନିଜ ଗାଁରେ ତାଙ୍କୁ ଦୁଇ ସପ୍ତାହ ଗାଁରୁ ନିଆଁପାଣି ବାସନ୍ଦ କରି ରଖାଯିବା ବ୍ୟବସ୍ଥା ହେବା କଥା। ଏହି କରୋନା-ବାସନ୍ଦ ସମୟରେ ତାଙ୍କର ଖାଦ୍ୟ, ସ୍ଵଚ୍ଛତା ସାମଗ୍ରି, ଔଷଧ ଆଦି ଯୋଗାଇବା ବ୍ୟବସ୍ଥା ହେବା ଉଚିତ। ଏଥିପାଇଁ ଗାଁ ଲୋକ ମଧ୍ୟ ସହଯୋଗ ପାଇଁ ସଜଗ ରହିବା ଉଚିତ।
ପ୍ରକୃତରେ ଏହା ଆପଦ-କାଳ। ପୋଲିସ, ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ, ଲୋକଙ୍କ ପାଇଁ କାମ କରୁଥିବା କର୍ମଚାରୀଙ୍କ କାମରେ ଅଯଥା ହସ୍ତକ୍ଷେପ ନକରି ତାଙ୍କର କାମରେ ସହଯୋଗୀ ହେବା ତାଙ୍କ ନିର୍ଦ୍ଦେଶକୁ ମାନିବା ଆମର କର୍ତ୍ତବ୍ୟ।
ଆମର ସବଶେଷ ପରିଚୟ ହେଲା ଆମେ ମଣିଷ।