ଜଣେ ଲୁହୁରା ନିଜେ ଲୁହା ବାହାର କରି ନିଜେ ମଣିଷକୁ ଦେଉଥିଲା।
ମଣିଷ ଲୁହୁରା ପେରିଥିବା ଲୁହାରେ ଚାଷ କରିବ-ଘର କରିବ-ସଂସାର କରିବ।
ଦିନେ ଜଣେ ଆସିଲା ରଜା ହୋଇ – ସରକାର ହୋଇ। ଲୁହୁରା ସମ୍ମାନରେ ବଞ୍ଚୁଥିଲା। ତାର ଦେବାଦେବୀ ଖୁସିଥିଲେ। ମାଁ ଲୁହୁରାମୁଡ଼େନ ତାର ସମଗ୍ରତାକୁ ରକ୍ଷା କରୁଥିଲା। ସେ ଓ ତାର ସମୂହ ଲୌହ ଶିଳ୍ପରେ ବିଶ୍ଵର ପ୍ରମୂଖ ଥିଲେ।
ତାର ହଜାର ହଜାର ବର୍ଷର ଜୀବନରେ ଏକଦା ରାଜାମାନେ ଆସିଲେ। ଏହି ରାଜାମାନଙ୍କୁ ରାଜା ହିଁ ରଖିବାପାଇଁ ସମଗ୍ର ସମୂହ ଉପରେ ଗୋଟିଏ ସୁଖଦ ଚାପ ତିଆରି କରାଗଲା। ପୃଥିବୀରେ ଜୀବଜନ୍ତୁ ସୃଷ୍ଟି ହୋଇଗଲେ ପ୍ରକାରାନ୍ତେ ଜଣେ ଇଚ୍ଛାଧାରୀଙ୍କ ଖିଆଲ ଗୋଟିଏ ରଚନା କରିଦେଲା। କିଏଜଣେ ଏମାନଙ୍କୁ ପାଳନ କଲା। ଜୀବ ଜଗତର ପରିଚାଳନା ପାଇଁ ରାଜାଙ୍କୁ ପ୍ରେରଣ କଲେ।
ଲୁହୁରା ଜଣକ ଦେଖିଲା ତାର ଲୁହାଖାଲ ଜଗିଥିବା ଦେବୀଙ୍କୁ କୌଣସି ଅସମ୍ମାନ ହେଉ ନାହିଁ। ସେ ନିଜ ପରିଶ୍ରମରେ ତିଆରିଥିବା ସୁହାରୁ ମୁଠାଏ ରଜାକୁ ଦେଇଦେଲା। ରଜା ଖଣ୍ଡାଟିଏ ତିଆରିଲା। ସେ ଖଣ୍ଡାରେ ଲୁହୁରକୁ ଡରାଇଲା।
ଚାଷୀ କସନା କିଣିନେଲା ଓ ରଜା ଲୁହା ଲୁଟି ନେଲା। ରଜା ପାଖରେ ବହୁତ ଖଣ୍ଡା ହୋଇଗଲା। ଲୁହୁରା ତା ତିଆରି ଥିବା ଲୁହାକୁ ଡରିଲା।
ଦିନେ ଜଣେ ଆସିଲା ରଜାକୁ ଡରେଇଲା। ରଜା ଡରିଲା /ଡରେଇଲା।
ଦିନେ ଜଣେ ହଠାତ୍ ଆସିଲା। ଲୁହୁରାର ସବୁ ଲୁହା ନେଇଗଲା। ସେ ଚାଷୀକୁ ବିକିଲା ରଜାକୁ ବିକିଲା। ଚାଷୀକୁ-ଲୁହୁରାକୁ-ରଜାକୁ ଗୋଟିଏ ନିକିତିରେ ମାପିଲା।
ଦିନେ ଦେଶ ସ୍ବାଧିନ ହୋଇଗଲା। ଲୁହୁରାକୁ କୁହାଗଲା ତୁ ଭୋଟ ଦେ। ତୋର ଭୋଟରେ ଛୋଟବଡ଼ ରଜା ତିଆରି ଖେଳିବା। ଲୁହୁରା ରଜା ତିଆରି କଲା। ରଜା ତିଆରୁ ତିଆରୁ ଲୁହାଖାଲ ଲୁହାଶାଲ କେତେବେଳେ ହଜେଜଇଦେଲା ସେ ଜାଣିପାରିଲା ନାହିଁ। ତାକୁ ଭୋକ ହେଲା ସେ ଗଷୀପାଖକୁ ଗଲା। ଚାଷୀ ସେ ବେପାରୀ ପାଖରୁ ଲୁହା ଆଣୁଛି। ଚାଷୀ ତାର ପେଟ ପୁରେଇ ପାରିବ ନାହିଁ। ଲୁହୁରାକୁ ଖୁବ ଭୋକ ହେଲା। ସେ ତିଆରିଥିବା ରଜା ପାଖକୁ ଗଲା।
ରଜା ତାକୁ ପାହାଡ଼ ପାହାଡ଼ ଅନ୍ନ ଡେଇଁ ସେ ଲୋକ ପାଖକୁ ନେଲା ଯିଏ ତାଠାରୁ ଲୁହା କିଣେ-ଚାଷୀକୁ ଲୁହା ବିକେ। ସେ ଖୁସି ହେଲା। ଲୁହୁରାକୁ କହିଲା ମୁଁ ଖୁବ ଦୟାବାନ ଲୋକ। ମତେ ସେ ମୂଳ ତିଆରି ଥିବା ଲୋକର ଆଦେଶ ଅଛି।
