ସହାବସ୍ଥାନ

ଏଠାରେ ମୁଁ ତାଙ୍କର ନାମ ଲେଖିବା ଉଚିତ ଭାବୁନି। ସେ ସେତେ ବଡ଼ଲୋକ ନ ଥିଲେ। ତାଙ୍କ ଜୀବଦ୍ଦଶାରେ ସେ ଯାହା ବି କରିଛନ୍ତି ବେଶ କରିଛନ୍ତି। ଗୋଟିଏ ସାଧାରଣ ଜୀବନରେ ଜୀବନର ତମାମ ସୁଖ ଦୁଃଖକୁ ମନଭରି ଉପଭୋଗ କରିଛନ୍ତି।

-ତକେ କେତେ ବଛର ହେବାନା କକା ? କିଏ ଯଦି ପଚାରି ଦେଲା… ନିଜର ଠେଙ୍ଗାକୁ ଖୁତେଇ ଦିକବଳୟ ପଟେ କି ଭୁଆସେନଡଙ୍ଗର ପଟକୁ ଏକଳୟରେ ଦେଖନ୍ତି। ଯେମିତି ତାଙ୍କ ସହ ମିଶି ବୟସ ହିସାବ କରୁଛନ୍ତି।

– ବାବୁ ରେ ! ବଡ଼ମକାର ସରଲା ଉତାରୁ ଯେତେବେଳେ ମାଁ-ମାଏଟ ଶୀତଲ ହେଇ ବସଲେ; ତହିଁର ଆରକର ବଛରେ ଆମର ଭିବେ(ତାଙ୍କର ବଡ଼ ପୁଅ ବିଭିଷଣ। ଯିଏ ସାତ ବର୍ଷ ବୟସରେ ମେଲେରିଆ ଜ୍ଵରରେ ମରିଗଲା।)ର ଜନମ। ବଏଲେ ହିପାସ(ହିସାବ) କର।

୨୯୬୬-୬୭(୧୯୬୬ ମସିହାରେ ଭଲ ବର୍ଷା ହୋଇଥିଲା) ର ଆର ବର୍ଷ ଅର୍ଥାତ ୧୯୬୮ ମସିହାରେ ତାଙ୍କର ବଡ଼ପୁଅ ଜନ୍ମ ହୋଇଥିଲେ। ଏତେବେଳକୁ ଯଦି ତାଙ୍କୁ ଯଦି କୋଡ଼ିଏ ବର୍ଷ ହେଇଥିବ ତା’ହେଲେ ୨୦୦୭ ମସିହାରେ ୬୦ ବର୍ଷ ହେବାକଥା। ଏଇଟାତ ୨୦୧୦ ମସିହା !

– ଭତ୍ତା ପାଏସୁ ଗୋ ତୁଇ ?

– ହାଏଁ ! ଭାତା … ବୁଆ ଗୋ! ଭାତାର କାଥା କାଏଁଟା କୁଇବି, ମକେ ବଏସ ସେ ନାଇ ହେବାର କି ଆମର ନେତା ମନକର ବଏସ ନାଇ ହେବାର ଯେ କାଏଁଟା ଜାନବୁ!

ବେହେରାର ପିଲା ମିଶା ଦୁଇଟା ଲେମର ଦୁଇଟା ସରପଁଚ ଶତେଇଶ ଶହ ବତିଶ ଟଙ୍ଗା ସାରଲି ନା। ତଥାପିବି ମୁଇଁ ବୁଢ଼ା ନାଇ ହେଇ ପାରୁଛେଁ ।

ତାଙ୍କର ବ୍ୟଙ୍ଗ ଓ ବେଦନାକୁ ବେଶ୍‌ ବୁଝି ହେଉଥିଲା।

ତାଙ୍କୁ କହିଲି ବାବା ଯା ତୋର ଭୋଟ କାର୍ଡ଼, ମାଲଗୁଜାରୀ ରସିଦ ଧରିକରି ଆ ଆରୁ ମୋର ଫଟଫଟି ଥି ବସ୍।

ଫଟୁ ବି ଧରବି କାଏଁ ?

– ଅଛେ ବଏଲେ ଧର।

ହାଁ; ବେହେରାର ପିଲା ତାର ମୁବିଲ ଥି ଝିକଲା ଆରୁ ୪ଟା ଫଟୁ ଦି’ଛେ। କାଏଁ ନିନ୍ଦା ବୁପନ୍ତା କେ।

ଆମେ ଆର ଆଇ ପାଖକୁ ଗଲୁ। ଡ଼ାକ୍ତରଙ୍କ ପାଖକୁ। ବ୍ଳକ ବିଡ଼ିଓଙ୍କ ପାଖକୁ।

ବବା ବ୍ଳକ ଅଫିସରୁ ଘରକୁ ଫେରିଲା ବେଳେ କହିଲେ, ‘ବୁଆଗୋ! ଭାତା ମିଲୁ ନାଇ ମିଲୁ ବିଡ଼ିଓ ସାହେବର ସାମନେ କୁରସି ଥି ବସେଇ କରି ଚାହା ଫୁଟେ ଜେନ ପିଆଲୁ; ଏଟେ .. ଟେ.. ଟେ.. ରେଃ : ହି ଗଲାନା ବୁଆ ଗା!

ଅତି ସରଳ ଲୋକ ଏମାନେ। ନିଜର ଗୋଟିଏ ଛୋଟ ପୃଥିବୀ ତିଆରନ୍ତି। ଖୁବ ନିଷ୍ଠାର ସହ। ସେହି ସୀମାରେ ରାଜୁତି କରନ୍ତି। ସେ ପୃଥିବୀକୁ ସୁରକ୍ଷା ଦିଅନ୍ତି ମଧ୍ୟ।

ସେ ଯେତେବେଳେ ଲେଙ୍ଗୁଟ ମାରୁଥିଲେ ତାଙ୍କୁ ଜର ହେଲା। ବାମଗୋଡ଼ ଘିଚି ଦେଲା। ଲଚକେଇ ଚାଲନ୍ତି। ଜର ଛାଡ଼ିଲା ପରେ କରିଆ ପିନ୍ଧିଲେ। ଗାଁର ମାହାପୁରୁ(ବ୍ରାହ୍ମଣ) ତାଙ୍କର ଦାଦିଙ୍କୁ ମାଷ୍ଟର ଆଣିଲେ ଗାଁ ଲୋକ। ତାଙ୍କ ନିକଟରେ ଗୁହାଲ ପଢିଛି। ବର୍ଣ୍ଣବୋଧ ସରଲା କେ ପାହାଡ଼ା ! ପଣକିଆ। ତାର ପଛେ ତୋ ମାଡ଼ ଦେଇ ଆନଲା ଜେ ନଏଦ ଖଣି ଲୁକି ଭାଗେଁ।

ଗାଈ ଚରେଇଲେ। ତାଙ୍କର ବାପା ଜାଣିଥିଲେ ସେ ଓଜନ କାମ କରି ପାରିବେ ନାହିଁ। ଏହା ହିଁ ଚିନ୍ତାଥିଲା ବାପାଙ୍କର। ୟେ ଚାଷ କେମିତି କରିବ। କିନ୍ତୁ ବବାଙ୍କ ଚିନ୍ତା ନ ଥିଲା କିଛି।

ଅବଧାନଙ୍କ ମାଡ଼ ଅପଙ୍ଗ ଗୋଡ଼ରେ ବାଜିଲେ ଖୁବ ବାଧେ। କିଛି କରିପାରିବେ ନାହିଁ। ଅବଧାନଙ୍କ ଦୁର୍ବଳତା ଖୋଜିଲେ। ପୋଖରୀରୁ ଘର ପର୍ଯ୍ୟନ୍ତ ଟିକିନିଖି ସବୁ। ଏଇ ପ୍ରାଥମିକ କାମ ତାଙ୍କ ପରିଚୟ ହୋଇ ଆସିଲା।

ଅବଧାନଙ୍କ ଦୂର୍ବଳ ବିନ୍ଦୁ ଖୋଜୁ ଖୋଜୁ ସେ ଗାଁର ଆହୁରି ଅନେକ ଲୋକଙ୍କ ରହସ୍ୟ ଜାଣି ସାରିଥିଲେ। ରହସ୍ୟଭେଦୀ ଭାବରେ ଯେତେବେଳେ ସେ ବନ୍ଧୁ ମହଲରେ ପରିଚିତ ହେଲେ ତାଙ୍କର ସ୍ଵତନ୍ତ୍ର ସମ୍ମାନ ତିଆରି ହୋଇଗଲା।

କିଏ ଯଦି ପଚାରିବ, ହଏ ଆଡ଼େ ! ଇ ମାର୍କଣ୍ଡ ବେଲ ବୁଡ଼ତି କେ ଲେର କେନ୍ତା ଭାଗସି ଗା?

ତୁରନ୍ତ ଭତ୍ତର- ଛକର ମହୁଲ ଗଛେ ପଟେ ଅଛେରେ ବାବୁ ! ମାର୍କଣ୍ଡ ଦେଖେ। ତୁଇ ତୋ ଜାନୁଛୁ, ସେ ବୀର କାହାର କଥା କେ ସତ କରେ ନାଇ କି ହସେ ନାଇ। ଚାଏର ଆଠ ଥର ଦେଖଲା। ଭାବେ ଦେଖତୋ ଶଲେ ଡରାବାର ଲାଗି .. ଫେର ପଛକେ କେନ ମାଁବହେନ ଆଏ ଭାବଲା। ଜାନିଛ ତୋ; ହେ’ ଟିକେ ଉପର ଆଁଖିଆଟା। ପାସକେ ଗଲାକେ ବଲୁଛୁ ଝାଡ଼ିଦେଲା କାନ ବୁଜବୁଜି ଗୁଟେ ରାପଟ ଯେ ଭଏଁରା ହେଇଗଲା।

ମାର୍କଣ୍ଡ ବଧିର ହେବାକଥା ସମସ୍ତେ ଜାଣନ୍ତି।

ସେ ହିଁ ପ୍ରଥମେ ଖବର ଦେଇଥିଲେ ଗାଁ ପୂଜାରୀ ରୋଗରେ ପଡ଼ିଲା କାହିଁକି ?

ଦେବୀ ଦଶହରା ନବମୀ ରାତିରେ ବୁଏଲ ଯିବେ। ମଧ୍ୟରାତ୍ର ଅତିକ୍ରାନ୍ତ ହେଲେ ମନ୍ଦିରକୁ ଫେରିବେ। ଦିହାରୀଙ୍କୁ ଦେବୀ ଛାଡ଼ିବା ପୂର୍ବରୁ ଦହି, ମହୁ, ଗୁଡ଼, ଘିଅ ଓ ଦହନା ପତ୍ରର ପଞ୍ଚାମୃତ ପାନ କରିବେ। ଦେବୀ ଶାନ୍ତି ହେଲାପରେ ଗନେର ପିଠା(ଗନେର ଗଛର ଖିର ରୁ ପ୍ରସ୍ତୁତ)ର ଭୋଗ ଦିହାରୀ ପାଇବେ। ପଞ୍ଚାମୃତ ଓ ପିଠା ପୂଜାରୀଙ୍କ ସ୍ତ୍ରୀ ପ୍ରସ୍ତୁତ କରିବେ।

ପୂଜାରେନ ବି ନିଷ୍ଠାରେ ରହନ୍ତି ଦଶଦିନ। ଧୋଇ ଶୁଖେଇ ଖଣ୍ଡିଏ ପିନ୍ଧିବେ। ହବିସ କରିବେ। ଏ ବର୍ଷ ଝୀଅ ଜ୍ଵାଇଁ ନୂଆ ଆସିଥାନ୍ତି ଘରକୁ। ପୂଜାରେନ ଗୋଟିଏ କପଡ଼ାରେ ରହି ପାରିଲେ ନାହିଁ। ଶିଙ୍ଗାର ହୋଇ ଦେଲେ …

