ବିସ୍ଥାପନ

ବହୁତ ଦିନ ହେଲାଣି, ଖବର ପାଇଲି ମାଧ(ଛଦ୍ମ ନାମ) ମରିଗଲା। ଗୋଟିଏ ଅସମାଧିତ କଷ୍ଟ ଲାଗୁଥାଏ ମନକୁ। ଅତି ସନ୍ଦର୍ପଣରେ ଆସିଲା ଆଉ ମରିଗଲା। କେହି ଜାଣିଲେ ନାହିଁ।
ବହୁତ ପୁରୁଣା କଥା। ସେତେବେଳେ ଛତିଶଗଡ଼ ରାଜ୍ୟ ତିଆରି ହେଇ ନ ଥାଏ। ପଶ୍ଚିମ ଓଡିଶାର ଅର୍ଥନୈତିକ ରାଜଧାନୀ ରାୟପୁର ଓଡ଼ିଆଙ୍କ କାନ୍ଧରେ ଠିଆ ହୋଇ ଥାଏ; କିନ୍ତୁ ଓଡ଼ିଆ ଏକ ନିକୃଷ୍ଟ ଗାଳି ଭାବରେ ବ୍ୟବହାର ହେଉ ଥାଏ। ଉଡ଼ିଆ ଆଦମି ଏକ ଗାଳି। ଓଡ଼ିଆ ଓ ଓଡ଼ିଶା ବିିିନା ଆଜି ବି ଛତିଶଗଡ଼ ରାଜ୍ୟ ଛତିଶଗଡ଼ ନୁହେଁ। ୧୯୬୫ର ଭୟଙ୍କର ମରୁଡ଼ି ବଡମକାର ପରେ କର୍ମସଂସ୍ଥାନ ପାଇଁ ରାୟପୁର, ଭିଲାଇ ଦୁର୍ଗ ଆଦି ଅଞ୍ଚଳକୁ ଲୋକେ ପଳାୟନ କଲେ। ହୀରାକୁଦ ବିସ୍ଥାପିତଙ୍କ ଆଶ୍ରୟସ୍ଥଳୀ ବି ଛତିଶଗଡ଼ ଅଞ୍ଚଳ ହିଁ ଥାଏ।
ଏମିତି ଏକ ରାତିରେ ବନ୍ଧ ଭିତରକୁ ପାଣି ମାଡ଼ି ଆସିଲା। ମାଧ ଛୋଟ ଥାଏ। ଯୋଜନ ଦୂରରେ ବନ୍ଧ ବନ୍ଧା ହେଉଥାଏ। ନିଜକୁ ବଡ଼ ଭାବୁଥିବା ଲୋକ କି ଓଡ଼ିଆ କହୁ ନଥିବା ଶ୍ରମିକ ଦେଖିଲେ ମାଧ ଭାବୁଥିଲା ଏମାନେ ଗୋଟିଏ ଅଦେଖା ପୃଥିବୀର ଲୋକ। ଜେଜେ କହୁଥିବା କାହାଣୀ ମାନଙ୍କରୁ ମାଧ ଠଉରାଇ ନିଏ ଏମାନେ ଜହ୍ନର ଆଖେପାଖେ ରହୁଥିବା କେଉଁ ରାଇଜର ଲୋକ। ସେମାନଙ୍କ ସୌଜନ୍ୟରୁ ଖବର ଆସେ ଏଠାରେ ପାଣି ଭରିଯିବ। ଆଶ୍ଚର୍ଯ୍ୟ ହୁଏ ମାଧ ! ରାତିରେ ମା’ଙ୍କ ପେଟତଳେ ଜାକି ହେଇ ଭାବେ ଗୋଟିଏ ସୁନ୍ଦର ସଜା ହେଇଥିବା ଡଙ୍ଗା ତା ଉପରେ ଜେଜେ, ବାପା ମାଁ ଓ ସେ। ଅନେକ ଡଙ୍ଗା ଭିତରୁ ତାଙ୍କର ଡଙ୍ଗାଟି ଖୁବ ସୁନ୍ଦର। ଜେଜେଙ୍କୁ ଜୁହାର କରୁଛନ୍ତି ଆଖପାଖ ଡଙ୍ଗାରୁ। ରାତିରେ ଜହ୍ନ ଆଉ ତାରା ମାନଙ୍କ ଉଜ୍ଜଳ ଆଲୋକରେ ମାଧ ବହିପଢୁଛି ଓ ଶୋଇପଡୁଛି ମାଁଙ୍କ କୋଳରେ।
କେହି ବିଶ୍ୱାସ କରି ପାରୁନଥିଲେ ଯୋଜନ ଯୋଜନ ଦୂରଯାକେ ପାଣି ଭରିଯିବ ଆଉ ତାଙ୍କ ଗାଁ ପାଣିରେ ବୁଡିଯିବ। ମହାନଦୀ ଏତେ ପାଣି ଆଣିବ କୁଆଡୁ?
