ବିକାଶର ଇତିବୃତ୍ତ


ରିତେଶ କୁମାର ଦାସଙ୍କ ସହ ଟ୍ରେକିଂ ଗୋଟିଏ ସୁନ୍ଦର ସୁଯୋଗ ଦିଏ; ସେଠାରେ ସମୟର ଭିଡ଼ ନ ଥାଏ। ଦୁଇଦିନ ପୂର୍ବର କଥା ବିକାଶର ନାଗରା ଅନେକ ଶବ୍ଦକୁ ପାଖାପାଖି ମୂଲ୍ୟହୀନ କରୁଥିବା ବେଳେ ଆମେ ଦୁଇବର୍ଷ ତଳେ ତିଆରି ହୋଇଥିବା ଦଦରା ପ୍ରଧାନମନ୍ତ୍ରୀ ସଡ଼କରେ ସାମାନ୍ୟ କିଛି ମାଇଲ ଓ ଅଶିଦଶକରୁ ନିଜର ସ୍ଵଭାବ ବଦଳେଇ ନଥିବା ମାଟି ସଡ଼କରେ କିଛି ମାଇଲ ଗଲୁ। ପାହାଡ଼ି ରାସ୍ତା ଆରମ୍ଭ ହେବାର ଦୁଇ କି.ମି ପୂର୍ବରୁ ପ୍ରଥମ ସବୁଜ ବିପ୍ଳବର ନିର୍ବାକ ସାକ୍ଷୀ ହେଇ ସିମେଣ୍ଟ କେନାଲ ଟିଏ ଲମ୍ବି ଯାଇଛି। ଭୂମୀର ଗଠନ ଦେଖିଲେ କେନାଲ ଟି ଜଣେ ବହିରାଗତ ପରି ଲାଗୁଥିଲା। ବିଶ୍ଵାସ ହେଉନ ଥିଲା ଏ କେନାଲ କେବେ ବି ତାର ଧାର୍ଯ୍ୟ ଲକ୍ଷ ପୁରା କରିଥିବ।

କ୍ଷୁଦ୍ର ଜଳସେଚନ ପ୍ରକଳ୍ପଟି ଦୁଇଟି ଡୁଙ୍ଗରୀକୁ ଯୋଡ଼ିଥିବା ପାଖାପାଖି ୩୦ ଫୁଟ ଉଚ୍ଚର ଆଡ଼ି i ସେପଟେ ଆଡ଼ି ସହ ଯୋଡୁ ଥିବା ପାହାଡ଼ି ରାସ୍ତାଟିଏ ମେଞ୍ଚାଏ ପାହାଡ଼ର ସନ୍ଧି ଭିତରେ ଅଦୃଶ୍ୟ ହୋଇ ଯାଇଥିଲା। ମାର୍ଚ୍ଚ ମାସର ପତ୍ରଝଡ଼ା ବେଳରେ ବି ଜଙ୍ଗଲର ଘନତା ଅବଶେଷ ବଣ୍ୟଜନ୍ତୁଙ୍କ ପାଇଁ ସୁରକ୍ଷିତ ଥାନଟିଏ ପରି ଲାଗିଲା।

ଜଙ୍ଗଲ ବିଭାଗ ଦ୍ବାରା ହେଇଥିବା କିଛି କାମରେ କୁଣ୍ଠିତ ସିମେଣ୍ଟର ଲେପ ବିଭାଗର ଗାମ୍ଭିର୍ଯ୍ୟକୁ ହସୁଥିଲା।