ଗାଁର ସବୁ ବ୍ୟତିକ୍ରମର କାରଣ ତାଙ୍କୁ ଜଣା। କୁଆରୀ ପାଟନାର ଗୁନିଆ ବିଶି ଘରକୁ କାହିଁ ଆସିଲା ? ମହୁଲଡୁଙ୍ଗା ଜମିରେ ଏ ବର୍ଷ ଧାନ କାହିଁକି ହେଲାନାହିଁ ସବୁ ଖବର। ଗାଁ ଦେବାଦେବୀଙ୍କ ଖବର ମଧ୍ଯ ସେ ରଖନ୍ତି।

ତାଙ୍କ ଯୋଗୁଁ ଦେବାଦେବୀଙ୍କ ଖବର ବି ଗାଁ ଲୋକ ଜାଣନ୍ତି।

ତାଙ୍କ ଖବରମାନଙ୍କ ମଧ୍ୟରେ ଗାଁ ଝୀଅଙ୍କ ଖବର ଯେତେବେଳେ ପ୍ରମୂଖତା ରଖିଲା ବାପା ତାଙ୍କ ପାଇଁ ଝୀଅ ଖୋଜିଲେ। ଘରଦେଖା ମଦପିଆ ସରିଲା। ଚାଷ ପରେ ବାହା କରିବେ। ଚାଷ ହେଲା ନାହିଁ। ରୁପାଗଡ଼ା ପର୍ଯ୍ୟନ୍ତ ଠିକ ରହିଲା। ତାପରେ ପାଣି ବନ୍ଦ। ଖରାର ରଡ଼ିକୁ ଖେତର ଧାନଗଛ ସବୁ ପୁଆଲ ହୋଇଗଲା। ଗୋରୁ ବି ଚରିଲେ ନାହିଁ। ଦିନୁଦିନ ଲୋକଙ୍କ ଚିନ୍ତା ବଢିଲା। ଭୋକ ଦାଣ୍ଡରେ ନାଚିଲା।

ଖାଇବା ପାଇଁ ଲୋକେ ଯାହା ବି କଲେ। ବାସନ କୁସନ, ସୁନାରୁପା, ଖେତଖଲା ବି ଗଲା। ଘରେ ଘରେ ମଡ଼କ। ତାଙ୍କ ବାପା ବି ମରିଗଲେ।

ମାଁ ରାଁଡ଼ି ଘରର ବୋଝକୁ ଏକା ପାରିବନି। ଦେଖିଥିବା ଝୀଅକୁ ସେ ବାହା ହେଇଗଲେ। ମରୁଡ଼ି ନାମ ପାଇଗଲା… ବଡ଼ମକାର

ସେ ଗାଁର ଗାଈ ଚରେଇଲେ। ମାଁ ତାଙ୍କ ବାହାବେଳେ ମାରାଡ଼ି ମହାଜନଠୁ ତିନିଶହ ଟଙ୍କା କରଜ କରିଥିଲେ। ବାହା ପରବର୍ଷ ଜମିକୁ ହଳ ନେଇ ଗଲା ବେଳେ ମାରାଡ଼ି ବାରଣ କଲା। ତିନିଭରି ସୁନା ଓ ଛେଟନେ ବାସନ ମକାର ବେଳେ ମହାଜନ ଚାଉଳ ଦେଇ ଦେଇ ଖାଇ ସାରିଥିଲା। ଜମି ବନ୍ଧାର ଟିପଚିହ୍ନ ଥିବା କାଗଜ ଦେଖେଇ ହିସାବ କଲା। ଟିପଚିହ୍ନ ତାଙ୍କ ବାପାଙ୍କ ବୋଲି ସାଖ୍ୟ-ସନ୍ତକ କରିଥିଲେ ଗଡ଼ଜାତ ଆନ୍ଦୋଳନର ନେତା। ପାଖଆଖ ଗାଁରେ ତାଙ୍କ ସମ୍ମାନ। ଲାଲଟୋପି ସିପାହୀ ତାଙ୍କୁ ଜୁହାର କରେ। ଗଉନ୍ତିଆ ବି ସମ୍ମାନ କରନ୍ତି। ଜମିକୁ ନେଇ ପ୍ରତିବାଦର ପ୍ରଶ୍ନ ହିଁ ରହିଲା ନାହିଁ।

ତାଙ୍କ ଗାଈ ଚରାକୁ ମାଁଙ୍କ କାମ। ମାଁ କାହାଘର ମାଟି ଲିପିବେ, ଧାନ ସିଝେଇ ଦେବେ, ନାନା କାମ କରିଦେବେ। ଛୁଆଙ୍କ ଛୋଟଛୋଟ ରୋଗର ବି ଚିକିତ୍ସା କରିବେ। କଁଥ ମାରିବା, ଚୁରନା, ଅଲତି ଆଦି ଚିକିତ୍ସା କରନ୍ତି ବିନା ମୂଲ୍ୟରେ। ଗର୍ଭଣୀ ମାଁର ବି ଅନେକ ଉପଚାର ତାଙ୍କୁ ଜଣା। ତାଙ୍କ ଅଜାଣତରେ ସେ ଧାଈ ହେଇ ଯାଇଥିଲେ।