କିନ୍ତୁ ପାଣି ଭରି ଯାଇଥିଲା।ନିଦେ ରାତିରେ ଜେଜେ ମାଁଙ୍କ ହାତ ଆଉ ମାଁ କାନ୍ଦିକାନ୍ଦି ତାର ହାତ ଧରିଥାନ୍ତି। ବାପା କେଉଁ ପାଖ ଗାଁର କେଉଁ ଅଜଣା କ୍ୟାମ୍ପ କୁ ରାନ୍ଧିବାକୁ ଯାନ୍ତି। ଆଠ ଦଶ ଦିନରେ ଥରେ ଆସନ୍ତି। ସେ ଆସିନ ଥିଲେ। ମାଁ ତାଙ୍କ ପାଇଁ ହିଁ କାନ୍ଦୁଥାଏ। ନିଦରୁ ଉଠିଥିବା ମାଧ କିଛି ବୁଝୁ ନ ଥାଏ।
କିଛିଦିନ ଏମିତି ବୁଲିଲେ। ମାଧ ବୁଝି ସାରିଥାଏ ସେ ଡଙ୍ଗାମାନ ତିଆରି ହେବା ଆଗରୁ ପାଣି ଭରିଗଲା। ତାର ଦୁଃଖ ଯେ ବାପା ଡଙ୍ଗା ନେଇ ପହଞ୍ଚି ପାରିଲେ ନାହିଁ। କିନ୍ତୁ ଅନେକ ଦିନ ଦେଖିଲା ମାଁଙ୍କ ଆଖିରୁ ପାଣି ମରୁନି। ରାତିରେ କିଛି ଶବ୍ଦ ହେଲେ ଚମକି ପଡୁଛି ବାପା ଆସିଲେ ଯେମିତି ହୁଏ। ମାଁଙ୍କ ଆଖି ଲୁହ କ୍ରମେ କ୍ରମେ ବହୁତ କିଛିକୁ ଧୋଇଦେଲା, ସେ ଆଙ୍କିଥିବା ସୁନ୍ଦର ଡଙ୍ଗାର ଚିତ୍ର ବି ଧୋଇଗଲା।
କେତେ ଦିନ କି ମାସ ହେବ କେଜାଣି ଜେଜେ ଭିକ ମାଗି ଆଣନ୍ତି ଆଉ ମାଁ ରାନ୍ଧିଲେ ସେମାନେ ଖାଆନ୍ତି। ଗୌନ୍ତିଆର ନାତି ରୋଗରେ ପଡିଥାଏ। ଖଇ ଫୁଟିଲା ପରି ତାତି। ଆଠ ଦିନ ହେବ ପେଟରେ ପାଣି ବି ରହୁନି। ଜେଜେ ତାକୁ ଭଲ କରିଦେଲେ। ଗୌନ୍ତିଆ ଖୁସିରେ ଜେଜେଙ୍କୁ ମାଣେ ଜମି ଖଞ୍ଜା କରିଦେଲେ। ସେଦିନୁ ସେମାନେ ସ୍ଥାୟି ହୋଇଗଲେ। ଖରାଦିନେ ଜମି ସୁଖୀ ଠା ହେଇଯାଏ କିନ୍ତୁ ମାଁର ଆଖି ଢଳଢ଼ଳ ସବୁବେଳେ।
ମାଧ ଜୁଆନ ହେଲାବେଳକୁ ଲୁହ ଝରିଝରି ମାଁ କାଠ ହୋଇ ଯାଇଥିଲା। ପୋଖରୀକୁ ଗାଧୋଇ ଗଲେ କି ସନ୍ଧ୍ୟାରେ ପୋଖରିପାଣି ଗଲେ ମାଁ ଠିଆ ହେଇ ଆକାଶ ଭିତରୁ ବାହାରି ଗାଁକୁ ଆସିଥିବା ରାସ୍ତାକୁ ଦେଖେ। କିଏ ଦଗା ନ ଦେଲା ଯାକେ ଦେଖେ। ସେ ଲାଗି ମାଁକୁ ଗାଁ ଲୋକେ ନିହାରୀ ବୋଲି ଡାକନ୍ତି। ଅସଂଖ୍ୟ ଅଜଣା ଦରଦ କୁ ବୁଝି ପାରୁଥିବା ଆତ୍ମୀୟ ସଂଵୋଧନଟିଏ ନିହାରୀ ଯେପରି।
ଦିନେ ମାଁ ମରିଗଲା। ମାଧ ସବୁ ବୁଝି ସାରିଥିଲା। ମାଁଙ୍କ କୋକେଇ ସଜା ହେଇ ନ ଥାଏ କୁଆଡୁ ଜଣେ ପାଗଳ ଆସି ଘର ଦାଣ୍ଡରେ ନାଚିଲା। ତାକୁ ଲୋକେ ତଡୁଥାନ୍ତି। ସେ ଯାଉ ନଥାଏ। ନାନା ଅବୋଧ୍ୟ ଶବ୍ଦ ମାନ ଉଚ୍ଚାରଣ କରି କରି ନାଚୁଥାଏ। ଜେଜେ ଉଠି ତା ପାଖକୁ ଗଲେ। ପାଗଳ କୁ ନିରେଖି ଦେଖିଲେ।