ଲୁହୁରାକୁ ବହୁତ ଭୋକ।
ଲୋକଟି କହିଲା ତୁ ଲୁହା ତିଆରି କଥା ଭୁଲି ଯା। ଦୂର ଦେଶରେ ଗୋଟିଏ ରାଇଜ ଅଛି ସେଠାରେ ଇଟା ତିଆରି କରିବୁ ଯା।
ଲୁହୁରା ଇଟା ତିଆରି କରି ଗଲା। ସେଠାରେ ଚାଷୀକୁ ବି ଦେଖିଲା ପାଖଆଖ ଗାଁ ଲୋକଙ୍କୁ ବି ।
ବହୁତ ବଡ଼ ବଡ଼ କାରଖାନା ତିଆରି କଲା ଲୁହୁରାର ଇଟାରେ। କାରଖାନାରେ ଲୁହା ତିଆରି କଲା। ଚାଷୀକୁ ବିକିଲା ରଜାକୁ ବିକିଲା।
ଦିନେ ନିକିତିକୁ ଦେଖିଲା ରଜା-ଚାଷୀ-ଲୁହୁରା ଗୋଟିଏ ପଳାରେ ଅଛନ୍ତି। ସେ ସବୁ ବୁଝିଗଲା।
ରାଜାକୁ କହିଲା ତୁ ଚାଷୀ ଆଉ ଲୁହୁରାର ଭୋଟ ଆଣିଦେ।
ରଜାମାନେ ଭୋଟ ମାରିବାକୁ ଚାଷିକୁ ଆଉ ଲୁହୁରାକୁ ଗୋଟିଏ ଟଙ୍କାରେ ଚାଉଳ ଦେଲେi ପାଞ୍ଚ ଟଙ୍କାରେ ଖାଇବା ଦେଲେ। ହାତୀ ଦେବି ଘୋଡ଼ା ଦେବି ଆଉ ପେଁ କାଲି ବଜେଇ ଦେବି କହିଲେ। ଲୁହୁରା ପେଁକାଲି ବଜେଇବା ଭୁଲିଗଲା। ରଜା ବଜେଇ ଦେବି କହୁଥିଲା ! ରଜାପାଖକୁ ଲୁହୁରା ଯାଇପାରିଲା ନାହିଁ। ରାଜା ନା ହାତୀ ଦେଇଥିଲା ନା ଘୋଡ଼ା ଦେଇଥିଲା।
ଲୁହା କିଣୁଥିବା ଲୋକ ଲୁହୁରା ପାଖକୁ ଆସିଲା। ଲୁହୁରାକୁ କହିଲା ତୁ ତାକୁ ଭୋଟ ଦେଇଦେ, ଲୁହୁରା ହଁ କଲା। ଖୁସିରେ ଲୁହୁରାକୁ ମଦଟିକେ ଦେଲା। ଲୁହୁରା ମଦ ପିଇ ନାଚିଲା।
ପୁଣି ନିକିତି ପଳାକୁ ଦେଖିଲା।
ଲୁହୁରା ପଙକ୍ତିରେ ଠିଆ ହୋଇ ଟଙ୍କାଟିଏରେ ଚାଉଳ ନେଲା ପାଞ୍ଚ ଟଙ୍କାରେ ଖାଦ୍ୟ ଖାଇଲା। ସବୁ ଚାଉଳ ସେ ଅନ୍ନ ପାହାଡ଼ରୁ ଆସିଲା ଯାହାକୁ ନିକିତିରେ ମପାଯାଏ।
ପୁଣି ନିକିତି ପଳାକୁ ଦେଖିଲା।
ବର୍ତ୍ତମାନ ସବଶେଷ ଚରିତ୍ର ହେଲା ନିକିତି ଧରିଥିବା ଲୋକ।
Economic federalism ଅର୍ଥନୈତିକ ସଂଘିକରଣ। ସଂଘିୟ ଶାସନ ବ୍ୟବସ୍ଥା ସଦୃଶ ଅର୍ଥନୀତିର ବ୍ୟବସ୍ଥା? ଅର୍ଥାତ୍ ଏହା ମଧ୍ୟ ଯେ କୌଣସି ନା କୌଣସି ଅଥବା ଗୋଟିଏ କେନ୍ଦ୍ରରୁ ଅର୍ଥନୀତିକୁ ପରିଚାଳନା କରିବା।
ଗୋଟିଏ ଗଣତାନ୍ତ୍ରୀକ ରାଷ୍ଟ୍ରରେ ଏତାଦୃଶ ଶବ୍ଦର ପ୍ରୟୋଗ କେତେଦୂର ଯଥାର୍ଥତା ରଖେ ଏହା ଚିନ୍ତା କରିବା ବିଷୟ।
ଠିକ ଅଛି ଲୁହୁରା ଲୁହା ତିଆରିବା ଛାଡ଼ି ଇଟା ତିଆରିଲା।
ଯଦି ଲୁହୁରା ନ ରହିଲା?
ସୁତରାଂ ପୁଞ୍ଜି ଓ ସତ୍ତାର ବର୍ଚ୍ଚସ୍ୱରେ ଲୁହୁରା / ଭୋଟର / ନାଗରିକର ଅସ୍ତିତ୍ଵ କଣ?
ଅର୍ଥନୈତିକ ବ୍ୟବସ୍ଥାର ପ୍ରକାରାନ୍ତ କେନ୍ଦ୍ରିକରଣ/Economic federalism ଗଣତନ୍ତ୍ର ପାଇଁ ଶୁଭଙ୍କର ବ୍ୟବସ୍ଥା କି?
GST ଲାଗୁ କରିବା ପଛରେ ଉଦ୍ଦେଶ୍ୟ ହେଲା Economic federalism ର ସ୍ଥାପନ ପ୍ରୟାସ। ଏକଥା ଆମକୁ ଶାସନ କହି ସାରିଛି।
ଏତେ ବେଳକୁ ଲୁହୁରା ଆଖିରୁ ଲୁହା ତିଆରି ଖାଲ ଓ ଇଟା ତିଆରି ଖାଲର ପ୍ରଭେଦ ମିଟି ସାରିଲାଣି।
୨୦୧୯ ନିର୍ବାଚନ କୌଣସି ପ୍ରସଙ୍ଗ ନାହିଁ। ଏକଦା ଅନୁବାନରେ ଆସୁଥିବା ବଲଗର ଗହମ ଓ ଏବକାର ଟଙ୍କିକିଆ ଚାଉଳ ଭିତରେ ଲୁହୁରା ଜଣକ ପ୍ରଭେଦ ଦେଖି ବି ନ ପାରେ।
ପ୍ରସଙ୍ଗହୀନ ରାଜନୀତି କି ନିର୍ବାଚନର ମୂଲ୍ୟ କଣ !
ଏଠାରେ ଦେଶପ୍ରେମ ଓ ଦେଶଦ୍ରୋହ ବି ପ୍ରସଙ୍ଗ ହୋଇପାରେ। କାରଣ ଯିଏ ବି ରଜା ହେଲେ ଲୁହୁରା ଖୁସିରେ ଇଟା ଗଢିବ-ଟଙ୍କିକିଆ ଚାଉଳ ନେବ-ପାଞ୍ଚଟଙ୍କିଆ ଖାଦ୍ୟ ଖାଇବ-ଭୋଟ ଦେବ-ମଦ ପିଇବ ଓ ସେ ଦେଖି ନଥିବା ଘୋଡ଼ା ହାତୀ ମାନଙ୍କରେ ବୁଲିବ।
ଅର୍ଥନୀତି ଗୋଟିଏ ବିରାଟ ପ୍ରସଙ୍ଗ। ୨୦୧୯ ନିର୍ବାଚନ ପୁଞ୍ଜି ନିଜର ଉବ୍ଦେଶ୍ୟ ସ୍ପଷ୍ଟ କରି ଦେଇଛି। ଆମକୁ ବିଚାର କରିବାକୁ ହେବ କାରଣ ଇଟା ତିଆରି କରୁଥିବା ଲୁହୁରା-ଚାଷ ଛାଡ଼ିଥିବା ଚାଷୀମାନଙ୍କ ପାଇଁ କୌଣସି ଚିନ୍ତା କରାଯାଇ ନାହିଁ।
କେବଳ କୁହା ଯାଉଛି ୧୫ ଲକ୍ଷ କି ୭୬ ହଜାର ଟଙ୍କା କଥା।
ଏହା ଗୋଟିଏ ଗଣତନ୍ତ୍ରର ଅର୍ଥନୈତିକ ନିର୍ଯ୍ୟାସ କି?