ଗାଏ ପଛେ ପୋ ଲଚକି ଚାଲେ

ମାଁ ହେଇଛେ ଧାଈ

ସଁସାରର ଖବର ତାକର ଘରେ

ବହ ସୁନ୍ଦରୀ ରାଇ।

ସଂସାର ଚାଲିଲା … ମରୁଡିରୁ ମୁକୁଳି ଖେତଖଲା ହସି ଶିଖୁଥାନ୍ତି ଆଉ ତାଙ୍କ ଘରେ ପୁଅ ହେଲା। ସାତବର୍ଷର ପୁଅ ମରିଗଲା ଜରରେ। ତାଙ୍କ ମାଁଙ୍କ ତମାମ ବିଦ୍ୟା କାମ ଦେଲା ନାହିଁ। ଏହାପରେ ମାଁ କାହାଘରୁ ଧାଈ କାମ ସାରି ଆସିଲେ ଘରେ ବସି ଅଛରେ କାନ୍ଦନ୍ତି ନାତିକୁ ମନେ ପକେଇ।

ଗଭନ୍ତିଆ ମରିଗଲେ। ତାଙ୍କର ସାନଭାଇ ଗୋଟିଏ ଆଖଡ଼ା କରିଥିଲେ। ପାଖଆଖ ଗାଁରେ ତାଙ୍କ ଆଖଡ଼ା ର ବେଶ କାଟତି। ସେ ପାଲିଆ ଧରିବେ।

ରାମ, ବିଷ୍ଣ, ସୀତା, ଲଲିତା, ଦୁଆରୀ , କିଚକ, ବାଣାସୁର ନିଜ ନିଜ ପାଠ କହିବେ କିନ୍ତୁ ସେ ପୁରା ନାଟକ ବହି ମନେ ରଖିବେ। କଳାକାର ପଦ ଭୁଲିଗଲେ ସୁନ୍ଦର ଭାବେ ସଲଖି ଦେବେ ସେ। ସମସ୍ତଙ୍କ ଗାଈଗୋରୁ ଗୁହାଳକୁ ପଶିଲେ ସେ ଯିବେ ପୋଖରୀକୁ। ସେଠାରୁ ଫେରି ଘରେ କିଛି ଖାଇ ବସିବେ ତା ପରେ ଆଖଡ଼ା। ବାଦୀ ଯିବା ଆଗଦିନ ନିଦେ ରାତି ଯାକେ ଆଖଡ଼ା ଚାଲିବ।

ମାଁ ମରିଗଲା। ବୋହୂ ଶାଶୁଙ୍କ କଳା ଶିଖି ପାରିଲେ ନାହିଁ ନା କଦଳୀ-ବାଞ୍ଝ ବୋଲି ଲୋକେ ଧାଈ କାମକୁ ଅଯୋଗ୍ୟ ବୋଲିବେ କେଜାଣି …

ବନ୍ଧଘାଟରେ ଟାହି ଟାପରା ସ୍ତ୍ରୀଙ୍କୁ ଅସହ୍ୟ ହେଲା। ସାତମାସର ଗର୍ଭ ସହ ସେ ଅାରପାରିକୁ ଚାଲିଗଲେ।

ତାଙ୍କୁ ଧିରେ ଧିରେ ସମସ୍ତେ ଏକା କରି ଚାଲି ଯାଉଥାନ୍ତି। ଗଉନ୍ତିଆଙ୍କ ଭାଇ ମଲାବେଳେ ବହୁତ ଦୁଃଖରେ ମଲେ। ଏଡ଼େ ନାମକରା ଆଖଡ଼ା ଭାଙ୍ଗିଗଲା। କେତେ ଦାଦନ ଗଲେ କେତେ ମରିଗଲେ। ତାଙ୍କ ନିଜ ଲୋକଙ୍କ ସଂଖ୍ୟା ପତଲା ହେଇ ଆସିଲା। ଗାଈଗୋରୁ ସଂଖ୍ୟା ବି କମିକମି ଆସିଲେ।

ଗଁତିଆ ମଲେ ଗାଁର ପିଲା ଟୁକେଲ ଶିକ୍ଷିତ ହେଲେ। ଗଁତିଆର ପଦ ବଦଲି ନେତା ହେଲା। କେତେକ ଠିକାଦାର ବି କହିଲେ। ତାଙ୍କ ପରିଚୟ ବର୍ଷ ତିରିଶଟାରେ ହଜିଗଲା କେଉଁଠି। ସେ କେବେକେବେ ଭଙ୍ଗା ଆଖଡ଼ା ପାଖେ କି ମନ୍ଦିରରେ ନହେଲେ ଗାଁ ଲୋକ ଜବରଦଖଲ କରି ସାରିଥିବା ଗୋଚର ଅବା ପୋଖରୀ ହୁଡ଼ାରେ ଘଣ୍ଟା ଘଣ୍ଟାଘଣ୍ଟା ବସନ୍ତି। ଅତୀତକୁ ଖୋଜନ୍ତି କି ନିଜର ପରିଚୟକୁ କେହି କେହି ବୁଝନ୍ତି କିନ୍ତୁ ଅନେକ ବୁଝନ୍ତି ନାହିଁ।

ଗାଈ ରହିଲେ ନାହିଁ। ଗାଁକୁ ଟ୍ରାକ୍ଟର ଆସିଲା। ସେ ମାରାଡ଼ି ମହାଜନର ନାତି ପାଖକୁ ଗଲେ। ମାସକୁ ତିନିଶହ ପଚାଶ ଟଙ୍କା ବେତନରେ କାମ କଲେ। ପଞ୍ଚଶହ ଦରମା ହେଲା ବେଳକୁ ଭତ୍ତା ଲାଗି ଖର୍ଚ୍ଚ କଲେ।

ମୁଁ ତାଙ୍କୁ ଘରେ ଛାଡ଼ି ଗାଁକୁ ଆସିଲି। ପନ୍ଦରଦିନ ପରେ ମତେ ଡକେଇଲେ ଫୋନ କରି। ଆଜି ହିଁ ଆସ ଜରୁରୀ କାମ ଅଛି। ମୋର କାମ କିଛି ନ ଥିଲା। ତାଙ୍କ ଗାଁକୁ ଗଲି ୮୦ କିଲୋମିଟର ପାଖାପାଖି।