ହେ ନାରାୟଣ! ହେ ଲୀଳାଧର! ହେ ପ୍ରଭୁ ଗୋଲକ ବିହାରୀ ତୋର ଇଟା କାଏଁ ଲୀଳା ପ୍ରଭୁ। ଏତେଦିନ କାହିଁ ଥିଲୁରେ ପୁତା! ବାଁଚି ଥିବାର ତକ ଜେନ ଆଁଏଖ ତତେ ନୁରୁଥିଲା ସେ ଆଁଏଖ ଆରୁ ତତେ କେନ୍ତା ଦେଖବାରେ ବୁଆ ମୋର। ଖୁଟ କଲେ କି ଖାଟ କଲେ ଜେନ ଟୁକେଲ ତୁଇ ଆଏଲୁ ବଲି ଚମକୁ ଥିଲା ତା’କେ ଆରୁ ତୁଇ ପାଏବୁ କାଏଁ ବୁଆ ମୋର ! ମାଁ ଏବେ ଚମକି ଉଠିବ, ମାଧର ଦେହସୁହା ହେଇ ଯାଇଥିବା ଘଟଣା ଘଟିତ ହେଲାନି। ମାଁ ଥକି ଯାଇଥିଲା, ବାପାଙ୍କୁ ଅପେକ୍ଷା କରି କରି।
ସମବେତ ହୋଇ ଗାଁ କାନ୍ଦିଲା। ଗଛପତ୍ର ବି। ମାଁ ଦେବୀ ହେଇଗଲା। ବାପାଙ୍କ ପ୍ରତି ତାର ନିଷ୍ଠା ତାକୁ ଦେବୀ କରିଦେଲା।
ମାସେ ଅଧେ ପରେ ବାପା ମାଁଙ୍କ ଶାଢ଼ୀ ଦୁଇଖଣ୍ଡ ଧରି କୁଆଡେ ଚାଲିଗଲେ। ପାଗଳ ହୋଇ ଯାଇଥିଲେ। ମାଧର ବିବାହ ପ୍ରସ୍ଥାବ ସରିଥାଏ। ବାପା ଗଲାପରେ ଜେଜେ ଆଖି ବୁଜିଲେ।
ଜେଜେ ମରିବା ଦୁଇମାସ ପରେ ମାଧ ବାହା ହେଲା। ଗାଁ ଲୋକ ତାକୁ ଝିଅ ପରି ବିଦାକଲେ। ଯାନୀ ଜଉତୁକ କିଛିରେ ଉଣା କଲେନି।
ବିବାହ ବର୍ଷେ ନ ପୁରୁଣୁ ମାଧର କାଚ ଗଲା। କାଚ ଯିବାର ମାସେ ପରେ ପୁଅ ହେଲା। ପୁଅକୁ ତିନି କି ଚାରିମାସ ହେଉଥିବ, ଶ୍ଵଶୁର ରାତିରେ ପିଶାଚ ହୋଇଯାନ୍ତି। ଦିନବେଳା ବ୍ରାହ୍ମଣ ଦେବତା।
ମାଧକୁ ମାଁ ଖୁବ ମନେ ପଡ଼ନ୍ତି। ଗାଁରେ ପାଣି ଭରିଗଲା ବେଳେ ଯେଉଁ ହାତ ତାକୁ ଧରି ଆସିଥିଲା ମାଧ ସେ ହାତକୁ ଖୋଜେ। ସେ ହାତ ତାକୁ ବାଟ କଢାଇ ନେବ। ତାର ଅଲକ୍ଷରେ ହାତ ଲମ୍ବାଇ ଦିଏ ଅନ୍ଧାର କୁ। ଅସହ୍ୟ ମାଧ ଦିନେ ପ୍ରତିବାଦ କଲା। ବିଟପି ହେଇଗଲା ଶଶୁର ଗାଁରେ। କେଉଁ ମୁହଁ ନେଇ ତା ଗାଁ କୁ ଯିବ? ଛଅ ମାସର ପୁଅକୁ ଧରି ବାପାଙ୍କ ମଇତ୍ର ଘରକୁ ଗଲା। ଶୀତରେ ପୁଅକୁ ଧରି ମିତବାପାଙ୍କ ପିଣ୍ଡାରେ ବସିଲା। ଥଣ୍ଡାରେ ଛୁଆ କାନ୍ଦିବା ଶୁଣି ମିତମା’ବାପା ବାହାରିଲେ। ପୁଅକୁ ତାଙ୍କ କୋଳକୁ ଦେଇ ମାଧ ଅନ୍ଧାରେ ବାହାରିଗଲା। ତାର କଳଙ୍କ କାହାକୁ ନ ଲାଗୁ ଏ ଥିଲା ମାଧର ଶେଷ ଉତ୍ତର।
