ଗାଁରେ ଯାତ୍ରା ସମୟ ଆସିଲା। ଯାତ୍ରାକୁ ଷାଠିଏ ଟପିଥିବା ଗ୍ରାମବାସୀ ଠୁ ଶହେ ପୁରିବାକୁ ସାତବର୍ଷ ବାକିଥିବା ସର୍ବମାନ୍ୟ ସର୍ବନମସ୍ୟ ଦାଦି ବି ଆସନ୍ତି।
ଯାତ୍ରା ହୁଏ। କୀର୍ତ୍ତନ ପ୍ରହର’ ଦାସକାଠିଆ, ସମପରଦା, ଘୁଡ଼କା, ଡଁଡ଼ ଆଦି ଅନେକ i
ପାଖ ଆଖ ଗାଁ ମାନଙ୍କରେ ବି ଉତ୍ସବ ପରିବେଶ ତିଆରି ହୋଇଯାଏ। ପନ୍ଦର ଦିନ ଗାଁର ସବୁ ମଦ କୁଠି ବି ବନ୍ଦ ରହିବ।
ଚଳନ୍ତି ବର୍ଷ ପୁରାତନ କମିଟି ବିଚାର କଲା, ସେମାନେ ଜୁଆନ ମାନଙ୍କ ସାମର୍ଥ୍ୟ ଆଉ ସଙ୍ଗଠନ ଉପରେ ବିଶ୍ୱାସ ରଖି କ୍ଷମତା ହସ୍ତାନ୍ତର କରିଦେବେ। କ୍ଷମତା ହସ୍ତାନ୍ତରର ପନ୍ଦର ଦିନ ଚର୍ଚ୍ଚା ହେଲା। ସପକ୍ଷ ବିପକ୍ଷ ମତ ଯୁବକ ମାନଙ୍କୁ ଯାତ୍ରାକୁ ଚମକଦାର କରିବା ଚେଷ୍ଟାରେ ଥା’ନ୍ତି।
ଯାତ୍ରା ହେଲା। ଆଲବମ ହିରୋ ହିରୋଇନ ଆସିବେ। କୀର୍ତ୍ତନ ଦାସକାଠିଆ ବି। ସବୁ ବୟସ ପାଇଁ ମନୋରଞ୍ଜନ ର ଆୟୋଜନ ‘ମୀନାବଜାର ମଧ୍ୟ।
ଦ୍ୱିତୀୟ ଦିନ ଟ୍ରାନ୍ସଫରମର ପୋଡ଼ିଗଲା ରାତି ତିନିଟାରେ !
ନାନା ଚିନ୍ତା ! ନାନା ବାଦ ଅପବାଦ! ପିଲା ବଇସିଆ ଆୟୋଜକମାନେ ନୀତି ମାନିଲେନି- ଅମୁକ ଦେବୀ ରୁଷ୍ଟ ହେଲେ ଜୁଆନ ପିଲା ଟୁକେଲଙ୍କ ଆଚରଣରେ।
ପାଦ ପୁରାନାମ ପାଦପଦ୍ମ (ଛଦ୍ମନାମ) ଦିନ ଦଶଟାରେ ବସିଥିବା ଆପାତକାଳିନ ସଭାରେ ବସିଥିଲା। ସମସ୍ତେ ଜାଣନ୍ତି ଆଖପାଖ ଜିଲ୍ଲା ଗାଁ ମାନଙ୍କରେ ଚୋରୀ ଯାଉଥିବା ଟ୍ରାନ୍ସଫରମରମାନଙ୍କ ପଛରେ ପାଦର ବି ହାତ ଥାଏ।
ସେ ଠିଆ ହେଲା।
ଜୁହାର !
ତମର ନେତା ଅଫିସର ସବୁ ହାରଲେ କାଏଁ ?
ସଭା ଚୁପ ରହିଲା…
ପାଦ କହିଲା ସଭେ କିରିଆ କରବାକେ ପଡ଼ବା।
ସଭା କହିଲା – କାଣା?
ପାଦ କହିଲା ମୁଇଁ ଟ୍ରାନ୍ସଫରମା ଜୁଗାଡ଼ କରମି କିନ୍ତୁ ମୁଇଁ ନାଇ ଫସବାର ଅଛେ ….
ସଭା ହରିବୋଲ ଡାକ ଦେଲା। ଗାଁରେ ପାଦ ସମ୍ମାନନୀୟ ମଧ୍ୟରେ ଜଣେ ହୋଇ ସମ୍ମାନ ପାଇଲା।
ଯାତ୍ରା ସରିବା ଦଶ ଦିନ ପରେ ଲାଇନମେନ ଗାଁର ଲାଗିଥିବା ଟ୍ରାନ୍ସଫରମର ଦେଖି ଚମକି ପଡ଼ିଲା।
ୟେ ତ ଛଅ ମାସ ତଳେ ଏମଏଲଏ ଗାଁରୁ ଚୋରୀ ହୋଇଥିବା ଟ୍ରାନ୍ସଫରମର !
ଯିଏ ଶୁଣିଲା ଚମକି ପଡ଼ିଲା। ପୋଲିସ, ଶକ୍ତି ବିଭାଗ, ବିରୋଧି ଶାସକ ସମସ୍ତେ ମାସାଧିକ କାଳ ବଦନାମ ଓ ଚର୍ଚ୍ଚିତ ହୋଇଛନ୍ତି ଏ ଟ୍ରାନ୍ସଫରମର ଲାଗି।
ସମସ୍ତଙ୍କ ମନରେ ଭୟ ଓ ଆଶଙ୍କା। ସଭା ଭିତରେ ପାଦ ବି ବସିଥାଏ ଅଚିନ୍ତା।
ଲାଇନମେନ କୁ ଦାଦି ଥରିଲା କଣ୍ଠରେ କହିଲେ
– ଏ ବାବୁ! ଶୁନ୍ !
ସଭା ନିରବ ହୋଇଗଲା।
= ହଁ ! କାଣା ଗୋ
– ଇ ଆମର ମିସିନ ଆସବାର ଲାଗି କେତେଦିନ ଲାଗବା ? ଠିକ ଠିକ କହ
= ପନ୍ଦର ଦିନ ଗୋ!
– ହଏ ଗା ବୁଆ ତୁଇ ପନ୍ଦରଦିନ କଥାକେ ଲୁକେଇ ନାଇ ପାରୁ ?
= ଆପଣକର ଆଶୀର୍ବାଦ ହେଲେ ପାରମି ଗୋ ବୁଆ !
– ଯାଃ… ଆଶୀର୍ବାଦ କଲି।
ପନ୍ଦର ଦିନରୁ ଟିକିଏ ଅଧିକ ହେବ ଖବର କାଗଜର ଗୋଟିଏ ପ୍ରକାଶିତ ଖବରକୁ ଗାଁ ପାଖ ଆଖ ଲୋକେ ରୋଚକତାର ସହ ପଢି ମଜା ନେଉଥାନ୍ତି।
ଛଅମାସ ତଳେ ବିଧାୟକଙ୍କ ଗାଁର ହଜିଥିବା ଟ୍ରାନ୍ସଫରମର ନିଜ ସ୍ଥାନରେ ହିଁ ଥିଲା।
ପାଦ କହୁଥିଲା ରାତି ଦୁଇଟାରେ ଟ୍ରାନ୍ସଫରମର ଲଗାଇ ଗାଁର ଲାଇନ ଦେଇଦେଲା। ହଠାତ୍ ଲାଇନ ଜଳିବା ଦେଖି ଏମେଲେ ସୁଦ୍ଧା ଭକୁଆ ହେଇଗଲେ।
କେନ ଶଲାର ଜିଭେ ହାଡ଼ ଅଛେ ଆଖେ ପାଖେ ପାଁଚ ପାଲିଥି ପାଦକେ ଚୋର କହିଦେବା।
(ପାଦର ଛଦ୍ମନାମ ବ୍ୟତୀତ ସବୁ ଘଟଣା ସତ। ମନା ନାହିଁ ନିଜ ଚେଷ୍ଟାରେ ବିଧାୟକଙ୍କ ନା ମଧ୍ୟ ଖୋଜି ପାରନ୍ତି।)