ଘରକୁ ଡାକିନେଲେ। ଭିତରେ ବସିଲୁ। ଗୋଟିଏ ପୁରୁଣା ଟ୍ରଙ୍କ ଖୋଲିଲେ। କଲା ଆସ୍ତରଣ ହେଇ ଯାଇଥିବା ହିପୋଲିନ ଡିଟରଜେଣ୍ଟ ଜରି କାଢିଲେ; ଆମର ଖେତର କାଗଜପତର।

ରୁପା କରାଟ କାଢିଲେ

ମୋର ମାଁ ର କରାଟ।

ଭାଙ୍ଗଡ଼ୁବି

ଆମ ବୁଆର ଟା

ପାଞ୍ଚ ମିନିଟ ଯାକେ ଗୋଟିଏ ଗୋଟିଏ ଜିନିଷ କାଢ଼ୁଥାନ୍ତି .. ଭାବବିହ୍ବଲ୍ଲ କରିଦେଲା ପରି ଗୋଟିଏ ଗୋଟିଏ ଶବ୍ଦ କହୁଥାନ୍ତି।

ଗୋଟିଏ କାଠ କଣ୍ଢେଇ କାଢିଲେ, କରିଆରେ ପୋଛିଲେ …

ଆମର ଭିବେ(ପୁଅର)ର ପୁତଲି … ତାଙ୍କର ଟ୍ରଙ୍କରେ ସାଇତା ହୋଇଛନ୍ତି ତାଙ୍କର ଇତିହାସ। ସବୁ ହରେଇ ସାରିଥିବା ଇତିହାସ ସହ ବଞ୍ଚିବା ତାଙ୍କର ଶେଷତମ ଆଧାର ଯେପରି।

ଗୋଟିଏ ରୁପା-ଖଗଲା କାଢିଲେ। କରିଆରେ ପୋଛି ହାତରେ ଆଉଁସିଲେ। ଯେମିତି ପ୍ରିୟତମାର କବରୀକୁ। ସ୍ୱର ଭାରି ଓ ଧିର ହୋଇଗଲା…

– ତାର ମାଁର ଟା

ଖଗଲା ଚକଚକ କରୁଥାଏ। ନିୟମିତ ବ୍ୟବହାର ହେଉଛି ଯେପରି।

ଶେଷକୁ ଗୋଟିଏ ମୋଟା ଖାତା କାଢିଲେ। ତାକୁ ଖୋଳୁଖୋଳୁ କହିଲେ ଆମର ଗଁତିଆ କକା (ଗଉନ୍ତିଆଙ୍କ ଭାଇ) ଲେଖଲା ନାଟ; ହାରାବତୀହରଣ … ଖାତା ଭିତରେ ରଖିଥାନ୍ତି କିଛି ଟଙ୍କା। ସବୁ ଟଙ୍କା ମୋ ହାତରେ ଧରେଇ ଦେଲେ।

– ଇଟା କାଣା କରୁଛୁ ଗୋ।

– ବୁଆରେ ମୋର ଗାଁର ବଡ଼ବଡ଼ ନେତା ହାରଲାକେ ତୁଇ ପାଟନା(ବଲାଙ୍ଗିର ଜିଲ୍ଲା)ନୁ ଆସିକରି ଗିଜକୁହୁଲା(ବାଇକ)ଥି ରାମପୁର ନେଲୁ। ସାହେବର ସାମନେ କୁର୍ସି ବସେଇ, ଚାହା ପିଏଇ, ଭାତା କଲୁ। ଶହେ ନାଇ କି ଦୁଇଶହ ନାଇ ବତିଶ ଶ’ ଟଙ୍ଗା ବୁଆ ! ଜୀବନେ ପହେଲା ଦେଖଲି। ନେ ଇଟା ତୋରଟା…

– ବାୟା ହେଲୁ ନା କାଏଁ !

ବହୁତ ବୁଝେଇଲା ପରେ ବୁଝିଲେ। ରାତିରେ ରହିବାକୁ କହିଲେ। ତାଙ୍କର ବାଲ୍ୟବନ୍ଧୁ ନାଟକରେ ଦୁଆରୀ ବାହାରୁ ଥିଲେ ସେ ମଧ୍ୟ ଅତିଥି ହେଇଥିଲେ।

– ଏ ବୁଆ ତୋର ଲାଗି ଇଂଲିଶ ଆନିଛେଁ।

– ଦେଖୁଁ !(ଲୋକାଲ ପେକିଂ; ଗାଁ ମାନଙ୍କରେ ଏହାର ପ୍ରାବଲ୍ୟ ବେଶି)। ଯା’ ବବା ଇ’ ଦୁଇଟାକେ ଫିରା ଆରୁ ତୋର ବାଗିରଟା ଆନ।

– ଦେଖତେନେ ! ଆନୁଛେଁ . . .

– ହଏ .. ଯା’ ଆନ

ରାତି ଗଭିର ହୋଇଗଲା ତିନିଜଣ ଗପୁଗପୁ।

ତାଙ୍କ ଦୁଆରୀ ବନ୍ଧୁ କହିଲେ ହେତକି ଭିତରକେ କାହିଁ ଜଉଛୁ ବୁଆଗୋ ପୂର୍ବେ ଆମେ ସଭେ ଦେବୀଦେବତା ସଙ୍ଗେ ମିଶିକରି ରହୁଥିଲୁଁ। ଇ ମୁବିଲ ଯୁଗେ ମୁନୁଷ କେ ମୁନୁଷ ନାଇ ମିଶି ପାରବାର …

ସକାଳେ ଫେରିଲା ବେଳେ ମୋ ସାର୍ଟ ପକେଟରେ ଦୁଇଶହ ଟଙ୍କା ଭରି ଦେଇଥିଲେ ତେଲ ଭରବୁ ତୋର ଗିଜକୁହୁଲା ଥି…

ମଝିରେ କେବେ କେମିତି ଦେଖାହୁଏ ତାଙ୍କ ସଙ୍ଗେ। ପ୍ରତିବର୍ଷ ବର୍ଷାର ଚିନ୍ତା କରନ୍ତି। ଚାଷ କେମିତି ହେବ। ଲୋକେ କେମିତି ବଞ୍ଚିବେ। ଚଳିତ ବର୍ଷ ବର୍ଷା ଠିକ ହେଉଛି। ସେ ଏ ବର୍ଷ ନୂଆଖାଇ ପାରିଲେ ନାହିଁ ମାସେ ଆଗରୁ ମରିଗଲେ।

ତାଙ୍କର କେହି ନ ଥିଲେ ଦୁଆରୀବନ୍ଧୁ ସାତଦିନିଆ କଲେ।

ନୂଆଖାଇ

ଶ୍ରମ ସଂସ୍କୃତିରେ ନୂଆଖାଇର ତତ୍ତ୍ଵ ବେଶ ଗୁରୁତ୍ଵ ବହନ କରିଥାଏ। ବର୍ତ୍ତମାନ ଏହାର ଆଲୋଚନା ହେବା ନିତାନ୍ତ ଆବଶ୍ୟକ। ନୂଆଖାଇ ପରମ୍ପରା କେତେ ପୁରୁଣା ଏହାର କୌଣସି ଅର୍ଥ ରହେ ନାହିଁ। ମାନବ ସଭ୍ୟତାରେ ବସ୍ତ୍ରର ପ୍ରଚଳନ ଯେତେ ସ୍ଵଭାବିକ ଥିଲା ଶ୍ରମ ସଂସ୍କୃତିରେ ନୂଆଖାଇ ମଧ୍ୟ ତଦୃପ। ଏଥିରେ କୌଣସି ପ୍ରଶ୍ନ ମହତ୍ଵ ରଖେନାହିଁ।

ସମାଜର ଗଠନ ଉପରେ ସମ୍ୟକ ଆଲୋଚନା କରାଯାଉ। ପ୍ରାଗୈତିହାସିକ ଯୁଗର ପ୍ରମାଣ ଏହା ସୂଚିତ କରିଥାଏ ଯେ ନୂଆଖାଇ ପାଳନ ହେଉଥିବା ଅଞ୍ଚଳରେ ସଭ୍ୟତା ଆରମ୍ଭରୁ ମାନବ ପ୍ରଜାତି ନିଜର ବିକାଶ କରି ଆସୁଅଛି। ପ୍ରାଚୀନ ଚିତ୍ର ମାନଙ୍କରେ ପଶୁ ମଣିଷ ଏବଂ ସହାବସ୍ଥାନ ପାଇଁ ଆବଶ୍ୟକ ଉପକରଣ ମାନଙ୍କ ଚିତ୍ର ଆମେ ଦେଖାଥାଉ। ଏହାର ଅର୍ଥ ସହାବସ୍ଥାନ ହିଁ ସଂସ୍କୃତିର ପ୍ରାରମ୍ଭ ବିନ୍ଦୁ।

ସହାବସ୍ଥାନ ଗୋଟିଏ ଜଟିଳ ପ୍ରକ୍ରିୟା। ସହାବସ୍ଥାନର ଆତ୍ମା ହେଉଛି ସମ୍ବାଦ। ଏହି ସମ୍ବାଦକୁ ବୁଝିବା ପାଇଁ ସାଧାରଣ ଉଦାହରଣ ଟିଏ ନିଆଯାଉ। ଚାଷ ପାଇଁ ଗୋରୁ ଅବା ଖାଦ୍ୟ ପାଇଁ କୁକୁଡ଼ା ପାଳନ କରିବା। ଭଭୟ ଗୋରୁ ଏବଂ କୁକୁଡ଼ାର ରହିବା, ଖାଦ୍ୟ ଯୋଗାଡ଼ ଏବଂ ତାଙ୍କ ସ୍ଵଭାବିକ ଚରିତ୍ରକୁ ବୁଝିବାରେ ମୋଟାମୋଟି ତାଙ୍କୁ ନିଜ ପରିସରଭୁକ୍ତ କରିବାରେ ଯେଉଁ ଭାବ ଏବଂ କ୍ରିୟାର ଆଦାନ ପ୍ରଦାନ ହୁଏ ତାହା ସମ୍ବାଦ। ଗାଈ ନିଜ ପରିବାରରେ ହିଁ ନିଜକୁ ସଭ୍ୟ ଭାବରେ ଗଣିବ ଯେପରି କୁକୁଡ଼ା ପାରା କୁକୁର ଏବଂ ଅନ୍ୟ ଜୀବଜନ୍ତୁ। ଏମାନଙ୍କୁ ନେଇ ଗୋଟିଏ ପରିବାର ତିଆରି ହେବ। ପରିବାରର ଆବଶ୍ୟକତା ମାନ ବିଭିନ୍ନ ସୂତ୍ରରୁ ସଂଗ୍ରହ ହେବ ଏବଂ ସଂଗୃହିତ ସବୁ ସଞ୍ଚିତ ହେବେ। ସଞ୍ଚୟ ହେଉଛି ପରବର୍ତ୍ତି ମୂଖ୍ୟ ଆବଶ୍ୟକତା।

ସଞ୍ଚୟର ସୂତ୍ର ହେଉଛି ସମାଜର ବିସ୍ତାର। କୋରାପୁଟରେ ପୃଥିବୀର ପ୍ରଥମ ଧାନଚାଷ ଆରମ୍ଭ ହୁଏ । ସହଭାଗିତାର ପ୍ରତିଫଳନ ହେଉଛି ଚାଷ। ଚାଷ କାମରେ କେଉଁମାନେ ନିୟୋଜିତ ହୁଅନ୍ତି ? ଏହାର ଉତ୍ତର ଲୁହୁରା, ବିହନ ସଂଚୟ ଠାରୁ ପ୍ରୟୋଗ ପର୍ଯ୍ୟନ୍ତ ଆବଶ୍ୟକୀୟ ସାମଗ୍ରୀ ତିଆରି କରୁଥିବା ଡଲା ଟୁପା ଝାମ୍ପି ଟୁପଲି ଆଦି ତିଆରି କରୁଥିବା କାନ୍ତାର ଅଥବା ପହରିଆ। ଏପରି ଅନେକ ଲୋକଙ୍କ ସହଯୋଗରେ ଚାଷ ହୁଏ।

ଚାଷ ଜୀବନ ଧାରଣର କେନ୍ଦ୍ର ହୋଇଯାଏ ଏବଂ ଅନ୍ୟ କେନ୍ଦ୍ର ଜଙ୍ଗଲ। ଜମି ଓ ଜଙ୍ଗଲକୁ ଆଧାର କରି କର୍ମ ବିଭାଜନ ହୋଇଯାଏ। ପୁରୁଷାନୁକ୍ରମରେ କର୍ମ ମଣିଷଙ୍କୁ ବିଭାଗଭୁକ୍ତ କରିଦିଏ। ଏହା ସ୍ଵଭାବିକ ହୋଇଥାଏ। କୌଣସି ନିୟମ ତିଆରି କରି ଏହାକୁ ରଚାଯାଏ ନାହିଁ। ନିୟମ ସ୍ଵତଃ ତିଆରି ହୋଇଯାଏ। ଗ୍ରାମ ତିଆରି ହୁଏ ଏବଂ ସମସ୍ତଙ୍କ ଅଲକ୍ଷରେ ଗୋଟିଏ ସମ୍ବିଧାନ ନିର୍ମାଣ ସରିଯାଏ । ନିୟମ ପାଳନ ସମସ୍ତଙ୍କ ଧର୍ମ ହୋଇଯାଏ। ଏହା ଶ୍ରମ ସଂସ୍କୃତିର ସ୍ଵତଃପ୍ରବୃତ୍ତତା।

ପରିବାର ଗୋଷ୍ଠି ଗ୍ରାମ ଦେଶ ତିଆରିର ଆତ୍ମାହିଁ ଉପରୋକ୍ତ ସୂତ୍ର। ଏଥିରେ କୌଣସି ପରାଶକ୍ତିର ନିର୍ଦ୍ଦେଶ ନ ଥାଏ। କୌଣସି ଭଗବାନର ଅବଧାରଣା ନ ଥାଏ।

କୃତଜ୍ଞତା ଆନନ୍ଦ ଦୁଃଖ ପରି ସହଜାତ ପ୍ରକ୍ରିୟା। ମଣିଷ କୃତଜ୍ଞ ହୁଏ ନିଜ ଜମିପ୍ରତି ଜଙ୍ଗଲ ପ୍ରତି ଜଳଉତ୍ସ ପ୍ରତି ଅଗ୍ନି ପ୍ରତି ବର୍ଷା ମେଘ ଚନ୍ଦ୍ର ସୂର୍ଯ୍ୟ ଆଦିଙ୍କ ପ୍ରତି। ନିଜର ପୂର୍ବପୁରୁଷଙ୍କ ପ୍ରତି। ଏମାନେ ସମସ୍ତେ ତାର ଦେବତା। ଏମାନଙ୍କ ସହ ଯୋଡ଼ିହୋଇ ଯାନ୍ତି ମିତ୍ର ପରିଜନ। ଏହି ସମଗ୍ରତାକୁ ଏକ କୁହାଯାଏ। ଏହା ଏକକ; ଏହି ଏକକ ଏକର ନୁହେଁ ଅନେକର ସମାହାର। ଏହା ହିଁ ଦର୍ଶନ। ଖାସ ଏଇଥି ଲାଗି ମଣିଷ ନିଜ ଗାଁ ଦେବୀଙ୍କ ଗୁଡ଼ିରେ ନିଜ ଜନ୍ମଦାତ୍ରୀଙ୍କୁ ହିଁ ଦେଖିଥାଏ।

ପ୍ରକୃତିକୁ ଅବମାନନା କେବେ କରିନାହିଁ ମଣିଷ। ଋତୁଚକ୍ର ଅନୁରୂପ ନିଜ ସ୍ଥିତି ରଖିଥାଏ। ଗୋଟିଏ ବିରାଟ ପରିବର୍ତ୍ତନ ହୁଏ ଅର୍ଥାତ ପରିବର୍ତ୍ତନର ସନ୍ଧିକ୍ଷଣ ଭାଦ୍ରବ ମାସ। ଧାନ ଅମଳ ହେବାକୁ ଆରମ୍ଭ କରେ। ଆଗାମୀ ଗୋଟିଏ ବର୍ଷର ସୁରକ୍ଷା। ସେ ନିଜର କୃତଜ୍ଞତା ଜଣାଏ। ସହାବସ୍ଥାନ ଓ ସାମୁହିକ ଶ୍ରମର ପ୍ରତିଫଳ ହୋଇ ଧାନକେଣ୍ଡା ମୁରୁକି ହସେ ଜମିରେ। ଏହାକୁ ପ୍ରଥମେ ଅର୍ପଣ କରେ ସେ ମହାଶକ୍ତିମାନଙ୍କୁ ଯାହାଙ୍କୁ ସେ ପ୍ରତି ମୁହୂର୍ତ୍ତରେ ଅନୁଭବ କରେ। ଯାହାଙ୍କ ବିନା ତାର ସ୍ଥିତିର ମଧ୍ୟ ଆଧାର ନାହିଁ।

ପ୍ରଥମ ଧାନ କେଣ୍ଡାର ଦେହରେ ତାର ନିଜ ଆଧାରର ମନ୍ତ୍ର ଲେଖା ହୋଇଥାଏ। କୃତଜ୍ଞତା ଓ ସମର୍ପଣର ଏହି ଘଡ଼ି ହିଁ ନୂଆଖାଇ। ନିଜର କର୍ମକୁଶଳର ପ୍ରତିକ ପ୍ରତିବେଦନ ନିରବରେ ତ ସମ୍ଭବ ନୁହେଁ; ଏହା ଉତ୍ସବ ହିଁ ହୁଏ। ଉତ୍ସବ ହେବା ସ୍ଵଭାବିକ।

ଏହି ସ୍ଵଭାବ ହିଁ ନୂଆଖାଇ।

ଏହି କର୍ମ ସଂସ୍କୃତିର ପରିସୀମାକୁ ଯିଏ ବି ଆସୁ ସେ ଏହାକୁ ସ୍ୱୀକାର କରିବ। ଉତ୍ସବ ତାକୁ ସ୍ୱୀକାର କରିବ। ଏଥିରେ ନା ଧର୍ମର ଦାୟ ରହେ ନା ବର୍ଣ୍ଣରl ମାନବ ହିଁ ସବାଶେଷ ବିନ୍ଦୁ ଏବଂ ମାନବତା ଏହାର ପରିଣାମ।

ନୂଆଖାଇର ଏହା ହିଁ ତତ୍ତ୍ଵ। ଏହି ତତ୍ତ୍ଵର ବୟସ କେତେ? ଏହି ପ୍ରଶ୍ନ ହିଁ ଏହାର ଉତ୍ତର।

ହଜାର ହଜାର ବର୍ଷ ଅତିକ୍ରାନ୍ତ ହେଲାପରେ ସେହି ମୂଳମଣିଷମାନଙ୍କରୁ ଅଧିକ ଲୋକ ଏବେ ଜମି ଓ ଜଙ୍ଗଲର ମାଲିକାନାରୁ ବଞ୍ଚିତ ଅଛନ୍ତି। ଆଜି ସେମାନେ ନିଜ ମାଟିରୁ ବିଚ୍ୟୁତ। ନିଜର ଶ୍ରମକୁ ବିଦେଶରେ ନିୟୋଜିତ କରନ୍ତି। ସେଥିରେ ନା ଥାଏ ସମର୍ପଣ ନା ସମୂହ ପାଇଁ ନିଜକୁ ନିୟୋଜିତ କରୁଥିବାର ଆତ୍ମତୃପ୍ତି। କେବଳ ପେଟ ପାଇଁ ପ୍ରବାସ ଓ ପ୍ରବାସରେ ଶ୍ରମ।

ଏ ପତନ ଗୋଟିଏ ସାଧାରଣ ପ୍ରକ୍ରିୟା ନୁହେଁ। ହଜାର ହଜାର ବର୍ଷର କ୍ରମ ଆକ୍ରମଣର ପ୍ରତିଫଳନ ହିଁ ସାମୁହିକ ଦାରିଦ୍ର୍ୟ ପରି ମହାମାରିର କାରଣ। ଏହାର ଆଲୋଚନା ଏଠାରେ ସହଜ ନୁହେଁ। କିନ୍ତୁ ଗୋଟିଏ ଉଦାବରଣ ନିଆଯାଉ ;

କ୍ରମାଗତ ମରୁଡ଼ି ଦାଦନ ପରି ସମସ୍ୟା ତିଆରିଲା। ଏହା କିନ୍ତୁ ସେ ମାଟିର ମଣିଷମାନଙ୍କ ପାଇଁ ସମାଧାନ ଥିଲା। କିଛି ବେପାରୀ ଗୋଷ୍ଠୀ ନିକକୁ ଉଦ୍ଧାରକ ବୋଲି ଆସିଲେ। ଏନଜିଓ ନାମରେ। ନିଜର ତମାମ ପ୍ରଜ୍ଞାର ପ୍ରୟୋଗରେ କହିଲେ ନୂଆଖାଇରେ ମାତ୍ରାଧିକ ଖର୍ଚ୍ଚ କରଜ କରିବାକୁ ବାଧ୍ଯ କରେ ଏବଂ ଏହାର ପରିଶୋଧ ପାଇଁ ଦାଦନ ଯିବାକୁ ହୁଏ। ନିଜର ଏହି ଅଧ୍ୟୟନର ପ୍ରଚାର ବି କଲେ। ଦୁଇ ଦଶନ୍ଧୀର ପ୍ରୟାସ ଫଳଶୂନ୍ୟ ରହିଲା। ଏହା ରହିବ ହିଁ ରହିବ। ସବୁଠାରୁ ବଡ଼ କଥା ଏହା ହେଲା ଯେ ଘଟଣା ଚକ୍ରରେ ଏ ଗୋଷ୍ଠୀ ବିଳୟ ହୋଇଗଲେ। ସୁତରାଂ ଗୋଟିଏ ପ୍ରାକୃତିକ ଉତ୍ସବ ତାର ବିରୋଧିର ବିଳୟକୁ ବି ଦେଖିଲା। ହଜାର ହଜାର ବର୍ଷର ଇତିହାସ ଏହା ହିଁ ପ୍ରମାଣ କରିଛି।

ନୂଆଖାଇ କେବଳ ଗୋଟିଏ ମାନବ ସୃଷ୍ଟ ପରମ୍ପରା ନୁହେଁ। ପ୍ରକୃତିର ଗୋଟିଏ ମହାର୍ଘ ଅବଦାନ। ଗଣତନ୍ତ୍ର ସ୍ଵ-ତନ୍ତ୍ରର ସନ୍ତକ। ସାମନ୍ତ ତନ୍ତ୍ର ମଧ୍ୟ ଏହା ନିକଟରେ ପରାଜିତ ହୋଇଛି।

ନୂଆଖାଇ ସମୟରେ ବର୍ତ୍ତମାନ ଆତ୍ମଚିନ୍ତନର ଆବଶ୍ୟକତା ରହିଛି। ନୂଆଖାଇ ପାଳନ କରୁଛୁ ଅର୍ଥାତ ଆମର ଅସ୍ତିତ୍ଵ ବଜାୟ ରହିଛି। ଆମର ଅସ୍ତିତ୍ଵ ଚିରନ୍ତନ ରହୁ… ଜୁହାର-