ମାଧ ରାୟପୁରରେ ବାସନ ମାଜିଲା। ଦିନେ ଜଣେ ପୌଢା ତାକୁ ଡାକିନେଲେ। ଚାରିପାଞ୍ଚ ଜଣ ଝିଅ ତା ପାଖେ ରହନ୍ତି।
ମାଧର ବୟସ ଗଡ଼ିଲା। ରୋଗରେ ପଡିଲା। ଡାକ୍ତରୀ ପରୀକ୍ଷା ରେ ଜଣାପଡିଲା ସେ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ। ତାକୁ ଗିରଫ କରାଗଲା। ଜେଲରୁ ଜଣେ ପାଷ୍ଟର ତାକୁ ନେଇଗଲେ। ତା ପରି ରୋଗୀ କିଛିଜଣ ବି ରହନ୍ତି ତା ସହ।
ମାଧ ମରିଗଲା। ପାଷ୍ଟରଙ୍କୁ ଅନୁରୋଧ କଲାରୁ ମାଧର ଦାହ ସଂସ୍କାର ଜଣେ ପଣ୍ଡିତ ଦ୍ୱାରା କରାଗଲା। ମାଧର ଟ୍ରଙ୍କରେ ଭାଗବତ ଓ ତୁଳସୀ ମାଲ ଥିଲା। ପାଷ୍ଟର କହନ୍ତି ମାଧ ମାଁ ମାଁ ବୋଲି ମାରିବା ଆଗରୁ କାନ୍ଦେ।
ପାଷ୍ଟର ସହ ମାଧର ମିତବାପା ପାଖକୁ ଗଲୁ। ମାଧର ଅସ୍ଥି କଳସ ଦେଲାପରେ ମିତବାପା ଭୋଭୋ କାନ୍ଦିଲେ। ବନ୍ଧର ପାଏନ ଠାନୁ ବି ଅଧିକ ଦୁଃଖ ମାଧର କପାଲେ ଭରି ହେଲା! ନିଷ୍କଲଙ୍କ ଟୁକେଲର କପାଲେ ସତେ ଏତିକି ଦୁଃଖ ଖଞ୍ଜିଥିଲୁ କାଏଁରେ ବିହି!
ପାଷ୍ଟର ମାଧର ମିତବାପାଙ୍କୁ ଅନୁରୋଧ କଲେ। ସାହୁଜୀ ମାଧ ଯେମିତି ତା ଅଧିକାରରୁ ବଞ୍ଚିତ ନ ହୁଏ।
ପ୍ରୟାଗରେ ମାଧର ଅସ୍ଥି ବିସର୍ଜନ ତାର ପୁଅ କଲା। ସେ ଜାଣିନି ତାର ମା’ ର ଅସ୍ଥି ବିସର୍ଜନ କରିଛି। କେଉଁ ହଜି ଯାଇଥିବା ସମ୍ପର୍କୀୟ ବୋଲି ଜାଣେ।
ପୁଅ ଦୂର ସହରରେ ସଫ୍ଟୱେୟାର ଇଞ୍ଜିନିୟର ଅଛି। ନିଜକୁ ତେଲି ଜାତିର ବୋଲି ଜାଣେ। ବାହା ବି ହେଲାଣି। ତାର ବି ଛୋଟ ପରିବାର ଟିଏ ଅଛି।

(ଆକାଶବାଣୀ ବଲାଙ୍ଗିର, ସାହିତ୍ୟ ସମ୍ଭାର କାର୍ଯ୍ୟକ୍ରମ ତା’୧୯.୧୧.୨୦୧୯ ଦିନ ପ୍ରସାରିତ)

ଆକାଶବାଣୀ ବଲାଙ୍ଗିର ନିକଟରେ ମୁଁ କୃତଜ୍ଞ

Leave a Reply

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

This site uses Akismet to reduce spam. Learn how your comment data is processed.

%d bloggers like this: