ଇତିହାସ ଥିବା ଗଛ

ବେହେରା ଗଛ। ଆମ ଗାଁର ଗୋଟିଏ ଭୂଗୋଳର ଅଂଶ। ରାୟପୁର-ଗୋପାଳପୁର ଜାତୀୟ ରାଜପଥ ପାଖରେ ଆଜି ବି ଠିଆ ହୋଇଛି ତାର ଉତ୍ତର ବୟସରେ। ଗାଁ ଆଖପାଖରେ ତମାମ ବେହେରା(ବାହାଡ଼ା) ଗଛ ଅନ୍ୟ ସାଧାରଣ ଗଛ ପରି; କିନ୍ତୁ ବେହେରା ଗଛ ଆଜିବି ଅତୀତର ଅନେକ କାହାଣୀକୁ ଜୀବନ୍ତ ରଖିଛି। ଏହା କେବଳ ମାତ୍ର ଗଛଟିଏ ନୁହେଁ ଇତିହାସର ଅନେକ କାହାଣୀମାନଙ୍କ ସମାହାର ଟିଏ। ଯିଏ ବଙ୍ଗୋମୁଣ୍ଡା ଇତିହାସର ଶେଷ ସାକ୍ଷି ଟିଏ ହୋଇ ଠିଆ ହୋଇଛି।
ଗାଁର ପଶ୍ଚିମକୁ ଶେଷ ସୀମାର ପ୍ରହରୀ ଜଣେ। ଇତିହାସର ଅନେକ ମେଳି ତା ପାଖରେ ହେଇଛି। ଜମିଦାରଙ୍କ ଯୁଦ୍ଧଯାତ୍ରାର ବିଜୟ ନିସାନ ତା ମୂଳରେ ବାଜିଛି। ବିଜୟ ତୂରୀ ତା ପାଖରେ ବାଜିଛି ରାଜତନ୍ତ୍ରର ଅହଂକୁ ଦଳନ କରିଥିବାର ସୂଚନା ହୋଇ।
ଗଛଟି ଗଛ ନୁହେଁ ଆମ ଗାଁ ଏବଂ ଛପନ ମୌଜାର ସମ୍ମାନନୀୟ ଅସ୍ତିତ୍ଵ ଟିଏ।
କବିରତ୍ନ ଚିନ୍ତାମଣି ପାତ୍ର; ବଙ୍ଗୋମୁଣ୍ଡା ଜମିଦାରଙ୍କ ଅନ୍ୟାନ୍ୟ ବିଜ୍ଞଙ୍କ ମଧ୍ୟରୁ ଜଣେ। ସେ ବେହେରା ଗଛ ପାଖରେ ଛେଳି ଚରଉଥାନ୍ତି। ଦେଖିଲେ କେତେଜଣ ପଣ୍ଡିତ ବସିଥାନ୍ତି ଗଛମୂଳେ। ଖାଇବା ପାଇଁ ରନ୍ଧାରେ ବ୍ୟସ୍ତ ପଣ୍ଡିତ ସମେତ ସମସ୍ତେ ଶାସ୍ତ୍ର ଚର୍ଚ୍ଚାରେ ମଗ୍ନ ଥାନ୍ତି। ମଝିରେ ମଝିରେ ରହସ୍ୟ କରୁଥାନ୍ତି କନ୍ଧ ଜମିଦାର ତାଙ୍କର ପାଣ୍ଡିତ୍ୟରେ ହତମ୍ଭବ ହେଇଯିବେ। କେଉଁ ଶ୍ଲୋକରେ କିପରି ପ୍ରତିକ୍ରିୟା ଦେବେ। କିଛି ଶ୍ଲୋକ ଜମିଦାରଙ୍କୁ ଅପମାନ କରି ଯୋଡ଼ିଥାନ୍ତି। ତାର କାଳ୍ପନିକ ପ୍ରତିକ୍ରିୟା କିପରି ହେବ ତାହା କହି ଅଟ୍ଟହାସ ସୁଦ୍ଧା କରୁଥାନ୍ତି।
କବିରତ୍ନଙ୍କୁ ଅସହ୍ୟ ହେଲା। ଅସ୍ଥାୟୀ ପଣ୍ଡିତ ସଭାର ଅନତି ଦୂରରେ ରହି ଭୂମିଷ୍ଠ ପ୍ରଣାମ କଲେ। ନିଜକୁ ବିଜ୍ଞଦର୍ଶନରେ ଏବଂ ମାଟିକୁ ତାଙ୍କ ସ୍ପର୍ଶରେ କୁତାର୍ଥ ହେଇଥିବା କହିଲେ। କବିରତ୍ନଙ୍କ ବ୍ୟବହାରରେ ମୁଗ୍ଧ ପଣ୍ଡିତମାନେ କଥା ହେବାର ସ୍ୱୀକୃତି ଦେଲେ।
କବିରତ୍ନ ଚିନ୍ତାମଣି ପାତ୍ର ପଣ୍ଡିତ ସମୂହଙ୍କୁ ପରିଚୟ ଓ ପ୍ରବାସର କାରଣ ପଚାରିଲେ। ପଣ୍ଡିତଗଣ କାଶିରୁ ଆସିଥାନ୍ତି ଏବଂ ନିକଟ ରାଜ ଦରବାରରେ ଜମିଦାରଙ୍କ ପାଣ୍ଡିତ୍ୟର ପରିଚୟ ପାଇ ଜ୍ଞାନଚର୍ଚ୍ଚା କରିବାକୁ ଆସିଥିବା କହନ୍ତି। ଆହୁରି କହନ୍ତି କନ୍ଧ ହେଲେ ମଧ୍ୟ ଜ୍ଞାନରେ ଜମିଦାରଙ୍କ ତୁଳନା ନାହିଁ। ଏହି କାରଣରୁ ଶାସ୍ତ୍ର ଆଲୋଚନାର ସୌଭାଗ୍ୟ ପ୍ରାପ୍ତି ପାଇଁ ତାଙ୍କ ଆଗମନ ବୋଲି କହନ୍ତି।
ଏହାପରେ କବିରତ୍ନ ସଂସ୍କୃତରେ ବାର୍ତ୍ତାଳାପ କରନ୍ତି। ପଣ୍ଡିତଗଣ ଆଶ୍ଚର୍ଯ୍ୟ ହୋଇଯାନ୍ତି। ଅଧା ନଙ୍ଗଳା ଲୋକଟିର ସଂସ୍କୃତ ଶୁଣି।
କବିରତ୍ନ ଗୋଟିଏ ଶ୍ଲୋକ କହନ୍ତି। ତାର ଅର୍ଥ ଜିଜ୍ଞାସା କରନ୍ତି। ବିନମ୍ରତାରେ ତାଙ୍କର ପ୍ରଶ୍ନ ଓ ପ୍ରାଞ୍ଜଳ ସଂସ୍କୃତ ତାଙ୍କୁ ଆଶ୍ଚର୍ଯ୍ୟ କରି ସାରିଥାଏ। ପଚାରନ୍ତି
: ତୁମେ କିଏ?
: ହେ ମହାନୁଭବଗଣ ମୁଁ ଜମିଦାରଙ୍କ ଛାଗ ପାଳକ। ହଜୁରଙ୍କ ହଜାର ହଜାର ଛାଗ ମଧ୍ୟରୁ ଅମାନିଆ କେତେ ଛାଗଙ୍କୁ ସଂଖୋଳିବାକୁ ଆସି ଆପଣମାନଙ୍କ ଦୂର୍ଲ୍ଲଭ ଦର୍ଶନ ପାଇଲି।
: ଏ ଶ୍ଲୋକ କେମିତି ଜାଣିଲ?
: ଜମିଦାରଙ୍କ ପାରିଷଦ ସମେତ ସେବକ ମାନେ ବି ସଂସ୍କୃତରେ କଥା ହେବାକୁ ତାଗିଦ ଅଛି। ଛେଳି ଗୁହାଳକୁ ଛେଳି ନେଲା ବେଳେ ଜମିଦାର ନିଜ ପଣ୍ଡିତଙ୍କ ଗହଣରେ ଚର୍ଚ୍ଚା କଲାବେଳେ ଏହା ଶୁଣିଛି।
: ସେ ପଣ୍ଡିତଙ୍କୁ ଏହାର ଅର୍ଥ କାହିଁ ପଚାରିଲ ନାହିଁ ?
: ମୁଁ ସାମାନ୍ୟ ଛାଗ ପାଳକ ମହାଭାଗ। ଯଦି ମୁଁ ଶ୍ଲୋକର ଅର୍ଥ ପଚାରିବି ବଦରାଗି ଜମିଦାର ମୋ ମୁଣ୍ଡକାଟ କରିବେ।
ମୁଁ ଦେଖିଛି ହଜୁର ଶାସ୍ତ୍ରାର୍ଥରେ ହାରିଥିବା ପଣ୍ଡିତଙ୍କୁ ଜମିଦାର ଭୟଙ୍କର ଦଣ୍ଡ ଦିଅନ୍ତି।
ପଣ୍ଡିତମାନେ ଉତ୍ତର ତ ଦେଇପାରିଲେ ନାହିଁ ଅନ୍ୟତ୍ର ରନ୍ଧା ଖାଦ୍ୟ ଓ ବାସନ ଛାଡ଼ି ପଳାୟନ କଲେ।
(ଜମିଦାରର ଛେଳି ଜଗୁଆଳି ଯଦି ଏତେ ବିଜ୍ଞ ତାର ପଣ୍ଡିତ କିପରି ନ ଥିବେ !)
ଏ ଘଟଣା ଘଟିଥିଲା ଏ ବେହେରା ଗଛତଳେ

Leave a Reply

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

This site uses Akismet to reduce spam. Learn how your comment data is processed.

%d bloggers like this: