ପ୍ରଥମ ଅଧ୍ଯାୟ
ମଦ ଏକ ଅନ୍ତହୀନ ବିବାଦୀୟ ପ୍ରସଙ୍ଗ ଆମ ରାଜନୀତିରେ। ରାଜନୀତି ଏଥି ପାଇଁ କି, ଜେ ମଦର ଉପକାରିତା ଉଣା ଅଧିକେ ସମସ୍ତେ ଜାଣନ୍ତି ! ଯେଉଁମାନେ ଏହାକୁ ବିରୋଧ କରନ୍ତି।
ଘଟଣାଟି ବହୁତ ପୁରୁଣା। ସେତେବେଳର ଯେଉଁ ସମୟରେ ଏନ.ଟି(ନାୟବ ତହସିଲଦାର, ବର୍ତ୍ତମାନର ଆର.ଆଇ ବା ରେଭନ୍ୟୁ ଇନ୍ସପେକ୍ଟର), ଥାନାବାବୁ, ଫରେଷ୍ଟର ଆଦି ବଡ଼ ବଡ଼ ସାହେବମାନେ ମଦଭାଟି ଭିତରେ କେବେ କେବେ ଅପ୍ୟାୟିତ ହେଉଥିଲେ।
ଥରେ ଗାଁର ଯୁବକ କେତେଜଣ ମଦପିଇ ଉତ୍ପାତ ହେଉଥିଲେ। ଲୋକେ ଅତିଷ୍ଟ ହେଲେ। ଝିଅବୋହୂଙ୍କ ଲାଗି ଅସହଜ ହେଲା ମଦୁଆଙ୍କ ଉତ୍ପାତ।
କେତେଜଣ ମାନନୀୟ ବ୍ୟକ୍ତି ଥାନାବାବୁଙ୍କ ହଜୁରରେ ଫେରାଦ ହେଲେ। ଥାନାବାବୁଙ୍କ ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେଲା; ଯିଏ ମଦ ପିଇବ ଭାଟିରେ ପିଇବ। ବାହାରକୁ ନେଇ ପାରିବ ନାହିଁ।
ଗାଁ ଶାନ୍ତ ହେଲା। ଥାନାବାବୁଙ୍କ ସମ୍ମାନ ବଢିଲା। କିନ୍ତୁ ଅସୁବିଧା ହେଲା ଗାଁ ଭାଗବତ ସଭାର ମୁଖ୍ୟଙ୍କୁ। ଦନାର କକା! ପନ୍ଦର ହେକ୍ଟର ଜମି, ଆମ୍ବ ତୋଟା ଓ ନିଜର ଚାରି ଏକର ବନ୍ଧ ଦେଖୁ ଦେଖୁ ଦ୍ୱିପ୍ରହର ହୋଇଯାଏ। କାକି ଗୁହାଲ ଓ ଘରକାମ ସାରି ଖାଇବା ଆଣନ୍ତି।
ସଂଧ୍ୟାରେ କକା ଗୋଟିଏ ଅଦି ମଦ ମଗେଇବେ ଅନୁଚର ଭାଜି ହାତରେ।
ଥାନାବାବୁ ମଦ ଉପରେ କଟକଣା ଲଗେଇଛନ୍ତି; ଭାଜି ନିଜର ସାଁକାର(ମାଲିକ) ପାଇଁ ଯେମିତି ହେଲେ ମଦ ନେବ। ପୋଖରୀପାଣି ଯିବା ବାହାନାରେ ଗଡୁରେ ମଦ ଆଣିବ।
ଆଠଦିନ ଯାଇଛି କି ନାହିଁ କକା କହିଲେ, ହଏଗା ଭାଜି ! ଇ ହଗରି ଗଡୁଥି ମଦ ପିଆ? ଏଁ . . . ! ଛିରେ ଶଲାର ଜୀବନ। ଆର ମଦ ନାଇ ପିଉଁ ନା ଗା!
ବୈରାଗୀ ମାମୁଁଙ୍କୁ ଡାକି କର୍ଣ୍ଣମନ୍ତ୍ର ନେଲେ। ତୁଳସୀ କଣ୍ଠି ପିନ୍ଧିଲେ।
ଦ୍ୱିତୀୟ ଅଧ୍ୟାୟ ଦନାରକକାଙ୍କ ନାତି ଫକୀର। ଟୁରାପିଲା(ବାପଛେଉଣ୍ଡ) ବୋଲି କକାଙ୍କ ଆଖିର ତରା। ପାଠ ପଢିଲା। ଯୁକ୍ତଦୁଇ ପରେ ଭବାନୀପାଟଣା ପଢ଼ି ଯିବାକୁ ସଜ ହେଲା। କକାଙ୍କ ଚିନ୍ତା ବଢିଲା। ଏକମାତ୍ର ଝିଅ ପାଇଁ ଘୁଞ୍ଜା(ଘର ଜୋଇଁ) କରିଥିଲେ। ଅବେଳରେ ଝିଅ ରାଁଡ଼ି (ବିଧବା) ହେଲା। ନାତିକୁ ଆଖିରୁ ଦୂର କରିବାକୁ ଚାହୁଁ ନଥିଲେ।
ଠିକ ଏତେବେଳକୁ ପଞ୍ଚାୟତ ଗଠନ ହେଲା। ତାଙ୍କ ଗାଁ ଗୋଟିଏ ପଞ୍ଚାୟତ ମୂଖ୍ୟାଳୟ ହେଲା। ଫକୀରକୁ ସେକ୍ରେଟେରୀ କରିଦେଲେ।
ଫକୀର ବାହା ହେଲା। ପୁଅର ବାପା ବି ହେଲା। ଦନାରକକା ଶାନ୍ତିରେ ମଲେ। ତାଙ୍କ ଅନ୍ତେ ଫକୀର ଉତ୍ତରାଧିକାର ସୂତ୍ରରେ ସମ୍ପତ୍ତି ପାଇଲା ସମ୍ମାନ ବି ପାଇଲା। ପାଖଆଖ ଗାଁ ଲୋକ ବି ତାକୁ ଖୁବ ସମ୍ମାନ କରନ୍ତି। ଭଲ ମନ୍ଦ ନ୍ୟାୟ ନିସାପରେ ବି ଫକୀରକୁ ଡାକନ୍ତି। ଫକୀର କମ ବୟସର ହେଲେବି ଲୋକେ ବେଶ ସମ୍ମାନ କରନ୍ତି।
କେବେ କେମିତି ଫକୀର ସାଥି ପିଲା କି କେତେ ଲୋକଙ୍କ ସାଙ୍ଗରେ ମଦ ପିଏ। ଲୋକଙ୍କ ଉଲମନ୍ଦ ଗାଁ ଭଲମନ୍ଦ ଚର୍ଚ୍ଚା କରେ। ଦରକାର ହେଲେ କାହାକୁ ଡାକି ତାଗିଦ ବି କରେ। ଲୋକ ବି ଫକୀର କଥା ରଖନ୍ତି। ଫକୀର ବି ଲୋକଙ୍କ କଥା ରଖେ।
ଏତେବେଳକୁ ଏନଜିଓର ପୃଥିବୀ ପରିବର୍ତ୍ତନ ଅଭିଯାନ ଚାଲୁଥାଏ। ଜଙ୍ଗଲ ସୁରକ୍ଷା, ଜମି ସୁରକ୍ଷା, ଜଳ ସୁରକ୍ଷା ଆଦି ସୁରକ୍ଷା କରୁଥାଏ। ନାନା ଅନୁଶାସନ କଥା କହୁଥାଏ। ପରିବାରକୁ କିଛି ସମୟ ଅନ୍ତରାଳରେ ଧନୀ କରି ଦେବାକୁ ସ୍ଵୟଂ ସହାୟକ ଗୋଷ୍ଠିମାନ ତିଆରି କରୁଥାଏ ମହିଳାମାନଙ୍କୁ ନେଇ। କିଛିବର୍ଷ ପରେ ଗାଁ ଧନୀ ହୋଇଯିବ।
ଗ୍ରାମ୍ୟ ସମ୍ପନ୍ନତା ପାଇଁ ଯେଉଁ ସବୁ ବାଧକ ଅଛି ତାକୁ ଦୂର କରିବା ପାଇଁ ଏନଜିଓ ଚିନ୍ତାକଲା। ଏନଜିଓରେ କାମ କରି ପାଖ ଗାଁର ଦମୟନ୍ତି ନାନୀ ଖୁବ୍ ନାଁ କମେଇଛନ୍ତି। ସଭାସମିତି କରନ୍ତି ଗୋଷ୍ଠି ଗଠନ କରନ୍ତି। ପାଖ ଆଖ ଗାଁକୁ ଯାଆନ୍ତି। ଦିଲ୍ଲୀ ବି ଯାଆନ୍ତି। କେବେ କେବେ ତାଙ୍କ ନାଁ ଖବରକାଗଜରେ ବାହାରେ, ଫଟୋ ବି ବାହାରିଛି। ତାଙ୍କର ସମ୍ମାନ ବହୁତ। ଗତ ନିର୍ବାଚନରେ ନାନୀ ନ ହେଲେ ତାଙ୍କ ଗାଁ ଠିକାଦାର ସ୍ୱାମୀ ସରପଞ୍ଚରେ ଠିଆହେବେ ବୋଲି ଲୋକେ କଥା ହୁଅନ୍ତି।
ମଦ ବିରୋଧି ଆନ୍ଦୋଳନ ଚାଲିଲା। ମଦର ଅପକାର ଏବଂ ଏହାକୁ ନେଇ ଯେତେସବୁ ଆପଦ ହୁଏ ତାହାର ଭାଷଣ ଦିଅନ୍ତି। ଅତୀତରେ ହୋଇଥିବା ଅନେକ ଘଟଣାମାନଙ୍କ ଉଦାହରଣ ବି ଦିଅନ୍ତି।
ସବୁ ଠିକ୍ କିନ୍ତୁ ଫକୀରର ଆସର ଚାଲୁଥିବା ପର୍ଯ୍ୟନ୍ତ ମଦ ଆନ୍ଦୋଳନ ସଫଳ ହେବ ନାହିଁ। ଫକୀର_ବୋହୂଙ୍କୁ ବି ନାନୀ ଗୋଟିଏ ଗୋଷ୍ଠିର ସଭାନେତ୍ରୀ କରିଛନ୍ତି। କୌଣସି ଗୋଟିଏ ଗୁପ୍ତ ସଭାରେ କିଛି ମନ୍ତ୍ରଣା ହେଲା। ଆନ୍ଦୋଳନ ତୀବ୍ର ହେଲା। କେଉଁଠି କିଏ ମଦ ପିଉଥିଲେ ମହିଳାମାନେ ଯାଇ ମଦ ଢ଼ାଲି ଦେଲେ। ଏମିତି ଫକୀରର ଗୋଟିଏ ଆସରକୁ ବୋହୂକୁ ପଠେଇ ଦେଲେ। ବୋହୂ ଫକୀରର ମଦଗ୍ଲାସ ଢାଲି ଦେଲେ।
ଗାଁଲୋକ କହିଲେ ଅନ୍ୟାୟ ହେଲା। ଫକୀର ବାବୁକେ ଏନ୍ତା କରବାର ନାଇଥାଇ। ପାଖଆଖ ଲୋକ ସେ ବୃଦ୍ଧିକୁ ଖୋଜୁଥାନ୍ତି ଯିଏ ବୋହୂଙ୍କୁ ଆସର ପର୍ଯ୍ୟନ୍ତ ନେଲା। ଏପଟେ ଏନଜିଓ ଏବଂ ତାର କାର୍ଯ୍ୟକର୍ତ୍ତା ବେଶ୍ ଉତ୍ଫୁଲ୍ଲ ଥାନ୍ତି; ଗଡ଼ ବିଜୟର ଅହମିକା।
ଫକୀର ଅପମାନ ପାଇଗଲା। ଘରୁ ବାହାରିଲା ନାହିଁ।
ଲୋକେ ଘଟଣାକୁ ନେଇ ଅସାମାନ୍ୟ ସ୍ଥିତିରେ ଥାନ୍ତି। ଏପରିବି ଚର୍ଚ୍ଚା ହେଲା ସରପଞ୍ଚ ହେବାର ଲାଗି ନାନୀ ଇ ବୁଦ୍ଧି ବାହାର କରିଛେ।
ନାନୀ ସଫେଇ ଦିଏ ଘଟଣା ଦିନ ସେ ଗାଁରେ ଅନୁପସ୍ଥିତ ଥିଲା। ସ୍ଵଳ୍ପ ସଞ୍ଚୟ ବିରାଟ ଆନ୍ଦୋଳନ ନାମକ ଏକ ସଭାକୁ ଅତିଥି ହୋଇ ଜିଲ୍ଲା ସଦର ଯାଇଥିଲେ।
କିଛିଦିନ ଗଲା। ବେଦବ୍ୟାସ ପୁଟେଲ ଝିଅର କୁଣାବରା କଲା। ସମ୍ପର୍କୀୟ ହୋଇଥିବା ହେତୁ ନାନୀଙ୍କ ପରିବାର ଆସିବା କଥା। ନାନୀ ନିଜେ ନ ଆସି ସ୍ୱାମୀଙ୍କୁ ଏକା ପଠେଇଲେ।
ଗୋଟିଏ ଦୃଶ୍ୟ ଏହିପରି ଥିଲା। ନାନୀଙ୍କ ସ୍ଵାମୀ ମାତାଲ ହେଇ ଗୀତ ଗାଇ ଗାଇ ଗଣାବଜାରେ ନାଚୁଥାନ୍ତି। ଲୋକଙ୍କ ବାରଣକୁ ବି ଉପେକ୍ଷା କରୁଥାନ୍ତି। ଅତିଥି ଅଭ୍ୟାଗତ ବିରକ୍ତ ହୋଇ ବସିଲେଣି। ଗାଁର ଜଣେ ପୌଢ଼ ପରାମର୍ଶ ଦେଲେ – କେତେ ନାଚଗୀତ ଜାନିଛେ ଜେ ଗାଁ ଖୁଲି ନଚାହା। ପଟୁଆର ଗାଁ ବାହାରିଲା। ନାନୀଙ୍କ ସ୍ୱାମୀର ନାଚଗୀତକୁ ଆଖ ପାଖ ଗାଁର ବି କିଛି ଲୋକ ଆସି ଦେଖିଲେ।
ନାନୀଙ୍କ ସ୍ଵାମୀ ଅଣାୟତ୍ତ ହେବାରୁ ଶେଷକୁ ନାନୀଙ୍କୁ ଡକା ହେଲା। ନାନୀ ବି ପାରିଲେ ନାହିଁ। ଏନଜିଓର ମାର୍ଶଲ ଗାଡ଼ି ଆସି ତାଙ୍କୁ ଲଦି ନେଲା ସଂଧ୍ୟାରେ।
ଗାଡ଼ି ଗଲାପରେ ଧୂଳି ବସି ନ ଥାଏ। ଗାଁ ବୁଲିବାକୁ ପରାମର୍ଶ ଦେଇଥିବା ପୌଢ଼ ଜଣକ ଛାତି ଡେରି ତାତ୍ସଲ୍ୟ କଲେ- ଶଲେ ସରପଞ୍ଚ ହେବେ କେଁହେଲେ।
ତାପରେ ବି ବାଜା ବାଜିଲା ଲୋକେ ନାଚିଲେ, ଖୁସିରେ।
ନାନୀ ଏବେ ଲଘୁ ବନଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇଁ ସଭା କରନ୍ତି। ଅଧିକାଂଶ ଲୋକ ମହୁଳ ବେଟନ୍ତି। ସ୍ୱାମୀ ଗାଁରେ ଦୋକାନ ଟିଏ କରିଛନ୍ତି। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲାପରେ କେହି କେହି କହନ୍ତି- ଏନଜିଓର ବିଷଦାନ୍ତ ଭାଙ୍ଗିଗଲା। (ଗୋଟିଏ ସତ୍ୟ ଘଟଣା। ବ୍ୟବହୃତ ସମସ୍ତ ନାମ କେବଳ କାଳ୍ପନିକ। ଧନ୍ୟବାଦ ଅଜିତ ପାଣିଗ୍ରାହୀ, ଆକାଶ ବିଶ୍ଵାଳ)