ପ୍ରଥମତଃ ୧୮୭୩ ମସିହାରେ ମୋର ଗାଁ ବଙ୍ଗୋମୁଣ୍ଡାରେ ପ୍ରାଥମିକ ବିଦ୍ୟାଳୟ ଓ ଭର୍ଣ୍ଣାକୁଲାର ବିଦ୍ୟାଳୟ ଓ ୧୯୦୮ ମସିହାରେ ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଛି। ତତ୍କାଳୀନ ରାଜନୈତିକ ପରିସ୍ଥିତି ଏପରିଥିଲା ଯେ କନ୍ଧ ରାଜା(ଇଂରେଜ ଶାସନ ଦସ୍ତାବେଜରେ ୧୯୦୩ ମସିହାରେ ବଙ୍ଗୋମୁଣ୍ଡା ଜମିଦାର ବୋଲି ଉଲ୍ଲେଖ ହେଲା ଓ ୧୯୨ ବର୍ଗ ମାଇଲର ଗୋଟିଏ ସୀମା ନିର୍ଦ୍ଧାରଣ କରାଗଲା) ଙ୍କ ରାଜଧାନୀକୁ ପ୍ରଶାସନିକ ଅନୁପ୍ରବେଶ ପାଇଁ ବିଦ୍ୟାଳୟ ମାଧ୍ୟମ ଥାଇପାରେ କିନ୍ତୁ ଅଞ୍ଚଳର ସାଂସ୍କୃତିକ ଓ ଐତିହାସିକ ପରମ୍ପରାକୁ ଏ ବିଦ୍ୟାଳୟ ମାନ ବେଶ ସହାୟକ ହୋଇ ଆସିଅଛନ୍ତି। ବିଦ୍ୟାଳୟର ପୂଜ୍ୟ ଅବଧାନମାନଙ୍କ ମହାନତା ଓ ଦିବ୍ୟତା ପୁରୁଖା ଲୋକ ଗଦଗଦ ହୋଇ କହନ୍ତି। ନୟାଗଡ଼ ଦରବାରରୁ କବିରତ୍ନ ଉପାଧି ସହ ପାଗା ଏବଂ ସୁନାଖଡ଼ୁ ପାଇଥିଲେ ବଙ୍ଗୋମୁଣ୍ଡା ବିଦ୍ୟାଳୟର ଛାତ୍ର ଚିନ୍ତାମଣି ପାତ୍ର। କବିରତ୍ନଙ୍କ ବାଚାଳ ଛାତ୍ରାବସ୍ଥା ଓ ଅବଧାନଙ୍କ ଅନେକ କଥା ଉପାକ୍ଷାନ ପରି ସିଆନ ଲୋକେ ଚର୍ଚ୍ଚା କରିଥାନ୍ତି।
ଜମିଦାରଙ୍କ ଏକ ବିରାଟ ଗ୍ରନ୍ଥାଳୟ ଥିଲା। ଯେଉଁଥିରେ ଅନେକ ମୂଲ୍ୟବାନ ଗ୍ରନ୍ଥ ଓ ହଜାର ହଜାର ତାଳପତ୍ର ପୋଥିର ସଂଗ୍ରହ ଥିଲା। ଅଞ୍ଚଳର ଅଧିବାସୀଙ୍କ ବ୍ୟତୀତ ଅନ୍ୟ କେହି ଗ୍ରନ୍ଥାଳୟ ବିଷୟରେ ଜାଣନ୍ତି ମଧ୍ୟ ନାହିଁ। ଏ ବିଷୟରେ ଛତିଶଗଡ଼ ସଂଗ୍ରହାଳୟ ଓ କେତେକ ଗ୍ରନ୍ଥରେ ସୂଚନା ମିଳିଥାଏ।
ଶେଷ ଜମିଦାର ପୂର୍ଣ୍ଣଚନ୍ଦ୍ର ସିଂ ଭୋଇଙ୍କ ୧୯୪୧ ମସିହାରେ ମୃତ୍ୟୁ ହୁଏ। ଗ୍ରନ୍ଥାଳୟକୁ ନଷ୍ଟ କରାଯାଏ। ଏହାହୁଏ ଅଞ୍ଚଳର ସବୁଠାରୁ ବଡ଼ କ୍ଷତି।
ଏହାପରେ ଦେଶ ସ୍ଵାଧିନ ହୁଏ ଏବଂ ୧୯୪୮ ଜାନୁୟାରୀ ୧ ତାରିଖ ଦିନ ଗଡ଼ଜାତ ମିଶ୍ରଣ ହୁଏ। ଓଡ଼ିଶା ରାଜ୍ୟ ସହ ଗଡ଼ଜାତ ମିଶ୍ରଣ ଫଳରେ ପାଟଣା ରାଜ୍ୟ ସମେତ ବଙ୍ଗୋମୁଣ୍ଡା ଜମିଦାରୀ ପ୍ରତ୍ୟକ୍ଷ ଓଡ଼ିଶା ଶାସନରେ ରହିଲା। ଫିରିଙ୍ଗି ସାହେବ ଓ ରାଜ କର୍ମଚାରୀଙ୍କ ବଦଳରେ ଓଡ଼ିଆ ସାହେବ ଆସିଲେ।
ଓଡ଼ିଶାରେ ମିଶ୍ରଣକୁ କେହି ବିରୋଧ କଲେନାହିଁ। ଏଥି ପୂର୍ବରୁ ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓ ଇଷ୍ଟର୍ଣ୍ଣ ଷ୍ଟେଟସ ୟୁନିଅନ ପାଇଁ ପ୍ରୟାସ କରୁଥିଲେ। ଏପରିକି ମହାତ୍ମା ଗାନ୍ଧୀଙ୍କ ହତ୍ୟାପରେ କଳାହାଣ୍ଡିର ଗଡ଼ଜାତ ମିଶ୍ରଣ ବିରୋଧି ମାନେ ଗଡ଼ଜାତ ମିଶ୍ରଣ ହେବ ନାହିଁ ବୋଲି ଉତ୍ସବ କରିଥିଲେ। ରଥଯାତ୍ରା ବେଳେ ଗଡ଼ଜାତ ମିଶ୍ରଣ ବିରୋଧରେ ପ୍ରଚାର ପତ୍ର ବାଣ୍ଟୁଥିବା ଜଣେ ନବମ ଶ୍ରେଣୀର ଛାତ୍ରକୁ ଗିରଫ କରାଯାଇଥିଲା।
ଓଡ଼ିଶା ସହ ମିଶ୍ରଣକୁ ରାଜତନ୍ତ୍ର ବ୍ୟତୀତ କେହି ବିରୋଧ କରି ନ ଥିଲେ। ଭାରତୀୟ ସାମାଜିକ ବ୍ୟବସ୍ଥା ପ୍ରାୟତଃ ଶାସକ ସହ ଘନିଷ୍ଠ ରହୁନ ଥିଲା। ପ୍ରଜା ମାତ୍ରେ ହିଁ ଉତ୍ପାଦକ ଗୋଷ୍ଠୀ ଥିଲେ। ପରସ୍ପର ସହଭାଗିତା ଥିଲା ଗ୍ରାମ୍ୟ ସଂସ୍କୃତିର ମୂଳ ଆଧାର। ଗୋଟିଏ ଗାଁ ଥିଲା ଗୋଟିଏ ବଡ଼ ପରିବାର। କୃଷକ ଓ ଶିଳ୍ପକାର ଗୋଷ୍ଠିଥିଲେ ଅର୍ଥନୀତିର ମୂଳ ମେରୁଦଣ୍ଡ। ଶାସନକୁ କର ଆକାରରେ ଆର୍ଥିକ ସହଯୋଗ ହେଉଥିଲେ। ଶାସନ ନିକଟରୁ ପ୍ରତ୍ୟାଶା ନ ଥିଲା। ନିଜର ଜୀବନ ଜୀବିକା ଓ ସଂସ୍କୃତିକ କ୍ଷତିର ପ୍ରତିରୋଧ କରୁଥିଲେ। ମେଳିର କାରଣ ଅଧ୍ୟୟନ ବେଳେ ଏହା ସ୍ପଷ୍ଟ ହୋଇଯାଏ।
ଯେପରି ଓଡ଼ିଆ ବିରୋଧି ସ୍ଵର କନ୍ଧମେଳି ମାନଙ୍କରେ ପ୍ରମାଣିତ ହୋଇସାରିଛି । କଳାହାଣ୍ଡିର ଆଦିବାସୀ ମୁଖିଆ ଭାନୁ ମଲ୍ଲୀକ ଓ ଜଗନ୍ନାଥ ମଲ୍ଲୀକଙ୍କ ବିପ୍ଲବ ବେଶ ପ୍ରଭାବୀ ଥିଲା। ଭାନୁ ମଲ୍ଲୀକ ନିଜ ଦରବାର ସମ୍ମୁଖରେ ଲେଖିଥିଲେ
ଓଡ଼ିଆମାନେ ନିଜର ସୁବିଧା ଲାଗି ଇଂରେଜ ସାହେବ ମାନକେ ଆନିଛନ। ମୋର ଦରବାରକେ ଓଡ଼ିଆ ଛଡ଼ା ଯିଏ ବି ଆସି ପାରବା। ଓଡ଼ିଆ ଆସଲେ ନିଶ୍ଚେ ମରବା
(ସୌଜନ୍ୟ – ତ. ଫଣିନ୍ଦମ ସିଂଦେଓ)
ଘଟଣାର ଅନେକ ଦଶନ୍ଧୀ ପରେ ଗଡ଼ଜାତ ମିଶ୍ରଣ ହେଲା।ମିଶ୍ରଣ ସମୟର ପରିସ୍ଥିତି ଉପରେ କୌଣସି ନିର୍ଣ୍ଣୟ ଜମିଦାରୀ ଏବଂ ଏହାସହ ସମ୍ପର୍କୀତ ଅଞ୍ଚଳ ନେଲେ ନାହିଁ। କାରଣ ବିପ୍ଲବୀ ମୋହନ ମାଝୀ ଏବଂ ତାଙ୍କର ଚାରିପୁଅଙ୍କୁ ରାୟପୁରରେ ଫାଶୀ ହୋଇ ସାରିଥିଲା।
ସରଗି ପତର ଉଲଟା /ମୋହନ ମାଝୀ ଶୁଇଲ ପାଏଲା ଦେବଗୁନିଆର ପଲଟା
ସ୍ଵାଧିନତା ଆନ୍ଦୋଳନର ସମୟର ମହାନ ବିଭୂତିଙ୍କ କଥା ଦର୍ଶନ ଏବଂ ଉଦ୍ଦେଶ୍ୟକୁ ଲୋକେ ସ୍ପଷ୍ଟ ଅନୁଭବ କରୁଥିଲେ। ଓଡ଼ିଶାର କୌଣସି ସ୍ଵାଧିନତା ସଂଗ୍ରାମୀ ଗାନ୍ଧୀଙ୍କ ପ୍ରତିରୂପ ହୋଇ ଏହି ଅଞ୍ଚଳର ଲୋକମାନଙ୍କ ସମ୍ମୁଖରେ ଠିଆ ହୋଇନ ଥିଲେ। ସ୍ବରାଜ ହିଁ ସବୁ ପ୍ରଶ୍ନର ଉର୍ଦ୍ଧ୍ଵରେ ଥିଲା। ଓଡ଼ିଶା ସହ ମିଶ୍ରଣ ଏକ ରାଜତାନ୍ତ୍ରୀକ ବିଷୟ ଥିଲା। ସାଧାରଣ ଅନେକ ଅପେକ୍ଷା ସହ ଏକ ବିରାଟ ପରିବର୍ତ୍ତନର ସୁଖଦ ଅନୁଭବର ଅପେକ୍ଷାରେ ଥିଲେ କେବଳ।
ଆହୁରି ଅନ୍ୟ କାରଣର ଆଧାର ଏହା ଜେ ଓଡ଼ିଶା ଶାସନ ସହ ମିଶ୍ରଣକୁ ସହଜରେ ସ୍ୱୀକାର କରିନେଲେ। କାରଣ ଉଡ଼ଶା(ଶ୍ରୀକ୍ଷେତ୍ର ପୁରୀ) ସର୍ବମାନ୍ୟ ସର୍ବପୂଜ୍ୟ ପବିତ୍ରକ୍ଷେତ୍ର ଥିଲା। ଜଗନ୍ନାଥଙ୍କ ଶାସନରେ ରହିବା ସୌଭାଗ୍ୟ ମଣିଲେ। ପ୍ରତିରୋଧ ନ ଥିଲା ଲୋକଙ୍କ।
ବିଦ୍ୟାଳୟରେ ଓଡ଼ିଆ ଅକ୍ଷର ଶିକ୍ଷା ସହ ପାଠ ପଢ଼ି ଆସୁଥିଲେ। ଓଡ଼ିଆ ଥିଲା ଦରବାରୀ ଭାଷା। ଧର୍ମଗ୍ରନ୍ଥ ଆଦି ଯାହା ଅତ୍ୟାବଶ୍ୟକ ଥିଲା ତାହା ମଧ୍ୟ ଥିଲା ଓଡ଼ିଆରେ। ଓଡ଼ିଆ ଅସହଜ ନ ଥିଲା।
ଆଜି ମଧ୍ୟ ଛତିଶଗଡ଼ରେ ମିଶିଥିବା ଅଞ୍ଚଳର ଲୋକଙ୍କ ପରିଚୟ ଓଡ଼ିଆ, ଯେଉଁମାନଙ୍କ ପୂର୍ବାଞ୍ଚଳ ସହ କୌଣସି ସମ୍ପର୍କ ନାହିଁ। ସୁତରାଂ ଓଡ଼ିଆ ପରିଚୟ ରହିଥିଲା।
ଏପରିକି ଓଡ଼ିଶା ଶାସନର ସଂସ୍କୃତି ବିଭାଗ ନିକଟରେ ମଧ୍ୟ ଛତିଶଗଡ଼ ଓଡ଼ିଆଙ୍କ ପ୍ରତି କୌଣସି ଦାୟିତ୍ଵବୋଧ ରଖିନାହିଁ।
ଉତ୍ତର ପର୍ବ
ବଡ଼ମକାର (୧୯୬୫ ମରୁଡ଼ି) ପରେ ଛପନସାଲ ବା ସପନସାଲ ପରି ମରୁଡ଼ି ଲୋକେ ଦେଖି ସାରିଆନ୍ତି। ଏହାର ଶହେ ବର୍ଷ ପୂର୍ବରୁ ଓଡ଼ିଶା ନଅଙ୍କଦୁର୍ଭିକ୍ଷ ଦେଖି ସାରିଥିଲା। ଏ ସମୟରେ କେବଳ କ୍ଷୁଧା ନୁହେଁ ସଂସ୍କୃତିକ ଓ ସାମାଜିକ କ୍ଷେତ୍ରରେ ମଧ୍ୟ ବିପଦ ଦେଖାଗଲା। ଦାରିଦ୍ର୍ୟ କାରଣରୁ ବହିରାଗତ ବେପାରୀ ମାନେ ଖାଦ୍ୟ ବଦଳରେ ସାଧାରଣଙ୍କ ସମ୍ପଦା ଲୁଟ କରୁଥିଲେ। ଜଙ୍ଗଲ ରିଲିଫ ଘୋଷଣା ହେବା ପରେ ତାର ଉପଭୋକ୍ତା ରହିଲେ କେବଳ ଏହି ବହିରାଗତ ମାନେ। ପେଟ ପାଇଁ ସାମୁହିକ ପଳାୟନ ଆରମ୍ଭ ହେଲା ।
ଲୋକଙ୍କ ସାଂସ୍କୃତିକ ଦାୟିତ୍ଵବୋଧ ଆମ ଗାଁର କେତେଜଣ ମହାନ ବିଭୂତିଙ୍କୁ ଚିନ୍ତାରେ ପକାଇଲା। ଗୋଟିଏ ବିପ୍ଲବ ଆରମ୍ଭ କଲେ। ପୁରୋଧା ଥିଲେ ଜମିଦାରୀ ଫଉଜଦାର ପରିବାରର ଦାୟାଦ ସୟଦ ଅଲ୍ଲୀ ଓ ଜମିଦାର ପରିବାରର ଆତ୍ମାରାମ ଭୋଇ। ସୟଦ ଅଲ୍ଲୀ ନିଜର ଜମି ଦେଲେ ଭାଗବତ ଟୁଙ୍ଗି ନିର୍ମାଣ ପାଇଁ।
ଭାଗବତ ଟୁଙ୍ଗି ପକ୍କା ଘର ହେଲା। ଏଠାରେ ଭାଗବତ, ରାମାୟଣ, ମହାଭାରତ, ଚିତ୍ତବୋଧ, ହରିବଂଶ, ଶିବପୁରାଣ, ଉପନିଷଦ ପ୍ରତ୍ୟହ ପାଠ ଓ ଆଲୋଚନା ହେଲା। ଅଞ୍ଚଳର କବିଗଣଙ୍କ କାବ୍ୟକବିତା ସଂଗ୍ରହ ହେଲା। ତାକୁ ନାଟକର ରୂପ ଦିଆଗଲା। ଅଳ୍ପ ସମୟ ମଧ୍ୟରେ ବଙ୍ଗୋମୁଣ୍ଡା ଭାଗବତ ଟୁଙ୍ଗି ଅଞ୍ଚଳର ସାଂସ୍କୃତିକ ଦରବାର ହୋଇଗଲା।
ଏଠାରେ କଳାକାର ମଧ୍ୟ ଭିନ୍ନ ଢଙ୍ଗରେ ଆସୁଥିଲେ। କିଏ ରାମ ହେବ କି ବିଦୂଷକ ଟୁଙ୍ଗିରେ ବିଚାର ହେଉଥିଲା। ତାକୁ ଆଦେଶ ପଠା ଯାଉଥିଲା। ଟୁଙ୍ଗିରେ ସଭା ମଧ୍ୟରେ ଆଦେଶ ଦେଇ ତାଙ୍କୁ ନାଟକର କଳାକାର କରା ଯାଉଥିଲା।
କଳାକାରର କାମ ହେଲା ସେ ନିଜ ପାଠ ନିଜେ ଗ୍ରନ୍ଥରୁ ଉତାରିବ। ସହଜରେ ତ ନିରକ୍ଷର ସେମାନେ ଲେଖିବେ କିପରି ?
ଏହାର ମଧ୍ୟ ସମାଧାନ ଥିଲା। ଟୁଙ୍ଗିରେ ୫୦ ଖଣ୍ଡ ସିଲଟ ଥିଲା। କାମ ସାରି ଲଣ୍ଠନ ଆଳୁଅରେ ପାଠ ପଢିବେ। ତାପରେ ବର୍ଣ୍ଣବୋଧ ପଢିବେ। ଚଟି ବହି ଆକାରର କିଛି ବର୍ଣ୍ଣବୋଧ ଆଜିମଧ୍ୟ ଟୁଙ୍ଗିରେ ଅଛି। ବର୍ଣ୍ଣବୋଧ ପାଠ ସରିଲେ କଳାକାର ପୁରାଣ ପଢିବ। ନିଜ ଚରିତ୍ରକୁ ହୃଦୟଙ୍ଗମ କରିବ। ଗ୍ରନ୍ଥରୁ ନିଜ ପାଠ ଉତାରିବ; ଆଖଡ଼ା କରିବ। ପ୍ରଥମ ଅଭିନୟ ନିଜ ଗାଁରେ ହେବ। ଯେକୌଣସି ଚରିତ୍ର କବିରତ୍ନ ଚିନ୍ତାମଣି ପାତ୍ରଙ୍କ କବିତା ପଦ କହିବାକୁ ବାଧ୍ୟ। କଳାକାର ନିଜେ ନିର୍ଣ୍ଣୟ କରିବ କେଉଁ ଥାନରେ କବିରତ୍ନଙ୍କୁ କହିବ। ଗାଁର ଲୋକଚର୍ଚ୍ଚାକୁ ପୁରାଣ ପାଠ ପରେ ସଭାମଧ୍ୟରେ ଆଲୋଚନା ହେବ। ଦଣ୍ଡବିଧାନ ବି ହେବ। ଏପରି କି ଅକ୍ଷର ଶିକ୍ଷା କି ବର୍ଣ୍ଣବୋଧ ପାଠ ବେଳେ ଆତ୍ମାରାମ ଭୋଇଙ୍କ ଛାଟ ସେ ସମୟର କୌଣସି ନୈଷ୍ଠିକ ଅଧ୍ୟାପକଙ୍କ ଠାରୁ କମ ନ ଥିଲା।
ବାଦନ, ଗାୟନ ଓ ଅଭିନୟ ଲୋକମାନ୍ୟ ଶାସ୍ତ୍ରୀୟ ଆଧାରରେ ହେଉଥିଲା। ମୁଁ ସେ ମହାନ କଳାକାରଙ୍କ ନାମ, ଚରିତ୍ର ଓ ନିଷ୍ଠା କଥା ଏଠାରେ ଉଲ୍ଲେଖ କରୁ ନାହିଁ। ଯେଉଁମାନେ ରାଜ୍ୟ ଓ ଛତିଶଗଡ଼ ଅଞ୍ଚଳରେ (ତତ୍କାଳିନ ମଧ୍ୟପ୍ରଦେଶ) ପ୍ରକୃତ କଳାର ପରିଚୟ ଦେଇ ମାଟିକୁ ଧନ୍ୟ କରିଥିଲେ। ଏପରି କି ଦାରିଦ୍ର୍ୟ ମଧ୍ୟ ତାଙ୍କ ନିଷ୍ଠାକୁ ବିଚଳିତ କରିପାରି ନ ଥିଲା।
ସେ କଳାକାରମାନେ ନାହାନ୍ତି। ଭାଗବତ ଟୁଙ୍ଗି ଅଛି। ପୁରାଣ ପାଠ ହେଉଛି। ଟଙ୍କାଟିଏ ମଧ୍ୟ ସରକାରୀ ଅନୁଦାନ ନ ପାଇ ପୂର୍ବ ଗୌରବର ଚର୍ଚ୍ଚା ତା ଛାତ ତଳେ କରୁଛି। ଆଜି ବି କିଏ ଜଣେ ସେ ପୁରୁଣା ବର୍ଣ୍ଣବୋଧକୁ ଛୁଇଁବ; ସେପରି ଛୁଇଁବ କି ପଢିବ ଯେପରି ଭାଗବତ ପଢ଼େ…