ପାହାଡ଼ ଉପରୁ ଝରୁଥିବା ପାଣିର କ୍ଷିପ୍ରତାକୁ ରୋକି ପ୍ରକଳ୍ପକୁ ସୁରକ୍ଷା ଦେବାପାଇଁ ପାଖାପାଖି ଦୁଇଶହ ଫୁଟର ଗୋଟିଏ ଆଡ଼ି ଏବଂ ଆଡ଼ି ଉପରେ ଗୋଟିଏ କୁଡ଼ିଆ। କୁଡ଼ିଆକୁ ଗଲୁ। ଏବେ ବି ବ୍ୟବହାର ହେଉଛି କୁଡ଼ିଆ। ହୁଏତ ସୁରକ୍ଷା ଆଡ଼ି ଦ୍ବାରା ତିଆରି ମୁଡାର ମାଛ ଜଗୁଥିବ ନଚେତ୍ ପ୍ରକଳ୍ପ ପଟକୁ ମୁକ୍ତ ଦୁଇ ହେକ୍ଟର ପାଖାପାଖି ଜମିରେ ଚାଷ ହେଇଥିବା ଧାନ ଓ ଜଡ଼ାକୁ।

କୁଡ଼ିଆ ରୁ ପ୍ଲାଷ୍ଟିକ ପଟି(ଯେଉଁଠି ଖଜୁରୀ ପଟି ରହିବା କଥା) ନେଇ ହିଡ଼ ଛୁଇଁଥିବା ସେ ପାହାଡ଼ ପାଖକୁ ଗଲୁ। ନିମ୍ବ ଗଛ ତଳେ ବସିଲୁ।

ପାଖାପାଖି ଘଣ୍ଟାଏ ହେବ ଷାଠିଏ ଡେଇଁ ଥିବା ସିଆନ ଜଣେ ଆସିଲେ। ତାଙ୍କର ପରିପାଟି ଲାଗିଲା ସେ ହିଁ ପୃଥିବୀର ଶେଷତମ ମୌଳିକ ମଣିଷ !

ଆଗେ ତିନିଶହ ଟଙ୍କା ଭତ୍ତା ପାଉଥିଲେ ଏବେ ପାଞ୍ଚଶହ ଟଙ୍କା ପାଉଛନ୍ତି। ସରକାର ପଇସା ଆକାରରେ କେବେ କେବେ କମ୍ବଲ ଓ ଛତା ପାଇଁ ଦେଇ ଦିଅନ୍ତି। ଖାଦ୍ୟ ସୁରକ୍ଷା ଆଇନର ଚାଉଳ ଆଣିବା ବାଦ ସରକାରଙ୍କ ସହ ତାଙ୍କ ସେତେଟା ଅଧିକ ପ୍ରିତି ନାହିଁ।

ଝୀଅକୁ ବାହା ଦେଇଛନ୍ତି କେଉଁ କାଳୁ। ଦୁଇଟି ପୁଅଙ୍କ ଦୁଇଟି ସଂସାର। ବଡ଼ ପୁଅ ସଂସାର ଅଧାକରି ମରିଗଲା।

– ଏଃ… ! ଜାନୁଛ ଗୋ ବୁଆ ଏଜ କାଲିର ପିଲା ମନକେ। ମଦ ସୁରର କଥା ! କାରକଥା କିଏ ଶୁନୁଛେ ! ହେ ମଦ ଫୁଟେକ ସବୁ ସାରିଦେଲା।

ଗ୍ରାମ୍ୟ-ରାଜନୀତିର ଜୀବନ୍ତ ପରିଣାମଟିଏ ହୋଇ ଯାଇଛନ୍ତି ବବା ! ତାଙ୍କର ଦୁଃଖକୁ ଶୁଣି ଆମର କରୁଣାର ବଦମାସିକୁ ଉପଭୋଗ କରିବା ପରି ଧୃଷ୍ଟତା ଆମର ନ ଥିଲା।

ବବା ଆଦିବାସୀ ତାଙ୍କର ଚାରି ପୁରୁଷ ଗଁତିଆ ଘରେ ଖଟିଲେ। ବଫୁ ସରିଗଲେ ପୁଅ ଖଟିବ; ବାପଙ୍କୁ ଗଁତିଆ ଜମିଖଣ୍ଡେ ଶେଷ ପାରିତୋଷିକ ଦେବ। ତାଙ୍କ ବେଳକୁ ଗଁତିଆ କିଛି ଦେଲେନି। ପରମ୍ପରାକୁ ଭାଙ୍ଗିଥିବା ଗଁତିଆ ପ୍ରତି ବବା ଆଜି ବି ଅସନ୍ତୋଷ। କିନ୍ତ ଆଜି ତାଙ୍କ ପାଖରେ ତାଙ୍କ ଚାରି ପୁରୁଷର ମୋଟ ଉପାର୍ଜନ ଦୁଇ ଏକର ରଏତି ଜମି ଅଛି।

ଛୋଟ ପୁଅ ପିଏମଜିଏସୱାଇ ତିଆରୁ ଥିବା କେଉଁ ଠିକାଦାର ନିକଟରେ କାମକରେ। ଆଉ ନିଜେ ବବା ଗଁତିଆ ନିଜର ଏକାଧିପତ୍ୟ ଜାହିର କରିଥିବା ମୁଡ଼ା ଓ ଦୁଇ ହେକ୍ଟର ଜମିର ଚାଷ ଜଗେ। କୌଣସି ପାରିଶ୍ରମିକ ନାହିଁ। ଆବୋରି ଥିବା ଜମିରୁ କିଛି ବୁଢ଼ାକୁ ଛାଡ଼ିଦେଇ ଗଁତିଆ ନିଜ ପୂର୍ବପୁରୁଷର ମାନ ରକ୍ଷା କରିଛନ୍ତି।

– କାହା କେ ଭୋଟ ଦେବ ବବା?

ଭୋଟ ! ଏକ ଅତିରିକ୍ତ ବୋଝ ଯେପରି ବବାଙ୍କ ପାଇଁ। ଏହାର ଉତ୍ତର ସେ କେବେବି ପାଇ ନାହାନ୍ତି। ଗଁତିଆର ଶେଷ ପାରିତୋଷିକ ପାଇ ନାହାନ୍ତି; ଯାହା ପାଇଛନ୍ତି ସେ ଅନିଶ୍ଚିତ ସମ୍ପତ୍ତି ବଦଳରେ ଶ୍ରମ କରୁଛନ୍ତି। ଅକାଳରେ ନିଜର ବଡ଼ପୁଅକୁ ହରେଇ ଏ ଭୋଟର କରାଳତାକୁ ଦେଖିଛନ୍ତି। ବାସ ଭୋଟ ପରି ସ୍ଵାଧିନତା ଓ ବିକାଶ ଖୁବ ମୂଲ୍ୟହୀନ ତାଙ୍କପାଇଁ।

ବବା ଆମ ଦୁଇ ଆଗନ୍ତୁକଙ୍କ ପରିଚୟ ବୁଝି ଆସିଥିଲେ ବୋଧହୁଏ। ବାସ ଗଁତିଆ ଆବୋରିଥିବା ଜମି ପଟକୁ ଫେରିଲେ। ଯେଉଁ ଜମିସହ ତାଙ୍କ ଅଲିଖିତ କିଛି ଜମି ଯୋଡ଼ି ହୋଇଛି ଠିକ ତାଙ୍କର ନିୟତି ପରି।

କିଛି ସମୟ ପରେ ଆଉ ଜଣେ ଆଦିବାସୀ ଯୁବକ ଆସିଲେ। ପନ୍ଦରଟି ଛେଳୀର ମାଲିକ ! ଗାଁର ପାଞ୍ଚ ଭାଇଙ୍କ ସହ ଛେଳୀ ଚରାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ନୁହନ୍ତି। ବିକାଶର ତମାମ ସାମଗ୍ରି ତାଙ୍କପାଇଁ ଅପହଞ୍ଚ। ସେ ହସି ହସି କଥା ହେଉଥିଲେ। ନିଜର ବାହୁବଳ ଯଥେଷ୍ଠ ଯେପରି ତାଙ୍କ ସଂସାର ଲାଗି । ଛେଳୀ, ଜଙ୍ଗଲ, ସାଥି, ଗାଁ ଓ ଖୁଟୁରାମ ସୁନାନୀ ତାଙ୍କର ସବାଶେଷ ବଫୁ। ଗାଁର ଦୁଷ୍ଟ ପିଲାମାନେ ତୋଟାରୁ ଆମ୍ବ ଚୋରି କରନ୍ତି। ସେ ରୋଚକତା ରଖନ୍ତି ଭୋଟ ମାରୁଥିବା ଲୋକଙ୍କ ପାଇଁ। ସେ ଜାଣନ୍ତି ନାହିଁ ତାଙ୍କର ବିଧାୟକ ପ୍ରତ୍ୟାଶୀମାନଙ୍କ ନାମ। ସେ ଭୋଟ ଦେଇ ଯିବେ ଏହା ନିଶ୍ଚିତ କିନ୍ତୁ କାହାକୁ ଭେଟ ଦେବେ ଏହା ଅନିଶ୍ଚିତ !

– ଆଚ୍ଛା ଭାଇ ଖୁଟୁ ସୁନାନୀ ଭଠଲେ ଭୋଟ ଦେବ କାଏଁ ?

ଉସତ ହେଇଗଲେ ଯୁବକ ଜଣକ …

= କଥା କହୁଛ କେଁ ହୋ ଆଜ୍ଞା !

ଫେରିଲା ବେଳେ ବାଟରେ ଗଁତିଆ ଘର। କିଛି ସମୟ କଥା ହେଲାପରେ ପୂର୍ବରୁ ତାଙ୍କ ପ୍ରତି ଉଠିଥିବା ବିଦ୍ରୋହ ନିରର୍ଥକ ଲାଗିଲା। ସେ ବି ଜଣେ ସାମାନ୍ୟ ନାଗରିକର ସଂଘର୍ଷ କରୁଛନ୍ତି। ନିଜ ଆବୋରି ଥିବା ଜମିରୁ ବବାଙ୍କୁ ଖଣ୍ଡେ ଦେବା ତାଙ୍କର ନୈଷ୍ଠିକତା ହିଁ ଥିଲା।

ଫେରିବା ବାଟରେ ରିତେଶ ସାରଙ୍କ ଜଣେ ଘନିଷ୍ଠ ଆମକୁ ଅଟକାଇଲେ। ଦେଶୀ ପ୍ରଜାତିର କୁସେର ଚାଷୀ। ଏକଦା ବଙ୍ଗଳା କୁସେର ବିହନ ସେ ଆଣିଥିଲେ। କ୍ରମ ଚାଷରେ କୁସେର ତାର ସ୍ଵରୁପ ବଦଳେଇ ଥାଏ।

– ଇଟାକେ ବଙ୍ଗଲା କୁସେର କହି ହେବା କେ ଆଜ୍ଞା?

= ନାଇ

-ଇତାର ନାଁ ?

= ନାଁ ନେଇନା ଆଜ୍ଞା ! ବେଶ୍ ଦେଶୀ କୁସେର ଆଏ ନା।

ଗୋଟିଏ ଦେଶୀ ପ୍ରଜାତିକୁ କ୍ରମ ସୁରକ୍ଷା ଦେଇ ତାର ନାମକୁ ହଜେଇ ଦେଲୁଣି କେଉଁ କାଳୁ

ଠିକ ବାବାଙ୍କ ପରି ଅନେକ ଅକୁହା ଉପାକ୍ଷାନ ସେ ମେଞ୍ଚେ ପାହାଡ଼ର ସନ୍ଧିରେ ହଜି ଯାଇଛି ଯେପରି ସେ ପାହାଡ଼ି ରାସ୍ତାର ଭାଗ୍ୟ ନେଇ …

2 Replies to “ବିକାଶର ଇତିବୃତ୍ତ”

Leave a Reply

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s

This site uses Akismet to reduce spam. Learn how your comment data is processed.

%d bloggers like this: